spot_img
Home Blog Page 3509

ବେଦବ୍ୟାସ ପୀଠ ବୁଲି ଦେଖିଲେ ୫T ସଚିବ, ବିକାଶ ଯୋଜନା ୧୫ ଦିନ ମଧ୍ୟରେ ପ୍ରସ୍ତୁତ କରିବେ ଜିଲ୍ଲାପାଳ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଭି କେ ପାଣ୍ଡିଆନ୍ ଶନିବାର ରାଉରକେଲା ନିକଟସ୍ଥ ବେଦବ୍ୟାସ ପୀଠ ପରିଦର୍ଶନ କରିଥିଲେ । 5T ଉପକ୍ରମରେ ପୀଠର ବିକାଶ ସମ୍ପର୍କରେ ଟ୍ରଷ୍ଟ ବୋର୍ଡର ସଭ୍ୟ, ସେବାୟତ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ଶ୍ରୀ ପାଣ୍ଡିଆନ୍ ଆଲୋଚନା କରି ଥିଲେ । ପନ୍ଦର ଦିନ ମଧ୍ୟରେ ଏ ସମ୍ପର୍କରେ ଏକ ବିସ୍ତ୍ରୁତ ଯୋଜନା ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ପାଣ୍ଡିଆନ୍ କହିଥିଲେ । ଏହି ଆଲୋଚନାରେ ମୁଖ୍ୟତଃ ସ୍ଵର୍ଗଦ୍ଵାରର ବିକାଶ , ନଦୀ ସମୁଖ ଭାଗର ଉନ୍ନତିକରଣ, ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ଭିତ୍ତିଭୂମି ସୁବିଧାର ବିକାଶ, ଯାତ୍ରୀ ନିବାଶ ନିର୍ମାଣ ଏବଂ ଲାଇଟ୍ ଓ ସାଉଣ୍ଡ ଶୋ’ର ବ୍ୟବସ୍ଥା ଉପରେ ଆଲୋକପାତ କରାଯାଇଥିଲା ।

ବେଦବ୍ୟାସ ଓଡ଼ିଶାର ଏକ ପ୍ରମୁଖ ତୀର୍ଥ ସ୍ଥାନ । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଯାତ୍ରୀ ଏ ପୀଠ କୁ ଆସିଥାନ୍ତି । ତେଣୁ ଏ ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ନିଷ୍ଠାର ସହ ଉଦ୍ୟମ ଜାରି ରଖିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ ପ୍ରକାଶ କରିଥିଲେ । ଏ ପୀଠର ରୂପାନ୍ତର କରି ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସରକାରଙ୍କ ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ । ଏହି ପରିଦର୍ଶନ ସମୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ଗଭାଲି, ରାଉରକେଲା ମୁନିସପାଲ କମିଶନର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଓ ଅଫିସରେ ସିବିଆଇ ଚଢାଉ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଫିସରେ ସିବିଆଇ ରେଡ । ସିବିଆଇର ଏକ ଟିମ୍ ଦିଲ୍ଲୀ ସେକ୍ରେଟାରିଏଟସ୍ଥିତ ମନୀଷଙ୍କ କାର୍ଯ୍ୟାଳୟରେ ରେଡ କରିଛି ବୋଲି ନିଜେ ସିସୋଦିଆ ଟୁଇଟ କରି କହିଛନ୍ତି । ସେ କହିଛନ୍ତି ଏହି ରେଡକୁ ସେ ସ୍ବାଗତ କରୁଛନ୍ତି । ସେମାନେ ମୋ ଘର, ଅଫିସ, ଲକର, ଏପରିକି ମୋ ଗାଁକୁ ଯାଇ ରେଡ କରିଥିବାବେଳେ ଏବେ ପୁଣି ଅଫିସରେ ରେଡ କରିଛନ୍ତି । ମୁଁ କୌଣସି ଭୁଲ କରି ନଥିବାରୁ ସେମାନେ କିଛି ପାଇଲେ ନାହିଁ ବୋଲି କହିଛନ୍ତି ସିସୋଦିଆ । ଗତ ଅଗଷ୍ଟରେ ସିସୋଦିଆଙ୍କ ବିଭିନ୍ନ ସ୍ଥାନରେ ସିବିଆଇ ରେଡ କରିଥିଲେ ବି ସେପରି କିଛି ପାଇ ନଥିଲା । ସେପଟେ ସିବିଆଇ ପକ୍ଷରୁ କୁହାଯାଇଛି-ଏକ ନଥି ସଂଗ୍ରହ କରିବା ଲାଗି ସିବିଆଇର ଏକ ଟିମ ସିସୋଦିଆଙ୍କ କାର୍ଯ୍ୟାଳୟକୁ ଯାଇଥିଲା । ଏହା ଏକ ରେଡ ନୁହେଁ ।

ବାଙ୍କୀ ସିଂହନାଥ ପୀଠ ନିକଟ ଟି-ବ୍ରିଜରେ ଦଳାଚକଟା, ୨୦ ଶ୍ରଦ୍ଧାଳୁ ଆହତ, ଜଣେ ମୃତ

ବାଙ୍କୀ: ବାଙ୍କୀ ଟି-ସେତୁ ଉପରେ ଅଘଟଣ । ଅଣନିଶ୍ବାସୀ ହୋଇ ୯ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ଜଣଙ୍କୁ କଟକ ବଡ଼ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨ଜଣ ଆଠଗଡ଼ ହସପିଟାଲରେ ଓ ଜଣେ ବଡ଼ମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏସସିବିରେ ଭର୍ତ୍ତି ହୋଇଥିବା ଆହତଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବଡମ୍ବା ସିଂହନାଥ ପୀଠ ଓ ଟି-ସେତୁ ଅଞ୍ଚଳ ଏବଂ ଦୁର୍ଘଟଣାସ୍ଥଳୀ ପରିଦର୍ଶନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ୧୭ତାରିଖ ପର୍ଯ୍ୟନ୍ତ ମକର ଯାତ୍ରା ଥିବାରୁ ବାବାଙ୍କ ପୀଠରେ କଣ ହେବ ପରବର୍ତ୍ତୀ କାର୍ଯ୍ୟକ୍ରମ ସେ ସମ୍ପର୍କରେ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ସାମୟିକ ଭାବେ ପ୍ରଶାସନ ପକ୍ଷରୁ ୧୪୪ଧାରା ଲଗାଇବାକୁ ଚିନ୍ତା କରାଯାଉଥିବା ଆଇଜି କହିଛନ୍ତି । ମଧ୍ୟାହ୍ନରେ ମକର ସଂକ୍ରାନ୍ତି ଅବସରରେ ସିଂହନାଥ ପୀଠକୁ ଛୁଟିଆସିଥିଲେ ଲକ୍ଷଲକ୍ଷ ଲୋକ । ବ୍ରିଜ ଉପରେ ପ୍ରାୟ ଦେଢ ଲକ୍ଷ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା ।

ରେକର୍ଡ ଅନୁସାରେ ପ୍ରତିବର୍ଷ ମକର ସଂକ୍ରାନ୍ତିରେ ୩୦ରୁ ୪୦ ହଜାର ଭକ୍ତଙ୍କର ସମାଗମ ହୋଇଥାଏ । ଗତ ୨ ବର୍ଷ ଧରି ଯାତ୍ରା ବନ୍ଦ ଥିବାରୁ ଏଥର ଏ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ହୋଇପାରେ ବୋଲି ଅନୁମାନ ଲଗାଇଥିଲେ ମନ୍ଦିର ସେବାୟତ ଓ ସ୍ଥାନୀୟ ବାସିନ୍ଦା । କିନ୍ତୁ, ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରି ପାଖାପାଖି ଦେଢ଼ ଲକ୍ଷ ଲୋକଙ୍କର ସମାଗମ ହୋଇଥିଲା ଚଳିତ ଥର। କିଛିବ୍ୟକ୍ତି ଠେଲାପେଲା ହେବାରୁ ଅଣନିସ୍ବାସୀ ହୋଇଯାଇଥିଲେ । ଅଣନିଶ୍ବାସୀ କାରଣରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କଟକ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ କହିଛନ୍ତି ।

 

୪୦ ଓଭରରେ ୫୦୮ରନର ଇନିଂସ ଖେଳି ଚର୍ଚ୍ଚାରେ ୧୩ ବର୍ଷୀୟ ୟଶ୍

ମୁମ୍ବାଇ: କ୍ରିକେଟରେ ଇତିହାସ ରଚିଲେ ସ୍କୁଲ ଛାତ୍ର । ୪୦ ଓଭର ମ୍ୟାଚରେ ୫୦୮ ରନ କରି ଚର୍ଚ୍ଚାରେ ମହାରାଷ୍ଟ୍ରର ୧୩ ବର୍ଷୀୟ ବ୍ୟାଟର ୟଶ୍ ଚଭଡେ ।  ମୁମ୍ବାଇ ଇଣ୍ଡିଆନ୍ସ ଜୁନିୟର ଟୁର୍ଣ୍ଣାମେଣ୍ଟରେ ୫୦୮ରନର ଅପରାଜିତ ଇଂନିସ ଖେଳି ଏବେ ଚର୍ଚ୍ଚାରେ ୟଶ୍ । ନାଗପୁରରେ ଶୁକ୍ରବାର ଖେଳାଯାଇଥିବା ୪୦ ଓଭର ବିଶିଷ୍ଟ ଏହି ମ୍ୟାଚରେ ୟଶଙ୍କ ସରସ୍ୱତୀ ବିଦ୍ୟାଳୟ ବିନା ୱିକେଟ୍ ହରାଇ ୭୧୪ ରନ୍ ସଂଗ୍ରହ କରିଥିଲା । ଜବାବରେ ପ୍ରତିଦ୍ୱନ୍ଦୀ ସିଦ୍ଧେଶ୍ୱର ବିଦ୍ୟାଳୟର ଟିମ୍ ୫ ଓଭରରେ ୯ ରନ୍ ସ୍କୋରରେ ଅଲଆଉଟ୍ ହୋଇଯାଇଛି ।

ଯାହାଫଳରେ ସରସ୍ୱତୀ ବିଦ୍ୟାଳୟ ୭୦୫ ରନରେ ଏହି ମ୍ୟାଚଟିକୁ ଜିତିନେଇଛି । ୟଶ୍ ନିଜ ଇନିଂସରେ ୧୭୮ ଟି ବଲକୁ ସାମ୍ନା କରିଥିଲେ ଏବଂ ୮୧ ଚୌକା ଓ ୧୮ ଟି ଛକ୍କା ମାରିଥିଲେ । କୌଣସି ବି ଇଣ୍ଟର ସ୍କୁଲ ଲିମିଟେଡ ଓଭର କ୍ରିକେଟ ମ୍ୟାଚରେ ୫୦୦ରୁ ଅଧିକ ରନର ଇନିଂସ ଖେଳିଥିବା ପ୍ରଥମ ଭାରତୀୟ ଖେଳାଳି ଭାବେ ରେକର୍ଡ କରିଛନ୍ତି ।  ଏହି କାଟାଗୋରୀରେ ସବୁଠୁ ଅଧିକ ଇନିଂସ ଖେଳିବାର ବିଶ୍ୱ ରେକର୍ଡ ଶ୍ରୀଲଙ୍କାର ଚିରଥ ସେଲେପେରୁମାଙ୍କ ନାଁରେ ରହିଛି । ଚିରଥ ୨୦୨୨ରେ ଶ୍ରୀଲଙ୍କାରେ ହୋଇଥିବା ଅଣ୍ଡର ୧୫ ମ୍ୟାଚରେ ୫୫୩ ରନର ଇନିଂସ ଖେଳିଥିଲେ ।

 କ୍ରୀଡା ସମୀକ୍ଷକଙ୍କ କହିବା ଅନୁସାରେ, ୟଶଙ୍କ ଇନିଂସ କୌଣସି ବି ଫର୍ମାଟ ଏବଂ କୌଣସି ବି ଏଜ ଗ୍ରୁପରେ ୫୦୦ ରନରୁ ଅଧିକ ସୂଚୀରେ ୧୦ତମ ଇନିଂସ ଅଟେ । ଏଥିମଧ୍ୟରୁ ୫ଥର ଏହି ଚମତ୍କାର କୌଣସି ଭାରତୀୟ ବ୍ୟାଟର କରିଛନ୍ତି । ୟଶଙ୍କ ପୂର୍ବରୁ ପ୍ରଣବ ଧନୱଡେ ଅପରାଜିତ ୧୦୦୯ ରନ୍, ପ୍ରିୟାଶୁଂ ମୋଲିୟା ୫୫୬ରନ୍, ପୃଥ୍ୱୀ ଶା’ (୫୪୬ ରନ୍) ଏବଂ ଡାଡି ହାବେୱାଲା ୫୧୫ରନର ବଡ ଇନିଂସ ଖେଳିଥିବା ଭାରତୀୟ ବ୍ୟାଟର ଥିଲେ ।  ଏହି ଚାରି ବ୍ୟାଟର ଏକରୁ ଅଧିକ ଦିନର ମ୍ୟାଚରେ ଏତିକି ରନ୍ କରିଥିଲେ । ୟଶ୍ ଲିମିଟେଡ ଓଭର କ୍ରିକେଟରେ ୫୦୦ରୁ ଅଧିକ ରନ୍ କରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି ।

ପ୍ରଥମେ ୟଶଙ୍କର ସ୍କେଟିଂରେ କ୍ୟାରିଅର କରିବାର ଇଚ୍ଛା ଥିଲା । ୧୦ ବର୍ଷ ବୟସ ପର୍ଯ୍ୟନ୍ତ ସେ ଏହି ଖେଳକୁ ଖେଳିଥିଲେ । ରାଜ୍ୟ ଏବଂ ଜାତୀୟ ସ୍ତରରେ ଭଲ ସଫଳତା ମଧ୍ୟ ମିଲିଥିଲା । କିନ୍ତୁ ତାଙ୍କ ବାପାଙ୍କୁ ଲାଗିଥିଲା ଯେ ଭାରତରେ ଏହି ଖେଳର ଭଲ ଭବିଷ୍ୟତ ନାହିଁ । ସେଥିପାଇଁ ସେ ୟଶ୍ ଙ୍କୁ କ୍ରିକେଟ ଖେଳିବା ପାଇଁ ପ୍ରୋତ୍ସାହିତ କରିଥିଲେ ।   ଆଜି ୟଶଙ୍କ ଚମତ୍କାର ପ୍ରଦର୍ଶନ ପରେ କ୍ରୀଡ଼ା ସମୀକ୍ଷକ କରିଛନ୍ତି ଯେ ଯଦି ତାଙ୍କୁ ଭଲ ଦିଗଦର୍ଶନ ଓ ପ୍ଲାଟଫର୍ମ ମିଳେ ତେବେ ସେ ଭବିଷ୍ୟତରେ ଜଣେ ସଫଳ କ୍ରିକେଟର ଭାବେ ଉଭା ହେବେ …ବ୍ୟୁରୋ ରିପୋର୍ଟ ନନ୍ଦିଘୋଷ ଡିଜିଟାଲ

କୋଚିନ ୟୁନିଭର୍ସିଟି ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ବଡ଼ ପଦକ୍ଷେପ, ପିରିୟଡ଼ ହେଲେ ମିଳିବ ଛୁଟି

କୋଚିନ: ମାସିକ ଋତୁସ୍ରାବକୁ ନେଇ କୋଚିନ ୟୁନିଭର୍ସିଟି ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବା ସିୟୁଏସଏଟିର ବଡ଼ ପଦକ୍ଷେପ । ଏଣିକି ମାସିକ ଋତୁସ୍ରାବ ସମୟରେ ଅନୁପସ୍ଥିତି କ୍ଷେତ୍ରରେ ‘ମେନସୁରେସନାଲ ବେନିଫିଟ’ ପାଇଁ ଛାତ୍ରୀଙ୍କୁ ଆବେଦନର ଅନୁମତି ଦେବାକୁ ନିର୍ଦ୍ଦେଶ ଜାରି କରିଛି ଏହି ୟୁନିଭର୍ସିଟି । ପ୍ରତ୍ୟେକ ସେମିଷ୍ଟରରେ ଛାତ୍ରୀମାନଙ୍କୁ ଆବେଦନ ଅନୁମତି ଦେବାକୁ ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି ।

ଋତୁସ୍ରାବ ସମୟରେ ଅନୁପସ୍ଥିତିକୁ ନେଇ ‘ଆଟେନାନ୍ସ ସର୍ଟେଜ’ ବିଚାର ନ କରିବା ଲାଗି ଦୀର୍ଘ ଦିନରୁ ୟୁନିଭର୍ସିଟି ଛାତ୍ରୀମାନଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ଛାତ୍ରୀମାନଙ୍କୁ ‘ମେନଷ୍ଟ୍ରେସନ ବେନିଫିଟ’ ଦେବାକୁ ଗତ ଜାନୁଆରୀ ୧୧ରେ ୟୁନିଭର୍ସିଟି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହାଦ୍ବାରା ଛାତ୍ରୀମାନେ ଏଣିକି ୨% ଅତିରିକ୍ତ ଉପସ୍ଥିତି ‘ଛାଡ୍’ ପାଇଁ ଆବେଦନ କରିପାରିବେ । ସାଧାରଣତଃ ପ୍ରତ୍ୟେକ ସେମିଷ୍ଟର ପରୀକ୍ଷା ଦେବା ଲାଗି କ୍ଲାସରେ ୭୫% ଉପସ୍ଥିତି ଦେଖାଇବାର ଆବଶ୍ୟକତା ଥାଏ । କିନ୍ତୁ ୟୁନିଭର୍ସିଟିର ଏହି ‘ମେନଷ୍ଟ୍ରେସନ ବେନିଫିଟ’ ନିଷ୍ପତ୍ତି ଦ୍ବାରା ଛାତ୍ରୀମାନଙ୍କୁ ଏଣିକି ପରୀକ୍ଷା ଦେବା ଲାଗି କେବଳ ୭୩% ଉପସ୍ଥିତି ଦେଖାଇବାକୁ ହେବ ।

ଏହି ଯୋଜନା ଦ୍ବାରା ୟୁନିଭର୍ସିଟିର ୪୦୦୦ରୁ ଅଧିକ ଛାତ୍ରୀ ଉପକୃତ ହେବ ବୋଲି କୁହାଯାଇଛି । ତେବେ ଏହି ପ୍ରସ୍ତାବ ଏବେ ଶିକ୍ଷା ପରିଷଦର ମଞ୍ଜୁରୀ ଅପେକ୍ଷାରେ ରହିଛି । ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ସମ୍ଭବତଃ ଏଭଳି ଛୁଟି ଦେବାରେ ସିୟୁଏସଏଟି ହେବ କେରଳର ପ୍ରଥମ ୟୁନିଭର୍ସିଟି । ମାସିକ ଋତୁସ୍ରାବ ଦିନଟିକୁ ସବେତନ ଛୁଟି ଦେବାକୁ ଓଡ଼ିଆ ଝିଅ ତଥା ସମ୍ବଲପୁରର ଝିଅ ରଞ୍ଜିତା ପ୍ରିୟଦର୍ଶିନୀ ବିଭିନ୍ନ ଫୋରମରେ ଦାବି ଉଠାଉଛନ୍ତି । ବିଭିନ୍ନ ଅନୁଷ୍ଠାନ ଓ ରାଜନୈତିକ ଦଳର ବ୍ୟକ୍ତିବିଶେଷଙ୍କୁ ଭେଟି ଏ ସମ୍ପର୍କରେ ଦାବି ଜଣାଉଛନ୍ତି ।

ସୁରକ୍ଷା ଭାଙ୍ଗି ରାଷ୍ଟ୍ରପତିଙ୍କ ପାଦ ଛୁଇଁଥିବା ସରକାରୀ ଇଂଜିନିୟର ନିଲମ୍ବିତ

ଜୟପୁର ମହାମହିମଙ୍କ ପାଦ ଛୁଇଁ ନିଲମ୍ବିତ ହେଲେ ସରକାରୀ ଇଂଜିନିୟର । ରାଜସ୍ଥାନର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜାନୁଆରୀ ୪ର ଘଟଣା । ବିମାନ ବନ୍ଦରରେ ରାଷ୍ଟ୍ରପତି ହେଲିକପ୍ଟରରୁ ଓହ୍ଲାଇ ଆସୁଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗର ଜଣେ ସରକାରୀ ମହିଳା ଇଞ୍ଜିନିୟର ରାଷ୍ଟ୍ରପତିଙ୍କ ପାଦ ଛୁଇଁ ନମସ୍କାର କରିଥିଲେ । ଏହାପରେ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ହୋଇଥିବା ଗୃହମନ୍ତ୍ରାଳୟ ରିପୋର୍ଟ ମାଗିଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ବରୁପ ରାଜ୍ୟ ସରକାର ଜୁନିୟର ଇଞ୍ଜିନିୟର ଆମ୍ବା ସିଓଲଙ୍କୁ ନିଲମ୍ବିତ କରିଛନ୍ତି । ରାଷ୍ଟ୍ରପତି ଯେଉଁ କାର୍ଯ୍ୟକ୍ରମକୁ ଯାଇଥିଲେ ସେଠାରେ କାର୍ଯ୍ୟରତ ଥିଲେ ଇଞ୍ଜିନିୟର । ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାକୁ ଯାଇଥିବା ଅଧିକାରୀଙ୍କ ସହ ବିମାନବନ୍ଦର ଯାଇଥିଲେ ଆମ୍ବା ସିଓଲ ।

୯୦୦କିମି ଦୂରରେ ରହୁଥିଲେ ଯାଆଁଳା ଭାଇ; ଗୋଟିଏ ସମୟରେ ସମାନ ଢ଼ଙ୍ଗରେ ଉଭୟଙ୍କ ମୃତ୍ୟୁ !

ଜୟପୁର: ଯାଆଁଳା ଭାଇଙ୍କ ଆଶ୍ଚର୍ଯ୍ୟଜନକ ମୃତ୍ୟୁ । ଗୋଟିଏ ସମୟରେ ଓ ସମାନ ତରିକାରେ ସେମାନଙ୍କ ମୃତ୍ୟୁ ଚର୍ଚ୍ଚାର କାରଣ ହୋଇଛି । ରାଜସ୍ଥାନ ବାର୍ମରର ଏହି ଯାଆଁଳା ଭାଇ ପରସ୍ପରଠାରୁ ୯୦୦ କିଲୋମିଟର ଦୂରରେ ରହିଥିଲେ ବି ସେମାନଙ୍କ ମୃତ୍ୟୁର ତରିକା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୁରଟରେ ଜଣେ ଭାଇ ଛାତରୁ ଖସି ପ୍ରାଣ ହରାଇଥିବାବେଳେ ଏକ ପାଣି ଟାଙ୍କିରେ ପଡି ଜୟପୁରରେ ଅନ୍ୟ ଜଣେ ଭାଇଙ୍କ ମୃତ୍ୟୁ ଘଟିଛି । ଦୁଇ ଭାଇ ସୁମେର ଓ ସୋହାନ ସିଂଙ୍କ ଶେଷକୃତ୍ୟ ଶୋକାକୁଳ ପରିବେଶରେ ଜନ୍ମମାଟି ସାର୍ନୋ କା ତାଲାଠାରେ କରାଯାଇଛି ।

ସୁରଟରେ ସୁମେର କାମ କରୁଥିବାବେଳେ ଜୟପୁରରେ ଶିକ୍ଷକଟିଏ ହେବା ଲାଗି ପ୍ରସ୍ତୁତି ଚଳାଇଥିଲେ ସୋହାନ । ଫୋନରେ କଥାହେଉଥିବାବେଳେ ସୁମେର ଖସିପଡି ପ୍ରାଣ ହରାଇଥିବା କୁହାଯାଇଛି । ଭାଇଙ୍କ ମୃତ୍ୟୁ ଖବର ଶୁଣି ସୋହାନ ପାଣି ଆଣିବା ଲାଗି ଘରଠାରୁ ୧୦୦ ମିଟର ଦୂରରେ ଥିବା ଏକ ପାଣି ଟାଙ୍କିକୁ ଯାଇଥିଲେ । ଦୀର୍ଘ ସମୟ ଧରି ନ ଆସିବାରୁ ତାଙ୍କୁ ପରିବାର ଖୋଜିଥିଲେ ଏବଂ ଟାଙ୍କିରୁ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ।

ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା । ବାଲ୍ୟକାଳରୁ ଦୁହିଁଙ୍କ ମଧ୍ୟରେ ନିବିଡ ବନ୍ଧନ ଥିଲା ଏବଂ ସୋହାନଙ୍କ ପଢାଖର୍ଚ୍ଚ ଲାଗି ସୁମେର ସୁରଟ ଯାଇ କାମ କରୁଥିଲେ । ସୋହାନ ଜଣେ ଶିକ୍ଷକ ହୁଅନ୍ତୁ ଏହା ଚାହୁଁଥିଲେ ସୁମେର । ତେବେ ସୋହାନଙ୍କ ଆତ୍ମହତ୍ୟା ସନ୍ଦେହକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ସିନ୍ଧାରୀ ଥାନା ଅଧିକାରୀ ।

ବିଜେପି ଛାଡ଼ିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, କେସିଆରଙ୍କ ବିଆରଏସରେ ହୋଇପାରନ୍ତି ସାମିଲ

ଭୁବନେଶ୍ୱର: ଓଡ଼ିଶା ସ୍ୱାର୍ଥ ପାଇଁ ଲଢ଼ୁନାହିଁ ବିଜେପି । ବିଜେଡି ସହ ବିଜେପି ଲଢ଼ିପାରିବ ନାହିଁ । ଓଡ଼ିଶାବାସୀଙ୍କୁ ବିଜେପି ଭୁଆଁ ବୁଲାଉଛି । ଲଢ଼େଇ ଠିକ୍ ସେ ହେଉନି । ଦଳୀୟ ଫୋରମରେ ଉଠାଇଲ ମଧ୍ୟ କିଛି ସୁଫଳ ମିଳୁନି । ଏପରି ସ୍ଥିତିରେ ଖୁବଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରୁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ । ତେବେ ଉଭୟ ଗିରଧର ଓ ଶିଶିର ଖୁବଶୀଘ୍ର କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି-ବିଆରଏସରେ ଯୋଗ ଦେଇପାରନ୍ତି । କେସିଆର ଓ ଗିରିଧର ପୁରୁଣା ବନ୍ଧୁ । ସେଥିପାଇଁ କେସିଆର ଗିରିଧରଙ୍କୁ ନିମନ୍ତ୍ରଣ ଦେଇଥିଲେ । ଏହା ଭିତରେ ପ୍ରଥମ ବୈଠକ ସରିଛି ବୋଲି କହିଛନ୍ତି ଶିଶିର ।

ସେପଟେ ଗିରିଧର ଗମାଙ୍ଗ ଦଳ ଛାଡ଼ିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଗିରିଧରଙ୍କୁ ଲଢ଼େଇ କରିବାକୁ କେହି ମନା କରିନାହାଁନ୍ତି । ତେଣୁ କିଏ ଗଲେ କି ଆସିଲେ କିଛି ପ୍ରଭାବ ପଡ଼ିବନି । ଯିଏ ଯିବା କଥା ଯିବେ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର । ଦଳରେ ଯଥେଷ୍ଟ ଲୋକ ଅଛନ୍ତି । ବିଜେପି କେବେ ଆନ୍ଦୋଳନ ନକରିବାକୁ କହିନି ବୋଲି କହିଛନ୍ତି ଜୟନାରାୟଣ । ସେହିପରି କଂଗ୍ରେସ କହିଛି, ଗିରଧର କଂଗ୍ରେସ ଛାଡ଼ିଥିଲେ । ପୁଣି ଏବେ ବିଜେପି ଛାଡ଼ୁଛନ୍ତି । ସେ ଖାଲି ଘୂରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ସୁରେଶ ରାଉତରାୟ ।

ଇରାନର ପୂର୍ବତନ ଉପପ୍ରତିରକ୍ଷା ମନ୍ତ୍ରୀ ଆଲିଜେରା ଆକବରୀଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: ଇରାନର ପୂର୍ବତନ ଉପପ୍ରତିରକ୍ଷା ମନ୍ତ୍ରୀ ଆଲିଜେରା ଆକବରୀଙ୍କୁ ଦିଆଗଲା ମୃତ୍ୟୁଦଣ୍ଡ । ଦେଶ ବିରୋଧରେ ଗୁପ୍ତଚର ବୃତ୍ତି ଅଭିଯୋଗରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା ବୋଲି ତେହେରାନ ପକ୍ଷରୁ କୁହାଯାଇଛି । ବ୍ରିଟେନର ଗୁଇନ୍ଦା ସଂସ୍ଥାକୁ ସେ ଅନେକ ଗୋପନ ତଥ୍ୟ ଦେଉଥିବା ନେଇ ଅଭିଯୋଗ ହେବା ପରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ତାଙ୍କୁ କିଛିଦିନ ଧରି ରାଜେଇ ଶହର କାରାଗାରରେ ରଖାଯାଇଥିଲା । ଆକବରୀଙ୍କୁ ମୃତ୍ୟୁଦଣ୍ଡ ନଦେବା ଲାଗି ଇରାନ ସରକାରଙ୍କୁ ଆମେରିକା ଓ ବ୍ରିଟେନ ଅନୁରୋଧ କରିଥିଲେ ସୁଦ୍ଧା ତାହା ଗ୍ରହଣୀୟ ହୋଇ ନଥିଲା ।

ତାଙ୍କୁ ତୁରନ୍ତ ଖଲାସ ଲାଗି ଦାବି କରିଥିଲେ ବ୍ରିଟେନ ବୈଦେଶିକ ମନ୍ତ୍ରୀ ଜେମସ କ୍ଲେଭରଲି । ଇରାନର ଗୋପନୀୟ ଆଣବିକ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଲିକ୍ ଅଭିଯୋଗରେ ଗତ ୨୦୧୯ରେ ଆକବରୀଙ୍କୁ ଗିରଫ କରାଯାଇଥିଲା । ସେ ଉଭୟ ବ୍ରିଟେନ ଓ ଇରାନର ଦୈତ ନାଗରିକତ୍ବ ଗ୍ରହଣ କରିଥିଲେ ।

ବହୁଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲା, ଜବତ ଅସ୍ଥିର ଆସିଲା ଅଟୋପ୍ସି ରିପୋର୍ଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲା । ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ଶ୍ରଦ୍ଧାଙ୍କ ଅସ୍ଥିର ଆସିଲା ଅଟୋପ୍ସି ରିପୋର୍ଟ । ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଲିଭ୍ ଇନ୍ ପାର୍ଟନର ତଥା ଅଭିଯୁକ୍ତ ଆଫତାବ ପୁନାଓ୍ବାଲା ତାଙ୍କ ଶରୀରକୁ କରତରେ କାଟିଥିଲା । ଗତବର୍ଷ ମେ’ ମାସରେ ଘଟିଥିବା ଏହି ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରି ସଂଗ୍ରହ କରିଥିଲା ୨୩ ଖଣ୍ଡ ଅସ୍ଥି । ଏହି ଅସ୍ଥି ଖଣ୍ଡଗୁଡିକର ପୋଷ୍ଟମର୍ଟମ ଆନାଲିସିସ ଦିଲ୍ଲୀ ଏମସରେ କରାଯାଇଥିଲା ।

ସେପଟେ ଜାନୁଆରୀ ଶେଷ ସପ୍ତାହ ସୁଦ୍ଧା ଶ୍ରଦ୍ଧା ହତ୍ୟା ମାମଲାର ଚାର୍ଜସିଟ ସାକେତ କୋର୍ଟରେ ଦାଖଲ ହେବ ବୋଲି ସୂଚନା ମିଳିଛି । ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଆଫତାବ ଏକ କରତ ଆଣି ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଥିଲା । ପରେ ସେଗୁଡିକୁ ନେଇ ମେହରୁଲି ଜଙ୍ଗଲରେ ଫୋପାଡିଥିଲା । ପ୍ରଥମ ପର୍ଯ୍ୟାୟରେ ଶ୍ରଦ୍ଧାଙ୍କ ଅସ୍ଥିଗୁଡିକର ଡିଏନଏ ସହ ତାଙ୍କ ବାପାଙ୍କ ଡିଏନଏ ମେଳ ଖାଇଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ପୂର୍ବରୁ ଆଫତାବର ପଲିଗ୍ରାଫ ଓ ନାର୍କୋଟେଷ୍ଟ କରିଥିଲା ଦିଲ୍ଲୀ ପୋଲିସ । ଗତ ମେ’ ୧୮ ତାରିଖରେ ଶ୍ରଦ୍ଧାଙ୍କୁ ଆଫତାବ ହତ୍ୟା କରିଥିଲା ଏବଂ ଶରୀରକୁ ୩୫ ଖଣ୍ଡ କରି ଏକ ୩୦୦ ଲିଟର ଫ୍ରିଜରେ ରଖିଥିଲା । ପରେ ଶରୀର ଖଣ୍ଡଗୁଡିକୁ ବିଭିନ୍ନ ସ୍ଥାନରେ ଫୋପାଡିଥିଲା ।