ମିଳୁନି ଖଲିସ୍ତାନୀ ନେତା ଅମୃତପାଲ ସିଂହର ପତ୍ତା, ପଞ୍ଜାବରେ ଆଜି ବି ବାତିଲ ଇଣ୍ଟରନେଟ ଓ SMS ସେବା

1 min read

ନୂଆଦିଲ୍ଲୀ: କୁଆଡ଼େ ଗଲା ଖଲିସ୍ତାନବାଦୀ ନେତା ଅମୃତପାଲ ସିଂ । ସାରା ପଞ୍ଜାବରେ ଚାଲିଛି ଛାନବିନ ଓ ସର୍ଚ୍ଚ ଅପରେସନ । ସେପଟେ ବିଭିନ୍ନ ସ୍ଥାନରେ ହିଂସା ଆଶଙ୍କାରେ ଆଜି ବି ବାତିଲ କରାଯାଇଛି ଇଣ୍ଟରନେଟ ଓ ଏସଏମଏସ ସେବା । 2G, 3G, 4G, 5G, ସିଡିଏମଏ, ଜିପିଆରଏ, ବ୍ୟାଙ୍କିଙ୍ଗ ଓ ମୋବାଇଲ ରିଚାର୍ଜ ବ୍ୟତୀତ ସମସ୍ତ ପ୍ରକାର ମୋବାଇଲ ସେବାକୁ ବାତିଲ କରିଦିଆଯାଇଛି । ଉଭୟ ପଞ୍ଜାବ ଓ ହିମାଚଳପ୍ରଦେଶରେ ନିରାପତ୍ତା କଡ଼ାକଡ଼ି କରାଯାଇଛି । ସେପଟେ ପଞ୍ଜାବ ଆଇଜିପି ସୁଖଚେନ ସିଂ ଗିଲ୍ କହିଛନ୍ତି ଏହି ସମସ୍ତ ଘଟଣା ପଛରେ ପାକିସ୍ତାନର ସ୍ପାଏ ଏଜେନ୍ସି ଆଇଏସଆଇର ସମ୍ପୃକ୍ତି ଥିବା ଆଶଙ୍କା କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୧୪ ଜଣଙ୍କୁ ଗିରଫ କରାଗଲାଣି । ଅମୃତପାଲକୁ ଧରିବା ଲାଗି ପଞ୍ଜାବ ପୋଲିସ ପକ୍ଷରୁ ସମସ୍ତ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଆଇଜିପି । ସେପଟେ ପୋଲିସ ଆକ୍ସନ ପୂର୍ବରୁ ଅମୃତପାଲର ଦାଦା ହରଜିତ ଓ ଡ୍ରାଇଭର ହରପ୍ରୀତ ସରେଣ୍ଡର କରିଛନ୍ତି । ସାରା ରାଜ୍ୟରେ ସୁରକ୍ଷାକର୍ମୀ ହାଇଆଲର୍ଟରେ ରହିଥିବା ବେଳେ ବର୍ଡର ଆଖପାଖ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗତକାଲି ବ୍ରିଟେନରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ଅଫିସ ଆଗରେ ଖଲିସ୍ତାନୀ ସମର୍ଥକ ବିକ୍ଷୋଭ କରିବା ସହ ତ୍ରିରଙ୍ଗା ତଳକୁ ଖସାଇ ଦେଇଥିଲେ ।