spot_img
Home Blog Page 3548

ରାଇସ ମିଲରେ ଅଘଟଣ, ଚାଉଳ ବସ୍ତା ତଳେ ଚାପି ହୋଇ ୨ମୃତ

ନୟାଗଡ଼: ନୟାଗଡ଼ ଓଡ଼ଗାଁ ଥାନା ରୋହୀବାଙ୍କରେ ଥିବା ମା ମଙ୍ଗଳା ରାଇସ ମିଲରେ ଅଘଟଣ। ମିଲରେ କାମ କରୁଥିବା ବେଳେ ଚାଉଳ ବସ୍ତା ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପ୍ରମୋଦ ମହାରଣା ଓ ରାମେଶ୍ବର ଦେହୁରୀ ।

ସେମାନଙ୍କ ଘର ଗଞ୍ଜାମ ଭଞ୍ଜନଗର ଏବଂ କଟକ ବଡ଼ମ୍ବା ଅଞ୍ଚଳରେ । ଦୁଇ ଶ୍ରମିକଙ୍କ ବ୍ୟବଚ୍ଛେଦ ପାଇଁ ଓଡ଼ଗାଁ ମେଡିକାଲକୁ ଆଣିଛି ପୋଲିସ । ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଛି, ସେନେଇ ମିଲ୍ ମାଲିକ ଓ କାମ କରୁଥିବା ଅନ୍ୟ ଶ୍ରମିକଙ୍କୁ ପଚରାଉଚରା କରୁଛି ପୋଲିସ ।

କମିଶନରେଟ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ। ଝରକା ତାଡି ଲୁଟିବା ସାଙ୍ଗକୁ ଏଟିଏମ ଖାଲି କରୁଥିବା ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ। ଅଭିଯୁକ୍ତର ନାମ ମନୋଜ ହୋଇଥିବା ବେଳେ ଘର ଗଞ୍ଜାମ ଜିଲ୍ଲାରେ। ମନୋଜର ସହଯୋଗୀ ଶ୍ୟାମସୁନ୍ଦର ଆଚାରୀକୁ ମଧ୍ୟ ଅଟକ ରଖିଛି ପୋଲିସ ।

ଶ୍ୟାମସୁନ୍ଦର ଚୋରି ସୁନାକୁ ଝଳେଇ କରି ଅଳଙ୍କାର ତିଆରି କରେ । ଗ୍ୟାଙ୍ଗର ମୋଟ ୩ ଜଣଙ୍କୁ କାବୁ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତଙ୍କ ନାଁରେ ଲକ୍ଷ୍ମୀସାଗର ଥାନାରେ ମାମଲା ରହିଛି । କମିଶନରେଟ ପୋଲିସ ପକ୍ଷରୁ ଗୋଶାଣୀ ନୂଆଗାଁ, ବୈଦ୍ୟନାଥପୁର ଓ କମାପଲ୍ଲୀରେ ଚଢ଼ାଉ କରାଯାଇଛି । ତିନି ଜଣଙ୍କୁ ଆଣି ପଚରାଉଚରା କରୁଥିଲା ପୋଲିସ । ଜଣଙ୍କୁ ଛାଡିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖିଛି ।

ନେପାଳ ବିମାନ ଦୁର୍ଘଟଣା; ଫେସବୁକ୍ ଲାଇଭରେ କଏଦ ମୃତ୍ୟୁର ଚିତ୍ର

ନେପାଳ: ମୃତ୍ୟୁର ମୁହୁର୍ତ୍ତ। ଆଖି ଆଗରେ ମୃତ୍ୟୁ ଆସୁଥିବ। କେତେ ଭୟାନକ ହୋଇଥିବ ସେ ଚିତ୍ର । ନେପାଳ ବିମାନ ଦୁର୍ଘଟଣାରେ ସାମ୍ନାକୁ ଆସିଛି ଠିକ ଏମିତି ଏକ ଦୃଶ୍ୟ । ସୋସିଆଲ ମିଡିଆରେ ରେକର୍ଡ ହୋଇଛି ଜୀବନ-ମୃତ୍ୟୁ ମଝିର କେଇ ସେକେଣ୍ଡର ଲୋମଟାଙ୍କୁରା ସମୟ। ବିମାନ କ୍ରାସ ହେବାର ମାତ୍ର ଗୋଟେ ମିନିଟ ଆଗରୁ ସୋସିଆଲ ମିଡିଆରେ ଲାଇଭ ଆସିଥିଲେ ଜଣେ ବିମାନଯାତ୍ରୀ । ହସହସ ମୁହଁରେ ଦେଖାଉଥିଲେ ବିମାନ ଲ୍ୟାଣ୍ଡିଂ କରିବାର ସମୟ । ହେଲେ କେଇ ସେକେଣ୍ଡରେ ସବୁକିଛି ବଦଳିଯାଇଥିଲା ।

ବିମାନର ସାଇଲେଣ୍ଟ ପିରିୟଡ଼ରେ ଖେଳିଯାଇଥିଲା ଆତଙ୍କ ଆଉ ଆର୍ତ୍ତ ଚିତ୍କାର । ହଠାତ ମାଡ଼ିଆସିଥିଲା ମୃତ୍ୟୁ । କ୍ରାସ ହୋଇଥିଲା ATR-72 । ବିମାନ ଦୁର୍ଘଟଣା ଲୋମଟାଙ୍କୁରା ମୁହୂର୍ତ୍ତର ସାକ୍ଷୀ ସାଜିଥିଲା ସୋସିଆଲ ମିଡିଆ । ପ୍ରତିଟି ଦୃଶ୍ୟ କଏଦ ହୋଇଥିଲା ସୋସିଆଲ ମିଡିଆ ଲାଇଭରେ । ଦୁର୍ଘଟଣା ଶେଷ ପର୍ଯ୍ୟନ୍ତ ଚାଲିଥିଲା ଲାଇଭ । ଏକ ମିନିଟ ୩୩ସେକେଣ୍ଡର ଏହି ଭିଡିଓରେ କଏଦ ହୋଇଛି ଦୁର୍ଘଟଣାର ପୂରା ଚିତ୍ର । ମୃତ୍ୟୁ କେତେ ଭୟଙ୍କର ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି ।

ଲାଇଭ କରୁଥିବା ଯାତ୍ରୀଜଣଙ୍କ ୟୁପି ଗାଜିବାଦର ବୋଲି ଜଣାପଡ଼ିଛି । ୟେତି ଏୟାରଲାଇନ୍ସର ଏଟିଆର-୭୨ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୭୨ଜଣ । କାଠମାଣ୍ଡୁରୁ ଟୁରିଷ୍ଟ ସିଟି ପୋଖରା ଯାଉଥିବା ବିମାନର ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ଯାଇଛି ୫ ଭାରତୀୟଙ୍କ ସମେତ ୧୫ ବିଦେଶୀଙ୍କ ଜୀବନ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସୈନ୍ୟ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ୟେତି ଏୟାରଲାଇନ୍ସ ଆଜିଠୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବିମାନସେବା ବନ୍ଦ ରଖିଛି ।

ରାଜ୍ୟରେ କାଲିଠୁ ବଦଳିବ ପାଗ, ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କାଲିଠୁ ବଦଳିଯିବ ପାଗ। ଫେରିବ ପଶ୍ଚିମାଝଡ଼ ପ୍ରଭାବ। ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାନେଇ ପୂର୍ବାନୁମାନ କିରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଏବଂ ଢେଙ୍କାନାଳରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।

ସେହିପରି ୧୮ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବାନେଇ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପଟେ ଏବେ ରାଜ୍ୟରେ ଶୀତ କମିଛି। ଉତ୍ତରା ଥଣ୍ଡା ଶୁଷ୍କ ବାୟୁ ପ୍ରବାହ କମିବା ପରେ ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରା ବୃଦ୍ଧି ହୋଇଛି । ତେବେ ଗୁଚୁଚାପ ବଳୟ ପ୍ରଭାବରେ ଘନ କୁହୁଡିର ଆସନ୍ତରଣ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଦୃଶ୍ୟମାନ କ୍ଷମତା ୫୦ ରୁ ୧୦୦ ମିଟର ରହିଛି ।

ହକି ବିଶ୍ବକପ୍; ୪ର୍ଥ ଦିନରେ ଖେଳାଯିବ ଚାରୋଟି ମ୍ୟାଚ

ଭୁବନେଶ୍ୱର: ହକି ବିଶ୍ବକପ୍ ୨୦୨୩। ଆଜି ଚତୁର୍ଥ ଦିନରେ ଚାରୋଟି ମ୍ୟାଚ ଖେଳାଯିବ। ବିର୍ସା ମୁଣ୍ଡାରେ ଦୁଇଟି ଓ କଳିଙ୍ଗ ଷ୍ଟାଡିୟମରେ ଦୁଇଟି ମ୍ୟାଚ ଖେଳାଯିବ । ଦିନ ଗୋଟାଏରେ ପୁଲ୍ ସିର ଟିମ୍ ମାଲେସିଆ ଓ ଚିଲି ମଧ୍ୟରେ ଟକ୍କର ହେବ। ଏଥିସହ ଦିନ ୩ଟାରେ ପୁଲ୍ ସିର ନ୍ୟୁଜିଲାଣ୍ଡ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ମ୍ୟାଚ ହେବ । ଏହି ଦୁଇଟି ମ୍ୟାଚ ରାଉରକେଲାର ବିର୍ସା ମୁଣ୍ଡାରେ ଖେଳାଯିବ।

ସେହିପରି କଳିଙ୍ଗ ଷ୍ଟାଡିୟମରେ ସଂଧ୍ୟା ୫ଟାରେ ହେବ ବଡ଼ ଟକ୍କର । ପୁଲ ଏର ଟିମ୍‌ ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟକ୍କର ହେବ । ପରେ ସଂଧ୍ୟା ୭ଟାରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଟକ୍କର ହେବ । ଗତକାଲି ବିଶ୍ବକପରେ ଦୁଇଟି ମ୍ୟାଚ ଖେଳାଯାଇଥିଲା । ଦ୍ବିତୀୟ ଟକ୍କରରେ ଟାଇ ରହିଲା ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ । ସବୁ କ୍ବାଟରରେ ଦେଖିବାକୁ ମିଳିଥିଲା ଜୋରଦାର ଟକ୍କର। ଉଭୟ ଟିମ୍କୁ ମିଳିଲା ଗୋଟିଏ ଲେଖାଏଁ ପଏଣ୍ଟ ।

ପ୍ରଥମ ମ୍ୟାଚରେ ଓ୍ବେଲ୍ସକୁ ୫-୧ ଗୋଲରେ ପରାସ୍ତ କରିଥିଲା ସ୍ପେନ । ଦଳ ପକ୍ଷରୁ ମାର୍କ ମିରେଲ୍ସ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ । ପ୍ୟାନେଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ସକ୍ଷମ ହୋଇଥିଲେ ମାର୍କ ।

ପାରାଦୀପରେ ନିଖୋଜ ମାଛଧରା ଟ୍ରଲର, କୋଷ୍ଟଗାର୍ଡକୁ ଚିଠି ଲେଖି ମାଗିଲେ ସହାୟତା

ପାରାଦୀପ: ପାରାଦୀପରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଦୁଇଟି ଟ୍ରଲର ନିଖୋଜ। ଦୁଇଟି ବୋଟରେ ରହିଥିଲେ ୧୩ ଜଣ ମତ୍ସ୍ୟଜୀବୀ।

ସୂଚନା ଅନୁଯାୟୀ, ଦେବୀ ଲକ୍ଷ୍ମୀ ଓ କିନାରା ନାମକ ଦୁଇଟି ବୋଟ ୮ ତାରିଖରେ ମାଛ ଧରିବାକୁ ଯାଇଥିଲେ। ଯାହାପର ଠାରୁ କେଉଁଆଡେ ନିଖୋଜ ହୋଇଯାଇଥିଲା ।  ଖବର ଜଣାପଡିବା ପରେ କୋଷ୍ଟଗାର୍ଡକୁ ଚିଠି ଲେଖି ସହାୟତା ମାଗିଛି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ । ମତ୍ସ୍ୟଜୀବୀଙ୍କୁ ଖୋଜାଖୋଜି କରିବାକୁ ସର୍ଚ୍ଚ ଅପରେଶନ ଜାରି ରହିଛି ।

ତେବେ ବାଂଲାଦେଶ ସୀମାରେ ଦୁଇଟି ଯାକ ବୋଟ୍ ନିଖୋଜ ଥିବା ଜଣାପଡିଛି । ଓଏନଜିସିର କିଛି ଜିନିଷ ନେଇ ସମୁଦ୍ରକୁ ଯାଇଥିଲା ବୋଟ୍। ସମୁଦ୍ରର ୮୮ ନଟିକାଲ ମାଇଲ ଭିତରେ ହିଁ ନିଖୋଜ ହୋଇଛି ବୋଟ୍। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସଭାପତି ଶ୍ରୀକାନ୍ତ ପରିଡ଼ା।

କନ୍ଧମାଳରେ ହାତୀ ପଲଙ୍କ ଉପଦ୍ରବ, ଭୟରେ ବିତୁଛି ଗାଁ ଲୋକଙ୍କ ଜୀବନ

କନ୍ଧମାଳ: କନ୍ଧମାଳରେ ହାତୀ ପଲର ଉପଦ୍ରବ । ୪୦ ରୁ ୫୦ ଟିକିଆ ହାତୀପଲ ଗାଁକୁ ପସି ଫସଲ ନଷ୍ଟ କରୁଥିବା ବେଳେ ଭୟରେ ବିତୁଛି ଗାଁ ଲୋକଙ୍କ ଜୀବନ । ହାତୀ ପଲ କଳାହଣ୍ଡି-କନ୍ଧମାଳ ସିମାନ୍ତ ଜଙ୍ଗଲରୁ ଆସିଥିବା ସନ୍ଦେହ କରାଯାଉଛି । ବନ ବିଭାଗ ହାତୀ ଟ୍ରାକିଙ୍ଗ୍ ସ୍କ୍ବାଡ ଗଠନ କରି ଗତିପଥ ଉପରେ ନଜର ରଖିବା ସହ ଲୋକଙ୍କୁ ସଚେତନ କରିଛି । ବାଲିଗୁଡା ବନଖଣ୍ଡର ବେଲଘର ବନାଞ୍ଚଳର ଝିରିପାଣି ଗାଁ କୁ ୪୦ ରୁ ୫୦ ଟିକିଆ ହାତପଲ ପସିଆସିଥିବା ଦେଖିବାକୁ ମିଳିଛି ।

ପ୍ରାୟ ୭ ରୁ ୮ ଦିନ ହେଲା ଝିରିପାଣି ଜଙ୍ଗଲରେ ରହି ରାତିରେ ଗାଁକୁ ଆସି ଫସଲ ନଷ୍ଟ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ସେମାନଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଥିବା ସୂଚନା ଦେଇଛନ୍ତି ଝିରିପାଣି ବିଟ୍ ହାଉସ୍ ପରେଷ୍ଟର ଶିବାଜୀ ବେହେରା । ହାତୀଙ୍କ ଯୋଗୁଁ ଝିରିପାଣି ଓ ଭଣ୍ଡରଙ୍ଗୀ ପଞ୍ଚାୟତରୁ ତୁମୁଡିବନ୍ଧକୁ ଯାତାୟାତ ବାଧାପ୍ରାପ୍ତ ହେଉଛି । ହାତୀପଲ ଅଞ୍ଚଳ ଛାଡୁ ନଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ବିର୍ସା ମୁଣ୍ଡା ଭଳି ଷ୍ଟାଡ଼ିୟମ ଆଉ କେଉଁଠି ନାହିଁ: FIH ଅଧ୍ୟକ୍ଷ

ରାଉରକେଲା: ବଡ଼ ବିତର୍କରେ ପୂର୍ଣ୍ଣଛେଦ । ବିର୍ସା ମୁଣ୍ଡା ଭଳି ଷ୍ଟାଡ଼ିୟମ ଆଉ କେଉଁଠି ନାହିଁ । ବିଶ୍ବର ସର୍ବବୃହତ ଷ୍ଟାଡିୟମ ବିର୍ସା ମୁଣ୍ଡା ଷ୍ଟାଡିୟମ । କହିଲେ FIH ଅଧ୍ୟକ୍ଷ ତୟାବ ଇକ୍ରମ । ଆଜି ଗଣମାଧ୍ୟମରେ ଏଭଳି ମତ ରଖିଛନ୍ତି FIH ଅଧ୍ୟକ୍ଷ ତୟାବ ଇକ୍ରମ । ବିର୍ସା ମୁଣ୍ଡା ଭଳି ଷ୍ଟାଡିୟମ ବିଶ୍ବରେ ଗୋଟିଏ । ସେଠାରେ ୨୧ ହଜାର ୮୦୦ ଦର୍ଶକଙ୍କ ବସିବା ସୁବିଧା ରହିଛି । ରାଜ୍ୟ ସରକାର ସେଠାରେ ବିଶ୍ବ ସ୍ତରୀୟ ବ୍ୟବସ୍ଥା କରିଛନ୍ତି । ଏଥିସହ ଷ୍ଟାଡିୟମର ଭିତ୍ତିଭୂମିକୁ ପ୍ରଶଂସା କରିଛନ୍ତି ଏଫଆଇଏଚ ଅଧ୍ୟକ୍ଷ । ଏହି ଷ୍ଟାଡିୟମରେ ସବୁ ବର୍ଗର ଲୋକଙ୍କ ପାଇଁ ସୁବିଧା ରହିଛି । ଭିନ୍ନକ୍ଷମ ବ୍ୟକ୍ତି ମଧ୍ୟ ଷ୍ଟାଡିୟମକୁ ଆରମରେ ଯାଇ ଖେଳ ଦେଖିପାରିବ । ଏଫଆଇଏଚ ଅଧ୍ୟକ୍ଷଙ୍କ ଏଭଳି ମତ ପରେ ସର୍ବବୃହତ ଷ୍ଟାଡିୟମକୁ ନେଇ ପ୍ରଶ୍ନ ଉଠାଉଥିବା ବିରୋଧୀଙ୍କୁ ଜବାବ ମିଳିଛି

ରାଉରକେଲାରେ ଆରମ୍ଭ ହେଲା ‘ସରସ ମେଳା’, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ରାଉରକେଲା: ହକି ବିଶ୍ୱକପ୍ ଅବସରରେ ରାଉରକେଲା ସହରରେ ଆରମ୍ଭ ହୋଇଛି ‘ସରସ’ ମେଳା। ରବିବାର ସନ୍ଧ୍ୟାରେ ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଭଞ୍ଜ ଭବନ ପଡ଼ିଆଠାରେ ଆୟୋଜିତ ଏହି ମେଳା ଜାନୁଆରି ୨୭ ତାରିଖ ଯାଏଁ ଚାଲିବ । ରାଉରକେଲା ସହରରେ ପ୍ରଥମ ଥର ପାଇଁ ଏହି ମେଳା ଆୟୋଜନ କରାଯାଉଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ସରସ ମେଳା ବୁଲିବାକୁ ଆସି ମିଶନ ଶକ୍ତି ମା’ମାନେ ବିକ୍ରି କରୁଥିବା ଉତ୍ପାଦକୁ କିଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ।

ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓରମାସ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ମେଳା ଆୟୋଜନ କରାଯାଉଛି। ସରସ ମେଳାରେ ମୋଟ ୨୫୦ଟି ଷ୍ଟଲ ପଡ଼ିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ଉତ୍ପାଦକ ଗୋଷ୍ଠୀମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ ସହ ବିକ୍ରି କରୁଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ମାନ୍ୟବର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗଦେଇ ଏସଏଚଜି ମହିଳାମାନଙ୍କୁ ଉତ୍ସାହିତ କରିଥିଲେ । ସୁନ୍ଦରଗଡ଼ ସହିତ ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସାମିଲ ହୋଇଛନ୍ତି ।

ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଟେରାକୋଟା ସାମଗ୍ରୀ, ଢୋକ୍ରା କାଷ୍ଟିଙ୍ଗ, ହସ୍ତତନ୍ତ ସାମଗ୍ରୀ ସହିତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏଠାରେ ବିକ୍ରୟ କରାଯାଉଛି। ସେହିପରି ଉତ୍ତରପ୍ରଦଶ, ଆସାମ, ତ୍ରିପୁରା, ମଣିପୁର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ ଓ କଶ୍ମୀର, ପଶ୍ଚିମବଙ୍ଗ, ମଣିପୁର, ଆନ୍ଧ୍ରପ୍ରଦେଶ ଓ କେରଳର ପ୍ରସିଦ୍ଧ ସାମଗ୍ରୀ ଏହି ସରସ ମେଳାର ମୁଖ୍ୟ ଆକର୍ଷଣ ପାଲଟିଛି। ଏହି ମେଳାରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ରାଜ୍ୟ ତଥା ରାଜ୍ୟ ବାହାରର ପ୍ରସିଦ୍ଧ କଳାକାରମାନେ ଏଥିରେ ସାମିଲ ହେବେ। ଓଡ଼ିଶା ସହିତ ବିଭିନ୍ନ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟର ଝଲକ୍‌ ଦେଖିବାକୁ ମିଳିବ ।

ବର୍ତ୍ତମାନ ହକି ବିଶ୍ୱକପ୍ ଆରମ୍ଭ ହୋଇଛି। ଭୁବନେଶ୍ୱର ଏବଂ ରାଉରକେଲାରେ ବିଭିନ୍ନ ମ୍ୟାଚ ଖେଳାଯାଉଛି। ମେଳା ବୁଲିବାକୁ ଆସୁଥିବା ଲୋକମାନେ ଯେପରି ହକି ବିଶ୍ୱକପର ସିଧାପ୍ରସାରଣ ଦେଖିପାରିବେ ସେନେଇ ବିଶେଷ ବ୍ୟବସ୍ଥା କରାଯାଇଛି । ସାଧାରଣ ଲୋକଙ୍କ ପାଇଁ ମେଳା ପରିସରରେ ସେଲଫି ପଏଣ୍ଟ ଏବଂ ପିଲାମାନଙ୍କ ପାଇଁ ହକି ପାଭିଲିୟନ କରାଯାଇଛି । ତା’ଛଡ଼ା ସ୍ୱତନ୍ତ୍ର ଫୁଡ୍ କୋର୍ଟ ଏହି ମେଳାର ଅନ୍ୟତମ ଆକର୍ଷଣ ହୋଇଛି । ଏହି ଅବସରରେ ହକି ବିଶ୍ୱକପ୍ ଟ୍ରଫି ସରସ ମେଳା ପରିସରରେ ପହଞ୍ଚିଥିଲା । ସେଠାରେ ଟ୍ରଫିକୁ ସ୍ୱାଗତ କରାଯାଇଥିଲା ।

ତା’ଛଡ଼ା ମେଳା ପରିସରରେ ଥିବା ଷ୍ଟଲଗୁଡ଼ିକ ପାଖରେ ବିଭିନ୍ନ ସାମଗ୍ରୀ ପହଞ୍ଚାଇବା ଲାଗି ପ୍ରଶାସନ ପକ୍ଷରୁ ଇ-ଅଟୋ ବ୍ୟବସ୍ଥା କରାଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ମାନ୍ୟବର ସାଂସଦ ଜୁଏଲ ଓରାମ, ସୁନ୍ଦରଗଡ଼ର ମାନ୍ୟବର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ସୁଶିଳା ଟପ୍ନୋ, ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ, ଓରମାସ ଡେପୁଟି ସିଇଓ କେଶବ ଝା ପ୍ରମୁଖ ଯୋଗ ଦେଇଥିଲେ।

ହକି ବିଶ୍ୱକପ୍ ୨୦୨୩: ଭାରତ-ଇଂଲଣ୍ଡ ମ୍ୟାଚ୍ ଟାଇ

ରାଉରକେଲା: ହକି ବିଶ୍ୱକପର ତୃତୀୟ ଦିନରେ ଦ୍ୱିତୀୟ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ରହିଥିଲା । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖାଳାଯାଇଥିବା ମ୍ୟାଚ୍ ଟାଇ ହୋଇଛଇ । ଶେଷଯାଏଁ ସଂଘର୍ଷପୂର୍ଣ୍ଣ ରହିଥିଲା ମ୍ୟାଚ୍ । ସବୁ କ୍ବାଟରରେ ଦେଖିବାକୁ ମିଳିଥିଲା ଜୋରଦାର ଟକ୍କର । ହେଲେ କୌଣସି ବି ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଲ୍ ଦେବାରେ ସଫଳ ହୋଇନଥିଲେ । ଟାଇ କାରଣରୁ ଉଭୟ ଟିମକୁ ୧-୧ ଲେଖାଏଁ ପଏଣ୍ଟ ଦିଆଯାଇଛି । ଏକ ପଏଣ୍ଟ ସହ ଭାରତର ମୋଟ୍ ପଏଣ୍ଟ ସଂଖ୍ୟା ୪ରେ ପହଞ୍ଚିଛି । ପ୍ରଥମ ମ୍ୟାଚରେ ସ୍ପେନକୁ ହରାଇଥିଲା ଦଳ । ଭାରତୀୟ ହକି ଦଳ ଏବେ ଗ୍ରୁପ ଡି’ର ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଛି ।  ଭାରତର ଆଗାମୀ ମ୍ୟାଚ୍ ଆସନ୍ତା ୧୯ ତାରିଖରେ ୱେଲ୍ସ ବିପକ୍ଷରେ ଅଛି ।

ଏହାପୂର୍ବରୁ ଆଜିର ପ୍ରଥମ ମ୍ୟାଚରେ ଓ୍ବେଲ୍ସକୁ ୫-୧ ଗୋଲରେ ପରାସ୍ତ କରିଥିଲା ସ୍ପେନ । ଦଳ ପକ୍ଷରୁ ମାର୍କ ମିରେଲ୍ସ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ । ପ୍ୟାନେଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିବା ପାଇଁ ସକ୍ଷମ ହୋଇଥିଲେ ମାର୍କ । ଆଜି ଦୁଇଟି ଯାକ ମ୍ୟାଚ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିଲା । କଳିଙ୍ଗରେ ଆଜି କୌଣସି ମ୍ୟାଚ ନଥିଲା ।