ହନୁମାନ ଜୟନ୍ତୀ ପାଇଁ ହାଇଆଲର୍ଟ, ଉତ୍ତର ଭାରତରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ

ନୂଆଦିଲ୍ଲୀ: ହନୁମାନ ଜୟନ୍ତୀ ପାଇଁ ହାଇଆଲର୍ଟ । ରାମନବମୀ ଅବସରରେ ବିଭିନ୍ନ ରାଜ୍ୟରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକୁ ଦୃଷ୍ଟିରେ ରଖି ହିଂସା ଉପୁଜିବା ଆଶଙ୍କାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ପରେ ପୋଲିସ ଆଲର୍ଟରେ ରହିଛି । ଗତବର୍ଷ ଉତ୍ତର ଦିଲ୍ଲୀର ଜାହାଙ୍ଗିରପୁରୀ ଅଞ୍ଚଳରେ ବ୍ୟାପକ ହିଂସା ସୃଷ୍ଟି ହୋଇଥିବା ବେଳେ ଚଳିତବର୍ଷ ପୋଲିସ ସଜାଗ ରହିଛି ।

ହନୁମାନ ଜୟନ୍ତୀ ପ୍ରୋସେସନ ପାଇଁ ପ୍ରଶାସନ ଅନୁମତି ଦେଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେପଟେ ଉତ୍ତରାଖଣ୍ଡରେ ବି ହନୁମାନ ଜୟନ୍ତୀ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ନଜର ରଖିଛି ପୋଲିସ । ସମ୍ବେଦନଶୀଳ ଅଞ୍ଚଳରେ ବରିଷ୍ଠ ଅଧିକାରୀଙ୍କ ସମେତ ଫୋର୍ସ ମୁତୟନ ହୋଇଛନ୍ତି । ବିହାର ପାଟନାରେ ହନୁମାନ ଜୟନ୍ତୀ ଉପଲକ୍ଷେ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

ମନ୍ଦିର ବାହାର ଓ ଆଖାପଖରେ ଶାନ୍ତିଶୃଙ୍ଖଳା ରକ୍ଷା ଓ ଆଇନଶୃଙ୍ଖଳନା ଉପରେ କଡ଼ା ନଜର ରଖାଯାଇଛି । ରାମନବମୀରେ ପଶ୍ଚିମବଙ୍ଗରେ ସାମ୍ପ୍ରଦାୟିକ ହିଂସା ଉଗ୍ର ରୂପ ଧାରଣ କରିଥିବା ବେଳେ ହନୁମାନ ଜୟନ୍ତୀରେ ପୋଲିସ ଆଲର୍ଟରେ ରହିଛି । ଦଙ୍ଗା ପାଇଁ ଉସୁକାଇବା ବା ସୃଷ୍ଟିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।