IPL ୨୦୨୩: ଆଜି ଇଡେନ ଗାର୍ଡେନରେ କୋଲକାତାକୁ ଭେଟିବ ବାଙ୍ଗାଲୋର

1 min read

କୋଲକାତା: ଆଜି ଆଇପିଏଲର ନବମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ଏହି ମ୍ୟାଚ୍ । ଘରୋଇ ସମର୍ଥକଙ୍କ ଗହଣରେ ପ୍ରଥମ ବିଜୟ ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବ କେକେଆର ।

ଚଳିତ ଆଇପିଏଲରେ କୋଲକାତା ତା’ର ପ୍ରଥମ ମ୍ୟାଚ୍ ମୋହାଲିରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳିଥିଲା । କିନ୍ତୁ ଏହି ମ୍ୟାଚରେ ଡକ୍ ଓ୍ୱାର୍ଡ ଲୁଇସ୍ ମେଥଡରେ କୋଲକାତା ୭ ରନରେ ପରାଜୟ ବରଣ କରିଥିଲା । ତେଣୁ ଆଜି ହୋମ୍ ଗ୍ରାଉଣ୍ଡରୁ ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ କେକେଆର । ଅନ୍ୟପକ୍ଷରେ କେକେଆରକୁ ଘାରିଛି ଆହତ ଚିନ୍ତା । ଦଳର ଏକାଧିକ ଖେଳାଳି ଆହତ କାରଣରୁ ଚଳିତ ସିଜିନରୁ ବାଦ୍ ପଡ଼ିଛନ୍ତ । କେକେଆର ଅଧିନାୟକ ଶ୍ରେୟସ ଆୟର ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିବାବେଳେ ଶାକିବ ଉଲ୍ ହାସନ ମଧ୍ୟ ଚଳିତ ଆଇପିଏଲରୁ ବାଦ୍ ପଡ଼ିଛନ୍ତି । ସେହିପରି ଲୋକି ଫର୍ଗୁସନ୍ ମଧ୍ୟ ଏପର୍ଯ୍ୟନ୍ତ ଫିଟ୍ ହୋଇନଥିବାବେଳେ ଲିଟନ୍ ଦାସ ମଧ୍ୟ ଦଳରେ ଯୋଗ ଦେଇନାହାନ୍ତି । ଯାହାକି କୋଲକାତାର ଚିନ୍ତାର ବିଷୟ ପାଲଟିଛି ।

ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କଥା ଯଦି କହିବା ତାହାଲେ ଆରସିବି ତା’ର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ପ୍ରଥମ ମ୍ୟାଚରେ ବିଜୟ ସହ ଆରସିବିର ମନବୋଳ ସୁଦୃଢ଼ ରହିଛି । ଆହତ କାରଣରୁ ମଧ୍ୟ ଆରସିବିର ଏକାଧିକ ଖେଳାଳି ଚୁଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି । ଷ୍ଟାର ବ୍ୟାଟ୍ସମ୍ୟାନ ରଜତ ପଟିଦାର ଆହତ କାରଣରୁ ପୂରା ଆଇପିଏଲରୁ ବାଦ୍ ପଡ଼ିଥିବାବେଳେ ଆର ଟୋପଲେ ମଧ୍ୟ ପ୍ରଥମ ମ୍ୟାଚରେ ଆହତ ହୋଇଛନ୍ତି । ସେହିପରି ଜୋଶ୍ ହେଜେଲଉଡ୍ ଓ ହସରଙ୍ଗା ମଧ୍ୟ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି । ଯାହା ଦଳର ଚିନ୍ତା ବଢ଼ାଇଛି । କିନ୍ତୁ ଆଶ୍ୱସ୍ତିକର କଥା ହେଉଛି ଆରସିବିର ସବୁ ବ୍ୟାଟ୍ସମ୍ୟାନ୍ ଦମଦାର ଫର୍ମରେ ରହିଛନ୍ତି । ତେଣୁ ଆଜିର ମ୍ୟାଚରେ କୋଲକାତାକୁ ମାତ୍ ଦେଇ ଲାଗାତର ଦ୍ୱିତୀୟ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଆରସିବି ।