୨୦୨୩ର ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ, ୩ ଓଡ଼ିଆ ପାଇଲେ ପଦ୍ମଶ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ପ୍ରଦାନ କରାଗଲା ୨୦୨୩ର ଦ୍ଵିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର । ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାରୁ ୪ ଜଣଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା । କଣ୍ଢେଇ ନୃତ୍ୟୁ ପାଇଁ ପରିଚିତ ମାଗୁଣି ଚରଣ କୁଅଁର ରାଷ୍ଟ୍ରପତିଙ୍କଠାରୁ ପୂର୍ବରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରି ସାରିଥିଲେ । ଆଜି ଅନ୍ୟ ତିନି ଜଣ ପଦ୍ମଶ୍ରୀ ପୁରସ୍କାର ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିଛନ୍ତି । ସାହିତ୍ୟ ଓ ଶିକ୍ଷା ପାଇଁ ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ଓଡ଼ିଆ ସାହିତ୍ୟ, ସଂସ୍କୃତି, ଇତିହାସ, ଭାଷାତତ୍ତ୍ବ ଓ ବ୍ୟାକରଣ ଆଦି କ୍ଷେତ୍ରରେ ଅଧ୍ୟୟନ, ଗବେଷଣା, ପ୍ରବନ୍ଧ ଲିଖନ, ପୁସ୍ତକ ପ୍ରକାଶନ ଆଦିରେ ତାଙ୍କର ବଳିଷ୍ଠ ଯୋଗଦାନ ରହିଛି । ତାଙ୍କର ୩୦ ଖଣ୍ଡରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି । ୨୦୧୯ରେ ସେ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

ସେହିପରି କଳା କ୍ଷେତ୍ରରେ ଅବଦାନ ପାଇଁ ସମ୍ବଲପୁରର କ୍ରିଷ୍ଣା ପଟେଲ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ରଙ୍ଗବତୀ ଗୀତର ଗାୟିକା ଭାବେ ଚର୍ଚ୍ଚାକୁ ଆସିଥିଲେ କ୍ରିଷ୍ଣା ପଟେଲ । କୃଷି କ୍ଷେତ୍ରରେ ଅବଦାନ ପାଇଁ କଳାହାଣ୍ଡିର ପଟ୍ଟାୟତ ସାହୁଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ବିଲୁପ୍ତ ହୋଇଯାଉଥିବା ଔଷଧୀୟ ବୃକ୍ଷରାଜିକୁ ସେ ସଂରକ୍ଷଣ କରନ୍ତି । ୬୫ ଡିସିମିଲ ଜାଗାରେ ୨୫୦୦ରୁ ଊର୍ଦ୍ଧ୍ବ ଔଷଧୀୟ ବୃକ୍ଷ ଲଗାଇ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଔଷଧୀୟ ବୃକ୍ଷ ଲଗାଇବା ସହିତ ବୈଦ୍ୟ କାମ କରି ଲୋକଙ୍କୁ ସେବା ଯୋଗାଇଥାନ୍ତି ।