ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ, ନଚେତ୍ ଲାଇସେନ୍ସ ହେବ ରଦ୍ଦ

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟୀକ ଅନୁଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ । ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ତରଫରୁ ଏହାର କଡ଼ାକଡ଼ି ନିରୀକ୍ଷଣ କରାଯିବ । ପୂର୍ବରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଥିଲା । ଏପର୍ଯ୍ୟନ୍ତ ରାଜ୍ୟର ପୌରାଞ୍ଚଳରେ ମୋଟ ୫୨,୦୦୦ ପଞ୍ଜୀକୃତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟରୁ ପ୍ରାୟତଃ ୪୭,୦୦୦ ପ୍ରତିଷ୍ଠାନରେ ଓଡ଼ିଆର ନାମଫଳକ ଲେଖାଯାଇଛି । କିଛି ଖିଲାପକାରୀ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କ ବିରୋଧରେ ମକଦ୍ଦମା ସହିତ ଜୋରିମାନା ମଧ୍ୟ କରାଯାଇଛି ।

ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଅଧ୍ୟକ୍ଷତାରେ ଆୟୁକ୍ତ ତଥା ସଚିବ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଶ୍ରମ ଆୟୁକ୍ତ ଏବଂ ଜିଲ୍ଲା ଶ୍ରମ ଅଧିକାରୀମାନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପରିବର୍ତ୍ତିତ ଅଧିନିୟମର କଡ଼ାକଡ଼ି ଅନୁପାଳନ କରାଯିବା ପାଇଁ ନିଷ୍ପତ୍ତି କରାଯାଇଛି । ଶ୍ରମ ଆୟୁକ୍ତ ଓଡ଼ିଶାର ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକରେ ଓଡ଼ିଆରେ ନାମଫଳକ ଲଗାଇବା ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀ ଓ ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଏହାର କଡାକଡି ନିରୀକ୍ଷଣ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ଚଳିତ ମାସଠାରୁ ଖିଲାପକାରୀଙ୍କୁ ୭ ଦିନିଆ ନୋଟିସ ଦିଆଯିବ । ଏହାପରେ ମଧ୍ୟ ଯଦି ଅଧିନିୟମର ଅନୁପାଳନ ନହୁଏ, ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଜୋରିମାନା ଓ ଲାଇସେନ୍ସ ରଦ୍ଦ କରାଯିବ । ପ୍ରଥମଥର ଖିଲାପକାରୀଙ୍କୁ ୫୦୦୦ ଟଙ୍କା ଜୋରିମାନା ଏବଂ ଦ୍ୱିତୀୟଥର ଖିଲାପକାରୀଙ୍କୁ ୨୫୦୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ। ଜିଲ୍ଲାସ୍ତରରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ, ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ, ବଜାର ଦୋକାନ ଓ ବାଣିଜ୍ୟ ସଂଘ ସହିତ ପ୍ରତି ମାସରେ ଏକ ବୈଠକ କରି ଏହାର ସମୀକ୍ଷା କରିବା ସହିତ ବିବରଣୀ ଶ୍ରମ ଆୟୁକ୍ତ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗଙ୍କୁ ପ୍ରଦାନ କରିବା ନିମିତ୍ତ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।