ବଢ଼ିଲା ଟ୍ରମ୍ପଙ୍କ ଅଡ଼ୁଆ, ଚୁପ୍ ରହିବା ଲାଗି ପର୍ଣ୍ଣଷ୍ଟାରଙ୍କୁ ଅର୍ଥ ପ୍ରଦାନ ମାମଲାରେ ଆଜି ହୋଇପାରନ୍ତି ଗିରଫ

ଓ୍ୱାଶିଂଟନ: ବଢ଼ିଲା ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ । ଚୁପ୍ ରହିବା ଲାଗି ପର୍ଣ୍ଣଷ୍ଟାରଙ୍କୁ ଅର୍ଥ ପ୍ରଦାନ ମାମଲାରେ ଆଜି ହୋଇପାରନ୍ତି ଗିରଫ । ମାନହଟ୍ଟନ ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ଅଫିସର କେତେକ ଗୁରୁତ୍ବପୂର୍ଣ୍ଣ ସୂଚନା ଅନୁଯାୟୀ ଟ୍ରମ୍ପଙ୍କୁ ଗିରଫ କରାଯିବା ସମ୍ଭାବନା ବଢୁଛି । ଏନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ଖୋଦ ଟ୍ରମ୍ପ୍ । ଟ୍ରମ୍ପଙ୍କୁ ଗିରଫ କରିବା ଲାଗି ନ୍ୟୁୟର୍କସ୍ଥିତ ଆଇନ ବିଭାଗ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରମ୍ପଙ୍କ ପୂର୍ବତନ ଓକିଲ ମାଇକେଲ କୋହେନଙ୍କ ସମେତ କେତେକ ସୀକ୍ଷୀଙ୍କୁ ଏହି ମାମଲାରେ ଜେରା କରୁଛନ୍ତି ମାନହଟ୍ଟନ ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ଆଲଭିନ ବ୍ରାଗ ।

ଦଶନ୍ଧି ତଳେ ଟ୍ରମ୍ପଙ୍କ ଦ୍ବାରା ଘଟିଥିବା ଯୌନ ସମ୍ପର୍କିତ ଆକ୍ଷେପ ଘଟଣାରେ ଦୁଇ ମହିଳାଙ୍କୁ ଚୁପ୍ କରିବା ଲାଗି ୨୦୧୬ରେ ଟ୍ରମ୍ପଙ୍କ ଓକିଲ ଅର୍ଥ ଦେବା ଲାଗି ଯୋଜନା କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ଟ୍ରମ୍ପ୍ । ୨୦୨୪ ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ ପାର୍ଟିର ଏହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଥିଲେ । ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନୁସାରେ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲସ ଓ ପ୍ଲେବ୍ୟାକ ମଡେଲ କାରେନ ମାକଡୁଗଲଙ୍କୁ ଚୁପ୍ କରିବା ଲାଗି ଓକିଲ ମାଇକେଲ କୋହେନ ୧ ଲକ୍ଷ ୩୦ ହଜାର ଡଲାର ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ପୂର୍ବରୁ ହ୍ବାଇଟ ହାଉସରୁ ଗୁରୁତ୍ବପୂର୍ଣ୍ଣ ଫାଇଲ ନିଜ ବାସଭବନକୁ ନେବା ଅଭିଯୋଗରେ ଟ୍ରମ୍ପଙ୍କ ବିରୋଧରେ ଏଫବିଆଇ ତଦନ୍ତ ଜାରି ରହିଛି ।