spot_img
Home Blog Page 3547

ଜଜ୍ ନିଯୁକ୍ତି ପ୍ୟାନେଲରେ କେନ୍ଦ୍ରର ପ୍ରତିନିଧିଙ୍କୁ ରଖିବାକୁ ଚିଠି

ନୂଆଦିଲ୍ଲୀ: ଜଜ୍ ନିଯୁକ୍ତି ପ୍ୟାନେଲରେ କେନ୍ଦ୍ରର ପ୍ରତିନିଧି ରଖିବାକୁ ଚିଠି। ହାଇକୋର୍ଟ, ସୁପ୍ରିମକୋର୍ଟରେ ଜଜ୍ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଦୀର୍ଘଦିନ ଧରି କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି। କଲେଜିୟମ ସିଷ୍ଟମକୁ ଅନେକ ଥର ଆଲୋଚନାର ପ୍ରସଙ୍ଗ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜଜୁ।

ଜଜ୍ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ପାଇଁ କଲେଜିୟମ ପ୍ୟାନେଲରେ କେନ୍ଦ୍ରର ପ୍ରତିନିଧି ରଖିବାକୁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ। ସୁପ୍ରିମକୋର୍ଟ ଜଜ୍ ନିଯୁକ୍ତି ପ୍ୟାନେଲରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଓ ହାଇକୋର୍ଟ ଜଜ୍ ନିଯୁକ୍ତି ପ୍ୟାନେଲରେ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କୁ ସାମିଲ କରିବାକୁ ଚିଠି ଲେଖାଯାଇଛି ।

BSKY କାର୍ଡରେ ଟଙ୍କା ହଡପ ଘଟଣା; ଘରୋଇ ହସ୍ପିଟାଲରେ ରେଡ୍

କଟକ: ବିଏସକେଓ୍ବାଇ କାର୍ଡରେ ଲକ୍ଷାଧିକ ଟଙ୍କା ହଡପ ଘଟଣା। କଟକ ଘରୋଇ ନର୍ସିଂହୋମ ସାଉଥ ପଏଣ୍ଟରେ ଜିଏସଟିର ୪ଜଣିଆ ଟିମର ରେଡ୍। ପୂର୍ବରୁ ବିଏସକେଓ୍ବାଇ କାର୍ଡ ଦୁର୍ନୀତି କରି ଜେଲରେ ଅଛନ୍ତି ନର୍ସିଂହୋମ ମାଲିକଙ୍କ ସମେତ ୫ଜଣ। ଏକାକାଳୀନ ୩ଟି ଜାଗାରେ ରେଡ୍ ଚାଲିଥିବା ବେଳେ ଏଥିରେ ୧୦ରୁ ଅଧିକ ଅଫିସର ସାମିଲ ହୋଇଛନ୍ତି। ହସପିଟାଲ ମାଲିକଙ୍କ ଘର, ମିରାଜ ଫାର୍ମାସ୍ୟୁଟିକାଲରେ ମଧ୍ୟ ଚଢ଼ାଉ ଚାଲିଛି।

ହସ୍ପିଟାଲର ଜିଏସଟି ବାତିଲ କରି ମେଡିସିନ ଷ୍ଟୋର ନାମରେ ପଞ୍ଜିକୃତ ହୋଇଥିଲା ହସ୍ପିଟାଲ। ୨୦୧୮ରେ ହସପିଟାଲର ଜିଏସଟି ମାସେ ପାଇଁ ହୋଇଥିଲା । ଏହାପରେ ଏହି ଜିଏସଟି ନମ୍ବରକୁ ମେଡିସିନ ଷ୍ଟୋର ନାଁରେ କରାଯାଇଥିଲା। ସେବେଠାରୁ ବିନା ଜିଏସଟିରେ ହସପିଟାଲ ଚାଲିଥିଲା। ପୂର୍ବରୁ କଟକ ବୟାଳିଶ ମୌଜାରେ ଥିବା ସାଉଥ ପଏଣ୍ଟ ହସପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ରାଜ୍ୟ ସରକାର। ହସପିଟାଲକୁ ପ୍ୟାନେଲରୁ ବହିଷ୍କାର କରାଯାଇଥିବା ବେଳେ ଦାୟିତ୍ବରେ ଥିବା ସ୍ବାସ୍ଥ୍ୟ ମିତ୍ରଙ୍କୁ ମଧ୍ୟ ହଟାଯାଇଥିଲା।

ଗତ ୧୦ ତାରିଖରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରେ ରାଜକୋଷ ଲୁଟ୍ ଅଭିଯୋଗରେ କଟକ ବୟାଳିଶ ମୌଜା ଥାନା ପୋଲିସ ଦଲାଲ ସମେତ ହସ୍ପିଟାଲ ମାଲିକକୁ ମିଶାଇ ମୋଟ୍ ୫ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଏକାଧିକ ବିଏସକେୱାଇ କାର୍ଡ ଜବତ କରାଯାଇଥିଲା। ହିତାଧିକାରୀମାନଙ୍କୁ ପ୍ରଲୋଭିତ କରି ଏହି ଦଲାଲମାନେ ଲକ୍ଷାଧିକ ଟଙ୍କା ଠକିଥିବା ପୋଲିସରେ ଅଭିଯୋଗ ହୋଇଥିଲା ।

ପ୍ରକାଶ ପାଇଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ତାଲିକା

ନୂଆଦିଲ୍ଲୀ: ପ୍ରକାଶ ପାଇଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ତାଲିକା। ୯ ଦଶମିକ ୫୯ ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଭ ପାଇବା ନେଇ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୦ ଜିଲ୍ଲାରୁ ରହିଛନ୍ତି ୮ଲକ୍ଷ ୧୭ହଜାର ହିତାଧିକାରୀ। ବାକି ୧ଲକ୍ଷ ୪୨ହଜାର ହିତାଧିକାରୀ ୧୪ଜିଲ୍ଲାର ଫନୀ କ୍ଷତିଗ୍ରସ୍ତ। ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ବତନ୍ତ୍ର ଭାବେ ସାମିଲ କରାଯାଇଛି।

ଚଳିତ ଥର ୧୨ଲକ୍ଷ ୨୫ ହଜାର ହିତାଧିକାରୀଙ୍କୁ ଆବାସ ଘର ଯୋଗାଇବାକୁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର। ହିତାଧିକାରୀଙ୍କ ତାଲିକା ଗାଁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ସମେତ ଅନ୍ୟ ପ୍ରମୁଖ ସ୍ଥାନରେ ପ୍ରଦର୍ଶିତ କରାଯାଇଛି। ଏହାକୁ ନେଇ ଆପତ୍ତି ଉଠାଇବାର ବି ବ୍ୟବସ୍ଥା କରାଯାଇଛି।

ତେବେ ଜାନୁଆରୀ ୨୪ ଭିତରେ ମିଳିଥିବା ଅଭିଯୋଗ ଗୁଡ଼ିକର ଯାଞ୍ଚ କରାଯିବ। ପିଇଓ ବା ଜିଆରଏସ୍ ସମେତ ବ୍ଲକର ଦୁଇ ଜଣ କର୍ମଚାରୀଙ୍କ ଦ୍ବାରା ସରଜମିନ ତଦନ୍ତ କରାଯାଇ ସମ୍ଭାବ୍ୟ ତାଲିକାରୁ ଅଯୋଗ୍ୟ ପରିବାରଙ୍କ ନା କାଟି ସମସ୍ତ ଯୋଗ୍ୟ ପରିବାରଙ୍କ ତାଲିକା ଗ୍ରାମସଭାର ଅନୁମୋଦନ ପାଇଁ ପଠାଯିବ । ସବୁସ୍ତରରେ ହିତାଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ପ୍ରଶାସନିକ ସ୍ବଚ୍ଛତା ଆଣୁଛନ୍ତି ।

କେଜିଏଫ୍ ଷ୍ଟାର୍ ୟଶଙ୍କ ବାପା ଥିଲେ ଜଣେ ବସ ଡ୍ରାଇଭର୍, ଏବେ ଗାଁରେ ଚଳାଉଛନ୍ତି ଟ୍ରାକ୍ଟର

ନୂଆଦିଲ୍ଲୀ: କେଜିଏଫ୍ ଷ୍ଟାର ୟଶ କେବଳ କନ୍ନଡ ଅଭିନେତା ନୁହଁନ୍ତି ବରଂ ସେ ଜଣେ ଗ୍ଲୋବାଲ୍ ଷ୍ଟାର ଭାବେ ପରିଚିତ । ବିଦେଶରେ ମଧ୍ୟ ତାଙ୍କର ଫ୍ୟାନ୍ ଫଲୋଇଂ ଖୁବ୍ ରହିଛି । ଏତେ ପପୁଲାର ଥାଇ ବି ୟଶ ସବୁବେଳେ ଡାଉନ୍ ଟୁ ଆର୍ଥ ହୋଇରହିଥାନ୍ତି । ନିକଟରେ ୟଶ ନିଜ ଗାଁରେ ଏକ ମହେନ୍ଦ୍ରା ଟ୍ରାକ୍ଟରରେ ପରିବାର ସହ ନଜର ଆସିଛନ୍ତି । ବାପା ଟ୍ରାକ୍ଟର ଚଳାଉ ଥିବା ବେଳେ ମା’ ପତ୍ନୀ ରାଧିକା ଓ ଦୁଇ ଛୁଆ ଭିଲେଜ୍ ଟ୍ରିପ୍ ଏନଜଏ କରୁଥିଲେ ।

ଏହି ଫଟୋ କିଛି ସମୟ ମଧ୍ୟରେ ମିଲିୟନ୍ ଛୁଇଁଥିଲା । ଆଉ ଏକ ଫଟୋରେ ପିଲାମାନେ ଜେଜେ ମା’ଙ୍କ ସହ ଅଟାରେ ଖେଳୁଥିବା ନଜର ଆସିଥିଲା । ତେବେ ମକର ସଂକ୍ରାନ୍ତିରେ ୟଶଙ୍କ ପତ୍ନୀ ନିଜର ପରିବାର ସହ ଏହିଭଳି ଫଟୋ ଶେୟାର କରିଥିଲେ ।

ଫଟୋରେ ୟଶ ବାପା-ମା’ ଓ ପତ୍ନୀ ଓ ଛୁଆ ମାନଙ୍କ ସହ ଆଳତି କରୁଥିବା ନଜର ଆସୁଛି ।

ଅଭିନେତା ୟଶଙ୍କ ବାପା ଜଣେ ବସ୍ ଡ୍ରାଇଭର୍ ଥିଲେ। ସେ ଏବେ ଗାଁରେ ରହୁଛନ୍ତି । ଯିଏକି ସବୁବେଳେ ନିଜ କାମକୁ ଖୁବ୍ ଭଲ ପାଆନ୍ତି। ଯାହା ତାଙ୍କ ପରିବାରକୁ ଆଜିବି ଏକାଠି ବାନ୍ଧି ରଖିଛି ବୋଲି ୟଶ ଏକ ଇଣ୍ଟରଭ୍ୟୁରେ କହିଥିଲେ । ସେହିପରି RRR ନିର୍ଦ୍ଦେଶକ ରାଜମୌଲି ଏକଦା କହିଥିଲେ, ୟଶ ଜଣେ ବସ୍ ଡ୍ରାଇଭରଙ୍କ ପୁଅ ବୋଲି ଜାଣିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଥିଲି। ୟଶଙ୍କ ଠାରୁ ତାଙ୍କ ବାପା ହେଉଛନ୍ତି ଜଣେ ବଡ଼ ହିରୋ । କାରଣ ସେ ସବୁବେଳେ ତାଙ୍କ କାମ କରିବାକୁ ପସନ୍ଦ କରନ୍ତି ।

 

ସୁନ୍ଦରଗଡ଼ରେ ୧୭ଟି ହକି ଟ୍ରେନିଂ ସେଣ୍ଟର; ଦିଆଯାଉଛି ତାଲିମ

ରାଉରକେଲା: ହକିର ଏନ୍ତୁଡ଼ିଶାଳ ତଥା ହକିର ଗଡ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକର ୧୭ଟି ସ୍ଥାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୭ଟି ହକି ଟ୍ରେନିଂ ସେଣ୍ଟର ତଥା ଆଷ୍ଟ୍ରୋ ଟର୍ଫ ଷ୍ଟାଡିୟମ୍ ନିର୍ମାଣ ହୋଇଛି। ଗ୍ରାମାଞ୍ଚଳର ପ୍ରତିଭାବାନ ହକି ଖେଳାଳିଙ୍କୁ ହକି ଟ୍ରେନିଂ ସେଣ୍ଟର ଜରିଆରେ ତାଲିମ ପ୍ରଦାନ କରାଯାଇ ଅନ୍ତର୍ଜାତୀୟ ସ୍ତରର ହକି ଖେଳାଳି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

ହକି ଟ୍ରେନିଂ ସେଣ୍ଟରରେ ବରିଷ୍ଠ ହକି କୋଚଙ୍କ ଜରିଆରେ ତାଲିମ ପ୍ରଦାନ ବ୍ୟବସ୍ଥା ହୋଇଛି । ଆଷ୍ଟ୍ରୋ ଟର୍ଫ ଲଗାଯାଇ ଜିମର ସୁବିଧା କରାଯାଇଛି । ଗ୍ରାମାଞ୍ଚଳର ହକି ଖେଳାଳିଙ୍କ ପାଇଁ ରାଜ୍ୟ ସରକାର ଏପରି ବ୍ୟବସ୍ଥା କରିଥିବାରୁ ହକି ଇଣ୍ଡିଆ ସଭାପତି ଡକ୍ଟର ଦିଲ୍ଲୀପ ତିର୍କୀଙ୍କ ସହ ଅନ୍ତର୍ଜାତୀୟ ହକି ଖେଳାଳି, ଅଲିମ୍ପିଆନ ହକି ଖେଳାଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀଙ୍କ ସହ ବହୁ ଅନ୍ତର୍ଜାତୀୟ ହକି ଖେଳାଳି ଓ ଅଲିମ୍ପିଆନ ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକ ଅନ୍ତର୍ଗତ ବିରକେରା ଆଷ୍ଟୋ ଟର୍ଫ ଷ୍ଟାଡିୟମ୍ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଦୁଇ ବର୍ଷର ଛୁଆକୁ ମାରି ଆତ୍ମହତ୍ୟା କଲା ମା’

କଟକ: କଟକ ମଧୁପାଟଣା ଥାନା ଶ୍ରୀରାମନଗରରେ ଅଭାବନୀୟ ଘଟଣା । ଦୁଇ ବର୍ଷର ଛୁଆକୁ ତଣ୍ଟି ଚିପି ମାରିଲା ମା’ । ଛୁଆକୁ ମାରିବା ପରେ ମା’ର ଆତ୍ମହତ୍ୟା । ଘଟଣାରେ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରି ରହିଛି । ତେବେ ଜଣେ ମା’ ଏଭଳି ଚରମ ପଦକ୍ଷେପ କାହିଁକି ନେଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ସୂଚନା ଅନୁଯାୟୀ, ମହିଳାଙ୍କ ସ୍ବାମୀ ସାଲେପୁରର ସନ୍ତୋଷ ଖୁଣ୍ଟିଆ। ମୃତ ମହିଳା ଜଣକ ସନ୍ତୋଷଙ୍କ ଦ୍ବିତୀୟ ପତ୍ନୀ ଓ ପିଲାଟି ପ୍ରଥମ ପତ୍ନୀଙ୍କର ପୁଅ। ପ୍ରସବ ପରେ ହିଁ ସନ୍ତୋଷଙ୍କ ପ୍ରଥମ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପିଲାଟିକୁ ତାର ମାମୁଁଘର ଲୋକେ ନେଇ ଯାଇଥିଲେ। ତେବେ ସନ୍ତୋଷଙ୍କ ଦ୍ବିତୀୟ ବିବାହ ପରେ ତାଙ୍କ ଦ୍ବିତୀୟ ପତ୍ନୀ ପିଲାଟିର ସବୁ ଦାୟିତ୍ବ ନେବାକୁ କହି ନିଜ ପାଖରେ ରଖିଥିଲେ। ମହିଳା ଜଣକ ପିଲାଟିକୁ ବହୁତ ଭଲ ପାଉଥିଲେ। କିନ୍ତୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ଲାଗି ରହୁଥିଲା। ଏପରିକି ଗତ ୨ଦିନ ତଳେ ପତି ପତ୍ନୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଲାଗିଥିଲା ।

ତେବେ ମୃତ ମହିଳାଙ୍କ ସ୍ୱାମୀ ସନ୍ତୋଷ ସବୁବେଳେ ପତ୍ନୀଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ଏସବୁ ସହିନପାରି ସେ ଚରମ ପଦକ୍ଷେପ ନେଇଥିବା ପରିବାର ଲୋକେ କହିଛନ୍ତି । ସେପଟେ ବୋହୂ ସବୁବେଳେ ପୁଅ ସହ କଳି କରୁଥିବା ସନ୍ତୋଷଙ୍କ ବାପା ମାଆ କହିଛନ୍ତି ।

 

ମିଳିଲା ପାରାଦୀପ ସମୁଦ୍ରରେ ନିଖୋଜ ଟ୍ରଲରର ସନ୍ଧାନ

ପାରାଦୀପ: ମିଳିଲା ନିଖୋଜ ଟ୍ରଲରର ସନ୍ଧାନ । ମାଛ ଧରିବାକୁ ଯାଇ ନିଖୋଜ ଥିବା ୨ଟି ଟ୍ରଲର ଦେବୀ ଲକ୍ଷ୍ମୀ ଓ କିନାରାର ସନ୍ଧାନ ମିଳିଛି । ଦୁଇଟି ଯାକ ଟ୍ରଲରର ସମସ୍ତ ୧୩ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ବୋଟ୍ ଚାଳକ ଦେଇଛନ୍ତି ସୂଚନା ।

ଟ୍ରଲରରେ ଥିବା ସମସ୍ତ ମତ୍ସ୍ୟଜୀବୀ କୂଳ ଠାରୁ ୧୨ ନଟିକାଲ ମାଇଲ ଦୂରରେ ଅଛନ୍ତି । ଦୁଇ ଘଣ୍ଟା ମଧ୍ୟରେ ପାରାଦୀପ ମାଛଧରା ବନ୍ଦରରେ ପହଞ୍ଚିବେ ବୋଲି ସୂଚନା ଦେଇଛନ୍ତି । ପହଞ୍ଚିଲେ ହିଁ ନିଖୋଜର କାରଣ ଜଣାପଡିବ ବୋଲି କହିଛନ୍ତି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସଭାପତି ଶ୍ରୀକାନ୍ତ ପରିଡ଼ା । ଗତ ୮ ତାରିଖରୁ ସମୁଦ୍ର ଭିତରକୁ ଯାଇଥିବା ବେଳେ କୌଣସି ଖୋଜ ଖବର ମିଳିନଥିଲା । ଏଥିପାଇଁ କୋଷ୍ଟଗାର୍ଡକୁ ଚିଠି ଲେଖି ସହାୟତା ମାଗିଥିଲା ମତ୍ସ୍ୟଜୀବୀ ସଂଘ । ଖବର ପାଇବା ପରେ ମତ୍ସ୍ୟଜୀବୀଙ୍କୁ ଖୋଜିବାକୁ କୋଷ୍ଟଗାର୍ଡ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା ।

ଶୀତରେ ଥରୁଛି ଉତ୍ତର ଭାରତ; ପାଣିପାଗ ବିଭାଗର ରେଡ୍ ଆଲର୍ଟ ଜାରି

ନୂଆଦିଲ୍ଲୀ: ଉତ୍ତର ଭାରତରେ କୁହୁଡ଼ିର ଆସ୍ତରଣ। ଆଜି ରାଜଧାନୀରେ ଚଳିତ ଶୀତ ଋତୁର ସର୍ବନିମ୍ନ ତାପମାତ୍ରା 1.4 ରେକର୍ଡ ହୋଇଛି। ଦିଲ୍ଲୀ ସମେତ ଉତ୍ତର ଭାରତର ଅନ୍ୟ ସମସ୍ତ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ତିନି ଦିନ ପାଇଁ ପୁରା ଉତ୍ତର ଭାରତକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଆଜି ସକାଳୁ ଦିଲ୍ଲୀ, ପଞ୍ଜାବ, ହରିଆଣା, ୟୁପି, ରାଜସ୍ଥାନରେ ପ୍ରବଳ ଶୀତ ପ୍ରକୋପ ସହ ଘନ କୁହୁଡ଼ି ଦେଖାଯାଇଛି। ଆସନ୍ତା ତିନି ଦିନ ପାରା ମାଇନସ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି । ଘନ କୁହୁଡ଼ି ଯୋଗୁ ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟ୍ରେନ ଓ ବିମାନ ବିଳମ୍ବ ଯୋଗୁ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଷ୍ଟେସନ ଓ ବିମାନବନ୍ଦରରେ ଅପେକ୍ଷା କରିରହିଛନ୍ତି ।

ସେପଟେ ଜମ୍ମୁ-କାଶ୍ମୀର, ହିମାଚଳ, ଗୁଜରାଟ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ପାହାଡ଼ି ରାଜ୍ୟରେ ପ୍ରବଳ ତୁଷାରପାତ ଯୋଗୁ ଶୀତ ପ୍ରକୋପ ବଢ଼ିଛି ।

ଯାଜପୁରରେ ବରୁଣେଶ୍ବର ମହୋତ୍ସବ ଉଦ୍‌ଘାଟିତ

ଯାଜପୁର: ଯାଜପୁର ବିଞ୍ଝାରପୁରରେ ବରୁଣେଶ୍ବର ମହୋତ୍ସବ ଉଦ୍‌ଘାଟିତ। ଉଦଘାଟନୀ ଉତ୍ସବରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗ ଦେଇ ପଲିଶ୍ରୀ ମେଳାର ଉଦଘାଟନ କରିଥିଲେ। ଜିଲ୍ଲାପରିଷଦଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ସାଂସଦ ଶର୍ମିଷ୍ଠା ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ମହୋତ୍ସବରେ ବିଞ୍ଝାରପୁରର ଇତିହାସ ଓ ପରମ୍ପରାକୁ ନେଇ ପ୍ରସ୍ତୁତ ହୋଇଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ରକୁ ଅତିଥି ମାନେ ଲୋକାର୍ପଣ କରିଥିଲେ। ଶେଷରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ମାନଙ୍କ ଦ୍ୱରା ନୃତ୍ୟ ପରିବେଷଣ ହୋଇଥିଲା।

ବେଷ୍ଟ ଫରେନ୍ ଲାଙ୍ଗୁଏଜ୍ ଫିଲ୍ମ ବନିଲା RRR

ନୂଆଦିଲ୍ଲୀ: ଏସଏସ ରାଜମୌଲିଙ୍କ ଫିଲ୍ମ RRR ବିଶ୍ବରେ ପ୍ରଶଂସା ସାଉଣ୍ଟିବାରେ ଲାଗିଛି। ଗ୍ଲୋଡେନ୍ ଗ୍ଲୋବ ଜିତିବା ପରେ  ରାଜମୌଲିଙ୍କ ଫିଲ୍ମ RRR ବେଷ୍ଟ ଫରେନ୍ ଲାଙ୍ଗୁଏଜ୍ ଫିଲ୍ମ ଭାବେ କ୍ରିଟିକ୍ସ ଚଏସ୍ ଆୱାର୍ଡ ଜିତିଛି।

ଏନେଇ କ୍ରିଟିକ୍ସ ଚଏସ୍ ଆୱାର୍ଡ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଶେୟାର କରିଛି। କ୍ୟାପସନରେ RRR ଫିଲ୍ମର କାଷ୍ଟ ଆଣ୍ଡ୍ କ୍ରୁ ମେମ୍ବରଙ୍କୁ ବହୁତ ଶୁଭେଚ୍ଛା।

RRR ଫିଲ୍ମ ‘ଅଲ୍ କ୍ୱାଇଟ୍ ଅନ୍ ଦ ୱେଷ୍ଟର୍ନ ଫ୍ରଣ୍ଟ’, ‘ଆର୍ଜେଣ୍ଟିନା ୧୯୮୫’, ‘ବାର୍ଡୋ’, ‘ଫଲ୍ସ କାନିକଲ୍ ଅଫ୍ ଏ ହ୍ୟାଣ୍ଡଫୁଲ୍ ଅଫ୍ ଟୁଥ୍ସ, କ୍ଲୋଜ୍’ ଓ ‘ଡିସିଜନ୍ ଟୁ ଲିବ’ ଭଳି ଫିଲ୍ମକୁ ପଛରେ ପକାଇ ଏହି ଆୱାର୍ଡକୁ ହାତେଇ ନେଇଛି। ରାଜମୌଲି ମଧ୍ୟ ହାତରେ ଟ୍ରଫି ଧରି ଫଟୋ ଉଠାଉଥିବାର ଏକ ପୋଷ୍ଟ ଶେୟାର କରିଛନ୍ତି ।

ଏହା ପୂର୍ବରୁ ଗୋଲ୍ଡେନ ଗ୍ଲୋବ-୨୦୨୩ରେ ବେଷ୍ଟ ଅରିଜିନାଲ ସଙ୍ଗ୍ ଆଓ୍ବାର୍ଡ ପାଇଥିଲା RRRର ନାଟୁ ନାଟୁ ସଙ୍ଗ। ଆମେରିକାରେ ଚାଲିଥିବା ଗୋଲ୍ଡେନ ଗ୍ଲୋବର ୮୦ ତମ ସଂସ୍କରଣରେ ନାଟୁ ନାଟୁକୁ ବେଷ୍ଟ ଅରିଜିନାଲ ସଙ୍ଗ ଆଓ୍ବାର୍ଡ ମିଳିଥିଲା। ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୋଇଥିବା ରାଜମୌଲିଙ୍କ ଏହି ଫିଲ୍ମ ପୂରା ବିଶ୍ବରେ ପ୍ରଶଂସା ସାଉଣ୍ଟୁଛି ।