ଋଷ ଓ ଚୀନ ସମ୍ପର୍କରେ ନୂଆ ଯୁଗ, ପାଶ୍ଚାତ୍ୟ ରାଷ୍ଟ୍ର ବିରୋଧରେ ମିଳିତ ସାମ୍ମୁଖ୍ୟ ଗଠନ

1 min read

ମସ୍କୋ: ଋଷ ଓ ଚୀନ ସମ୍ପର୍କରେ ନୂଆ ଯୁଗ । ପାଶ୍ଚାତ୍ୟ ରାଷ୍ଟ୍ର ବିରୋଧରେ ଦୁଇ ରାଷ୍ଟ୍ରର ମିଳିତ ସାମ୍ମୁଖ୍ୟ ଗଠନ । ଏନେଇ ଘୋଷଣା କରିଛନ୍ତି ଦୁଇ ସୁପରପାଓ୍ବାର ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଭ୍ଲାଦିମିର ପୁଟିନ । ଜାରି ହୋଇଥିବା ମିଳିତ ଘୋଷଣାନାମାରେ ଦୁଇ ନେତା ଆମେରିକାକୁ ଟାର୍ଗେଟ କରିବା ସହ ବିଶ୍ବ ନିରାପତ୍ତା ନଷ୍ଟ କରିବା କ୍ଷେତ୍ରରେ ସେମାନେ ଆମେରିକାକୁ ଦାୟୀ କରିଛନ୍ତି । ଆମେରିକାର ଏକପାଖିଆ ସାମରିକ ସ୍ବାର୍ଥକୁ ବିରୋଧ କରିବା ସହ ଆନ୍ତର୍ଜାତିକ ଓ ଆଞ୍ଚଳିକ ନିରାପତ୍ତାକୁ ଅବମୂଲ୍ୟାୟନ କରୁଥିବାରୁ ଆମେରିକା ବିରୋଧରେ ବର୍ଷିଛନ୍ତି ଦୁଇ ନେତା । ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିବା ଲାଗି ସେମାନେ ସହମତି ପ୍ରକାଶ କରିଛନ୍ତି ।

ପୁଟିନ କହିଛନ୍ତି- ଋଷ ଓ ଚୀନ ମଧ୍ୟରେ ସହଯୋଗ ଅସୀମିତ ସମ୍ଭାବନା ସୃଷ୍ଟି କରିବ । ଏହା ସହ ଋଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଲାଗି ବେଜିଂର ପ୍ରସ୍ତାବକୁ ପାଶ୍ଚାତ୍ୟ ରାଷ୍ଟ୍ର ଅଗ୍ରାହ୍ୟ କରି ଯୁଦ୍ଧରେ ଯବନିକା ପକାଇବାକୁ ଚାହୁଁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ପୁଟିନ । ମସ୍କୋରେ ଜିନପିଙ୍ଗ୍ ଓ ପୁଟିନଙ୍କ ଭେଟଘାଟ ଅବସରରେ ଦୁଇ ନେତା ପାଶ୍ଚାତ୍ୟ ରାଷ୍ଟ୍ରର ଆଧିପତ୍ୟ ରୋକିବା ଲାଗି ସହମତି ପ୍ରକାଶ କରିଥିବାବେଳେ ଏସିଆରେ ନାଟୋର ସମ୍ପ୍ରସାରଣ ଲାଗି ହେଉଥିବା ଉଦ୍ୟମକୁ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ।  ଯୁଦ୍ଧାବସାନ ଲାଗି କଥାବାର୍ତ୍ତା ସକାଶେ ପ୍ରସ୍ତୁତ ବୋଲି କହିବା ସହ ବେଜିଂର ୧୨ ସୂତ୍ରୀ ପ୍ରସ୍ତାବକୁ ପ୍ରଶଂସା କରିଛନ୍ତି ପୁଟିନ । ବେଜିଂର ପ୍ରସ୍ତାବକୁ  କିଭ୍ ଗ୍ରହଣ କରିବା ଲାଗି ଚାହୁଁନାହିଁ ଏବଂ ଯଦି ଏହି ପ୍ରସ୍ତାବକୁ କିଭ୍ ଗ୍ରହଣ କରେ ତେବେ ଶାନ୍ତି ପ୍ରତିଷ୍ଠା ସମ୍ଭବ ବୋଲି ସେ କହିଛନ୍ତି । ପୁଟିନ ଆହୁରି କହିଛନ୍ତି କି ଦୁଇ ରାଷ୍ଟ୍ର ମଧ୍ୟରେ କଥାବାର୍ତ୍ତା ଫଳବତୀ ହୋଇଛି । କଟକଣା କାରଣରୁ ୟୁରୋପୀୟ ବଜାରରେ ଋଷ ବ୍ୟାପକ ସଙ୍କଟର ସମ୍ମୁଖୀନ ହୋଇଛି । ଚୀନର ପରିବର୍ଦ୍ଧିତ ଶକ୍ତି ଚାହିଦାକୁ ଋଷ ମେଣ୍ଟାଇବ ।

ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି- ପିସ୍ ଫର୍ମୂଲା କାର୍ଯ୍ୟକାରୀ କ୍ଷେତ୍ରରେ ଏକ ପାର୍ଟନର ହେବା ଲାଗି ଚୀନକୁ ପ୍ରସ୍ତାବ ଦିଆଯାଇଛି । ତେବେ ଚୀନର ଉତ୍ତରକୁ ଅପେକ୍ଷା କରାଯାଇଛି । ପୂର୍ବରୁ ୟୁକ୍ରେନରୁ ଋଷ ସୈନ୍ୟ ପ୍ରତ୍ୟାହାର ନ କରିବା ଯାଏ ଶାନ୍ତି କଥାବାର୍ତ୍ତା ହୋଇପାରିବ ନାହିଁ ବୋଲି କହିଆସୁଛନ୍ତି ଜେଲେନସ୍କି । ତେଣେ ଜିନପିଙ୍ଗଙ୍କ ମସ୍କୋ ଗସ୍ତକୁ ବିରୋଧ କରିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ । ସେ କହିଛନ୍ତି- ୟୁକ୍ରେନରେ ଘଟୁଥିବା ହିଂସ୍ର ଆଚରଣ କ୍ଷେତ୍ରରେ ପୁଟିନଙ୍କୁ ଦାୟୀ କରିବା ଲାଗି ଜିନପିଙ୍ଗ ଚାହୁଁନାହାନ୍ତି । ସେପଟେ ଗଣହତ୍ୟା ନେଇ ଚର୍ଚ୍ଚାରେ ଥିବା ୟୁକ୍ରେନର ବୁଚା ସହରକୁ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ଗସ୍ତକୁ ଐତିହାସିକ ବୋଲି ଦର୍ଶାଇଛନ୍ତି ଜେଲେନସ୍କି ।