ଆଜି ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ, ନିବେଶକ ସମ୍ମୀଳନୀରେ ଯୋଗଦେବେ

ଭୁବନେଶ୍ୱର: ଓଡ଼ିଶା ହେବ ଶିଳ୍ପ ସମୃଦ୍ଧ। ରାଜ୍ୟକୁ ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରିବାକୁ ଆଜିଠୁ ଜାପାନ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କ ସହିତ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜାପାନ ଗସ୍ତ କରୁଛନ୍ତି। ରୋମ, ଦୁବାଇ ପରେ ଜାପାନରେ ନିବେଶକଙ୍କୁ ନିମନ୍ତ୍ରଣ କରିବେ ନବୀନ। ଟୋକିଓରେ ଆୟୋଜିତ ପୁଞ୍ଜି ନିବେଶକ ସମ୍ମେଳନରେ ଯୋଗଦେବା ସହ କ୍ବୋଟୋ ଓ ଓସାକା ଭଳି ମହାନଗରୀ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ।

ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ କିଛି ସରକାରୀ ଓ ବ୍ୟାବସାୟିକ ବୈଠକରେ ଭାଗନେବେ । ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ନବୀନ ଆଲୋଚନା କରିବେ । ଦୁବାଇରୁ ୨୧ହଜାର କୋଟି ଟଙ୍କାର ପୁଞ୍ଜି ଆସିବା ପରେ ଜାପାନରୁ ଅଧିକ ପୁଞ୍ଜି ଆଣିବା ପାଇଁ ପ୍ଲାନ୍ ରହିଛି। ବିଭିନ୍ନ ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସହ ଆଇଟି ସେକ୍ଟର ପରିଦର୍ଶନ କରିବେ ଶିଳ୍ପ ବିଭାଗର ଟିମ୍ ।

ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ନୂଆ ଶିଳ୍ପନୀତି ଓ ଶିଳ୍ପାୟନ ପାଇଁ ରାଜ୍ୟ ସରକାର ଯୋଗାଇଥିବା ଓ୍ବାନ ପ୍ଲସ ସୁବିଧା ସମ୍ପର୍କରେ ନିବେଶକାରୀଙ୍କୁ ବୁଝାଇବେ । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଜାପାନ ସହ ଓଡ଼ିଶାର ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବ । ୨୦୧୮ ମେକ ଇନ ଓଡ଼ିଶା କନକ୍ଲେଭରେ ଜାପାନର ପ୍ରତିନିଧିମାନେ ସାମିଲ ହୋଇ ଓଡ଼ିଶା ସହ ବାଣିଜ୍ୟ ସମ୍ପର୍କ ମଜଭୁତ କରିଛନ୍ତି। ବିଦେଶରୁ ପୁଞ୍ଜି ଆଣିବାରେ ଦେଶର ଟପ୍ ୩ ରାଜ୍ୟରେ ଓଡ଼ିଶା ରହିଛି। ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ବିଦେଶରୁ ବଡ଼ ପୁଞ୍ଜି ଆଣିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।