‘ମା’ମାନଙ୍କର ଉନ୍ନତି ହେଲେ ଦେଶ ଓ ସମାଜର ଉନ୍ନତି ହେବ’: ମୁଖ୍ୟମନ୍ତ୍ରୀ

1 min read

ଗଞ୍ଜାମ: ମା’ମାନେ ଭଲ କାମ କରୁଛନ୍ତି । ସେମାନେ ଉଦ୍ୟୋଗୀ ହୁଅନ୍ତୁ । ମା’ମାନଙ୍କର ଉନ୍ନତି ହେଲେ ଦେଶ ଓ ସମାଜର ଉନ୍ନତି ହେବ । ଗଞ୍ଜାମ ଜିଲ୍ଲାକୁ ଦେଶର ଏକ ନମ୍ବର ଜିଲ୍ଲା ଭାବେ ପରିଣତ କରିବା ଲାଗି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ଗସ୍ତରେ ଯାଇ ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଆଜି ହିଞ୍ଜିଳି ଆସି ଓ ଆପଣମାନଙ୍କୁ ଭେଟି ମୁଁ ବହୁତ ଖୁସି । ଆଜି ହିଞ୍ଜିଳିରେ ୫୯୦ କୋଟି ଟଙ୍କାରେ ୩୦୦ରୁ ଅଧିକ ପ୍ରକଳ୍ପ ଆରମ୍ଭ କରାଗଲା । ହିଞ୍ଜିଳିର ବିକାଶ ଓ ଗଞ୍ଜାମର ବିକାଶରେ ନୂଆ ଅଧ୍ୟାୟ ଯୋଡ଼ିବ । ମୁଁ ବହୁତ ଖୁସି ଯୋ ଆଜି ଗଞ୍ଜାମ ଜିଲ୍ଲାରେ ୨୦ ହଜାରରୁ ଅଧିକ ଲୋକ ଗ୍ରାମକଣ୍ଠ ପଟ୍ଟା ପାଇଲେ । କେବଳ ହିଞ୍ଜିଳିରେ ୪ ହଜାର ୫ଶହରୁ ଅଧିକ ଲୋକ ପଟ୍ଟା ପାଇଲେ । ଆପଣମାନଙ୍କ ବହୁତ ଦିନ ଅସୁବିଧା ଆଜି ଦୂର ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି କି ମିଶନ ଶକ୍ତିର ମା’ମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯାଉଛି । ଏଥିପାଇଁ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଆଜି ମିଶନ ଶକ୍ତିର ମା’ମାନଙ୍କୁ ୧୫୬ କୋଟିରୁ ଅଧିକ ଟଙ୍କାର ଋଣ ଦିଆଯାଇଛି । ମା’ମାନଙ୍କ ଉନ୍ନତି ହେଲେ ଦେଶ ସମାଜର ଉନ୍ନତି ହେବ । ସେହିପରି ଚାଷୀ ଭାଇମାନଙ୍କୁ ମଧ୍ୟ ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ଦିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ 5T ସ୍କୁଲ ରୂପାନ୍ତରଣ, ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ୨ଟି ମାଇଲ ଷ୍ଟୋନ୍ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗଞ୍ଜାମରେ ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକ ଉପକାର ପାଇଲେଣି । ଏଥିପାଇଁ ରାଜ୍ୟ ସରକାର ୧୯୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କଲେଣି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ଗଞ୍ଜାମ ଜିଲ୍ଲାର ୪୭୧ ହାଇସ୍କୁଲ 5Tରେ ରୂପାନ୍ତରଣ ହୋଇଛି । ଡିସେମ୍ବର ସୁଦ୍ଧା ସବୁ ହାଇସ୍କୁଲ 5Tରେ ରୂପାନ୍ତରଣ ହେବ । ମୁଁ ସବୁବେଳେ ଆପଣଙ୍କ ପାଇଁ କାମ କରିଛି ଓ କରି ଚାଲିବି । ଆପଣମାନଙ୍କ ସହଯୋଗ ଜାରି ରହିଲେ ଗଞ୍ଜାମ ଦେଶର ଏକ ନମ୍ବର ଜିଲ୍ଲା ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।