ନିପ୍ପନ ପ୍ଲାଣ୍ଟରେ ନବୀନ, ଓ୍ବାର୍କସ ସେଣ୍ଟର ବୁଲିଲେ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ

1 min read

ଟୋକିଓ: ନିପ୍ପନ ଷ୍ଟିଲ୍‌ ବୁଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ନିପ୍ପନ ଷ୍ଟିଲ ବଡ଼ ନିବେଶ କରିବା ପାଇଁ ପ୍ରସ୍ତାବ ଦେଇଛି । ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିପ୍ପନ ଷ୍ଟିଲ କର୍ପୋରେସନ ଯାଇ ବୁଲିଛନ୍ତି । ଟୋକିଓ ସ୍ଥିତ ନିପ୍ପନ ପ୍ଲାଣ୍ଟ ବୁଲି ଦେଖିବା ବେଳେ ସେମାନଙ୍କ ପରିବେଶ ଉପଯୋଗୀ ପଦକ୍ଷେପ ଦେଖି ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଗ୍ରୀନ ଟେକନୋଲୋଜି ଉପଯୋଗରେ ଷ୍ଟିଲ ଉତ୍ପାଦନରେ ସେମାନେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ନିପ୍ପନର ସହଯୋଗରେ କେନ୍ଦ୍ରାପଡା ଜଗତସିଂହପୁରରେ ହେବାକୁ ଯାଉଥିବା ଷ୍ଟିଲ ପ୍ଲାଣ୍ଟକୁ ନେଇ ବହୁତ ଆଶାବାଦୀ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ 5T ସଚିବ ଭିକେ ପାଣ୍ଡିଆନଙ୍କ ସହ ଆଲୋଚନା ବେଳେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ନିପନ ଷ୍ଟିଲ କର୍ପୋରେସନର କିମିସୁ ଷ୍ଟିଲ ୱାର୍କସ ସେଣ୍ଟର ପରିଦର୍ଶନ କରିଛନ୍ତି ।

ଏହାସହ ମେଟାଲ, ଆଇଟି, ପର୍ଯ୍ୟଟନ, ଆଲୁମିନିୟମ, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ଓ ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରର ହବ ମଧ୍ୟ ବୁଲିଛନ୍ତି । ନବୀନଙ୍କ ସହ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ମନୋଜ ମିଶ୍ର, 5T ସଚିବ ଭି.କେ ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଓ ଇପିକଲର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଜାପାନ ଗସ୍ତରେ ସାମିଲ ହୋଇଛନ୍ତି । କ୍ଷେତ୍ର ପରିଦର୍ଶନ ସମୟରେ ଜାପାନର ପୁଞ୍ଜିପତିଙ୍କ ସହ ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି ।

ଜାପାନରୁ ୨୬ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ନିବେଶକ । ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ, ଗ୍ରୀନ ଏନର୍ଜୀ, ଆଇଟି କ୍ଷେତ୍ରରେ ନିବେଶ ପାଇଁ ଏହି ପ୍ରସ୍ତାବ ଆସିଛି ।