ଭୁବନେଶ୍ୱରରେ ପାଳିଲେ ନୟାଗଡ଼ ଦିବସ

1 min read

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନୟାଗଡ ଦିବସ । ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟରେ କର୍ମନିଯୁକ୍ତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ଉଦ୍ୟମରେ ପାଳିତ ହୋଇଛି ନୟାଗଡ ଦିବସ  ।  ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ବା ନୟାଗଡ଼ ଦିବସ ପାଳନ ଅବସରରେ ଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ କଥାକାର ଓ ଶିଶୁ ସାହିତ୍ୟିକ ଦାଶ ବେନହୁର, ପ୍ରେମାନନ୍ଦ ମହାପାତ୍ର, ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା, ସମାଜସେବୀ ନିବେଦିତା ଲେଙ୍କା  ।

ସ୍ଥାନୀୟ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ନୟାଗଡ ଜିଲ୍ଲାର ଅନେକ ମହାପୁରୁଷଙ୍କ ସ୍ମୃତି ଚାରଣ କରାଯାଇଥିଲା  । ନୟାଗଡ଼ କଳା-ଐତିହ୍ୟ-ରାଜନୀତିରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଛି  । ମାଟି ଯୋଗଜନ୍ମା ପୁରୁଷଙ୍କୁ ଜନ୍ମ କରି ଗୌରବାନ୍ୱିତ କରିଛି  । ତେଣୁ କିପରି ସମଗ୍ରିକ ଭାବେ ନୟାଗଡ଼ ଜିଲ୍ଲାର ଉନ୍ନତି ହୋଇପାରିବ , ସେଥିପ୍ରତି ସମସ୍ତେ ନିଜ ନିଜ ପକ୍ଷେ ପ୍ରୟାସ କରିବା  । ପ୍ରତିଟି ବ୍ୟକ୍ତି ମାଟି ମନସ୍କ ହେବାକୁ ଆହ୍ୱାନ ଦେଇଥିଲେ ଉପସ୍ଥିତ ବରେଣ୍ୟ ଅତିଥିବୃନ୍ଦ  ।

କାର୍ଯ୍ୟକ୍ରମକୁ କଥାକାର ଶୁଭ୍ରାଂଶୁ ପଣ୍ଡା ପ୍ରାରମ୍ଭିକ ସୂଚନା ଓ ସ୍ବାଗତ ଭାଷଣ ଦେଇଥିବାବେଳେ ବରିଷ୍ଠ ସାମ୍ବାଦିକ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅମରେଶ ଚନ୍ଦ୍ର ଦାସ, ସୁବ୍ରତ କୁମାର ନାୟକ, ଅଭିଳାଷ ପଣ୍ଡା, ଆଶିଷ କୁମାର ରଥ, ସତ୍ୟେନ୍ଦୁ ଶେଖର ମିଶ୍ର, ସୁଧାଂଶୁ ଶେଖର ସାହୁ, ରାଜକିଶୋର ଡାକୁଆ ଓ ପ୍ରତ୍ୟୁଷ ଦେବାଶିଷ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଭୁବନେଶ୍ବରରେ ରହୁଥିବା ୫୦ରୁ ଅଧିକ ନୟାଗଡ଼ ବାସିନ୍ଦା ଏହି ଉତ୍ସବରେ ଭାଗ ନେଇଥିଲେ। ଆଗାମୀ ଏପ୍ରିଲ ୧୧ ତାରିଖରେ ଭୁବନେଶ୍ବରରେ ଦ୍ବିତୀୟ ଛେନାପୋଡ଼ ଦିବସ ପାଳନ ହେବା ପାଇଁ ଆଜିର ଉତ୍ସବରେ ନିଷ୍ପତ୍ତି ନିଆଯାଇଥିଲା।