ପୁରୀରେ ଉନ୍ନୟନ କାମର ଅଗ୍ରଗତି ସମୀକ୍ଷା କଲେ 5T ସଚିବ

1 min read

ପୁରୀ: ପୁରୀରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ସମୀକ୍ଷା କଲେ 5T ସଚିବ ଭିକେ ପାଣ୍ଡିଆନ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ପୁରୀ ପେଣ୍ଠକଟା ସ୍ଥିତ ନବ ନିର୍ମିତ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ବୁଲି ଦେଖିଥିଲେ । ଷ୍ଟାଡିୟମ ଭିତରେ ଥିବା ଜିମନାଷ୍ଟିକ କେନ୍ଦ୍ର ବୁଲିବା ସହ ଆଥେଲେଟ୍ସଙ୍କ ସହ ଆଲୋଚନା କରିଥିଲେ । ଖେଲୋ ଇଣ୍ଡିଆ ଓ ଜାତୀୟସ୍ତରରେ ଖେଳିଥିବା ପିଲାଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଭବିଷ୍ୟତ ନେଇ ପରାମର୍ଶ ଦେଇଥିଲେ ।

ପରେ ମାର୍କେଟ ଛକରେ ନିର୍ମାଣ ହେଉଥିବା ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହିତ ଅନୁଧ୍ୟାନ କରିଥିଲେ । ପରିକ୍ରମା ମାର୍ଗ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ଅନୁଧ୍ୟାନ କରିବା ସହ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଫାଇଭ-ଟି ସଚିବଙ୍କୁ ବୁଝାଇଥିଲେ ଜିଲ୍ଲାପାଳ । ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ଭିକେ ପାଣ୍ଡିଆନ । ଶ୍ରୀମନ୍ଦିରରେ ସେ ଓ ତାଙ୍କ ଧର୍ମ ପତ୍ନୀ ତଥା ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ପାଖାପାଖି ୪୦ ମିନିଟ ପର୍ଯ୍ୟନ୍ତ ଅତିବାହିତ କରିଥିଲେ ।