ଆଜିଠୁ ରାଜ୍ୟରେ ଦୁଇ ପ୍ରକାରର ପାଗ, ମଧ୍ୟାହ୍ନରେ ବଢ଼ିବ ତାତି ଓ ଅପରାହ୍ନରେ କାଳବୈଶାଖୀ ତାଣ୍ଡବ

ଭୁବନେଶ୍ୱର: ମଧ୍ୟାହ୍ନରେ ତାତି, ଅପରାହ୍ନରେ ବର୍ଷା । ଆଜିଠୁ ରାଜ୍ୟରେ ଏମିତି ରହିବ ପାଗ । ଦିନର ତାପମାତ୍ରା ସ୍ବାଭାବିକଠାରୁ ୨ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ । ମଧ୍ୟାହ୍ନରେ ତାପମାତ୍ରା ବଢ଼ିଲେ ବି ଅପରାହ୍ନରେ ବର୍ଷା ହେବ । ୨୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଜାରି ରହିବ । ଟ୍ରପଲାଇନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ୨୩ ତାରିଖରେ ଆସୁଛି ଆଉ ଏକ ପଶ୍ଚିମା ଝଡ଼ । ପ୍ରଭାବରେ ୨୫ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀରୁ ନିସ୍ତାର ମିଳିବନି । ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବର୍ଷା ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ । ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ଝଡ଼ ପବନ ଏବଂ ବଡ଼ ବଡ଼ କୁଆପଥର ବୃଷ୍ଟି ହେଉଥିବାରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । କାଳବୈଶାଖୀ ସମୟରେ ଯଥା ସମ୍ଭବ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଯଦି ବାହାରେ ଥାନ୍ତି ତେବେ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ କୁହାଯାଇଛି ।