ଜାତି ନନ୍ଦିଘୋଷ କନକ୍ଲେଭରେ ସମୃଦ୍ଧ ରାଜ୍ୟ ଗଠନର ଆହ୍ବାନ

1 min read

ଭୁବନେଶ୍ବର: ଅନୁଷ୍ଠିତ ହୋଇଯାଇଛି ନନ୍ଦିଘୋଷ ଟିଭିର ‘ଜାତି ନନ୍ଦିଘୋଷ କନକ୍ଲେଭ-୨୦୨୩’ । ପ୍ରଦୀପ ପ୍ରଜ୍ବୋଳନ କରିବା ପରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ…’ ଗାନ କରାଯାଇଥିଲା । ସୁନାମଧନ୍ୟ କଣ୍ଠଶିଳ୍ପୀ ସୁବାସ ଦାସ ଏବଂ ତୃପ୍ତି ଦାସ ରାଜ୍ୟ ସଙ୍ଗୀତ ଗାନ କରିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଦେଶର ଜଣାଶୁଣା ସାମ୍ବାଦିକ ସୁମିତ ଅବସ୍ତି ଏବଂ ବରିଷ୍ଠ ସାମ୍ବାଦିକ ମିହିର ରଞ୍ଜନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ନନ୍ଦିଘୋଷ ଟିଭି ସିଓଓ ଜାବର ସିଂ ପନଓ୍ବର ସ୍ବାଗତ ଭାଷଣ ଦେଇଥିବା ବେଳେ ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ସମ୍ପାଦକୀୟ ପାଠ କରିଥିଲେ ।

ମଞ୍ଚରେ କଣ୍ଠଶିଳ୍ପୀ ସୁବାସ ଦାସ ଏବଂ ତୃପ୍ତି ଦାସଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ନନ୍ଦିଘୋଷ ଟିଭି ପରିବାର ମୁଖ୍ୟ ମାନସ ରଞ୍ଜନ ମଙ୍ଗରାଜ ଉପସ୍ଥିତ ରହି ଅତିଥିମାନଙ୍କ ସହ ପ୍ରଦୀପ ପ୍ରଜ୍ବୋଳନ କରିଥିଲେ ।

୨୦୩୬ ବେଳକୁ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ରହିବ ଓଡ଼ିଶା

ନନ୍ଦିଘୋଷ ଟିଭି ଓ ଦୈନିକ ସକାଳ ପକ୍ଷରୁ ଆୟୋଜିତ ଜାତି ନନ୍ଦିଘୋଷ କନକ୍ଲେଭରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଥିଲେ, ‘ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି । ଆଗାମୀ ଦିନରେ ରାଜ୍ୟକୁ ନ୍ୟାଯ୍ୟ ସ୍ଥାନରେ ପହଞ୍ଚାଇବାକୁ ହେବ । ୨୦୩୬ ବେଳକୁ ଦେଶର ୩ରୁ ୫ ରାଜ୍ୟ ମଧ୍ୟରେ ଓଡ଼ିଶା ରହିବ । ଗରିବ ରାଜ୍ୟ ଭାବେ ଅତୀତରେ ପରିଗଣିତ ହେଉଥିବା ଓଡିଶାର ବର୍ତ୍ତମାନ ବାର୍ଷିକ ବଜେଟ ହେଲାଣି ୨ ଲକ୍ଷ ୩୦ ହଜାର କୋଟି ଟଙ୍କା । ରାଜ୍ୟ ୭ଟି ବାତ୍ୟା ଦେଖିଲାଣି । ମାତ୍ର ସବୁଥିରେ ଜିରୋ କାଜୁଆଲିଟି ରହିଛି । ପ୍ରାକୃତିକ ବିପର୍ଯ୍ୟୟକୁ ସଫଳ ଭାବେ ମୁକାବିଲା କରିଛନ୍ତି ସରକାର । ଖାଦ୍ୟ ସୁରକ୍ଷା, ମିଲେଟ ମିସନ ଆଦିକୁ ବିଶ୍ବ ପ୍ରଶଂସା କରିଛି । ୨୦୩୬ ବେଳକୁ ଶିଳ୍ପର ଦିଶା ପରିବର୍ତ୍ତନ କରି ଗ୍ରୀନ ଟେକ୍ନୋଲୋଜିକୁ ଆପଣାଇବାକୁ ପଡିବ । ଯୁବବର୍ଗର ଦକ୍ଷତା ବୃଦ୍ଧି କରିବାକୁ ହେବ । ପ୍ରାଥମିକ ଓ ଉଚ୍ଚଶିକ୍ଷା ଅନୁଷ୍ଠାନକୁ ଗୁରୁତ୍ବ ଦେବାକୁ ହେବ । ଅଟୋମେଟେଡ ସିଷ୍ଟମ ପରିପ୍ରେକ୍ଷୀରେ ଟ୍ରାଞ୍ଜିସନ ଇକୋନୋମିକୁ ଗୁରୁତ୍ବ ଦେବାକୁ ହେବ । ଓଡିଶା ଏବେ ଚାଉଳ ରପ୍ତାନି କରୁଛି । କମ ଜମି ଓ କମ ପାଣିରେ କିପରି ଚାଷ କରିବାକୁ ସେଥିଲାଗି ଗୁରୁତ୍ବ ଦେବାକୁ ଆହ୍ବାନ ଦେଇଥିଲେ ମୁଖ୍ୟଶାସନ ସଚିବ ।

ଆଞ୍ଚଳିକ ଚ୍ୟାନେଲ ଭଲ କଣ୍ଟେନ ଦେଉଛନ୍ତି

ଭାଷାଠାରୁ ଊର୍ଦ୍ଧ୍ବରେ ରହି ଖବର ପରିବେଷଣ କଲେ ତାହା ଦୁନିଆରେ ଆଦୃତ ହେବ । ଦର୍ଶକ ସର୍ବଦା ସନ୍ତୁଳିତ ଖବର ଚାହାଁନ୍ତି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ମିହିର ରଞ୍ଜନ । ଜାତି ନନ୍ଦିଘୋଷ କନକ୍ଲେଭରେ ଯୋଗଦେଇ କହିଛନ୍ତି- ନ୍ୟାସନାଲ ଚାନେଲଠାରୁ ଆଞ୍ଚଳିକ ଚାନେଲ ଭଲ କରନ୍ତି । ଆଞ୍ଚଳିକ ପ୍ରସଙ୍ଗ ଉପରେ ବର୍ତ୍ତମାନ ଗୁରୁତ୍ବ ଦିଆଯାଉଛି । ଟିଆରପି ଦୌଡ଼ରେ ନଦୌଡ଼ି ବାସ୍ତବ ଖବର ପ୍ରସାରଣ ଦିଗରେ ବ୍ରତୀ ନନ୍ଦିଘୋଷ ଟିଭି । ଆସନ୍ତା ଦିନରେ ଏହା ଓଡ଼ିଶାର ନମ୍ବର ଓ୍ବାନ ଚାନେଲ ହେବାର ଆଶା ରହିଛି ।

ଗଣମାଧ୍ୟମ ନୈତିକତା ଭୁଲିଯିବା ଉଚିତ ନୁହେଁ

ଜାତି ନନ୍ଦିଘୋଷର ଅନ୍ୟତମ ଅତିଥି ବିଶିଷ୍ଟ ସାମ୍ବାଦିକ ସୁମିତ ଅବସ୍ତି କହିଥିଲେ- ଟିଭିରେ ପ୍ରସାରିତ ହେଉଥିବା କିଛି ଖବର ଦେଖି ଦର୍ଶକ ବ୍ୟତିବ୍ୟସ୍ତ ହୋଇଥାନ୍ତି । ଏଥିଲାଗି ମିଡିଆକୁ ସତର୍କ ହେବାକୁ ପଡିବ । ଗଣମାଧ୍ୟମ ନୈତିକତା ଭୁଲିଯିବା ଉଚିତ ନୁହେଁ । ଟାଇମ ମ୍ୟାଗାଜିନରେ ମୟୂରଭଞ୍ଜ ସ୍ଥାନ ପାଇଥିବା ପ୍ରସଙ୍ଗ ଉଲ୍ଲେଖ କରିବା ସହ ନିଜ ଅଞ୍ଚଳର ଖବରର ପ୍ରସାରଣକୁ ପ୍ରାଧାନ୍ୟ ଦେଇଥିଲେ ସୁମିତ ।

ସ୍ବାଗତ ଅଭିଭାଷଣ ଦେଇ ନନ୍ଦିଘୋଷ ଟିଭି ସିଓଓ ଜବର ସିଂ ପନଓ୍ବର କହିଥିଲେ- ଗତ ୩ ବର୍ଷ ଧରି ନନ୍ଦିଘୋଷ ଟିଭି ନିଜର ଗୌରବମୟ ଯାତ୍ରା ଜାରି ରଖିଛି । ଏକ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହି କନକ୍ଲେଭ ନୂତନ ଦିଶା ଦେବ ।

ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର କହିଥିଲେ, ‘ଶୁଣାକଥାରେ କିମ୍ବା ବ୍ୟକ୍ତିଗତ ସ୍ବାର୍ଥରେ ଖବର ପରିବେଷଣ କରିବା ଅନୁଚିତ । ପ୍ରତିଷ୍ଠା ଆରମ୍ଭରୁ ନନ୍ଦିଘୋଷ ଟିଭି ସର୍ବଦା ସତ୍ୟର ପଥ ଅନୁସରଣ କରିଆସିଛି । ଯାହା ଠିକ, ତାହା ପ୍ରସାରଣ କରି ଆମେ ଆଜି ଘରେ ଘରେ ପ୍ରିୟ ହୋଇପାରିଛୁ । ଏମିତି ଶହେ ଉଦାହରଣ ରହିଛି, ଯେଉଁଠି ସମସ୍ତ ଗଣମାଧ୍ୟମ ଗୋଟିଏ ପଟେ ଥିବା ବେଳେ ନନ୍ଦିଘୋଷ ଟିଭି ସତ୍ୟ ପଥରେ ଛିଡା ହୋଇଛି । ୩ ବର୍ଷ ପରେ ଆତ୍ମସମୀକ୍ଷା କଲେ ଲାଗୁଛି, ଆମେ ଲକ୍ଷ୍ୟ ଦିଗରେ ଆଗକୁ ବଢିଛୁ । ଆଗକୁ ଆହୁରି ବହୁତ ବାଟ ଯିବାକୁ ବାକି ଅଛି । ଆପଣମାନଙ୍କ ଆଶୀର୍ବାଦରେ ବାକି ପଥ ଅତିକ୍ରମ କରିପାରିବୁ ।’

ଏହି ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ସାମ୍ବାଦିକ ମିହିର ରଞ୍ଜନ ଓ ସୁମିତ ଅବସ୍ତିଙ୍କୁ ନନ୍ଦିଘୋଷ ନେଟଓ୍ବର୍କ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ।

୩ ଜଣଙ୍କୁ ଲାଇଫ୍ ଟାଇମ ଆଚିଭ ମେଣ୍ଟ ସମ୍ମାନ

ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ଔପନ୍ୟାସିକ କଥା ଗାଳ୍ପିକ ଡକ୍ଟର ବିଭୂତି ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ଜାତି ନନ୍ଦିଘୋଷ ଜୀବନ ବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା । ପ୍ରଣବଙ୍କ ଅନୁପସ୍ଥିତିରେ ତାଙ୍କ ସମ୍ମାନ ଗ୍ରହଣ କରିଥିଲେ ପତ୍ନୀ କସ୍ତୁରିକା ପଟ୍ଟନାୟକ ।