ଖୋର୍ଦ୍ଧା: ଖୋର୍ଦ୍ଧା ନାଚୁଣୀ ଥାନା ହରିପୁର ନିକଟ ଜଙ୍ଗଲରୁ ସୁଟକେଶ ଭିତରୁ ମୃତଦେହ ଜବତ ଘଟଣା । ମଳିଲା ମୃତକଙ୍କ ପରିଚୟ । ମୃତକ ହେଲେ ରଣପୁର ଥାନା ବଳଭଦ୍ରପୁର ପଂଚାୟତ ଲାଖପଡାର ମନୋରଂଜନ ମହାପାତ୍ର । ପତ୍ନୀ ମୃତଦେହକୁ ଚିହ୍ନଟ କରିଛନ୍ତି । ମନୋରଂଜନ ଜଣେ ଟ୍ରକ୍ ଚାଳକ ହୋଇଥିବା ବେଳେ ଗାଁ ରାଜନୀତିରେ ସକ୍ରିୟ ହୋଇଥିବା ସୂଚନା ରହିଛି । ସୁଟ୍ କେଶ୍ ନିକଟରୁ ଗୋଟିଏ ବିଦେଶୀ ମଦ ବୋତଲ ସହ ପାଣି ପାଉଚ୍ ଓ କିଛି ଖାଦ୍ୟ ସାମଗ୍ରୀ ଜବତ ହୋଇଛି । ମୃତଦେହରେ କୌଣସି କ୍ଷତ ଚିହ୍ନ ନଥିବା ବେଳେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ଶିମିଳିପାଳ ଅଭୟାରଣ୍ୟରେ ପୁଣି ଦନ୍ତା ଶିକାର
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ପୁଣି ଦନ୍ତା ଶିକାର । ତାଳବନ୍ଧ ରେଞ୍ଜ ଆସାଡଲା ଗ୍ରାମରେ ଦନ୍ତା ହାତୀ ମୃତ୍ୟୁ । ଦନ୍ତାକୁ ଶିକାର ହୋଇଥିବା ସୂଚନା । ହାତୀର ମୃତ ଶରୀରରେ ଦାନ୍ତ ନାହିଁ । ଏଣୁ କେହି ହତ୍ୟା କରି ଦାନ୍ତ କାଟି ନେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ କରୁଛି । ବନ ବିଭାଗ ପକ୍ଷରୁ ସ୍ପଷ୍ଟିକରଣର ସୂଚନା ନାହିଁ। ତେବେ ସରକାର ଏବଂ ପ୍ରଶାସନ ପକ୍ଷରୁ ଲଗାତାର ସଚେତନ କରାଯାଉଥିବା ବେଳେ ହାତୀ ଶିକାର ସଂଖ୍ୟା କମୁନି । ହାତୀଙ୍କୁ ହତ୍ୟା କରାଯାଇ ତାର ଦାନ୍ତକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଉଛି ।
ଚୀନ ଜନସଂଖ୍ୟାର ୮୦ ପ୍ରତିଶତ କରୋନା ପଜିଟିଭ
ବେଜିଂ: ଚୀନ ଜନସଂଖ୍ୟାର ୮୦ ପ୍ରତିଶତ କରୋନା ପଜିଟିଭ । କୋଭିଡ ଭୂତାଣୁ ସଂକ୍ରମଣକୁ ନେଇ ବିଗୁଡ଼ୁଛି ଚୀନ ସ୍ଥିତି । ଏବେସୁଦ୍ଧା ଦେଶର ପ୍ରାୟ ୮୦ପ୍ରତିଶତ ଲୋକ କରୋନା ଆକ୍ରାନ୍ତ ହୋଇସାରିଛନ୍ତି ବୋଲୀ ସରକାରୀ ସୂତ୍ରରୁ ସୂଚନା ମିଳିଛି । ଆଗାମୀ ଦୁଇ ତିନି ମାସ ବେଶ ଗୁରୁତ୍ବପୂର୍ଣ୍ଣ । ସତର୍କ ରହିବାକୁ ଦେଶବାସୀଙ୍କୁ ପରାମର୍ଶ ଦିଆଯାଇଛି ।
ଚୀନ ନୂଆ ବର୍ଷ ଛୁଟିରେ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି ବୋଲି ଚୀନ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଓ ପ୍ରିଭେନସନର ମୁଖ୍ୟ ମହାମାରୀ ବିଶେଷଜ୍ଞ ଉ ଜୁନୟୁ । ନୂଆବର୍ଷ ଛୁଟି ଯୋଗୁ ଲୋକମାନେ ବିଭିନ୍ନ ସ୍ଥାନକୁ ଛୁଟି ମନାଇବାକୁ ଯାଉଥିବା ବେଳେ ଅନେକ ସ୍ଥାନରେ ଜନସମାଗମ ମଧ୍ୟ ହେଉଛି । ଯାହା ଆଗାମୀ ଦିନରେ କରୋନା ଭୂତାଣୁ ସଂକ୍ରମଣ ବଢ଼ାଇବା ଆଶଙ୍କା ରହିଛି ବୋଲି ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି ।
ଗତ ୫ ସପ୍ତାହ ମଧ୍ୟରେ ହସ୍ପିଟାଲରେ ୬୦ହଜାର କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଚୀନ ରିପୋର୍ଟ ଦେଇଛି । ଚୀନରେ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ପ୍ରତିଶତ ଅତି କମ୍ ଯୋଗୁ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢୁଥିବା ବିଶେଷଜ୍ଞ ଅନଚମାନ କରିଛନ୍ତି । ୬୦ରୁ ଊର୍ଦ୍ଧ୍ବ ବୟସ୍କ ମାତ୍ର ୩୦ ପ୍ରତିଶତ କରୋନା ଟିକା ନେଇଛନ୍ତି । ପ୍ରାୟ ୮୦ ଲକ୍ଷ ଲୋକ ଏବେ ବି କରୋନା ଟିକା ନେଇନାହାନ୍ତି ।
ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ଆମେରିକାକୁ ଦାୟୀ କରିଛନ୍ତି ଭାରତୀୟ
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ଆମେରିକା ଦାୟୀ । ସଂଘର୍ଷ ପାଇଁ ପଶ୍ଚିମୀ ରାଷ୍ଟ୍ରକୁ ଦାୟୀ କରିଛନ୍ତି ଭାରତୀୟ । ଋଷ- ୟୁକ୍ରେନ ମଧ୍ୟରେ ୧୦ ମାସରୁ ଉର୍ଦ୍ଧ୍ବ ସମୟ ଧରି ଘମାଘୋଟ ସଂଘର୍ଷ ଜାରି ରହିଛି । ଋଷର ରକେଟ, ମିସାଇଲ ହମଲାରେ ଛାରଖାର ହୋଇଛି ୟୁକ୍ରେନ । ଲକ୍ଷ ଲକ୍ଷ ଲୋକ ଦେଶାନ୍ତର ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କ ପ୍ରାଣହାନୀ ହୋଇଛି । ୟୁକ୍ରେନ NATOରେ ମିଶିବାକୁ ବିରୋଧ କରି ଆରମ୍ଭ ହୋଇଥିବା ସଂଘର୍ଷର ସମାଧାନ ବାହାରି ପାରୁନି ।
ଯୁଦ୍ଧ ଆଳରେ ଋଷର ନରସଂହାର ଓ ଆତଙ୍କରାଜକୁ ଅନେକ ରାଷ୍ଟ୍ର ବିରୋଧ କରୁଥିବା ବେଳେ ଭାରତୀୟ କିନ୍ତୁ ଭିନ୍ନ ମତ ଦେଇଛନ୍ତି । ନିକଟରେ ହୋଇଥିବା ଏକ ସର୍ଭେରେ ଅଧିକାଂଶ ଭାରତୀୟ ଯୁଦ୍ଧ ପାଇଁ ଆମେରିକା ଓ NATOସମୂହ ରାଷ୍ଟ୍ରକୁ ଦାୟୀ କରିଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଭାରତ ଉଭୟ ଆମେରିକା ଓ ଋଷ ସହ ପୂର୍ବଭଳି ସମ୍ପର୍କ ବଜାୟ ରଖିପାରିଛି । ମାତ୍ର ଭାରତୀୟଙ୍କ ଦୃଷ୍ଟିରେ ଦୀର୍ଘ ମାସ ଧରି ଚାଲିଥିବା ଯୁଦ୍ଧ ପାଇଁ ଆମେରିକା ଏବଂ ନାଟୋକୁ ଦାୟୀ ।
ପ୍ରାୟ ୧ହଜାର ଯୁବଗୋଷ୍ଠୀଙ୍କୁ ନେଇ କରାଯାଇଥିବା ସର୍ଭେରେ ଋଷ ବିପକ୍ଷରେ ୩୮ପ୍ରତିଶତ ମତ ଦେଇଥିବା ବେଳେ ଆମେରିକାକୁ ୨୬ ପ୍ରତିଶତ ଓ NATO ୧୮ପ୍ରତିଶତ ଦାୟୀ କରିଛନ୍ତି । ସେପଟେ ପୂର୍ବ ୟୁକ୍ରେନରେ ଜୋରଦାର ହମଲା କରିଛି ଋଷ । ଡୋନବାସ ପ୍ରାନ୍ତରେ ଋଷର ଘନ ଘନ ଆକ୍ରମଣରେ ସହରର ଅଧିକାଂଶ ଅଞ୍ଚଳ ଉଜୁଡି ଯାଇଛି । ଜାପୋରଜିଆ, ସୁମିରେ ବି ଭୟଙ୍କର ଯୁଦ୍ଧ ଜାରି ରହିଛି । ଋଷ-ୟୁକ୍ରେନର ଉତ୍ତରପୂର୍ବ ସୀମା ସୁମି ପ୍ରାନ୍ତରେ ଋଷ ୧୧୫ ରକେଟ ମାଡ କରିଛି ।…
କେଭି ଓ ସଙ୍ଗୀତାଙ୍କ ଦୁର୍ବ୍ୟବହାରକୁ ବିଜେଡିର ନିନ୍ଦା
ବଲାଙ୍ଗୀର: ସରକାରୀ ଅଧିକାରୀଙ୍କୁ ବଲାଙ୍ଗୀର ସାଂସଦ ଓ ବରିଷ୍ଠ ବିଜେପି ନେତାଙ୍କ ଦୁର୍ବ୍ୟବହାରକୁ କଡ଼ାଭାଷାରେ ବିଜେଡିର ନିନ୍ଦା । ସରକାରୀ ଅଧିକାରୀଙ୍କୁ ଖରାପ ବ୍ୟବହାର କରି ଗାଳିଗୁଲଜ କରିବା ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି ବିଜେଡି । ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକଣ୍ଠ ବାଗ ଓ ବେଲପଡା ବ୍ଲକ ଅଧ୍ୟକ୍ଷ ଟିନା କୁମ୍ଭାର ପ୍ରେସମିଟ୍ ଜରିଆରେ ଘଟଣାକୁ ନିନ୍ଦା କରିଛନ୍ତି । ପୋଲିସ ଦୁଇ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ତୃତୀୟ ଦିନ ଥାନା ଘେରାଉ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି I
ବଲାଙ୍ଗୀର ସର୍କିଟ ହାଉସରେ ବସିଥିବା ଦିଶା ବୈଠକରେ ସମସ୍ତଙ୍କ ସାମ୍ନାରେ ବ୍ଲକ ଅଧ୍ୟକ୍ଷଙ୍କୁ ଅପମାନ ସୂଚକ ଶବ୍ଦ କହିଥିଲେ ସାଂସଦ ସଙ୍ଗୀତା ସିଂହଦେଓ । ସେହିପରି ବେଲପଡ଼ା ବିଡିଓଙ୍କୁ ଦୁର୍ବ୍ୟବହାର କରିଥିଲେ ବରିଷ୍ଠ ବିଜେପି ନେତା କେ.ଭି ସିଂହଦେଓ । ବିଡିଓଙ୍କୁ ପିଅନ ସମ୍ବଧୋନ କରି ଗାଳିଗୁଲଜ କରିଥିଲେ କେଭି ।
ଓଏଏସ ସଂଘର କ୍ଷୋଭ
ବଲାଙ୍ଗୀରରେ ଲଗାତାର ପ୍ରଶାସନିକ ଅଧିକାରୀଙ୍କୁ ବିଜେପି ନେତାଙ୍କ ଗାଳିଗୁଲଜ ନେଇ ଓଏଏସ ସଂଘ କ୍ଷୋଭ ପ୍ରକାଶ କରିଛି । ଘଟଣାକୁ ନିନ୍ଦା କରିଛନ୍ତି ଓଏଏସ ସଂଘର ସାଧାରଣ ସମ୍ପାଦକ ଜ୍ୟୋତି ପ୍ରକାଶ ମିଶ୍ର । ଜନପ୍ରତିନିଧି ହିସାବରେ ଏପରି ବ୍ୟବହାର କରିବା ଉଚିତ ନୁହେଁ । ଅଶାଳୀନ ବ୍ୟବହାରରୁ କ୍ଷାନ୍ତ ରହିବାକୁ କହିବା ସହ ଘଟଣାକୁ କଡ଼ା ନିନ୍ଦା କରିଛି ଓଏଏସ ସଂଘ । ଗଣମାଧ୍ୟମରେ ସମସ୍ତ ଦୃଶ୍ୟ ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ପାଖରେ ସଂଘ ଦାବି କରିଛି । ସରକାରୀ ଅଧିକାରୀମାନେ ଆଇନକାନୁନ ଭିତରେ କାମ କରୁଛନ୍ତି । ନିଜର ଫାଇଦା ପାଇଁ ଅଧିକାରୀଙ୍କୁ ଧମକ ଦେଇ ନିଜର ଲୋକପ୍ରିୟତା ବଢ଼ାଇବାକୁ ଚାହୁଁଛନ୍ତି ବା ବେଆଇନ କାମ କରିବାକୁ ବାଧ୍ୟ କରୁଛନ୍ତି ଜନ ପ୍ରତିନିଧି । ଏଥିରୁ ନିବୃତ୍ତ ରହିବା ଆବଶ୍ୟକ ବୋଲି ଓଏଏସ ସଂଘ ପକ୍ଷରୁ କୁହାଯାଇଛି ।
ସେପଟେ ଘଟଣାକୁ ସଚିବାଳୟ ସେବା ସଂଘ ନିନ୍ଦା କରିଛି । ଆଇନକାନୁନକୁ ମାନି କାମ କରୁଥିବା ସରକାରୀ ଅଧିକାରୀଙ୍କୁ ଧମକାଇବା ଓ ଆକ୍ରମଣ କରିବା ଗ୍ରହଣୀୟ ନୁହେଁ । ଜନ ପ୍ରତିନିଧିମାନଙ୍କ ଏପରି ଆଚରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ସଚିବାଳ ସେବା ସଂଘ ।
କେଭି କ୍ଷମା ନମାଗିଲେ ଆନ୍ଦୋଳନ
ବେଲପଡ଼ା ବିଡିଓଙ୍କୁ ଦୁର୍ବ୍ୟବହାର କରିବା ପାଟଣାଗଡ଼ର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂହଦେଓଙ୍କ ପାଇଁ ବଢ଼ାଇବାରେ ଲାଗିଛି ଅଡୁଆ । କେଭି ସିଂହଦେଓ କ୍ଷମା ନମାଗିଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ ନେତା । ବିଡିଓଙ୍କୁ ଗାଳି ଦେବା ଆଦିବାସୀଙ୍କ ସମ୍ମାନରେ ଆଞ୍ଚ ଆଣିଛି । ତେଣୁ ଶୀଘ୍ର କେଭି କ୍ଷମା ମାଗିବାକୁ ଆଦିବାସୀ ସଂଘ ଦାବି । ଗତ ୧୮ ତାରିଖରେ ବେଲପଡା ବିଡିଓ ଭିକ୍ଟର ସୋରେନଙ୍କୁ ସର୍ବସମ୍ମୁଖରେ ଗାଳି ଦେବା ସହ ଜଣେ ପିଅନ ବୋଲି କହିଥିଲେ କେଭି । ଏନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବେଲପଡ଼ା ଥାନାରେ ଅଭିଯୋଗ କରିଛି ।
ପୁଣି କାରରେ ଘୋଷଡ଼ା ହେଲା ମଣିଷ: ୭୦ ବର୍ଷ ବୃଦ୍ଧଙ୍କ ମୃତ୍ୟୁ
ଚମ୍ପାରନ: ବିହାରରେ ଦିଲ୍ଲୀ ଅଞ୍ଜଳି ସିଂ ଘଟଣାର ରିପିଟ । ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧଙ୍କୁ କାର୍ ବନେଟରେ ୮ କିମି ଘୋଷାଡ଼ି ମାରି ଦେଲେ ଚାଳକ ଓ ଯାତ୍ରୀ । ବିହାର ପୂର୍ବ ଚମ୍ପାରନ ଜିଲ୍ଲାର ଜାତୀୟ ରାଜପଥ ୨୭ରେ ଘଟିଛି ଲୋମହର୍ଷକ ଘଟଣା । କାରରେ ଲାଖିଥିବା ବୃଦ୍ଧ ଚିତ୍କାର କରି ଚାଲିଥିଲେ ବି ଡ୍ରାଇଭର ଗାଡ଼ି ଅଟକାଇ ନଥିଲେ । ୮ କିମି ଘୋଷାଡ଼ିବା ପରେ ବ୍ରେକ ଲଗାଇ ଥିଲେ । ଏହାପରେ ବୃଦ୍ଧ ଜଣଙ୍କ କାରରୁ ଖସି ପଡ଼ିଥିଲେ ।
ଜିଲ୍ଲାର କତଓ୍ବା ପୋଲିସ ଥାନା ଅନ୍ତର୍ଗତ ବାଙ୍ଗ୍ରା ଗାମର ଶଙ୍କର ଚୌଧୁର ସାଇକେଲରେ ରାଜପଥରେ ଯାଉଥିଲେ । ଏହି ସମୟରେ ଗୋପାଳଗଞ୍ଜରୁ ଆସୁଥିବା ଏକ କାର୍ ତାଙ୍କୁ ବାଙ୍ଗ୍ରା ଛକରେ ଧକ୍କା ଦେଇଥିଲା । ଧକ୍କା ପରେ ବୃଦ୍ଧ ଜଣକ ବନେଟରେ ଲାଖିଯିବା ସହ ଓ୍ବାଇପରକୁ ଧରି ପକାଇଥିଲେ । ସେ ବିପନ୍ନ ଅବସ୍ଥାରେ କାର୍ ଅଟକାଇବା ଲାଗି ଚିତ୍କାର କରିଥିଲେ ବି ଚାଳକ କାର୍ ଅଟକାଇ ନଥିଲେ । ଏହା ଦେଖି ସ୍ଥାନୀୟ ଲୋକ ଗାଡିର ପିଛା କରିଥିଲେ । ତେବେ କୋତଓ୍ବାର କଦନ ଚୌକରେ ଡ୍ରାଇଭର କାରର ବ୍ରେକ ମାରିବା ପରେ ବୃଦ୍ଧ ଜଣକ ତଳେ ପଡିଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଘଟଣାସ୍ଥଳରୁ ଚାଳକ ଓ କାରରେ ବସିଥିବା ଲୋକେ ଫେରାର ହୋଇଯାଇଛନ୍ତି । ଘଟଣା ପରେ ପିପ୍ରାକୋଠି ପୋଲିସ କାରକୁ ଜବତ କରି ତଦନ୍ତ ଚଳାଇଛି । କାରଟି ମୋତିହାରର ଜଣେ ଡାକ୍ତରଙ୍କର ବୋଲି ସୂଚନା ମିଳିଛି ।

