spot_img
Home Blog Page 3561

କଥା ହେବାକୁ ମନା କରିବାରୁ ଯୁବତୀଙ୍କୁ ପେଚକସରେ ୫୧ ଥର ଭୁସି ହତ୍ୟା

ରାୟପୁର: ୨୦୨୨ ମସିହା ଟି ପ୍ରେମ ପ୍ରତାରଣା ଆଉ ହତ୍ୟା ଭଳି ଘଟଣାରେ ଭରପୁର ରହିଥିଲା । ବର୍ଷ ଶେଷ ହେବା ବେଳକୁ ମଧ୍ୟ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଶୁଣିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ଛତିଶଗଡ଼ର କୋରବା ଜିଲ୍ଲାରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ହତ୍ୟା କରି ଦିଆଯାଇଛି । ଜଣେ ଯୁବକ ଯୁବତୀଙ୍କୁ ପେଚକସ୍ ଭୁସି ହତ୍ୟା କରିଛି । ସାଇତାନ ଯୁବକ ଜଣଙ୍କ ପେଚକସରେ ଲଗାତାର ୫୧ ଥର ଆକ୍ରମଣ କରିଥିଲା । ପୋଲିସ କହିବା ଅନୁଯାୟୀ, ଘଟଣା ସମୟରେ ଯୁବତୀ ଜଣଙ୍କ ଘରେ ଏକାକୀ ଥିଲେ ।

ଅଭିଯୁକ୍ତ ସେଠାରେ ପହଞ୍ଚିଥିଲା ଏବଂ ମହିଳାଙ୍କ ସହ ମାରପିଟ କରିଥିଲା । ମହିଳାଙ୍କ ଚିତ୍କାର ବାହାରକୁ ନଶୁଣାଯାଉ ସେଥିପାଇଁ ଅଭିଯୁକ୍ତ ତାଙ୍କ ମୁହଁ ଏକ ତକିଆରେ ବନ୍ଦ କରିଦେଇଥିଲା । ଏହାପରେ ସାଇତାନ ଭଳି ମହିଳାଙ୍କ ଉପରେ ପେଚକସରେ ଆକ୍ରମଣ କରିଚାଲିଥିଲା । ପୋଲିସ ମୁତାବିକ, ଅଭିଯୁକ୍ତ ମୋଟ ୫୧ ଥର ପେଚକସରେ ଆକ୍ରମଣ କରିଥିଲା । ଘଟଣାଟି ୨୪ ଡିସେମ୍ବରରେ ଘଟିଛି । ମହିଳାଙ୍କ ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ଯୁବତୀଙ୍କ ଭାଇ ଘଟଣାର କିଛି ସମୟ ପରେ ଘରେ ପହଞ୍ଚି ଦେଖିଥିଲେ ଯେ ରକ୍ତରେ ଜୁଡ଼ୁବୁଡ଼ୁ ତାଙ୍କ ଭଉଣୀ ତଳେ ପଡ଼ିଥିଲା ।

ଏହା ଦେଖି ସେ ବେହୋସ୍ ହୋଯାଇଥିଲେ । ପୋଲିସ ତଦନ୍ତରେ ସାମ୍ନାକୁ ଆସିଛି ଯେ ଅଭିଯୁକ୍ତ ଜଶପୁର ଜିଲ୍ଲାର ବାସିନ୍ଦା ଅଟେ । ଅଭିଯୁକ୍ତ ସହ ମହିଳାଙ୍କ ବନ୍ଧୁତା ୩ ବର୍ଷ ପୂର୍ବେ ହୋଇଥିଲା । ଅଭିଯୁକ୍ତ ପ୍ରଥମେ ବସ୍ କଣ୍ଡକ୍ଟର ଥିଲା । ଯୁବତୀ ଜଣଙ୍କ ପ୍ରାୟତଃ ସମୟ ସେହି ବସରେ ଯାତ୍ରା କରୁଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା ।

ପୋଲିସ କହିବା ମୁତାବକ, ଅଭିଯୁକ୍ତ ଯୁବକ ପରେ ଚାକିରି ପାଇଁ ଗୁଜରାଟର ଅହମ୍ମଦାବାଦ ଚାଲି ଯାଇଥିଲା । ଅଭିଯୁକ୍ତ ଏବଂ ଯୁବତୀଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ଚାଲିଥିଲା । ମହିଳା ଜଣଙ୍କ ଯେବେ ଫୋନରେ କଥା ହେବା ପାଇଁ ମନା କରିଦେଲେ ତେବେ ଅଭିଯୁକ୍ତ ତାଙ୍କୁ ଏବଂ ତାଙ୍କ ମା’ ବାପାଙ୍କୁ ଧମକ ଦେଇଥିଲା । ଏବଂ ଗୋଟିଏ ଦିନ ସୁଯୋଗ ପାଇଁ ଏହି କାଣ୍ଡ ଭିଆଇଛି ଯୁବକ ଜଣଙ୍କ । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।

ରାୟଗଡ଼ାରେ ମୃତ ଋଷୀୟ ପର୍ଯ୍ୟଟକ ଥିଲେ ଋଷ ରାଷ୍ଟ୍ରପତି ପୁଟିନଙ୍କ ସମାଲୋଚକ, ମାମଲାର ତଦନ୍ତ କରିବ ସିବି-ସିଆଇଡି

ଭୁବନେଶ୍ୱର : ରାୟଗଡାରେ ଶନିବାର ଦିନ ସଂନ୍ଦିଗ୍ଧ ଅବସ୍ଥାରେ ମୃତ୍ଯୁ ବରଣ କରିଥିବା ଋଷ ପର୍ଯ୍ୟଟକ ପାଭେଲ ଏଣ୍ଟଭଙ୍କୁ ନେଇ ଏକ ଚମକପ୍ରଦ ଖବର ଆସିଛି । ମୃଚ ପାଭେଲ ଋଷ ସଂସଦ ସଦସ୍ୟ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ଥିଲେ ବୋଲି ବିବିସି ତା’ର ୱେବସାଇଟରେ ଦାବି କରିଛି ।

ବିବିସି ଅନୁସାରେ ଋଷୀୟ ସାଂସଦ ପାଭେଲ ନିଜର କିଛି ବନ୍ଧୁଙ୍କ ସହିତ ଓଡ଼ିଶାର ରାୟଗଡ଼ା ବୁଲିବାକୁ ଆସିଥିଲେ । ନଭେମ୍ବର ୨୧ ତାରିଖରେ ପାଭେଲ ନିଜର ଅନ୍ୟ ୩ ଜଣ ବନ୍ଧୁଙ୍କ ସହିତ ରାୟଗଡା ଆସିଥିଲେ । ୨୨ ତାରିଖ ଦିନ ପାଭେଲଙ୍କ ସାଥୀ ଭ୍ଲାଦିମିର ଭିଦେନୋଭଙ୍କର ହୋଟେଲରେ ମୃତ୍ୟୁ ହୋଇଥିଲା । ଭ୍ଲାଦିମିରଙ୍କୁ ହୋଟେଲର ପ୍ରଥମ ମହଲାରେ ବେହୋସ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କ ପାଖରେ ଗୋଟିଏ ଖାଲି ୱାଇନ୍ ବୋତଲ ମିଳିଥିଲା । ଭ୍ଲାଦିମିରଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହାର ଦୁଇ ଦିନ ପରେ ଶନିବାର (୨୪ତାରିଖ) ପାଭେଲଙ୍କୁ ହୋଟେଲ ବାହାରେ ମୃତ ଅବସ୍ଥାରେ ଆବିଷ୍କାର କରାଯାଇଥିଲା । ପୋଲିସର ଅନୁମାନ ଯେ, ପାଭେଲ ଆତ୍ମହତ୍ୟା କରିଛନ୍ତି । ପାଭେଲ ଓ ଭ୍ଲାଦିମିର ବାଲ୍ୟବନ୍ଧୁ ଥିଲେ । ଭ୍ଲାଦିମିରଙ୍କ ମୃତ୍ୟୁରେ ଦୁଃଖି ହୋଇ ପାଭେଲ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି ।

ମାମଲାର ତଦନ୍ତ କରିବ ସିବି-ସିଆଇଡି :

ପାଭେଲ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ତଦନ୍ତ କରିବ କ୍ରାଇମବ୍ରାଞ୍ଚ(ସିବି-ସିଆଇଡି) । ସିଆଇଡିକୁ ସ୍ଥାନୀୟ ପୁଲିସ ସହଯୋଗ କରିବ। ଆଜି ଏହା କହିଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ। ସୂଚନାଯୋଗ୍ୟ ଯେ, ବାକି ଦୁଇ ଋଷୀୟ ପର୍ଯ୍ୟଟକ ଏହା ଭିତରେ ଭୁବନେଶ୍ୱର ଫେରିଛନ୍ତି । ତଦନ୍ତ ସରିବା ପର୍ଯ୍ୟନ୍ତ ସେମାନେ ଓଡ଼ିଶାରେ ରହିବେ ।

ପୁଟିନଙ୍କ ସମାଲୋଚକ ଥିଲେ ପାଭେଲ:

ମୃତ ପାଭେଲ ଆଣ୍ଟାନୋଭ୍ ଋଷ ରାଜନେତା ଥିଲେ । ସେ ଋଷ ସଂସଦ ଡୁମାର ସଦସ୍ୟ ଥିଲେ । ନିକଟରେ ସେ ୟୁକ୍ରେନ୍ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ପୁଟିନଙ୍କୁ ସମାଲୋଚନା କରିଥିଲେ । ଯେଉଁଥିପାଇଁ ତାଙ୍କୁ ପୁଟିନ୍ ବିରୋଧୀ ବୋଲି କୁହାଯାଇଥିଲା । ତେବେ ପରେ ପାଭେଲ ନିଜ ବୟାନରୁ ଓହରି ଯାଇଥିଲେ । ଋଷର ଗତ ୨୨ ବର୍ଷ ମଧ୍ୟରେ ପୁଟିନଙ୍କୁ ସମାଲୋଚନା କରିଥିବା ଅନକେ ରାଜନେତା,ଶିଳ୍ପପତି ଓ ପୂର୍ବତନ ସୁରକ୍ଷା ଅଧିକାରୀଙ୍କ ହତ୍ୟା ହୋଇ ସାରିଛି । ସେହି ସବୁ ଘଟଣା ସହିତ ରାୟଗଡାର ଘଟଣାକୁ ଯୋଡି ପାଶ୍ଚାତ୍ୟ ମିଡିଆ ଦେଖୁଛି ।

ଫିଟୁନି ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ, ମୁହଁ ଖୋଲୁନାହାନ୍ତି ଗାଇଡ କି ସାଥୀ ପର୍ଯ୍ୟଟକ

ରାୟଗଡ଼ା : ରହସ୍ୟ ଘେରରେ ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ରହିଥିବା ବେଳେ ସେମାନଙ୍କ ସହ ଆସିଥିବା ଆଉ ଦୁଇ ଜଣ ପର୍ଯ୍ୟଟକ ଭୁବନେଶ୍ବର ଚାଲିଆସିଛନ୍ତି । ସେମାନେ ହେଲେ ତୁରୋଭ ମିଖାଇଲ ଓ ପାନାସେଙ୍କୋ ନତାଲିଆ । ପୋଲିସ ସେମାନଙ୍କୁ କଡ଼ା ସୁରକ୍ଷା ଭିତରେ ରାୟଗଡ଼ା ସୀମା ପାର କରାଇଛି । ଘଟଣାସ୍ଥଳରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଗତ ୨୨ ତାରିଖରେ ଭ୍ଲାଦିମର ବିଦାନୋଭ ଓ ୨୪ ତାରିଖରେ ଆଣ୍ଟୋଭ ପାଭେଲଙ୍କ ମୃତ୍ୟୁ ଘଟିଥିଲା । ରାୟଗଡ଼ା ଟାଉନର ହୋଟେଲ ସାଇ ଇଣ୍ଟରନ୍ୟାସନାଲ ଠାରେ ଏହି ଦୁଇ ଜଣଙ୍କର ମୃତ୍ୟୁ ଏବେ ବି ସନ୍ଦେହ ଘେରରେ ରହିଛି। ମୃତ ଆଣ୍ଟୋଭ ପାଭେଲ ରୁଷିଆର ଜଣେ ପୂର୍ବତନ ସାଂସଦ ବୋଲି ଜଣାପଡିଛି । ଏଣେ ପୋଲିସ ମଧ୍ୟ କିଛି ପ୍ରତିକ୍ରିୟା ଦେଇ ନାହିଁ । ଏଭଳିକି ତାଙ୍କର ଗାଇଡ ଜିତେନ୍ଦ୍ର ସିଂ ମଧ୍ୟ ମୁହଁ ବନ୍ଦ ରଖିଛନ୍ତି । ଫଳରେ ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିଛି ପୋଲିସ। ଦୁଇ ମୃତକଙ୍କୁ ଅନ୍ୟ କେହି ଭେଟିନଥିଲେ। ସେମାନଙ୍କ ଭାଷା କେହି ଜାଣନ୍ତିନି ବୋଲି ସଫେଇ ଦେଇଛନ୍ତି ହୋଟେଲ ମ୍ୟାନେଜର । ସେହିପରି ଭୁବନେଶ୍ବର ପଳାଇଥିବା ତୁରୋଭ ମିଖାଇଲ ମଧ୍ୟ କିଛି କହିବା ପାଇଁ ମନା କରିଦେଇଛନ୍ତି ।

ଚାଲିଛି ବଡ଼ଧରଣର ରେଡ୍, ବଢୁଛି ସରକାରୀ ବାବୁଙ୍କ ସମ୍ପତ୍ତି ତାଲିକା

ଭୁବନେଶ୍ବର :  ଭୁବନେଶ୍ବର ଓ ବାଲେଶ୍ବରରେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତ ରଞ୍ଜନ ପିଲ୍ଲାଙ୍କ ୪ଟି ଫ୍ଲାଟ୍ । ଭୁବନେଶ୍ବର, ବୀରମହାରାଜପୁର ଓ ବାଲିଆପାଳରେ ରହିଛି ୬ଟି ପ୍ଲଟ୍ । ଭିଜିଲାନ୍ସ ଚଢ଼ାଉ ବେଳେ ଘରୁ ଜବତ ହୋଇଛି ନଗଦ ୮୭ ହଜାର ୭୮୫ଟଙ୍କା । ଏହାଛଡ଼ା ବାବୁଙ୍କର ୨ଟି ଚାରିଚକିଆ ଓ ୩ଟି ଦୁଇଚକିଆ ଯାନ ଠାବ ହୋଇଛି । ବ୍ୟାଙ୍କ ଓ ବୀମାଜମା ସମ୍ପର୍କୀତ ତଥ୍ୟ ନେଇ ଚାଲିଛି ଯାଞ୍ଚ ।

ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ବର ମଞ୍ଚେଶ୍ବର ଗାଢ଼କଣା ସ୍ଥିତ ସ୍ପେସ ଟାଉନ ଆପାର୍ଟମେଣ୍ଟର ଦ୍ବିତୀୟ ମହଲା ବ୍ଲକ୍-ବି ୨୦୭ ଫ୍ଲାଟ୍‌, ରଙ୍ଗମାଟିଆ ହର୍ଷପ୍ରିୟା ଏନକ୍ଲେଭର ୧୦୧ ନମ୍ବର ଫ୍ଲାଟ୍‌ ଓ ବାଲେଶ୍ବର ସୁନହଟରେ ଥିବା ଦୁଇଟି ଫ୍ଲାଟ୍‌ରେ ଚାଲିଛି ଚଢ଼ାଉ । ସେହିପରି ଖଣ୍ଡଗିରି ଆଇଗିଣିଆ, ସୁବର୍ଣ୍ଣପୁର ବୀରମହାରାଜପୁର, ବାଲେଶ୍ବର ବାଲିଆପାଳର ନାଇଘାଟି, ସୁବର୍ଣ୍ଣପୁର କଟାପାଲିରେ ରହିଛି ବାବୁଙ୍କ ନାଁରେ ପ୍ଲଟ୍ । ରେଡ୍‌ରେ ୨ ଡିଏସପି, ୧୪ ଇନସ୍ପେକ୍ଟରଙ୍କ ସହ ୬ ଜଣ ଏଏସଆଇ ସାମିଲ ହୋଇଛନ୍ତି ।

୮ଶହ ଟଙ୍କାରେ ମିଳିବ ନାଜାଲ୍ ଭାକ୍ସିନ୍

ନୂଆଦିଲ୍ଲୀ : ଘରୋଇ ହସପିଟାଲରେ ୮ଶହ ଟଙ୍କାରେ ମିଳିବ ନାଜାଲ୍ ଭାକ୍ସିନ୍। ଏଥିପାଇଁ କୋଓ୍ବିନ୍ ଆପ୍ରେ ସ୍ଲଟ୍ ବୁକିଂ କରାଯାଇପାରିବ। ଜାନୁଆରୀ ଚତୁର୍ଥ ସପ୍ତାହରୁ ନାଜାଲ୍ ଭ୍ୟାକସିନ୍ ଇନକୋଭାକ୍ ଉପଲବ୍ଧ ହେବ। ତେବେ କେନ୍ଦ୍ର ତଥା ରାଜ୍ୟ ସରକାର ଅଧିକ ପରିମାଣରେ ନାଜାଲ ଭ୍ୟାକସିନ ନେବାକୁ ଥିବାରୁ ଡୋଜ୍ ପିଛା ୩୨୫ ଟଙ୍କାରେ ଦିଆଯିବ ।

୧୮ବର୍ଷରୁ ଅଧିକଙ୍କୁ ବୁଷ୍ଟର ଡୋଜ୍ ଭାବେ ନାଜାଲ ଭ୍ୟାକସିନ୍ ଦିଆଯାଇପାରିବ। ଟ୍ରାଏଲ୍ ସମୟରେ ଟିକା ନେଉଥିବା ଲୋକଙ୍କ ଦେହରେ ନାଜାଲ ଭ୍ୟାକସିନ୍ ଆଣ୍ଟିବଡି ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି

କାମରୁ ବାହାର କରିଦେବାରୁ ମାଲିକ ସମେତ ୩ ଜଣଙ୍କୁ ହତ୍ୟା

ସୁରତ : ସୁରତରେ କାରଖାନା ମାଲିକକୁ ହତ୍ୟା କଲେ ଗଞ୍ଜାମର ୨ ଶ୍ରମିକ । କାମରୁ ବାହାର କରିବାରୁ ମାଲିକ ସମେତ ୩ ଜଣଙ୍କୁ ହତ୍ୟା କରିଛନ୍ତି ୨ ଶ୍ରମିକ । ମୃତକମାନେ ହେଲେ ସଂପୃକ୍ତ କାରଖାନାର ମାଲିକ, ତାଙ୍କ ପୁଅ ଓ ଅନ୍ୟ ଜଣେ ସମ୍ପର୍କୀୟ । ଘଟଣା ପରେ ଗଞ୍ଜାମ ଜିଲ୍ଲାର ଜଣେ ନାବାଳକ ସମେତ ୨ଜଣଙ୍କୁ ଗିରଫ କରିଛି ପୋଲିସ । ହତ୍ୟା ବେଳର ଏକ ସିସିଟିଭି ଭିଜୁଆଲ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଛୁରୀରେ ଓ ଜଣେ ଲୁହା ବାଡ଼ିରେ ୩ ଜଣଙ୍କୁ ଆକ୍ରମଣ କରୁଛନ୍ତି । ଯେଉଁଥିରେ ପ୍ରାଣ ହରାଇଛନ୍ତି ସୂତା କାରଖାନାର ମାଲିକଙ୍କ ସମେତ ୩ ଜଣ ।

ଘଟଣା ଅନୁସାରେ ସୁରତର ଏମ୍ବ୍ରୋଡୋରି କାରଖାନାରେ ଗଂଜାମ ଜିଲ୍ଲାର ଜଣେ ଶ୍ରମିକ ଦୀର୍ଘଦିନ ଧରି କାମ କରୁଥିଲେ । ପରେ ଏକ ନାବାଳକକୁ ଥଇଥାନ କରିଥିଲେ ଶ୍ରମିକ ଜଣଙ୍କ । ପ୍ରାୟ ୧୦ ଦିନ ତଳେ କାରଖାନା ମାଲିକ ଓ ଗଞ୍ଜାମର ଦୁଇ ଶ୍ରମିକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହା ପରେ କର୍ମଚାରୀଙ୍କୁ କାମରୁ ବାହାର କରିଦେଇଥିଲେ ମାଲିକ । ଏଥିରେ ପ୍ରତିଶୋଧପରାୟଣ ହୋଇ ରବିବାର ଦିନ କମ୍ପାନୀ ଭିତରେ ପଶି ଧାରୁଆ ଅସ୍ତ୍ରରେ ୩ ଜଣଙ୍କୁ ଆକ୍ରମଣ କରିଥିଲେ ଓଡିଆ ଶ୍ରମିକ ।

ବିଶ୍ବକପ୍‌ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଜାନୁଆରୀ ୧୩ରୁ ୨୯ ଯାଏଁ ଓଡ଼ିଶାରେ ହେବ ପୁରୁଷ ହକି ବିଶ୍ବକପ୍ । ଦ୍ବିତୀୟ ଥର ପାଇଁ ଓଡ଼ିଶା ଏହି ବିଶ୍ବକପ୍‌ର ଆୟୋଜନ କରୁଥିବାରୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିରାଜ ସିଂ ଚୌହାନଙ୍କୁ ନିମନ୍ତ୍ରଣ କରାୟାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଶିବରାଜ ସିଂ ଚୌହାନଙ୍କୁ ଦେଇଛନ୍ତି ନିମନ୍ତ୍ରଣ ପତ୍ର । ଆଜି ସକାଳୁ ଭୋପାଲରେ ସ୍ବତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ ପତ୍ର ସହ ହକି ଜର୍ସି ଓ ରୁପାର ଅଶୋକ ଚକ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କରିବା ସହ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି ଶିବରାଜସିଂ ଚୌହ୍ବାନ । ଏବଂ ଯଥାସମ୍ଭବ ଓଡ଼ିଶା ଆସି ହକି ମହାକୁମ୍ଭରେ ସାମିଲ ହେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ନୂଆବର୍ଷରେ ରାଉରକେଲା ପାଇଁ ଡବଲ ଖୁସି, ଉଡିବ କମର୍ସିଆଲ ଫ୍ଲାଇଟ୍‌ ଓ ଗଡ଼ିବ ମୋ ବସ୍

ରାଉରକେଲା :  ରାଉରକେଲା ସହରବାସୀଙ୍କ ପାଇଁ ଖୁସି ଖବର । ଜାନୁଆରୀ ପ୍ରଥମ ସପ୍ତାହରୁ ରାଉରକେଲାରୁ ଉଡ଼ିବ କମର୍ସିଆଲ ଫ୍ଲାଇଟ୍‌ । ଡିଜିସିଏଠାରୁ ଲାଇସେନ୍ସ ମିଳିଥିବା ବେଳେ ହକି ଖେଳାଳିଙ୍କ ପାଇଁ ଚାର୍ଟାର୍ଡ ଫ୍ଲାଇଟ୍‌ ବ୍ୟବସ୍ଥା କରାଯାଇଛି । ରାଉରକେଲା ମହାନଗର ନିଗମ କମିଶନର ଶୁଭଙ୍କର ମହାପାତ୍ର ଏହି ସୂଚନା ଦେଇଛନ୍ତି।

ଏଥି ସହିତ ଆରମ୍ଭ ହେବ ମୋ ବସ୍ ସେବା । ପ୍ରଥମ ପର୍ଯ୍ୟାୟରେ ୨୫ଟି ମୋ ବସ ଚଳାଚଳ କରିବ । ରାଉରକେଲା ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ମୋ ବସ ସେବା ଆରମ୍ଭ ହେଵ। ୨୫ଟି ବସ ରାଉରକେଲାରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ସହରରେ ମୋ ବସ ସେବା ଉଦଘାଟନ କରିବେ ବୋଲି ରାଉରକେଲା ମହାନଗର ନିଗମ କମିଶନର ଶୁଭଙ୍କର ମହାପାତ୍ର ସୂଚନା ଦେଇଛନ୍ତି।

ୟୁପି ବାରାଣସୀ ନକଲି ମେଡିସିନ୍‌ର ଡିପୋ, ୩ଟି ମେଡିସିନ୍ ପ୍ରସ୍ତୁତକାରୀ ଫାର୍ମରୁ ସବୁଆଡେ ସପ୍ଲାଏ

ଝାରସୁଗୁଡ଼ା : ନକଲି ମେଡିସିନ୍‌ର ଡିପୋ ୟୁପି ବାରାଣସୀ । ବାରାଣସୀର ୩ଟି ମେଡିସିନ୍ ପ୍ରସ୍ତୁତକାରୀ ଫାର୍ମରୁ ସବୁଆଡେ ବିତରଣ ହୋଇଛି ଫେକ୍ ମେଡିସିନ୍ । ଏନେଇ ସବୁ ତଥ୍ୟ ୟୁପି ସରକାର ଦେଇଥିବା ବେଳେ ସମ୍ପୃକ୍ତ ମେଡିସିନ୍ ପ୍ରସ୍ତୁତକାରୀ ଫାର୍ମର ଲାଇସେନ୍ସ ରଦ୍ଦ କରାଯାଇଥିବା ସୂଚନା ମିଳିଛି ।

ନିକଟରେ ଲକ୍ଷେ ୭୦ହାଜରର ନକଲି ମେଡିସିନ୍ ଜବତ ହୋଇଥିଲା । ଏଥିପାଇଁ ଝାରସୁଗୁଡ଼ାର ଅମିତ ମେଡିକାଲ ଏଜେନ୍ସି ଓ ବରଗଡ଼ର ବିକାଶ ଆଣ୍ଡ କୋ ମେଡିସିନ ନାଁରେ ସଙ୍ଗୀନ ଅଭିଯୋଗ ହୋଇଥିଲା । ସବୁ ନକଲି ମେଡିସିନ ବାରଣାସୀର ୩ଟି ଫାର୍ମର ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛି ।

ମଙ୍ଗଳାଯୋଡ଼ି ଗସ୍ତରେ ମୁଖ୍ୟ ଶାସନ ସଚିବ

ଖୋର୍ଦ୍ଧା : ମଙ୍ଗଳାଯୋଡ଼ି ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅନ୍ତର୍ଗତ ମଙ୍ଗଳାଯୋଡ଼ି ବୁଲି ଦେଖିବା ସହ ପକ୍ଷୀ ଅଭୟାରଣ୍ୟ ଦେଖିଛନ୍ତି ମୁଖ୍ୟ ଶାସନ ସଚିବ । ଶୀତଦିନେ ପକ୍ଷୀ ଦେଖିବା ପାଇଁ ମଙ୍ଗଳାଯୋଡିକୁ ଶହ ଶହ ପର୍ଯ୍ୟଟକ ଆସୁଥିବାରୁ ସେମାନଙ୍କ ପାଇଁ ସୁବିଧା ସୁଯୋଗର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ମଙ୍ଗଳାଯୋଡି ଲେବେଲ୍ କ୍ରସିଂଠାରୁ ଜେଟି ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାର ଉନ୍ନତି ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସେ ନିର୍ଦେଶ ଦେଇଛନ୍ତି । ପକ୍ଷୀ ସୁରକ୍ଷା ସଂଗଠନ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସମସ୍ୟା ସଂପର୍କରେ ମଧ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଲୋଚନା କରିଥିଲେ । ଖୋର୍ଦ୍ଧା ଜିଲ୍ଲାପାଳ, ଡିଏଫଓ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।