ପ୍ରେମରେ ବିଫଳ ପରେ ପ୍ରେମିକର ନାରକୀୟ କାଣ୍ଡ, ପ୍ରେମିକାର ବାହାଘରକୁ ପଠାଇଲା ବୋମା ଉପହାର

ରାୟପୁର: ପ୍ରେମରେ ବିଫଳ ହୋଇଥିବା ପ୍ରେମିକ ନିଜ ପ୍ରେମିକାର ବିବାହ ଉତ୍ସବରେ ତା ଶାଶୂ ଘରକୁ ଏକ ବୋମା ଉପହାର ପଠାଇଥିଲା । ଏକ ହୋମ୍ ଥିଏଟର ମ୍ୟୁଜିକ ସିଷ୍ଟମରେ ଏହି ବୋମା ରଖି ପଠାଇଥିଲା ପ୍ରେମିକ । ଫଳରେ ଏହି ବୋମା ବିସ୍ଫୋରଣରେ ପ୍ରେମିକାର ସ୍ବାମୀ ଏବଂ ତାଙ୍କ ବଡ଼ ଭାଇଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ସୋମବାର ଦିନ ଏହି ମ୍ୟୁଜିକ ସିଷ୍ଟମ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଏହି ହୋମ୍ ଥିଏଟର ସିଷ୍ଟମ ଥିବା ଘରର କାନ୍ଥ ଏବଂ ଛାତ ଭୁଶୁଡ଼ି ପଡ଼ିଛି ।

ଛତିଶଗଡ଼ର କବୀରଧାମ ଜିଲ୍ଲାରେ ଘଟିଛି ଘଟଣା । ୨୨ ବର୍ଷୀୟ ହେମେନ୍ଦ୍ର ମେରାୱି ଏପ୍ରିଲ ୧ରେ ବିବାହ କରିଥିଲେ । ସୋମବାର ଦିନ ମେରାୱି ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଗିଫ୍ଟ ପ୍ୟାକେଟ୍ ଖୋଲୁଥିବା ବେଳେ ଗୋଟିଏ ପ୍ୟାକେଟରୁ ହୋମ୍ ଥିଏଟର ମ୍ୟୁଜିକ ସିଷ୍ଟମ ବାହାରିଥିଲା । ଏହାପରେ ମେରାୱି ଏହି ହୋମ୍ ଥିଏଟର ସିଷ୍ଟମକୁ ଏକ ଇଲେକ୍ଟ୍ରିକ୍ ବୋର୍ଡରେ କନେକ୍ଟ କରୁଥିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଫଳରେ ମେରାୱିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ତାଙ୍କ ବଡ଼ ଭାଇ ରାଜକୁମାରଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏକ ଦେଢ଼ ବର୍ଷର ଶିଶୁ ସମେତ ୪ ଜଣ ଏହି ଘଟଣାରେ ଆହତ ହୋଇଛନ୍ତି । ଘଟଣାରେ ପୋଲିସ ତଦନ୍ତ କରିବାପରେ ଜଣା ପଡ଼ିଥିଲା ଯେ ହୋମ ଥିଏଟର ସିଷ୍ଟମରେ ବୋମା ଥିଲା । ପୋଲିସ ଅଧିକ ତଦନ୍ତ କରିବାରୁ ଜାଣିପାରିଥିଲା ଯେ ଏହି ଉପହାରଟି କନ୍ୟାର ପୂର୍ବତନ ପ୍ରେମିକ ପଠାଇଥିଲା । ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଛି। ଅଭିଯୁକ୍ତ ସରଜୁ ନିଜ ଦୋଷ ସ୍ବୀକାର କରିଛି ।