୩୫ ହଜାର ୭୬୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ହାଇଲେବଲ କ୍ଲିୟରାନ୍ସ ଅଥରିଟି

ଭୁବନେଶ୍ୱର: ୫ଟି ଶିଳ୍ପ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ । ୩୫ ହଜାର ୭୬୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି ହାଇଲେବଲ କ୍ଲିୟରାନ୍ସ ଅଥରିଟି । ଏହି ପ୍ରକଳ୍ପ ଜରିଆରେ ସୃଷ୍ଟି ହେବ ୩୮ ହଜାର ୧୦୦ ନିଯୁକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକରେ ଏହି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ରାଜ୍ୟରେ ନିବେଶ ସୁଯୋଗ ସୃଷ୍ଟି ଲାଗି ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଥିବାବେଳେ ଗତବର୍ଷ ଅନୁଷ୍ଠିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଆସିଥିବା ପ୍ରସ୍ତାବଗୁଡିକ ମଧ୍ୟରୁ ଏହି ୫ଟି ପ୍ରକଳ୍ପକୁ ଦେଇଛନ୍ତି ଗ୍ରୀନ ସିଗନାଲ । ଏହି ପ୍ରକଳ୍ପଗୁଡ଼ିକ ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦୁଝରରେ ପ୍ରତିଷ୍ଠା ହେବ । ମଞ୍ଜୁର ହୋଇଥିବା ପ୍ରକଳ୍ପ ମଧ୍ୟରେ ରହିଛି ୨ଟି ଇସ୍ପାତ ପ୍ରକଳ୍ପ, ଗୋଟିଏ ଗ୍ରୀନ୍ ଏନର୍ଜି ପ୍ରକଳ୍ପ, ଗୋଟିଏ ରସାୟନ ପ୍ରକଳ୍ପ ଓ ଗୋଟିଏ ବୈଷୟିକ ବୟନ ପ୍ରକଳ୍ପ ।

ଢେଙ୍କାନାଳରେ ଓ୍ବାରି ଏନର୍ଜି ଲିମିଟେଡ୍ କରିବ ଆଇଟି ଓ ଇଏସଡିଏମ ଏବଂ ଗ୍ରୀନ୍ ଏନର୍ଜି ଇକ୍ୟୁପମେଣ୍ଟ ଶିଳ୍ପ । ଏଥିରେ ନିବେଶ ହେବ ୨୫ ହଜାର କୋଟି ଟଙ୍କା । ଏଥିରେ ୧୪ ହଜାର ନିଯୁକ୍ତି ସୃଷ୍ଟି ହେବ । ଭଦ୍ରକରେ ଟେକ୍ସଟାଇଲ ପାର୍କ କରିବ ଏମସିପିଆଇ ପ୍ରାଇଭେଟ ଲିମିଟେଡ୍ । ନିବେଶ ହେବ ୨ ହଜାର ୨୨୩ କୋଟି ୨୫ ଲକ୍ଷ ଟଙ୍କା । ନିଯୁକ୍ତି ପାଇବେ ୧୧ ଶହ ୫୦ ଲୋକ । ସେହିପରି କେନ୍ଦୁଝରରେ କାସବି ପାଓ୍ବାର ଆଣ୍ଟ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ୍ କରିବ ଇସ୍ପାତ ପ୍ରକଳ୍ପ । ନିବେଶ ହେବ ୧୬ ଶହ କୋଟି । ନିଯୁକ୍ତି ପାଇବେ ୩ ହଜାର ୫୦୦ ଲୋକ । କେନ୍ଦୁଝରରେ ସୁପର ସ୍ମେଲଟର କମ୍ପାନି କରିବ ଇସ୍ପାତ କାରଖାନା । ନିବେଶ ହେବ ୫ ହଜାର ୪୩୬ କୋଟି ୧୦ ଲକ୍ଷ ଟଙ୍କା । ନିଯୁକ୍ତି ପାଇବେ ୧୯ ହଜାର ଲୋକ । ସେହପରି ପାରାଦୀପରେ ଆଇଭିଏଲ ଧୁନସେରୀ ପେଟ୍ରୋକେମ୍ କମ୍ପାନି କରିବ କେମିକାଲ ପ୍ଲାଣ୍ଟ । ନିବେଶ ହେବ ୧୫୦୦ କୋଟି ଟଙ୍କା । ନିଯୁକ୍ତି ପାଇବେ ୪୫୦ ଲୋକ ।