spot_img
Home Blog Page 3511

ମଝି ଆକାଶରେ ଫାଇଟର ଜେଟ ଓ ଡ୍ରୋନ କ୍ରାସ୍, କୃଷ୍ଣ ସାଗର ଉପରେ ଋଷର Su-୨୭ ଓ ଆମେରିକାର MQ-୯ ମଧ୍ୟରେ କ୍ରାସ

ନୂଆଦିଲ୍ଲୀ: ମଝି ଆକାଶରେ ଫାଇଟର ଜେଟ୍ ଓ ଡ୍ରୋନ୍ କ୍ରାସ । କୃଷ୍ଣ ସାଗର ଉପରେ ଋଷର Su-୨୭ ଓ ଆମେରିକାର MQ-୯ ମଧ୍ୟରେ ହୋଇଛି କ୍ରାସ । ଏହି ଘଟଣାକୁ ନେଇ ଦୁଇ ସୁପରପାଓ୍ବାର ମଧ୍ୟରେ ଘଟିପାରେ ଉତ୍ତେଜନା । ଏହି କ୍ରାସ ସମ୍ପର୍କରେ ଆମେରିକୀୟ ମିଲିଟାରୀର ୟୁରୋପିଆନ କମାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି । କ୍ରାସରେ MQ-୯ ଡ୍ରେନ ସମ୍ପୂର୍ଣ୍ଣ ଧ୍ଂସ ହୋଇଥିବା କହିଛି ଆମେରିକା ।

ଆମେରିକା ଏୟାରଫୋର୍ସ ଜେନେରାଲ ଜେମସ ହେକେର ରହିଛନ୍ତି- କୃଷ୍ଣ ସାଗର ଉପରେ ଏମକ୍ୟୁ-୯ ନିୟମିତ ଅଭ୍ୟାସ କରୁଥିବା ବେଳେ ଋଷର ଏକ ଜେଟ୍ ଏହାକୁ ଇଣ୍ଟରସେପ୍ଟ କରିଥିଲା । ଋଷ ନିଜ ଆଡ଼ୁ ସଂଯମତା ରକ୍ଷା କରୁ ବୋଲି କହିଛନ୍ତି ହେକେର । ଏହି ଆକ୍ରମଣାତ୍ମକ ମନୋଭାବ କିଛି ବିବାଦ ସୃଷ୍ଟି ହେବାର କାରଣ ସାଜିପାରେ ବୋଲି ସେ କହିଛନ୍ତି ।

ଭାରତକୁ ପୁଣି ଚକମା ଦେଖାଇପାରେ ଚୀନ୍, ସୀମାରେ ସାମରିକ କ୍ଷମତା ବଢ଼ାଇବା ଲାଗି ଡ୍ରାଗନର ଉଦ୍ୟମ

ନୂଆଦିଲ୍ଲୀ: ଭାରତକୁ ପୁଣି ଚକମା ଦେଖାଇପାରେ ଚୀନ । ସୀମାରେ ନିଜର ସାମରିକ କ୍ଷମତା ବଢାଇବା ଲାଗି ଡ୍ରାଗନ କରୁଛି ଯୋଜନା । ଗଲଓ୍ବାନ ସଂଘର୍ଷ ପରି ଅନ୍ୟ ଏକ ଘଟଣା ଘଟିବାର ଆଶଙ୍କା ଏବେ ଘନୀଭୂତ ହେଉଛି । ଗଲଓ୍ବାନ ସଂଘର୍ଷରେ ଚୀନ ଯେଉଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା, ଠିକ୍ ସେହି ଧରଣରୁ ଉନ୍ନତ ଅସ୍ତ୍ରଶସ୍ତ୍ର ଚୀନ କ୍ରୟ କରୁଥିବା ସୂଚନା ମିଳିଛି । ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସମ୍ଭାବ୍ୟ ସଂଘର୍ଷ ଘଟିଲେ ଏହି ଅସ୍ତ୍ରଗୁଡିକୁ ବ୍ୟବହାର କରିବାକୁ ଚୀନ ଲକ୍ଷ୍ୟ ରଖିଛି । ଚୀନର ପିପୁଲସ୍ ଲିବରେସନ ଆର୍ମି ବା ପିଏଲଏ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ଭିନ୍ନ ଧରଣର ଅସ୍ତ୍ର କ୍ରୟ କରାଯାଇଛି । ଏହି ଆଧୁନିକ ଅସ୍ତ୍ର ଗୁଡିକରେ ଧାରଯୁକ୍ତ କଣ୍ଟା ରହିଛି ।

ଦୁଇ ଦେଶ ମଧ୍ୟରେ ସ୍ଥିରତା ବଜାୟ ରଖିବା ଲାଗି ଉଦ୍ୟମ ଚାଲିଥିଲେ ମଧ୍ୟ ଚୀନ ପକ୍ଷରୁ ଦଗା ଦେବା ଲାଗି ଯୋଜନା କରାଯାଉଥିବା ସୂଚନା ମିଳିଛି । ଏହି ସ୍ବତନ୍ତ୍ର ଧରଣର ଅସ୍ତ୍ର କ୍ରୟ ପ୍ରକ୍ରିୟା ଗତ ଜାନୁଆରୀରୁ ଆରମ୍ଭ ହେବା ପରେ ଏବେ ତାହା କିଣାଯାଇଥିବା ସୂଚନା ମିଳିଛି । ଏହି ସ୍ବତନ୍ତ୍ର ଅସ୍ତ୍ରଗୁଡିକୁ ଚୀନର ତିଆନଜିନରେ ବି ପୋଲିସ ପକ୍ଷରୁ ବ୍ୟବହୃତ ହୋଇଥିବା ଜଣାଯାଇଛି । ଏହି ସ୍ବତନ୍ତ୍ର ଧରଣର ଅସ୍ତ୍ରର ଲମ୍ବା ୧.୮ ମିଟର ହୋଇଥିବା ବେଳେ ତିନି ଭାଗରେ ଏହା ବିଭକ୍ତ । ଏହାର ରଡଟି ଜିଙ୍କ ଷ୍ଟିଲ ପାଇପରେ ନିର୍ମିତ ।

ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମାମଲା: ଆଜି ଇଡିରେ ହାଜର ହେବେ ବିଆରଏସ ନେତ୍ରୀ କବିତାଙ୍କ ପୂର୍ବତନ ଅଡିଟର ବୁଚିବାବୁ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମାମଲା । ବିଆରଏସ ନେତ୍ରୀ କେ. କବିତାଙ୍କ ପୂର୍ବତନ ଅଡିଟର ବୁଚିବାବୁ ଗୋରାନ୍ତଲା ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହେବେ ହାଜର । ଏହି ମାମଲାରେ ଗିରଫ ଅନ୍ୟ ଅଭିଯୁକ୍ତଙ୍କ ସହ ତାଙ୍କର ମୁହାଁମୁହିଁ ଜେରା ହେବ । ଆସନ୍ତା ୧୬ ତାରିଖରେ କବିତାଙ୍କୁ ଜେରା ଲାଗି ଇଡି ସମୟ ଧାର୍ଯ୍ୟ କରିଥିବାବେଳେ ତା ପୂର୍ବରୁ ବୁଚିବାବୁଙ୍କୁ ଜେରା କରିବ ଇଡି । ପୂର୍ବରୁ ଏହି ମାମଲାରେ ଗତ ମାର୍ଚ୍ଚ ୬ରେ ଗିରଫ ହୋଇସାରିଛନ୍ତି ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ରନ ପିଲାଇ । ପୂର୍ବରୁ ମାର୍ଚ୍ଚ ୯ରେ ହାଜର ହେବା ଲାଗି ବୁଚିବାବୁଙ୍କ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟଗତ କାରଣରୁ ସେ ହାଜର ହୋଇପାରି ନଥିଲେ ।

ଦୁଇ ଅଭିଯୁକ୍ତ ପିଲାଇ ଓ ବୁଚିବାବୁ ଏକତ୍ର ହାଇଦ୍ରାବାଦରେ ଏକ ପଞ୍ଚତାରକା ହୋଟେଲରେ ରହୁଥିବା ଦର୍ଶାଇଥିଲା ଇଡି । ସେହି ପଞ୍ଚତାରକା ହୋଟେଲରେ ମଦନୀତି ମାମଲା ସହ ଜଡିତ ବିଭିନ୍ନ ଅଭିଯୁକ୍ତମାନେ ରହୁଥିବାରୁ ଏହାର ସବିଶେଷ ବିବରଣୀ ହୋଟେଲ କର୍ତ୍ତୃପକ୍ଷଙ୍କଠାରୁ ମଗାଯାଇଛି । ପିଲାଇ, ବୁଚିବାବୁ, ଅନ୍ୟତମ ଗିରଫ ଅଭିଯୁକ୍ତ ଅଭିଷେକ ବୋଇନପାଲି ଓ ବିଜୟ ନାୟାରଙ୍କ ମଧ୍ୟରେ ପ୍ରକୃତ ସମ୍ପର୍କ କ’ଣ ଥିଲା, ହୋଟେଲରେ କି କି କାର୍ଯ୍ୟ ଚାଲିଥିଲା- ଏସବୁ ପ୍ରସଙ୍ଗରେ ମୁହାଁମୁହିଁ ଜେରା କରିପାରେ ଇଡି । ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିଲେ ଆପର କମ୍ୟୁନିକେସନ ଇନ ଚାର୍ଜ ବିଜୟ ନାୟାର । ଏହି ମାମଲାରେ ଗତ ୧୧ ତାରିଖରେ କବିତାଙ୍କୁ ଇଡି ଜେରା କରିଥିବାବେଳେ ଆସନ୍ତା ୧୬ରେ ପୁଣି ଥରେ ଜେରା କରାଯିବ ।

 

ସ୍ବାଭାବିକ ଚାଲିଛି ବିଧାନସଭା, ଆଜି ସମବାୟ ଓ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚଦାବି ହେବ ଆଗତ

ଭୁବନେଶ୍ୱର: ଦୁଇଦିନ ଧରି ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା । ବିରୋଧୀଙ୍କ ସହଯୋଗ ଯୋଗୁ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବି ଆଲୋଚନା ଓ ୩ଟି ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଛି । ଆଜି ସମବାୟ ଓ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚଦାବି ଆଗତ କରିବେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଖାଦ୍ୟ ଯୋଗାଣ ବିଭାଗର ୩ ହଜାର ୨୨୯ କୋଟି ୯୫ ଲକ୍ଷ ୩୬ ହଜାର ଟଙ୍କା ଆଗତ କରାଯିବ । ସେହିପରି ସମବାୟ ବିଭାଗର ୨ ହଜାର ୩୬ କୋଟି ୭୩ ହଜାର ଟଙ୍କାର ଖର୍ଚ୍ଚ ଦାବି ଗୃହରେ ଆଗତ କରିବେ ମନ୍ତ୍ରୀ ।

ଏହା ସହିତ ରେରା ସଂଶୋଧନ ଆଇନ ୨୦୨୧ର ଗେଜେଟ ବିଜ୍ଞପ୍ତି, ଗତବର୍ଷ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବା ନେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ବିଜ୍ଞପ୍ତିକୁ ବିଭାଗୀୟ ମନ୍ତ୍ରୀ ଗୃହରେ ଉପସ୍ଥାପନ କରିବେ । ସେହିଭଳି ଓୟୁଏଟିର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପ୍ରଶ୍ନ କାଳରେ କୃଷି, ଖାଦ୍ୟ ଯୋଗାଣ, ଗଣଶିକ୍ଷା, ଉଚ୍ଚଶିକ୍ଷା, ଶ୍ରମ ଓ ନିୟୋଜନ, ସମବାୟ ଏବଂ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।

ଆଜିଠୁ ଭିଜିବ ଓଡ଼ିଶା, ପଶ୍ଚିମ ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦୀର୍ଘଦିନ ପରେ ଆଜିଠୁ ଭିଜିବ ରାଜ୍ୟ। ପଶ୍ଚିମାଝଡ଼ ପ୍ରଭାବରେ ସାରା ରାଜ୍ୟରେ ହେବ ବର୍ଷା । ୨୧ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ପାଇଁ ଆଜି ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କନ୍ଧମାଳ, କଳହାଣ୍ଡି, ରାୟଗଡ଼ା ଏବଂ ନବରଙ୍ଗପୁରରେ ଝଡ଼ ପବନ ସହ ପ୍ରବଳ ବର୍ଷା ହେବ ।

ଅନ୍ୟପଟେ କାଲି ଏବଂ ୧୭ ତାରିଖରେ ପୂରା ଓଡ଼ିଶାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲି ୯ ଏବଂ ୧୭ ତାରିଖରେ ୧୩ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବ । ବିଶେଷ କରି ଉପକୂଳ ଓଡ଼ିଶାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି । ରାଜ୍ୟରେ ଏଭଳି ପାଗ ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ୨୩ ତାରିଖ ପରେ ପାଗରେ ପରିବର୍ତ୍ତନ ହେବା ସହ ପୁଣି ଉପରମୁହାଁ ହେବ ପାରଦ ।

ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ଥିବାରୁ ଧନଜୀବନ ହାନି ହେବାର ଆଶଙ୍କା ରହିଛି । ଏଥିପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ବର୍ଷା ପାଇଁ ଆସିଛି ଖୁସି ଖବର । ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବାରୁ ବର୍ଷାରେ ବନାଗ୍ନି ଲିଭିବାର ଆଶା ରହିଛି ।

ଆଜି ନାଟଜିଓରେ ପ୍ରସାରଣ ହେବ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଗରିମାମୟ ନିର୍ମାଣଶୈଳୀ

ରାଉରକେଲା: ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ବିଷୟରେ ଜାଣିବେ ବିଶ୍ୱବାସୀ । ଆଜି ରାତି ୮ଟାରେ ନାଟଜିଓରେ ପ୍ରସାରଣ ହେବ ବିର୍ସା ମୁଣ୍ଡାର ଗରିମାମୟ ନିର୍ମାଣ ଶୈଳୀ । ୬୦ ହଜାର ସ୍କୋୟାର ମିଟର ପରିଧି ମଧ୍ୟରେ ନିର୍ମିତ ହୋଇଛି ଏହି ସର୍ବବୃହତ ଷ୍ଟାଡିୟମ । ମାତ୍ର ୧୫ ମାସରେ ନିର୍ମିତ ହୋଇଛି ଏହି ସର୍ବବୃହତ ହକି ଷ୍ଟାଡିୟମ । ଏଥିରେ ୨୦ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ରହିଛି ।

ଷ୍ଟାଡିୟମରେ ଏକାଧିକ ଜିମ୍, ହାଇଡ୍ରୋଥେରାପି ପୁଲ୍ ଓ ଅତ୍ୟାଧୁନିକ ତାଲିମ କେନ୍ଦ୍ର ରହିଛି । ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ପାଇଁ ଏହା ଗିନିଜ୍ ବୁକ୍ ରେକର୍ଡରେ ସ୍ଥାନ ପାଇଛି । ଗତ ୧୦ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗିନିଜ୍ ବୁକ୍ ରେକର୍ଡ ଗ୍ରହଣ କରିଛନ୍ତି । ମାତ୍ର ୧୫ମାସ ମଧ୍ୟରେ କିଭଳି ଏଭଳି ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ ହେଲା ସେନେଇ ନାସନାଲ ଜିଓଗ୍ରାଫିରେ ପ୍ରସାରଣ ହେବ ।

ଆଜି ରାଜ୍ୟ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଡାକରା, ସମର୍ଥନ କରୁନାହାନ୍ତି ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର: ଆଜି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛି ରାଜ୍ୟ ଡ୍ରାଇଭର ମହାସଂଘ । ଆନ୍ଦୋଳନକୁ ସବୁଠି ବିରୋଧ କରାଯାଉଛି । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ, ଓଡ଼ିଶା ଟ୍ରକ ମାଲିକ ମହାସଂଘ ଆନ୍ଦୋଳନକୁ ସମର୍ଥନ କରିନାହାନ୍ତି । ରାଜ୍ୟରେ ପରୀକ୍ଷା ଚାଲିଥିବାବେଳେ ଏଭଳି ଆନ୍ଦୋଳନ ଉଚିତ ନୁହେଁ ବୋଲି ବସ୍ ମାଲିକ ଓ ଡ୍ରାଇଭର କହିଛନ୍ତି । ଗାଡ଼ି ଚଳାଚଳ ବନ୍ଦ ହେଲେ ପିଲାମାନଙ୍କ ଭବିଷ୍ୟତ ପ୍ରଭାବିତ ହେବ । ଆନ୍ଦୋଳନରୁ ନିବୃତ୍ତ ରହିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛି ଟ୍ରକ ମାଲିକ ମହାସଂଘ । ଧର୍ମଘଟ ନାଁରେ ବିଶୃଙ୍ଖଳା କରିବା ଠିକ୍ ନୁହେଁ । ଅନ୍ୟପଟେ ଅନଲାଇନ କ୍ୟାବ୍ ଓ ଅଟୋ ମହାସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି ।

ସେହିପରି ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମଧ୍ୟ ଆନ୍ଦୋଳନକୁ ବିରୋଧ କରିଛି । ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ଡ୍ରାଇଭରଙ୍କୁ ଏକ ସଂଗଠନ ଉସକାଉଥିବା ଅଭିଯୋଗ ହୋଇଛି । ଯାହାକୁ ଶତାଧିକ ପରିବହନ ସଂଘ, ଅଟୋ, ଟ୍ୟାକ୍ସି, ଟ୍ରକ, ମିନିଟ୍ରକ ଆଦି ଅନେକ ସଂଗଠନ ଗ୍ରହଣ କରୁନାହାନ୍ତି । ଗାଡ଼ି ଚଳାଚଳରେ କେହି ବାଧାଦେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଲୋକମାନେ ଅସୁବିଧାର ସମ୍ମୁଖୀନ ହେଲେ ପୋଲିସକୁ ଅଭିଯୋଗ କରିପାରିବେ । ଭୁବନେଶ୍ୱରରେ ଅତିରିକ୍ତ ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୪୦ ଅଫିସର ମୁତୟନ ହୋଇଛନ୍ତି । ଏହା ସହିତ ସବୁ ଥାନା ଆଇଆଇସି ଓ ପିସିଆର ସଜାଗ ରହିଛନ୍ତି ।

ଗୀତିକାର ତପନ ପଟ୍ଟନାୟକଙ୍କ ବିୟୋଗରେ ଶୋକପ୍ରକାଶ କଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ୱର: ବିଶିଷ୍ଟ କବି, ଗୀତିକାର, ଔପନ୍ୟାସିକ ତପନ ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ସାଂସଦ ମାନସ ମଙ୍ଗରାଜ । ଟ୍ୱିଟ କରି ସାଂସଦ କହିଛନ୍ତି ‘ବିଶିଷ୍ଟ ଲେଖକ, କବି ଏବଂ ଗୀତିକାର ତପନ ପଟ୍ଟନାୟକଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ । ସେ ମୋର ବଡ଼ ଭାଇଭଳି ଥିଲେ । ଏହା ମୋ ପାଇଁ ବ୍ୟକ୍ତିଗତ ଭାବେ ବଡ଼ କ୍ଷତି । ତାଙ୍କ ପରିବାରକୁ ସମବେଦନା ଜଣାଉଛି । ନିଜର ଅମର ଗୀତ ପାଇଁ ସେ ସବୁବେଳେ ମନେରହିବେ । ମୁଁ ଆସିଛି ଦେଖି ତୋ କଳା ବଦନକୁ.. ଭଜନ ତାଙ୍କର ଏକ ଅନବଦ୍ୟ କୃତି ।’

ସୂଚନାଥାଉକି ତପନ ପଟ୍ଟନାୟକ ଅସୁସ୍ଥତା କାରଣରୁ କିଛି ଦିନ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୭୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି । ଶୂନ୍ୟକାଳ, ଶୂନ୍ୟ ଧାନକ୍ଷେତ, ଅରଣ୍ୟ ଗହନ ପଥ, ମଗ୍ନ ମୌନ ଆଦି ପୁସ୍ତକର ସ୍ରଷ୍ଟା ଭାବରେ ଓଡ଼ିଆ ବାଣୀ ଭଣ୍ଡାରକୁ ସେ ସମୃଦ୍ଧ କରିଥିଲେ ।

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ବିଷୟରେ ଜାଣିବେ ବିଶ୍ବବାସୀ

ଭୁବନେଶ୍ୱର: ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ବିଷୟରେ ଜାଣିବେ ବିଶ୍ବବାସୀ । ଆସନ୍ତାକାଲି ରାତି ୮ଟାରେ ନାଟଜିଓରେ ପ୍ରସାରଣ ହେବ ବିର୍ସା ମୁଣ୍ଡାର ଗରିମାମୟ ନିର୍ମାଣ ଶୈଳୀ । ୬୦ ହଜାର ସ୍କୋୟାର ମିଟର ପରିଧି ମଧ୍ୟରେ ନିର୍ମିତ ହୋଇଛି ଏହି ସର୍ବବୃହତ୍ତ ଷ୍ଟାଡ଼ିୟମ । ମାତ୍ର ୧୫ମାସରେ ନିର୍ମିତ ହୋଇଛି ଏହି ସର୍ବବୃହତ ହକି ଷ୍ଟାଡିୟମ । ଏଥିରେ ୨୦ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ରହିଛି ।

ଷ୍ଟାଡିୟମରେ ଏକାଧିକ ଜିମ୍, ହାଇଡ୍ରୋଥେରାପି ପୁଲ୍ ଓ ଅତ୍ୟାଧୁନିକ ତାଲିମ କେନ୍ଦ୍ର ରହିଛି । ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ପାଇଁ ଏହା ଗିନିଜ ବୁକ ରେକର୍ଡରେ ସ୍ଥାନ ପାଇଛି । ଗତ ୧୦ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗିନିଜ ବୁକ ରେକର୍ଡ ଗ୍ରହଣ କରିଛନ୍ତି । ମାତ୍ର ୧୫ମାସ ମଧ୍ୟରେ କିଭଳି ଏଭଳି ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ ହେଲା ସେନେଇ ନାଟ ଜିଓରେ ପ୍ରସାରଣ ହେବ ।

ଆଉ ୧୦ହଜାର କର୍ମଚାରୀଙ୍କୁ ବିଦା କରିବ ମେଟା

ନନ୍ଦିଘୋଷ ବ୍ୟୁରୋ: ପୁଣି ମେଟାରେ ମେଗାଛଟେଇ । ଚଳିତ ବର୍ଷ ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ବିଦା କରିବ ମେଟା । ଗତବର୍ଷ ୧୧ ହଜାରରୁ ଅଧିକ କର୍ମଚାରୀ ଛଟେଇ ହୋଇଥିବାବେଳେ ଚଳିତ ବର୍ଷ ପୁଣି ବଡ଼ ଧରଣର ଛଟେଇ କରିବାକୁ ଘୋଷଣା କରିଛି କମ୍ପାନି । ମେଟା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି- ଆସନ୍ତା ଏପ୍ରିଲରେ ଏହି ରିଷ୍ଟ୍ରକଚରିଂ ଓ ଲେଅଫ କରାଯିବ । ଏହି ଲେଅଫ ଫଳରେ ମେ ମାସ ସୁଦ୍ଧା ବିଭିନ୍ନ ବିଜନେସ ଗ୍ରୁପ ପ୍ରଭାବିତ ହେବେ । କେତେକ ଅନିବାର୍ଯ୍ୟ କାରଣରୁ କମ୍ପାନିରେ ଏହି ଲେଅଫ ହେଉଛି ଏବଂ ଟିମକୁ କ୍ଷୁଦ୍ରତର କରାଯାଉଛି । ଚଳିତ ବର୍ଷ ଶେଷ ଯାଏ ଏହି ଛଟେଇ ପ୍ରକ୍ରିୟା ଜାରି ରହିବ ଏବଂ ବିଭିନ୍ନ ସ୍ତର ଓ ରିଜିନରେ ଏହି ପ୍ରକ୍ରିୟା ଚାଲିବ ବୋଲି କହିଛନ୍ତି ଜୁକରବର୍ଗ ।