ମୁଦ୍ରାନୀତି ଘୋଷଣା କଲା RBI, ରେପୋରେଟ ୬.୫ ପ୍ରତିଶତରେ ଅପରିବର୍ତ୍ତିତ

1 min read

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଘୋଷିତ । ରେପୋରେଟ ୬ ଦଶମିକ ୫ ପ୍ରତିଶତରେ ରହିଲା ଅପରିବର୍ତ୍ତିତ । ଗତବର୍ଷ ମେ ମାସ ପର ଠାରୁ ୬ ଥର ରେପୋରେଟ ବୃଦ୍ଧି ପରେ ଚଳିତ ଥର ଏହି ହାର ରହିଛି ଅପରିବର୍ତ୍ତିତ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି- ମୁଦ୍ରାନୀତି ନେଇ ବସିଥିବା ମନିଟାରୀ ପଲିସି କମିଟିର ବୈଠକରେ ରେପୋରେଟ ଅପରିବର୍ତ୍ତିତ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି ।

ଦେଶରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଲାଗି ଗତବର୍ଷ ମେ ମାସ ଠାରୁ ଆରବିଆଇ ଲଗାତର ରେପୋରେଟ ବୃଦ୍ଧି ଜାରି ରଖିଥିଲେ । ୨୦୨୪ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୫ ଦଶମିକ ୨ ପ୍ରତିଶତ ରହିବା ଲାଗି ଆରବିଆଇ ଆକଳନ କରିଛି । ଏହାସହ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକିରେ ଏହି ହାର ୫ ଦଶମିକ ୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।

ରାଜସ୍ବବର୍ଷ ୨୦୨୪ ଲାଗି ଜିଡିପି ଅଭିବୃଦ୍ଧି ହାର ୬ ଦଶମିକ ୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କକୁ ଯେଉଁହାରରେ ରିଜର୍ଭ ବ୍ୟାଙ୍କ ଋଣ ଦିଏ ତାହାକୁ କୁହାଯାଇଥାଏ ରେପୋରେଟ । ଯଦି ରେପୋରେଟରେ ସାମାନ୍ୟ ପରିବର୍ତ୍ତନ ହେବ ତେବେ ତାହା ବ୍ୟାଙ୍କ ଲୋନ ଓ ଇଏମଆଇକୁ ପ୍ରଭାବିତ କରିଥାଏ ।