ଖୁବଶୀଘ୍ର ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ିବ ବିମାନ

1 min read

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୁଣି ବିଦେଶକୁ ଉଡ଼ିବ ବିମାନ । ପୂର୍ବରୁ ଭୁବନେଶ୍ବରରୁ କ୍ବାଲାଲମପୁର ଓ ବ୍ୟାଙ୍କକକୁ ଯଦିଓ ବିମାନ ଯାଉଥିଲା ତେବେ ପରବର୍ତ୍ତୀ ସମୟରେ କରୋନା କାରଣରୁ ଏହା ବନ୍ଦ ହୋଇଯାଇଥିଲା । ତେବେ ଏବେ ରାଜ୍ୟବାସୀଙ୍କ ପାଇଁ ଆସିଛି ଖୁସି ଖବର । ମେ’ ୧୫ରୁ ଦୁବାଇକୁ ବିମାନ ଉଡ଼ିବା ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଏହା ବ୍ୟତୀତ ଖୁବଶୀଘ୍ର ସିଙ୍ଗାପୁର ଓ ବ୍ୟାଙ୍କକକୁ ଇଣ୍ଡିଗୋ ଏୟାର ଲାଇନ୍ସ ବିମାନ ଚଳାଚଳ କରିବାକୁ ଅନୁମତି ଲୋଡିଛି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଉଭୟ ଦେଶକୁ ଭୁବନେଶ୍ବରରୁ ସିଧାସଳଖ ବିମାନ ଚଳାଚଳ ହୋଇପାରିବ । ଇଣ୍ଡିଗୋର ୩୨୧ ଓ ୩୨୦ ଏୟାର ବସ୍ ଯାହା ୧୮୦ରୁ ୨୦୦ ଯାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ, ସେହି ବିମାନ ଯୋଗେ ସେବା ଉପଲବ୍ଧ ହେବ ।

ସେହିଭଳି ଭୁବନେଶ୍ବର ବିମାନ ବନ୍ଦରରେ କାରଗୋ ଟର୍ମିନାଲ ନିକଟରେ ଥିବା ପୁରୁଣା ATC ବା ଏୟାର ଟ୍ରାଫିକ କଣ୍ଟ୍ରୋଲ ସେଣ୍ଟର ନୂତନ ସେଣ୍ଟରକୁ ସ୍ଥାନାନ୍ତର ହେବ। ନୂତନ ATC ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଟେଷ୍ଟିଂ ପରେ ଏହା କାର୍ଯ୍ୟକ୍ଷମ ହେବ। ରାଜ୍ୟରେ RCS ଯୋଜନାରେ କଳାହାଣ୍ଡିର ଉତକେଲା ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇ ଭୁବନେଶ୍ବର ଓ ରାଞ୍ଚି ସହିତ ସଂଯୋଗ କରିବ । ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବିମାନ ବନ୍ଦରର ବିକାଶ ପାଇଁ ଅନୁମତି ମିଳିଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବିମାନ ବନ୍ଦର ମଧ୍ୟ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ କୁମାର ପ୍ରଧାନ ।