ଟିଆରପି ଯୁଦ୍ଧ ସମାଜ ବିଭାଜନ ପାଇଁ ଦାୟୀ: ସୁମିତ

1 min read

ଭୁବନେଶ୍ବର: ନନ୍ଦିଘୋଷ ଟିଭି କନକ୍ଲେଭ-୨୦୨୩ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ସୁମିତ ଅବସ୍ତି ସାମ୍ବାଦିକତା ଆଜି କେଉଁ ଦିଗକୁ ଯାଉଛି, ଏହାର କାରଣ ଓ ଏଥିପାଇଁ ଦାୟୀ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ସମାଜ ଧ୍ରୁବୀକରଣ ହେବା ପାଇଁ ଉଭୟ ସାମ୍ବାଦିକ ଓ ଦର୍ଶକଙ୍କୁ ଦାୟୀ କରିଥିଲେ ସୁମିତ । ସେ ତାଙ୍କ ଉଦବୋଧନରେ କହିଥିଲେ- ଚ୍ୟାନେଲ ଚ୍ୟାନେଲ ମଧ୍ୟରେ ଟିଆରପି ଯୁଦ୍ଧ ପାଇଁ ସମାଜରେ ବିଭାଜନ ସୃଷ୍ଟି ହୋଇଛି ।

ଆଗକୁ ସେ କହିଥିଲେ, ‘ବିଜ୍ଞାପନ ଟିଭି ସାମ୍ବାଦିକକୁ ନଷ୍ଟ କରିଦେଇଛି । କାରଣ ଟିଆରପି ଅଧିକ ଥିଲେ ବିଜ୍ଞାପନ ମିଳେ । ଭଲ ଖବର ଦେଖିବାକୁ ହେଲେ ଆପଣଙ୍କୁ ଦେୟ ଦେବାକୁ ପଡ଼ିବ । ଯେପର୍ଯ୍ୟନ୍ତ ଆପଣ ଦେୟ ଦେବେ ନାହିଁ, ସେପର୍ଯ୍ୟନ୍ତ ଆପଣ ଏମିତି ଶସ୍ତା ଚ୍ୟାନେଲ ଦେଖୁଥିବେ ।’

ଅନ୍ୟ ଦେଶର ଉଦାହରଣ ଦେଇ ସୁମିତ କହିଥିଲେ, ‘ଦୁନିଆରେ ସବୁ ନ୍ୟୁଜ୍ ଚ୍ୟାନେଲ ପେଡ୍ । କେବଳ ଭାରତରେ ଫ୍ରି ନ୍ୟୁଜ୍ ଚ୍ୟାନେଲ ଅଛନ୍ତି । ଯେପର୍ଯ୍ୟନ୍ତ ଆପଣ ନ୍ୟୁଜ୍ ଦେଖିବା ପାଇଁ ଟଙ୍କା ଦେଉ ନାହାନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କୁ ଏହି ଭଳି ଶସ୍ତା ଖବର ଦେଖିବାକୁ ମିଳିବ । ଆମକୁ ଅଭ୍ୟାସ ବଦଳାଇବାକୁ ପଡିବ । ଶସ୍ତା ଜିନିଷରୁ ଦୂରେଇ ରହିବାକୁ ପଡ଼ିବ । କୌଣସି ସାମ୍ବାଦିକ ଶସ୍ତା କାମ କରିବାକୁ ଚାହାନ୍ତି ନାହିଁ । ବିବିସି ଭଳି ସବସ୍କ୍ରିପସନ ବେସ୍ ମଡେଲ ତିଆରି ନହେବା ପର୍ଯ୍ୟନ୍ତ ଏମିତି ଶସ୍ତା ଖବର ଆସୁଥିବ । ଭଲ ଖବର ଦେଖିବାକୁ ଗ୍ରାହକଙ୍କୁ ଦେୟ ଦେବାକୁ ପଡ଼ିବ ।’

ଓଡ଼ିଶା ସମ୍ପର୍କରେ ଜାଣିବାକୁ ଚାହିଁ ନଥିବାରୁ ଦୁଃଖିତ

ଓଡ଼ିଶା ସମ୍ପର୍କରେ କହିବା ବେଳେ ଭାବବିହ୍ବଳ ହୋଇ ଯାଇଥିଲେ ବରିଷ୍ଠ ସାମ୍ବାଦିକ ସୁମିତ ଅବସ୍ତି । ଓଡ଼ିଶା ସମ୍ପର୍କରେ କେବେ ଜାଣିବାକୁ ଚାହିଁ ନଥିବାରୁ ରାଜ୍ୟବାସୀଙ୍କ ପାଖରେ କ୍ଷମା ମାଗି ନିଜ ମହାନତା ପ୍ରକାଶ କରିଥିଲେ । ଏହାସହ ନିଜ ଦେଶରେ ଥିବା ଏତେ ସୁନ୍ଦର ରାଜ୍ୟ ସମ୍ପର୍କରେ ନଜାଣିବା ଆମ ଭୁଲ ବୋଲି କହିଥିଲେ । ମୟୂରଭଞ୍ଜ କଥା ଉଲ୍ଲେଖ କରି କହିଥିଲେ, ‘ଏହି ଜିଲ୍ଲାରେ ଏତେଗୁଡେ ବୁଲିବାକୁ ଯିବାକୁ ସ୍ଥାନ ରହିଛି । ହେଲେ, ଆମକୁ ଜଣାନାହିଁ । ଟାଇମ୍ସ ମ୍ୟାଗେଜିନରେ ମୟୂରଭଞ୍ଜ ସମ୍ପର୍କରେ ପ୍ରକାଶ ପାଇବା ପରେ ଆମେ ଜାଣୁଛନ୍ତି । ଏହାଠାରୁ ବଡ଼ ଦୁର୍ଭାଗ୍ୟର କଥା ଆମ ପାଇଁ କିଛି ନୁହେଁ । ପଶ୍ଚିମ ଦେଶରୁ ଆମକୁ ଶିଖିବାକୁ ହେବ ସୁଯୋଗରୁ କେମିତି ଲାଭ ଉଠାଇବା । ପଶ୍ଚିମ ଦେଶରେ ଶିକ୍ଷାହାର ଆମ କମ । ହେଲେ ନିଜର ମାର୍କେଠିଯ କରିବା ସେମାନେ ଜାଣିଛନ୍ତି । ଯାହା ସେମାନଙ୍କ ପାଖରୁ ଆମକୁ ଜାଣିବା ଦରକାର । ଶେଷରେ ମୟୂରଭଞ୍ଜ ନିଶ୍ଚିତ ବୁଲିବାକୁ ଯିବେ ବୋଲି କହିଥିଲେ ସୁମିତ ।