ସଂସ୍କୃତକୁ ୬୪୦ କୋଟି ଓଡିଆକୁ ଶୂନ, ଅନ୍ୟାୟ ବରଦାସ୍ତ କରାଯିବନି କହିଲେ ସାଂସଦ

ନୂଆଦିଲ୍ଲୀ: ଭାରତର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡିଆ ଭାଷାକୁ ଅଣଦେଖା କରୁଛି କେନ୍ଦ୍ର । କଂଗ୍ରେସ ସାଂସଦ ଜୟରାମ ରମେଶ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇବା ପରେ ତାତିଛି ବିଜେଡି  । କଂଗ୍ରେସ ପ୍ରସଙ୍ଗକୁ ସମର୍ଥନ କରି ଟ୍ବିଟ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ  । ‘ରାଜ୍ୟବାସୀ କେନ୍ଦ୍ରର ଅନ୍ୟାୟକୁ ବରଦାସ୍ତ କରିବେ ତ ? ଏଭଳି ଅପମାନ ଗ୍ରହଣଯୋଗ୍ୟ ତ ? ସତରେ କଣ ଓଡିଆ ଓ  ଓଡିଶା ପ୍ରତି କେନ୍ଦ୍ରର ଏହି ପ୍ରିତି ରହିଛି’ ବୋଲି ଟ୍ବିଟ କରିଛନ୍ତି ବିଜେଡି ସାଂସଦ  ।

ଭାଷାପ୍ରିତିକୁ ନେଇ କେନ୍ଦ୍ର ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଜୟରାମ ରମେଶ  । ଗତ ତିନି ବର୍ଷ ମଧ୍ୟରେ ମୋଦି ସରକାର ସଂସ୍କୃତ ଭାଷା ପାଇଁ ୬୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି  । ସେହିପରି ତାମିଲ ପାଇଁ ୨୪ କୋଟି, ତେଲୁଗୁ ପାଇଁ ୩ କୋଟି ଓ କନ୍ନଡ ପାଇଁ ୩ କୋଟି ଖର୍ଚ୍ଚ କରିଛନ୍ତି କେନ୍ଦ୍ର ସରକାର  । କିନ୍ତୁ ମାଲାୟାଲମ ଓ ଓଡିଆ ପାଇଁ ଗୋଟିଏ ବି ଟଙ୍କା ବ୍ୟୟବରାଦ କରି ନାହାନ୍ତି ମୋଦି ସରକାର  ।

ଦେଶରେ ପ୍ରାୟ ୧୫ ହଜାର ଲୋକେ ସଂସ୍କୃତ ଭାଷାରେ କଥାବାର୍ତ୍ତା କରୁଥିବା ବେଳେ ଅନ୍ୟାନ୍ୟ ଶାସ୍ତ୍ରୀୟ ଭାଷା ଗୁଡିକ ଅଧିକାଂଶ ରାଜ୍ୟର ଆଞ୍ଚଳିକ ଭାଷା  । ହେଲେ କେନ୍ଦ୍ର ସରକାରଙ୍କ ଏଭଳି ପକ୍ଷପାତିତାକୁ ନେଇ ପ୍ରଶ୍ନ କରିଛନ୍ତି ଜୟରାମ ରମେଶ  ।