ଆଦାନୀଙ୍କୁ ପୁଣି ବଡ଼ ଝଟକା, ଧନୀ ତାଲିକାରେ ପଛରେ ପଡ଼ିଲେ

1 min read

ନୂଆଦିଲ୍ଲୀ: ଆଦାନୀଙ୍କୁ ପୁଣି ବଡ଼ ଝଟକା । ଧନୀ ତାଲିକାରେ ପଛରେ ପଡ଼ିଲେ ଗୌତମ ଆଦାନୀ । ନିକଟରେ ଫୋବର୍ସ ୨୦୨୩ର ଧନୀ ତାଲିକା ଜାରି କରିଛି । ଯେଉଁ ତାଲିକାରେ ଅମ୍ବାନୀ ଉପରକୁ ଉଠିଥିବା ବେଳେ ଆଦାନୀ ତଳକୁ ଖସି ଯାଇଛନ୍ତି । ଏହାସହ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏସିଆର ସବୁଠୁ ବଡ଼ ଧନୀ ଭାବେ ଉଭା ହୋଇଛନ୍ତି । ଅନ୍ୟପଟେ ଆଦାନୀ ଗ୍ରୁପ୍ ଧନୀ ତାଲିକାର ୨୪ ତମ ସ୍ଥାନକୁ ଖସି ଆସିଛି । ମନ୍ଥର ଗତିରେ ହେଲେ ବି ମୁକେଶ ତାଲିକାର ଟପ୍ ଟେନରେ ରହିଛନ୍ତି ହେଲେ ହଠାତ୍ ଉପରକୁ ଉଠିଥିବା ଆଦାନୀ କିନ୍ତୁ ବହୁ ତଳକୁ ଖସି ଆସିଛନ୍ତି ।

ଫୋବର୍ସ ତାଲିକା ଅନୁଯାୟୀ ଏସିଆର ବଡ଼ ଧନୀ ସାଜିଥିବା ମୁକେଶ ଅମ୍ବାନୀ ବିଶ୍ୱର ଟିପ-୧୦ ଧନୀ ତାଲିକାର ୯ମ ସ୍ଥାନରେ ରହିଛନ୍ତି । ଏଥିରେ ମୁକେଶଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୮୩.୪ ଆରବ ଡଲାର ରହିଛି । ନୂଆ ତାଲିକା ଅନୁଯାୟୀ ମୁକେଶ ଅମ୍ବାନୀ ମାଇକ୍ରୋସଫ୍ଟର ଷ୍ଟିଭ ଭ୍ଲାମର, ଗୁଗୁଲର ଲୋରି ପେଜ, ଫେସବୁକର ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇ ୯ମ ସ୍ଥାନରେ ରହିଛନ୍ତି । ଗତବର୍ଷ ଅମ୍ବାନୀ ଏହି ତାଲିକାର ୧୦ମ ସ୍ଥାନରେ ରହିଥିଲେ ।

ଅନ୍ୟପଟେ ଫୋବର୍ସ ତାଲିକାରେ ସବୁଠୁ ବଡ଼ ଝଟକା ଆଦାନୀଙ୍କୁ ଲାଗିଛି । କାରଣ ଗତବର୍ଷ ବିଶ୍ୱର ଟପ-୩ ଧନୀ ତାଲିକାରେ ଥିବା ଆଦାନୀ ଚଳିତବର୍ଷ ଏହି ତାଲିକାର ୨୪ ତମ ସ୍ଥାନକୁ ଖସି ଆସିଛନ୍ତି । ଏବେ ଗୌତମ ଆଦାନୀଙ୍କର ମୋଟ ସମ୍ପତ୍ତି ୪୭.୨ ଆରବ ଡଲାର ରହିଛି । ତେବେ ମୁକେଶ ଅମ୍ବାନୀଙ୍କ ପରେ ଗୌତମ ଆଦାନୀ ଭାରତର ଦ୍ୱିତୀୟ ଧନୀ ତାଲିକାରେ ସ୍ଥାନ ପାଇଛନ୍ତି । ଏଥିସହିତ ଅମ୍ବାନୀଙ୍କର ସମ୍ପତ୍ତି ମୂଲ୍ୟ ଆଦାନୀଙ୍କ ଠାରୁ ୩୬.୨ ଆରବ ଡଲାର ଅଧିକ ରହିଛି ।

ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଆଦାନୀଙ୍କ ସମ୍ପତ୍ତି ୬୦ ପ୍ରତିଶତ ଖସି ଆସିଥିଲା । ଯାହାଫଳରେ ଆଦାନୀ ଟପ-୩୦ ଧନୀ ତାଲିକାରୁ ମଧ୍ୟ ବାଦ୍ ପଡିଥିଲେ । ତେବେ ମାର୍ଚ୍ଚ ମାସରେ ଆଦାନୀଙ୍କ ସେୟାରର ମୂଲ୍ୟ ବଢିବା କାରଣରୁ ତାଙ୍କର ସେୟାର ମଧ୍ୟ ବୃଦ୍ଧି ପାଇଥିଲା । ଯାହାଦ୍ୱାରା ଟପ୍-୨୫ ଧନୀ ତାଲିକାକୁ ପୁଣିଥରେ ଫେରିଛନ୍ତି ଆଦାନୀ । ଅନ୍ୟପଟେ ୨୧୧ ଆରବ ଡଲାର ସମ୍ପତ୍ତି ସହ ଫ୍ରାନ୍ସର ବର୍ଣ୍ଣାଡ ଆରନୋଲ୍ଟ ପ୍ରଥମ ଥର ପାଇଁ ବିଶ୍ୱ ଧନୀ ତାଲିକାର ପ୍ରଥମ ସ୍ଥାନକୁ ଉଠିଛନ୍ତି । ଏହି ୨୫ ଜଣ ଧନୀଙ୍କ ମୋଟ ସମ୍ପତ୍ତି ୨୧୦୦ ଆରବ ଡଲାର ରହିଛି । ଯାହା ଗତବର୍ଷ ୨୩୦୦ ଆରବ ଡଲାର ରହିଥିଲା ।