ଦେଶରେ ବଢୁଛି କରୋନା ସଂକ୍ରମଣ, ୬ ମାସ ଭିତରେ ସର୍ବାଧିକ ସଂକ୍ରମିତ ଚିହ୍ନଟ

1 min read

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟାରେ ୫ ହଜାର ୩୩୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ଓ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରର ସର୍ବାଧିକ ୪ ଜଣ ଅଛନ୍ତି । ଯାହା କି ୬ ମାସ ମଧ୍ୟରେ ଦେଶରେ ସର୍ବାଧିକ କରୋନା ସଂକ୍ରମଣ । ଦେଶରେ ସଂକ୍ରମଣ ବଢ଼ୁଥିବାବେଳେ ୭ ଦିନରୁ କମ୍ ସମୟରେ କରୋନା ସଂକ୍ରମଣ ଦୁଇ ଗୁଣା ବଢ଼ୁଛି । ବୁଧବାର ଦିଲ୍ଲୀରେ କୋଭିଡି-୧୯ର ପଜିଟିଭିଟି ରେଟ୍‌ ୨୫ ପ୍ରତିଶତରୁ ଅଧିକ ରହିଛି । ବୁଧବାର ଦିଲ୍ଲୀରେ ୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ବିଗତ ୧୫ ମାସ ମଧ୍ୟରେ ସବୁଠାରୁ ଅଧିକ ।

ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ୁଥିବାବେଳେ ଏବେ ବି ଲୋକ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳିଛି । ଅଧିକାଂଶ ଲୋକ ସାର୍ବଜନୀନ ସ୍ଥାନ, ମାର୍କେଟ, ପାର୍କ ଓ ପବ୍ଲିକ୍ ଟ୍ରାନ୍ସପୋର୍ଟରେ ବିନା ମାସ୍କରେ ଯାଉଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ଏହି ସ୍ଥିତି ଜାରି ରୁହେ ତେବେ ଖୁବଶୀଘ୍ର ଏହି ଭାଇରସ ମ୍ୟୁଟେଣ୍ଟ ହୋଇ ଲୋକଙ୍କୁ ଗମ୍ଭୀର ଭାବରେ ସଂକ୍ରମଣ କରିବ । କରୋନା ସଂକ୍ରମଣ ବଢ଼ୁଥିବାବେଳେ ଦିଲ୍ଲୀ ସରକାର ମେଡିକାଲରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।