ପୁରୀ: ପୁରୀ ରେଳ ଷ୍ଟେସନରେ ଅଘଟଣ । ଟ୍ରେନରେ ଚଢିବାବେଳେ ପ୍ଲାଟଫର୍ମରୁ ଖସି ବୃଦ୍ଧାଙ୍କ ମୃତ୍ୟୁ । ମୃତକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ କଣ୍ଟାପଡାର କୁନିମଣି ନାୟକ । ପୁରୀ –ଦୁର୍ଗ ଏକ୍ସପ୍ରେସରେ ଚଢିବା ବେଳେ ଖସିପଡିଥିଲେ ବୃଦ୍ଧା । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଠାକୁର ଅନୁକୂଳଚନ୍ଦ୍ରଙ୍କ ଉତ୍କଳ ଆଗମନର ଶହେ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବାକୁ ପୁରୀ ଯାଇଥିଲେ କୁନିମଣି । ଗହଳି ଭିତରେ ଠେଲାପେଲା କାରଣରୁ ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।
ହନ୍ଦୋଳ ଫରେଷ୍ଟ ରେଞ୍ଜରେ ଆତଙ୍କ ଖେଳାଇଛି ନରହନ୍ତା ଦନ୍ତା
ଅନୁଗୁଳ: ଆତଙ୍କ ଖେଳାଇଛି ନରହନ୍ତା ଦନ୍ତା । ଗତକାଲି ନରହନ୍ତା ଦନ୍ତା ଅନୁଗୁଳରେ ୪ ଜଣ ବ୍ୟକ୍ତିଙ୍କୁ ଜୀବନରୁ ମାରି ଆତଙ୍କ ଖେଳାଇ ଥିଲା । ପରେ ଅପରାହ୍ନରେ ହିନ୍ଦୋଳ ଫରେଷ୍ଟ ରେଞ୍ଜକୁ ପ୍ରବେଶ କରିଥିଲା । ଅମନା ସଞ୍ଜପଡ଼ା ଅଞ୍ଚଳରେ ଲୋକଙ୍କୁ ଦେଖି ଆକ୍ରମଣ କରିବା ସହ ଭୟଭୀତ କରିଥିଲା । ହାତୀକୁ ଘଉଡାଇବାକୁ ବନ ବିଭାଗ ଏବଂ ଗ୍ରାମବାସୀ ଚେଷ୍ଟା କରିଥିବା ବେଳେ ଆଜି ଅପରାହ୍ନରେ ସଞ୍ଜପଡ଼ା ପଞ୍ଚାୟତର ଅମାନା ଠାରେ ଥିବା ଏକ ମହିମା ମଠରେ ପସି ବହୁ ଫଳ ଗଛ ଖାଇବା ସହ ନଷ୍ଟ କରିଦେଇଛି । ଭୟରେ ଏଠାରେ ଥିବା ବାବା ଅନ୍ୟତ୍ର ପଳାଇଛନ୍ତି । ହାତୀଟି ପାଖ ପାଇକ ପୁରୁଣାକୋର୍ଟ ଗାଁ ନିକଟରେ ଏକ ନାଳ କୂଳରେ ରହିଛି । ଯାହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ବନ ବିଭାଗ ତା ଉପରେ ସତର୍କ ନଜର ରଖିଛି ।
ପଞ୍ଚମବଙ୍ଗର ବର୍ଦ୍ଧମାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
କୋଲକାତା: ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହି ବସର ବ୍ରେକ ଫେଲ ହୋଇଯିବାରୁ ଓଲଟିପଡ଼ିଲା ବସ୍ । ଦୁଇ ଜଣଙ୍କର ମୃତ୍ୟୁ । ୪୦ରୁ ଅଧିକ ଗୁରୁତର । ବସ ତଳେ ଲୋକେ ଚାପି ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ସୂଚନାନୁସାରେ ବର୍ଦ୍ଧମାନ ଜିଲ୍ଲାର ନନଗର୍ ରୋଡରେ ଏକ ଯାତ୍ରୀବାହି ବସ୍ ଦ୍ରୁତ ଗତିରେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ରୋଡ ଉପରେ ହଠାତ ଓଲଟି ପଡ଼ିଥିଲା ।
ବସ ଉପରେ ବସିଥିବା ଲୋକମାନେ ତଳକୁ ଖସିପଡିଥିଲେ । ତାଙ୍କ ଉପରେ ବସଟି ଓଲଟି ପଡ଼ିଥିଲା । ବସ୍ ଚାଳକ ସହ ବସ୍ ଭିତରେ ଥିବା ୪୦ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଆହତଙ୍କ ଅବସ୍ଥା ସଙ୍କଟନାପନ୍ନ ଥିବା କୁହାଯାଉଛି । ଘଟଣାର ସିସିଟିଭି ଫୁଟେଜରେ ଭୟାନକ ଦୁର୍ଘଟଣାର ଫୁଟେଜ ଦେଖିବାକୁ ମିଳିଛି ।
ସେନେଗଲରେ ଭୟଙ୍କର ସଡ଼କ ଦୁର୍ଘଟଣା, ୪୦ ମୃତ
ସେନେଗଲ: ଆଫ୍ରିକୀୟ ଦେଶ ସେନେଗଲରେ ଭୟଙ୍କର ସଡ଼କ ଦୁର୍ଘଟଣା ମାମଲା ସାମ୍ନାକୁ ଆସିଛି । ଦୁଇ ବସ୍ ମଧ୍ୟରେ ଧକ୍କା ହେବା ଫଳରେ ଅତି କମରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏକ ବସର ଟାୟାର ଫାଟିଯିବା କାରଣରୁ ତାହା ଅନିୟନ୍ତ୍ରିତ ହୋଇ ଅନ୍ୟ ଏକ ବସ୍ ସହ ଧକ୍କା ହୋଇଥିଲା । ଯାହାଫଳେ ବସରେ ଯାତ୍ରୀ କରୁଥିବା ୪୦ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।
ରାଷ୍ଟ୍ରପତି ମେକି ସାଲ କହିଛନ୍ତି ଯେ ସଡ଼କ ଦୁର୍ଘଟଣାଟି କେଫରିନ ଅଞ୍ଚଳର ଗନିବି ଗାଁରେ ପ୍ରାୟ ସାଢେ ତିନିଟା ସମୟରେ ହୋଇଛି । ରାଷ୍ଟ୍ରପତି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ତିନିଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଏଏଫପିର ରିପୋର୍ଟ ମୁତାବକ, ଦୁର୍ଘଟଣାଟି କେଫରିନ ସହର ପାଖରେ ହୋଇଛି । ଇମରଜେନ୍ସି ସର୍ଭିସର ଅଫିସର ଶେଖ ଫଲ କହିଛନ୍ତି ଯେ, ୧୨୫ ଜଣ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏଥିମଧ୍ୟରୁ ୮୭ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଜୋଶୀମଠକୁ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଉଚ୍ଚ ସ୍ତରୀୟ ବୈଠକ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ତୀର୍ଥ ସହର ଜୋଶୀମଠର ଆଖପାଖରେ ଘରେ ଘରେ ଫାଟ ସୃଷ୍ଟିକୁ ନେଇ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାର ମଧ୍ୟ ଏହାକୁ ଗୁରୁତ୍ବର ସହ ନେଇଛନ୍ତି । ଏନେଇ ସୀମା ପରିଚାଳନା ସଚିବ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟମାନେ ସୋମବାର ଉତ୍ତାଖଣ୍ଡ ଗସ୍ତ କରିବା ସହ ଜୋଷୀମଠର ସ୍ଥିତି ଅନୁଧ୍ୟାନ କରିବେ। ଜୋଶୀମଠକୁ ନେଇ ହୋଇଥିବା ସମୀକ୍ଷା ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି ।
ଏହି ନିଷ୍ପତ୍ତି ଅନୁଯାୟୀ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ, ଭାରତୀୟ ଭୂ-ବୈଜ୍ଞାନ ସର୍ଭେ, ଆଇଆଇଟି ରୁଡକୀ ସମତେ ବିଭିନ୍ନ ସଂସ୍ଥାର ବିଶେଷଜ୍ଞମାନେ ଜୋଶୀମଠ ଠାରେ ଉପସ୍ଥିତ ରହି ଅଞ୍ଚଳର ସ୍ଥିତି ଅନୁଧ୍ଯାନ କରିବା ସହ ରିପୋର୍ଟ ଦେବେ। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ଉତ୍ତରାଖଣ୍ଡର ବରିଷ୍ଠ ଅଧିକାରୀ ଭିଡିଓ କନଫରେନ୍ସିଂ ମାଧ୍ୟରେ ରହି ଜୋଶୀମଠ ସ୍ଥିତିକୁ ନେଇ ସୂଚନା ଦେଇଥିଲେ । ଏହି ଘଟଣା ଉପରେ ସର୍ତକ ଦୃଷ୍ଟି ରଖିଛି ପିଏମଓ । ଏହାସହ ସ୍ଥିତି ଉପରେ ସାଟଲାଇଟ ମାଧ୍ୟମରେ ନଜର ରଖିବା ପାଇଁ ସେନସିଂ ସେଣ୍ଟର, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ ରିମୋଟ ସେନସିଂକୁ କୁହାଯାଇଛି । ଏହି ଅଧ୍ୟୟନ ପରେ ଫଟୋଗ୍ରାଫ ଓ ରିପୋର୍ଟ ଦାଖଲ କରିବାକୁ ଏହି ଦୁଇ ସଂସ୍ଥାକୁ କୁହାଯାଇଛି ।


