spot_img
Home Blog Page 3507

ଛତ୍ରପୁରରେ ଚିତ୍ରାଳୟ ଗାଡ଼ି ଓଲଟି ପାଞ୍ଚ ଜଣ ଆହତ

ଗଞ୍ଜାମ: ଚିତ୍ରାଳୟ ଗାଡ଼ି ଓଲଟି ପାଞ୍ଚ ଜଣ ଆହତ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ଓଭରବ୍ରିଜ ନିକଟ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଚିତ୍ରାଳୟ ଗାଡ଼ିଟି ନାରାୟଣୀଠାରୁ ତାଳପଡ଼ା ଯାଉଥିଲା । ଛତ୍ରପୁର ଓଭରବ୍ରିଜ୍‌ ନିକଟ ଜାତୀୟ ରାଜପଥରେ ଏକ ଗାଈ ପାର କରୁଥିବା ବେଳେ ଗାଈକୁ ବଞ୍ଚାଇବାକୁ ଯାଇ ଚିତ୍ରାଳୟ ଗାଡ଼ିଟି ଭରସାମ୍ୟ ହରାଇ ଓଲଟି ପଡ଼ିଥିଲା l

ଗାଡ଼ିରେ ବସିଥିବା ପାଞ୍ଚ ଜଣ ଚିତ୍ରାଳୟ ଓ ଲାଇଟ ଏଣ୍ଡ ସାଉଣ୍ଡ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଯୁବକମାନେ ମାନବ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଆହତମାନେ ହେଲେ ଗଜପତି ଜିଲ୍ଲା ଅଡ଼ବାର ପ୍ରଶାନ୍ତ କମାର, ଚିକିଟିର ରଞ୍ଜନ କୁମାର ପ୍ରଧାନ, ଭୀଷ୍ମଗିରିର ମାତା ରବି, ଗଜପତି ଜିଲ୍ଲା ଉଦୟଗିରିର ମନୋଜ ପାଇକ ଏବଂ ପୱନ ଦାସ l

ସର୍ବାଧିକ ବିମାନ ଦୁର୍ଘଟଣାପ୍ରବଣ ରାଷ୍ଟ୍ର ନେପାଳ

ନନ୍ଦିଘୋଷ ବ୍ୟୁରୋ: ସର୍ବାଧିକ ବିମାନ ଦୁର୍ଘଟଣା ଘଟୁଥିବା ରାଷ୍ଟ୍ର ମଧ୍ୟରେ ନେପାଳ ଅନ୍ୟତମ । ମେ ୨୦୨୨ରେ ତାରା ଏୟାର ପ୍ଲେନର ଘଟିଥିଲା ଦୁର୍ଘଟଣା । ଏଥିରେ ୪ ଭାରତୀୟଙ୍କ ସମେତ ପ୍ରାଣ ହରାଇଥିଲେ ୨୨ ଯାତ୍ରୀ । ୨୦୧୬ରେ ତାରା ଏୟାରପ୍ଲେନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୨୩ ଯାତ୍ରୀ । ମାର୍ଚ୍ଚ ୨୦୧୮ରେ ତ୍ରିଭୁବନ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆମେରିକା-ବାଂଲା ଏୟାରର ଏକ ବିମାନ ଦୁର୍ଘଟଣାରେ ୫୧ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ ।

୨୦୧୨ ସେପ୍ଟେମ୍ବରରେ ସୀତା ଏୟାରଫ୍ଲାଇଟର ଏକ ବିମାନ ତ୍ରିଭୁବନେ ଆନ୍ତର୍ଜାତିକ ବିମାନ ବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରାଣ ହରାଇଥିଲେ ୧୯ ଜଣ ଯାତ୍ରୀ । ୨୦୧୨ ମାର୍ଚ୍ଚ ୧୪ରେ ଜମସମ ଏୟାରପୋର୍ଟ ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରାଣ ହରାଇଥିଲେ ୧୫ ଯାତ୍ରୀ । ବିମାନଟି ଯାଉଥିଲା ପୋଖରାରୁ ଜମସମ ।

ଚାନ୍ଦା ଆଦାୟ କରି ଆସିଛନ୍ତି ଓଡ଼ିଶା, ଖେଳିବେ ବିଶ୍ୱକପ୍ ହକି

ରାଉରକେଲା: ହକି ହେଉ କି ଫୁଟବଲ । ସବୁଖେଳରେ ବିଶ୍ୱକପ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କାରଣ ବିଶ୍ୱକପ୍ ଭଳି ଟୁର୍ଣ୍ଣାମେଣ୍ଟରେ ଖେଳିବା ହିଁ ବଡ଼ କଥା । ଏଥିପାଇଁ କ୍ୱାଲିଫାଏ କରିବା କାଠିକର ପାଠ ହୋଇଥାଏ । ଚଳିତ ହକି ବିଶ୍ୱକପର ଆୟୋଜକ ହେଉଛି ଓଡ଼ିଶା । ଏହି ବିଶ୍ୱକପରେ ବିଶ୍ୱର ନାମିଦାମୀ ଟିମ୍ ସାମିଲ ହୋଇଛନ୍ତି । ସାମିଲ ହୋଇଥିବା ଟିମଙ୍କ ଭିତରେ ଏଭଳି ଗୋଟିଏ ଟିମ୍ ଅଛି ଯାହାର ଖେଳାଳୀଙ୍କୁ ଟିମରେ ସାମିଲ ହେବାକୁ ବର୍ଷକୁ ଏକ ହଜାର ପାଉଣ୍ଡ୍ ଦେବାକୁ ପଡି଼ଥାଏ । ଅଲଗା ଦେଶର ଜାତୀୟ ଟିମରେ ସାମିଲ ହୋଇଥିବା ଖେଳାଳୀଙ୍କୁ ଅର୍ଥ ମିଳେ କିନ୍ତୁ ଏହି ଦେଶର ଟିମ୍ ନିଜ ଦେଶ ପାଇଁ ଖେଳିବା ଲାଗି ଦିଅନ୍ତି ଟଙ୍କା । ଏବେ ଆପଣ ସେହି ଦେଶର ନାମ ଜାଣିବାକୁ ଚାହୁଁଥିବେ । ଦେଶର ନାମ ହେଉଛି ୱେଲସ୍ ।

ୱେଲସ ଟିମ୍ ପ୍ରଥମ ଥର ପାଇଁ ହକି ବିଶ୍ୱକପ୍ ଖେଳୁଛି । ୱେଲସରେ ହକି ବିଶେଷ ଜଣାଶୁଣା ନୁହେଁ । ତେଣୁ ହକି ଟିମକୁ ସ୍ପନସର ମଧ୍ୟ ମିଳିନାହାନ୍ତି । ଆଗରୁ ତ’ ଶୁଣିଛନ୍ତି ଯେ, ଟିମର ପ୍ରତ୍ୟକ ଖେଳାଳୀ ବାର୍ଷିକ ଦଳ ପାଇଁ ଖେଳିବା ଲାଗି ଏକ ହଜାର ପାଉଣ୍ଡ୍ ଦିଅନ୍ତି ।

ଓଡ଼ିଶାରେ ୱେଲସ ଟିମ୍ ପହଂଚିବା ପାଇଁ କମ ପରିଶ୍ରମ କରିନାହିଁ । ୱେଲସ ସରକାର ଦେଇଥିବା ଟଙ୍କାରେ ଓଡ଼ିଶା ଆସିବା ଓ ରହିବା ସମ୍ଭବ ନଥିଲା । ତେଣୁ ଟିମ୍ କ୍ରାଉଡ୍ ଫଣ୍ଡିଂର ସାହାରା ନେଇଥିଲା । ସୋସିଆଲ ମିଡିଆରେ ଟିମକୁ ଆର୍ଥିକ ସାହର୍ଯ୍ୟ କରିବା ପାଇଁ ଅପିଲ କରାଯାଇଥିଲା । ଯାହାର ଉତ୍ତର ୱେଲସବାସୀ ହୃଦୟ ଖୋଲା ସାହାଯ୍ୟ କରି ଦେଇଥିଲେ। କ୍ରାଉଡ୍ ଫଣ୍ଡିଂ ଜରିଆରେ ଟିମ୍ ମୋଟ ୨୫ ହଜାର ପାଉଣ୍ଡ୍ ପାଇଥିଲା । ସେହି ଟଙ୍କାରେ ଟିମ୍ ଓଡ଼ିଶା ଆସିଛନ୍ତି ଖେଳିବା ପାଇଁ ।

ୱେଲସ ଟିମ୍ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଦେଖି ଚକିତ । କାରଣ ସେମାନଙ୍କ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମରେ ସିଟ୍ ସଂଖ୍ୟା ହେଉଛି ମାତ୍ର ୨ଶହ । ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୧ ହଜାର ଦର୍ଶକଙ୍କ ଗହଣରେ ଖେଳିବା ଅଲଗା ଅନୁଭୁତି ହେବ ବୋଲି କହିଛନ୍ତି ୱେଲ୍ସର ମୁଖ୍ୟ କୋଚ୍ ଡେନିୟଲ ନ୍ୟୁକାମ୍ୱ ।

 

 

୧୧ ମାସର ଶିଶୁ ପାଇଁ ୧୭ କୋଟିର ଇଞ୍ଜେକ୍ସନ୍

ନୋଏଡା: ଜୀବନ ମୃତ୍ୟୁ ସହ ଲଢୁଛି  ୧୧ ମାସର କଅଁଳ ଶିଶୁ । ଏଯାଏଁ ପାଟି ଫିଟିନି, ଦୁନିଆ କ’ଣ ଭଲସେ ଜାଣିନି। କିନ୍ତୁ ଇଶ୍ବରଙ୍କ ନିଷ୍ଠୁର ନ୍ୟାୟର ସେ ଭାଗିଦାରୀ । କୁନି ପାଦରେ ଚାଲିବା ଶିଖିବ କ’ଣ ବିଛଣା ସାଜିଛି ତାର ସାଥୀ। କଅଁଳ ବୟସରେ ମାଡି ବସିଛି ବିରଳ ରୋଗ । ଯନ୍ତ୍ରଣାରେ ବିତୁଛି ନିଷ୍ପାପ ଶିଶୁର ଜୀବନ ।

ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ନୋଏଡାଠାରେ। ଭାବିଲେ ଟିକେ ଦେଖି, ବାପା ମାଙ୍କ ହୃଦୟ କ’ଣ ହେଉଥିବ ଯେତେବେଳେ ସେ କଅଁଳ ପିଲାଟିକୁ କଷ୍ଟ ପାଉଥିବାର ଦେଖୁଥିବେ। ପୁଅକୁ ବଞ୍ଚାଇବା ପାଇଁ ବାପା ମା ଅନେକ ଡାକ୍ତରଙ୍କ ପାଖରେ ଚିକିତ୍ସା କରି ନିରାସ ହୋଇଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ, ପୁଅକୁ ବଞ୍ଚାଇବାକୁ ହେଲେ ୧୭ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ । ଗୋଟିଏ ଇଞ୍ଜେକ୍ସନ୍ ଦେବାକୁ ପଡିବ ଯାହାର ମୂଲ୍ୟ ରହିଛି ୧୭କୋଟି ଟଙ୍କା । ହେଲେ ଯାହା ଅର୍ଥ ଥିଲା ସେ ସବୁ ଶିଶୁର ଚିକିତ୍ସାରେ ଲାଗିସାରିଛି। ବର୍ତ୍ତମାନ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। କଅଁଳ ଶିଶୁର ଜୀବନ ବଞ୍ଚାଇବାକୁ ଦେଶବାସୀଙ୍କୁ ସହୟତା ଲୋଡିଛନ୍ତି ବାପା ମା।

ଶିଶୁଟି ଏମିତି ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଛି, ଫଳରେ ମାଂସ ପେଶୀ ଦୁର୍ବଳ ହେବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି । ଆୟକର ବିଭାଗର ଟ୍ୟାକ୍ସ ଆସିଷ୍ଟାଣ୍ଡ ଭାବରେ ଚାକିରୀ କରୁଥିବା ଅମିତଙ୍କ ୧୧ ମାସ ପୁତ୍ର କନଭ୍ ଗମ୍ଭୀର ରୋଗ ସ୍ପାଇନଲ ମସ୍କ୍ୟୁଲର ଏଟ୍ରୋଫି-୧ରେ ପୀଡିତ । ପୁଅର ଜୀବନ ବଞ୍ଚାଇବାକୁ ହେଲେ ୧୭.୫୦ କୋଟି ଟଙ୍କାର ଇଞ୍ଜେକ୍ସନ ଦବା ନିହାତି ଜରୁରୀ । ଏଥିଲାଗି ବାପା ମା ଟଙ୍କା ଜମା କରିବାକୁ ଲାଗିପଡିଛନ୍ତି । ଏତେ ଟଙ୍କା ଏକାଠି କରିବା ଅସମ୍ଭବ ହୋଇପଡିଥିବା ଯୋଗୁଁ ଦେଶବାସୀଙ୍କୁ ପୁଅର ଜୀବନ ଭିକ୍ଷା କରି ସହାର୍ଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି । ପୁଅର ଚିକିତ୍ସା ଲାଗି ଏତେ ସଂଖ୍ୟକ ଅର୍ଥ କେଉଁଠୁ ଆଣିବେ ପିତା-ମାତା?

ପରିବାରର ଏଭଳି ଅସମୟରେ ସାହାଯ୍ୟରେ ହାତ ବଢାଇଛନ୍ତି କିଛି ବଦାନ୍ୟ ବ୍ୟକ୍ତି। ଅନେକ ଲୋକ ମଧ୍ୟ ସାହାଯ୍ୟ ନିମନ୍ତେ ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ଏହି କଅଁଳ ଶିଶୁଟିକୁ ନୂଆ ଜୀବନ ଦେବାକୁ ଚାହୁଁଛନ୍ତି, ସେମାନେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସାହାଯ୍ୟ କରିପାରିବେ ।

Bank Name : RBL , Bank Account number : 2223330078969258, IFSC code : RATN0VAAPIS

ଦେଶର ସବୁଠାରୁ ବଡ଼ ଠକେଇର ରିଙ୍ଗ ମାଷ୍ଟର ଆଇଟି ଇଂଜିନିୟର

ଭୁବନେଶ୍ବର: ଭାରତର ସବୁଠାରୁ ବଡ଼ ଠକେଇ ମାମଲାର ମାଷ୍ଟର ହେଉଛନ୍ତି ଜଣେ ଆଇଟି ଇଂଜିନିୟର ନାଁ ଅର୍ପିତ ପଞ୍ଚଲ । ମଧ୍ୟପ୍ରଦେଶରୁ ଗିରଫ ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ଇଓଡବ୍ଲୁ ।

ଅର୍ପିତ ବିଭିନ୍ନ ରାଜ୍ୟରେ ଏଜେଣ୍ଟଙ୍କ ଜରିଆରେ ଠକେଇର ଜାଲ ବିଛାଇ ୫୦ ହଜାରରୁ ଅଧିକ ବେକାର ଯୁବତୀଯୁବତୀଙ୍କଠାରୁ ଲୁଟିଥିଲେ କୋଟି କୋଟି ଟଙ୍କା ।

ଅର୍ପିତ ଉତ୍ତରପ୍ରଦେଶର ଆଲିଗଡ଼ ଅଞ୍ଚଳରେ ଇଞ୍ଜିନିୟରିଂରେ ମାଷ୍ଟର ଓ୍ବେବସାଇଟ ଡେଭଲପର ଏକ୍ସପର୍ଟଙ୍କ ଜରିଆରେ ଫେକ୍ ଓ୍ବେବ ସାଇଟ୍ ତିଆରି କିଥିଲେ । ଅର୍ପିତ ୱେବ ସାଇଟ ଡିଜାଇନ କରିବା ସହ ଏକ ପ୍ରାଇଭେଟ ଏଜେନ୍ସୀରେ କାମ କରୁଥିଲା ଓ ୪ଟି ୱେବ ସାଇଟ ଖୋଲି କମ୍ପ୍ୟୁଟରରୁ ଠକେଇକୁ ଅପରେଟ କରୁଥିଲା ।

ପୂର୍ବରୁ ଗିରଫ ହୋଇଥିବା ଜାଫର ଅହମ୍ମଦ ସରକାରୀ ୱେବ ସାଇଟ ଭଳି ଦେଖା ଯାଉଥିବା  ୯ଟି ୱେବ ସାଇଟ ଖୋଲି ଲୋକଙ୍କୁ ଚାକିରି ଦେବା ନାଁରେ ଲୁଟିଥିଲା । ଓଡିଶାରୁ ୧୨ ହଜାର ଲୋକଙ୍କୁ ଚାକିରି ଦେବା ନାଁରେ ୩ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଠକି ନେଇଥିବା ଇଓଡବ୍ଲୁ ତଦନ୍ତରୁ ଜାଣିବାକୁ ପାଇଥିଲା ।

ଆମେରିକାର ଆର୍‌ ବୋନି ଗାବରିଏଲଙ୍କୁ ମିସ୍ ୟୁନିଭର୍ସ ମୁକୁଟ

ଲୋଇସିଆନା: ଆମେରିକାର ଆର୍‌ ବୋନି ଗାବରିଏଲ ଜିତିଲେ ମିସ୍ ୟୁନିଭର୍ସ-୨୦୨୨ ଟାଇଟଲ । ଆମେରିକାର ଲୋଇସିଆନାଠାରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ଗାବରିଏଲ । ଗାବରିଏଲ ଜଣେ ପ୍ରତିଷ୍ଠିତ ଫ୍ୟାଶନ ଡିଜାଇନର, ମଡେଲ । ୟୁନିଭର୍ସିଟି ଅଫ ନର୍ଥ ଟେକ୍ସାସରୁ ସେ ଫ୍ୟାଶନ ଡିଜାଇନରେ ବ୍ୟାଚଲର ଡିଗ୍ରୀ ହାସ କରିଛନ୍ତି ।

ଗାବରିଏଲ ତାଙ୍କ ନିଜସ୍ବ ବ୍ରାଣ୍ଡ ଆର ବୋନି ନୋଲାର ସିଇଓ ଅଛନ୍ତି । ଗାବରିଏଲଙ୍କୁ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧାଇଛନ୍ତି ୨୦୨୦ ମିସ୍ ୟୁନିର୍ଭସ ଟାଇଟେଲ ବିଜୟିନୀ ହରନାଜ ସନ୍ଧୁ । ମିସ୍ ଭେନଜୁଏଲା ପ୍ରଥମ ରନର୍ସଅପ ହୋଇଥିବା ବେଳେ ମିସ୍ ଡୋମିନିକାନ ରିପବ୍ଲିକ ଦ୍ବିତୀୟ ରନର୍ସ ଅପ ଟାଇଟେଲ ଜିତିଛନ୍ତି । ଚଳିତବର୍ଷ ମିସ୍ ୟୁନିଭର୍ସ  ପ୍ରତିଯୋଗିତାରେ ୮୪ ଦେଶର ପ୍ରତିଯୋଗୀ ସାମିଲ ହୋଇଥିଲେ । ଭାରତ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଦିବିତା ରୟ ଟପ୍ ୧୬ରେ ରହିଥିଲେ ବି ଟପ୍ ୫ରୁ ବାହାର ହୋଇଯାଇଥିଲେ ।

ଦୁଇଟି ସ୍ଥାନରେ ଗର୍ଜିଲା ବନ୍ଧୁକ: କେଉଁଠି ଖାଇବାକୁ ନେଇ ତ କେଉଁଠି ଜମି ବିବାଦ

ଭୁବନେଶ୍ବର: ରାଜ୍ୟର ଦୁଇଟି ପୃଥକ ପୃଥକ ସ୍ଥାରେ ଫୁଟିଛି ଗୁଳି । ଗୋଟିଏ ଘଟଣା ମୟୂରଭଞ୍ଜର ହୋଇଥିବା ବେଳେ ଅନ୍ୟଟି ବଲାଙ୍ଗୀରରେ ଘଟିଛି ।

ମୟୂରଭଞ୍ଜ ଝାରପୋଖରିଆ ଜାମଶୋଳାରେ ଖାଇବାକୁ ନେଇ ଓଁକାର ହୋଟେଲରେ ଫୁଟିଛି ଗୁଳି । ଖାଇବାକୁ ନେଇ କର୍ମଚାରୀ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ବଚସା ହୋଇଥିଲା । ହୋଟେଲ ବୟଙ୍କୁ ଫାୟାରିଂ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ରାତି ପ୍ରାୟ ଗୋଟାଏ ବେଳେ ଝାଡ଼ଖଣ୍ଡର କିଛି ଲୋକ ହୋଟେଲକୁ ଖାଇବାକୁ ଯାଇଥିଲେ । ସାମାନ୍ୟ କଥାରୁ ହୋଟେଲ ବୟ ସହ ଝଗଡ଼ା ପରେ ଗୁଳି ଚଳାଇଥିଲେ ଦୁର୍ବୃତ୍ତ । ହୋଟେଲ ବୟ ସୁଜନଙ୍କ ଛାତିରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାରିପଦା ପିଆରଏମ ଓ ପରେ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଝାରପୋଖରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହୋଟେଲ ମ୍ୟାନେଜରକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

ବଲାଙ୍ଗୀର ସଦର ଥାନା ସଦାଇପାଲିରେ ଜମି ବିବାଦକୁ କେନ୍ଦ୍ରକରି ଗୁଳିକାଣ୍ଡ I ଗୁଳିକାଣ୍ଡରେ ବଲାଙ୍ଗୀର ସହର ରାମେଶ୍ୱର ନଗରପଡାର ଦିଲ୍ଲୀପ ପଟ୍ଟନାୟକ ଓରଫ ସୋନୁ ଗୁରୁତର ଭାବେ ଆହତ ହୋଇଛନ୍ତି I ସୋନୁଙ୍କ ଡାହାଣ କାନ୍ଧରେ ଗୁଳି ବାଜିଥିବା ଜଣାପଡ଼ିଛି I ଉପସ୍ଥିତ ସହଯୋଗୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି I ସୋନୁଙ୍କ ୩ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି I

ଅନ୍ୟପଟେ ଏହି ଘଟଣାରେ ପ୍ରତିପକ୍ଷ ଲମ୍ବୋଦର ସାଏ ଗୋଷ୍ଠୀର କିଛି ମହିଳା ଓ ପୁରୁଷ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି I ସଦର ଏସଡିପିଓ ତୋଫାନ ବାଗ ଭୀମ ଭୋଇ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରେ ସଦର ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି I ଗତ ଜୁନ ୨୨ ତାରିଖରେ ହେମନ୍ତ ସାହୁ, ସୁବାଷ ସାହୁ ଓ ଭୂମିସୁତା ସାହୁଙ୍କଠାରୁ ଦିଲ୍ଲୀପ, ସନ୍ତୋଷ ସାହୁ ଓ ସାଇସୁଦ୍ଧା ପ୍ରଧାନ କିଣିଥିଲେ I ଏହି ବିବାଦୀୟ ଜମିକୁ ନେଇ ଆଜି ରାଜସ୍ୱ ବିଭାଗ ସହାୟତାରେ ମାପ ଚାଲିଥିବା ବେଳେ ଗଣ୍ଡଗୋଳ ଘଟି ଗୁଳିମାଡ ଘଟିଥିଲା I

ଜମିକୁ ନେଇ ପୂର୍ବରୁ ସଦେଇପାଲିର ଲମ୍ବୋଦର ଓ ଦିଲ୍ଲୀପ ପଟ୍ଟନାୟକ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା I ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟ ଗୋଷ୍ଠୀର କିଛି ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି I ଗୁଳି ଖାଇଥିବା ଦିଲ୍ଲୀପ ପୂର୍ବରୁ ଏକ ଗଣ୍ଡଗୋଳ ଘଟଣାରେ ଗୁଳି ଖାଇଥିଲେ I

ନେପାଳର ପୋଖରାରେ ବଡ଼ଧରଣର ବିମାନ ଦୁର୍ଘଟଣା, ୭୨ ଜଣଙ୍କ ମୃତ୍ୟୁ ଆଶଙ୍କା

କାଠମାଣ୍ଡୁ : ନେପାଳର ପୋଖରା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଦୁର୍ଘଟଣା । ଦୁର୍ଘଟଣାରେ ୭୨ ଜଣଙ୍କ ମୃତ୍ୟୁ ଆଶଙ୍କା । ବିମାନଟି କାଠମାଣ୍ଡୁରୁ ପୋଖରା ଆସୁଥିଲା । ଦୁର୍ଘଟଣାର ସଠିକ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ୟତି ଏୟାରଲାଇନ୍ସର ଏହି ବିମାନରେ ୬୮ ଯାତ୍ରୀଙ୍କ ସହିତ ୪ ଜଣ କ୍ରିୟୁ ମେମ୍ବର ଥିଲେ । ବିମାନ ରନୱେରେ ଦୁର୍ଘଟଣାଗ୍ରସ୍ତ ହୋଇ ପାଖେ ଥିବା ନଦୀ ମଧ୍ୟକୁ ଚାଲିଯାଇଥିବା କୁହାଯାଉଛି । ଘଟଣାସ୍ଥଲରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

୭୨ ଆସନ ବିଶିଷ୍ଟ ଏଟିଆର-୭୨ ମିନିଟ ବିମାନଟି ପୁରୁଣା ପୋଖରା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ପାର୍ବତ୍ୟ ଅଂଚଳ ମଧ୍ୟରେ ଦୁର୍ଘଟଣାର ଶିକାର ହୋଇ ନଦୀ ମଧ୍ୟକୁ ଖସି ପଡିଥିଲା । ଏହାପରେ ଏଥିରେ ନିଆଁ ଲାଗିଯାଇଥିଲା । ପାହଡ଼ ସହିତ ବିମାନ ଧକ୍କା ଖାଇଥିଲା । ସୂଚନାଯୋଗ୍ୟ ଯେ, ପୋଖରା ଏୟାରପୋର୍ଟକୁ ବିଶ୍ୱର ବିପଜ୍ଜନକ ଏୟାରପୋର୍ଟ ଭାବେ ଗଣାଯାଇଥାଏ ।

ସ୍ତ୍ରୀକୁ ମାରି ୬ ପିଲାଙ୍କ ଆଗରେ କଡ଼େଇରେ ସିଜାଇଲା ସ୍ବାମୀ

କରାଚୀ: ଶ୍ରଦ୍ଧା ଓ୍ବାକର ହତ୍ୟା ଘଟଣା ମନେ ଅଛି କି ନାହିଁ । ଭୁଲିବେ ବା କେମିତି । ଆପଣଙ୍କ ଜୀବନରେ ଏମିତି ଲୋମହର୍ଷଣ ହତ୍ୟା କେବେ ଦେଖି ନଥିବେ । ହେଲେ ଆଜି ଏଠାରେ ଏମିତି ଏକ ହତ୍ୟା ସମ୍ପର୍କରେ କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ଓ ଆପେ ଆପେ କହି ପକାଇବେ ‘ଓଃ କି ଜଘନ୍ୟ’ । ଘଟଣା ପାକିସ୍ତାନର । ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀକୁ ହତ୍ୟା କରିବା ପରେ କଡ଼େଇରେ ସିଜାଇବା ଘଟଣା ଆସିଛି ସାମ୍ନାକୁ । ସେତିକି ନୁହେଁ, ହତ୍ୟାଠାରୁ ଆହୁରି ଭୟଙ୍କର ଥିଲା ଏହାର ପରବର୍ତ୍ତି ଦୃଶ୍ୟ । ବ୍ୟକ୍ତି ଜଣଙ୍କ ସ୍ତ୍ରୀକୁ ସିଜାଇବା ବେଳେ ସେଠାରେ ଉପସ୍ଥିତି ଥିଲେ ତାଙ୍କ ୬ ପିଲା ।

ଘଟଣା ପାକିସ୍ତାନର । ନିର୍ଜନ ସ୍ଥାନରେ ଥିବା ଏକ ସ୍କୁଲରେ ଘଟିଛି ଏହି ରୁମ ଟାଙ୍କୁରା ହତ୍ୟା । ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଯାଞ୍ଚ ଆରମ୍ଭ କରିଛି । ଅଭିଯୁକ୍ତ ସ୍ବାମୀ ୩ ପିଲାଙ୍କୁ ଧରି ଫେରାର ହୋଇଯାଇଛି ।

ଖବର ଅନୁସାରେ କରାଚୀ ନିକଟ ଗୁଲସନ-ଏ-ଇକବାଲ ଅଞ୍ଚଳ ରହିଛି । ଏଠାରେ ଥିବା ନିର୍ଜନ ସ୍ଥାନରେ ଏକ ସ୍କୁଲ ରହିଛି । ଏହି ସ୍କୁଲରେ ଆଶିକ ହୁସେନ, ପତ୍ନୀ ନରଗିସ ଏବଂ ୬ ପିଲା ରୁହୁଥିଲେ । ସ୍କୁଲଟି ବହୁତ ଦିନ ହେବା ବନ୍ଦ ପଡ଼ିଥିବା ବେଳେ ଏହାର ମାଲିକ ଦେଖାରଖା ପାଇଁ ଆଶିକଙ୍କୁ ସେଠାରେ ରଖିଥିଲେ ।

ରାତି ୩ଟାରେ ସବୁ ଶୋଇଥିବା ବେଳେ ଆଶିକଙ୍କ ବଡ଼ ଝିଅ କାହାର ଚିତ୍କାର ଶୁଣି ନିଦରୁ ଉଠିଯାଇଥିଲେ । ଶବ୍ଦଟି ତାଙ୍କ ବାପାମାଆଙ୍କ ରୁମରୁ ଆସିଥିବା ଜାଣିବା ପରେ ସେ ସେଠାକୁ ଯାଇ ଏକ ହୋଲରେ କ’ଣ ହୋଇଛି ଦେଖିବାକୁ ଚାହିଁଥିଲେ । ତେବେ ସେ ଯାହା ଦେଖିଥିଲେ ତାଙ୍କ ଛାତି ଥରାଇ ଦେଇଥିଲା । ରୁମରେ ତାଙ୍କ ବାପା ମାଆଙ୍କ ମୁହଁରେ ତକିଆ ପକାଇ ମାଡ଼ି ବସିଥିଲେ ଓ ମାଆ ନରଗିସ୍ ଜୀବନ ବଞ୍ଚାଇବାକୁ ଚିତ୍କାର କରୁଥିଲେ । ହେଲେ କିଛି ସମୟ ପରେ ତାଙ୍କ ଚିତ୍କାର ନିରବତାରେ ପରିଣତ ହୋଇଯାଇଥିଲା । ଏହା ଦେଖିବା ପରେ ଝିଅଟି ଅଚେତ ହୋଇଯାଇଥିଲା । ପ୍ରାୟ ୩ ଘଣ୍ଟା ପରେ ଚେତା ଆସିବା ପରେ ସେ ଏନେଇ ଅନ୍ୟ ୫ ଭାଇଭଉଣୀଙ୍କୁ ଜଣାଇବା ସହ ସେମାନଙ୍କୁ ଘର ବାହାରକୁ ନେଇ ଆସିଥିଲେ । ହେଲେ ପିଲାମାନେ ଜାଣି ନଥିଲେ ଘର ବାହାରେ ମାଆଙ୍କୁ ନେଇ ଆଉ ଏକ ହୃଦୟ ବିଦାରକ ଦୃଶ୍ୟ ସେମାନଙ୍କୁ ଅପେକ୍ଷା କରିଛି ।

ଘରୁ ବାହାରକୁ ଆସିବା ପରେ ପିଲାମାନେ ସ୍କୁଲ କ୍ୟାଣ୍ଟିନରେ କେହି କିଛି ରୋଷେଇ କରୁଥିବା ଜାଣିବାକୁ ପାଇଥିଲେ । ଅନ୍ୟମାନଙ୍କୁ ଅଟକାଇ ବଡ଼ ଝିଅ କ୍ୟାଣ୍ଟିନ ଭିତରକୁ ପ୍ରବେଶ କରିବା ପରେ ତାଙ୍କ ପାଦରୁ ମାଟି ଖସି ଯାଇଥିଲା । ବାପା ରକ୍ତ ଜୁଡୁବୁଡ଼ ଅବସ୍ଥାରେ କ୍ୟାଣ୍ଟିନ କଡେଇରେ ମାଆଙ୍କୁ ସିଜାଉଥିବା ଦେଖିବାକୁ ପାଇଥିଲେ । ପାଖରେ ଏକ କଟା ଗୋଡ଼ ପଡିଥିଲା । ଏହି ସମୟରେ ଆଶିକଙ୍କ ନଜର ଝିଅ ଉପରେ ପଡ଼ି ଯାଇଥିଲା । ବାପା ଦେଖି ଦେବା ପରେ ଅନ୍ୟ ଭାଇଭଉଣୀଙ୍କୁ ନେଇ ଝିଅଟି ସେଠାରୁ ଦୌଡ଼ି ପଳାଇଥିଲା । ଏହାପରେ ପିଲାମାନେ ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ ।

ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବେଳକୁ କ୍ୟାଣ୍ଟିର ଭାଟି ଜଳୁଥିଲା ଓ ସେଥିରେ ନରଗିସଙ୍କ ମୃତଦେହ ସିଜୁଥିଲା । ଏହାରି ଭିତରେ ଆଶିକ ୩ ଜଣ ପିଲାଙ୍କୁ ନେଇ ଫେରାର ହୋଇଯାଇଥିଲା । ପୋଲିସ୍ ମହିଳାଙ୍କ ହାତ ଧରି ବାହାର କରିବାକୁ ଚେଷ୍ଟା କରିବା ବେଳେ ହାତଟି ବାହାରି ଆସିଥିଲା ।

ପୋଲିସ ଅନୁସାରେ ଆଶିକ ପ୍ରତିଦିନ ମଦ ପିଉଥିଲା । ହେଲେ ମଦ ପିଇବା ପାଇଁ ଅର୍ଥାଭାବ କାରଣରୁ ସେ ନରଗିସଙ୍କୁ ବେଶ୍ୟାବୃତ୍ତିରେ ଲଗାଇବାକୁ ବାଧ୍ୟ କରୁଥିଲା । ପ୍ରତିଦିନ ସେ ସାଙ୍ଗମାନଙ୍କୁ ଘରକୁ ଆଣୁଥିଲା ଓ ନରଗିସଙ୍କୁ ତାଙ୍କ ସହ ରାତି କାଟିବାକୁ କହୁଥିଲା । ଯାହାକୁ ନରଗିସ ବିରୋଧ କରୁଥିଲେ ।

ବାଇଡେନଙ୍କ ଘରୁ ମିଳିଲା ପୁଳା ପୁଳା ସିକ୍ରେଟ ଡକ୍ୟୁମେଣ୍ଟ

ଓ୍ବାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ଜୋ ବାଇଡେନଙ୍କ ବାସଭବନରୁ ମିଳିଲା ଗୁପ୍ତ ନଥିପତ୍ର । ଯାହା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଆମେରିକାରେ ପୁଣି ଥରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ପୂର୍ବରୁ ବାଇଡେନଙ୍କ ଓ୍ବିଲମିଙ୍ଗଟନ ବାସଭବନରୁ ମିଳିଥିବା ସିକ୍ରେଟ ଡକୁମେଣ୍ଟଠାରୁ ଏହା ବହୁତ ଅଧିକ ବୋଲି ସୂଚନା ମିଳିଛି । ବାଇଡେନଙ୍କ ବାସଭବନ ସମେତ ଓ୍ବାସିଂଟନ ସ୍ଥିତି ତାଙ୍କ ପୂର୍ବ କାର୍ଯ୍ୟାଳୟରୁ ମିଳିଥିବା ସିକ୍ରେଟ ଡକ୍ୟୁମେଣ୍ଟ ସଂଖ୍ୟା ୨୦ରୁ ଅଧିକ ବୋଲି କୁହାଯାଇଛି । ଏହି ମାମଲାର ଯାଞ୍ଚ କରିବାକୁ ହ୍ବାଇଟ ହାଉସ ତରଫରୁ ଜଣେ ଓକିଲଙ୍କୁ ନିଯୁକ୍ତି ଦିଆଯାଇଛି ।

ସୂଚନାଯୋଗ୍ୟ, ବାଇଡେନ ତାଙ୍କ ଓ୍ବିକେଣ୍ଡ ଡେଲାଓ୍ବେର ସ୍ଥିତ ବାସଭବନରେ କାଟିଥାନ୍ତି । ହ୍ବାଇଟ ହାଉସ ଓକିଲ ଶନିବାର କହିଥିଲେ, ଗତ ବୁଧବାର ରାତିରେ ବାଇଡେନଙ୍କ ଗ୍ୟାରେଜ ପାଖ ରୁମରୁ ଏକ ସିକ୍ରେଟ୍ ଡକ୍ୟୁମେଣ୍ଟ ମିଳିଥିଲା । ସେତେବେଳେ ବାଇଡେନଙ୍କ ଓକିଲ ସୁରକ୍ଷାକୁ ନେଇ ଅନୁମତି ନଦେବାରୁ ଯାଞ୍ଚ ବନ୍ଦ ହୋଇଯାଇଥିଲା ।

ହ୍ବାଇଟ ହାଉସ ଓକିଲ ରିଚାର୍ଡ ସୋବେର କହିଛନ୍ତି, ବାଇଡେନଙ୍କ ପୁସ୍ତକାଳୟ ଯାଞ୍ଚ ବେଳେ ୬ଟି ଗୁପ୍ତ ନଥିପତ୍ର ମିଳିଛି । ପୂର୍ବରୁ ସେଠାରୁ ଗୋଟିଏ ଚିଠି ମିଳିଥିବା କୁହାଯାଇଥିଲା । ଏହାବାଦ, ଡିସେମ୍ବରରେ ବାଇଡେନଙ୍କ ଗ୍ୟାରେଜ ଓ ନଭେମ୍ବରରେ ଓ୍ବାସିଂଟନ ସ୍ଥିତ ତାଙ୍କ ପୂର୍ବ କାର୍ଯ୍ୟାଳୟ ପେନ୍ ବାଇଡେନ ସେଣ୍ଟରରୁ ମଧ୍ୟ ସିକ୍ରେଟ ଡକ୍ୟୁମେଣ୍ଟ ମିଳିଥିଲା ।

ସୂଚନାଯୋଗ୍ୟ, ମିଳିଥିବା ସିକ୍ରେଟ ଡକ୍ୟୁମେଣ୍ଟ ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ବାଇଡେନ ଉପରାଷ୍ଟ୍ରପତି ଥିବା ବେଳର । ଯଦିଓ ଡକ୍ୟୁମେଣ୍ଟ ସମ୍ପର୍କରେ କିଛି ସୂଚନା ଦିଆଯାଇନି, ତଥାପି ସମସ୍ତ ଡକ୍ୟୁମେଣ୍ଟକୁ ଜବତ କରାଯାଇଛି ।

ଟ୍ରମ୍ପଙ୍କ ଘରୁ ମିଳିଥିଲା ସିକ୍ରେଟ ଡକ୍ୟୁମେଣ୍ଟ

ଏହା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଘରୁ ସିକ୍ରେଟ୍ ଡକ୍ୟୁମେଣ୍ଟ ମିଳିଥିଲା । ଏଥିରେ ଅନ୍ୟ ଏକ ଦେଶର ପରମାଣୁ କ୍ଷମତା ସମ୍ପର୍କରେ ଉଲ୍ଲେଖ ଥିଲା । ତେବେ ସମ୍ପୃକ୍ତ ଦେଶର ନାଁ ହ୍ବାଇଟ୍ ହାଉସ୍ ସର୍ବସାଧାରଣ କରିନଥିଲା ।