ଆଧୁନିକ ଯୁଗର ଶ୍ରବଣ କୁମାର, ଚାକିରି ଛାଡ଼ି ମା’ଙ୍କୁ ନେଇ ତୀର୍ଥ ଭ୍ରମଣ କରୁଛନ୍ତି କର୍ଣ୍ଣାଟକର କ୍ରିଷ୍ଣକୁମାର

1 min read

ମହୀଶୂର: ପୁରାଣର ଶ୍ରବଣ କୁମାରଙ୍କ କଥା ସମସ୍ତେ ଜାଣିଥିବେ । ନିଜର ଦୃଷ୍ଟିହୀନ ପିତାମାତାଙ୍କୁ ଭାରରେ ବୋହି ତୀର୍ଥଯାତ୍ରା କରିବା ଘଟଣା ସର୍ବଜନବିଦିତ । ଆଜିକାଲି ଦୁନିଆରେ ଏହା ଏକ ସ୍ବପ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ । ହେଲେ କର୍ଣ୍ଣାଟକର ଏପରି ଜଣେ ଯୁବକଙ୍କ କଥା କୁହାଯାଉଛି, ଯିଏକି ସେପରି ଭୂମିକା ନିର୍ବାହ କରିଛନ୍ତି ଏବଂ ନିଜର ବୟସ୍କା ମା’ଙ୍କୁ ତୀର୍ଥଯାତ୍ରାରେ ନେଇଛନ୍ତି । ସେ ହେଉଛନ୍ତି କ୍ରିଷ୍ଣକୁମାର । ୨୦ ବର୍ଷର ପୁରୁଣା ସ୍କୁଟରରେ ସେ କରୁଛନ୍ତି ତୀର୍ଥଭ୍ରମଣ । ବର୍ତ୍ତମାନ ସୁଦ୍ଧା ଅତିକ୍ରମ କଲେଣି ପ୍ରାୟ ୬୭ ହଜାର କିଲୋମିଟର । କେଉଁଠି ଗାଡ଼ି ଷ୍ଟାର୍ଟ ନହେବାରୁ ଲୋକ ଗାଡ଼ିକୁ ଠେଲୁଛନ୍ତି ତ କେଉଁଠି ନିଜେ କ୍ରିଷ୍ଣକୁମାର ଠେଲି ଠେଲି ଗାଡ଼ି କରୁଛନ୍ତି ଷ୍ଟାର୍ଟ । ପ୍ରତିବନ୍ଧକ ଆଗରେ ହାରିନାହାନ୍ତି କ୍ରିଷ୍ଣକୁମାର । ସେ କହିଛନ୍ତି, ତାଙ୍କ ମା’ ଚୂଡ଼ାରଥମା ସାରାଦିନ ଘରକାମ କରିଥାନ୍ତି । କେବେ ବି ସେ ଘରୁ ପଦାକୁ ବାହାରି ପାରିନଥିଲେ ।

କ୍ରିଷ୍ଣକୁମାର ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଦିନେ ସେ ମା’ଙ୍କୁ ପଚାରିଥିଲେ ଠାକୁର ଦର୍ଶନ କଥା । ମାତ୍ର ମାଆ କହିଥିଲେ ଆଜି ଯାଏ ସେ ନିକଟସ୍ଥ ବେଲୁର ମନ୍ଦିରକୁ ବି ଯାଇପାରିନାହାନ୍ତି । ଏହା ଶୁଣି କ୍ରିଷ୍ଣକୁମାର ଚମକି ପଡ଼ିଥିଲେ ଏବଂ ନିଷ୍ପତ୍ତି ନେଇଥିଲେ ମା’ଙ୍କୁ ସାରା ଭାରତ ବୁଲାଇବେ । ପରେ ପରେ ସେ ୨୦୧୮ରେ ଚାକିରିରୁ ଇସ୍ତଫା ଦେଇ ପରଲୋକଗତ ବାପା ବ୍ୟବହାର କରୁଥିବା ପୁରୁଣା ସ୍କୁଟରରେ ବାହାରିଥିଲେ । କେବଳ ଭାରତ ନୁହେଁ, ପଡ଼ୋଶୀ ନେପାଳ, ଭୁଟାନ, ମ୍ୟାଁମାର ବି ବୁଲିସାରିଲେଣି କ୍ରିଷ୍ଣକୁମାର । ଶହ ଶହ ତୀର୍ଥକ୍ଷେତ୍ର ପରିଭ୍ରମଣ କରିବା ସହ ସାଧୁସନ୍ଥଙ୍କ ଆଶୀର୍ବାଦ ନେଉଛନ୍ତି ମା-ପୁଅ । ବର୍ତ୍ତମାନ ସେମାନେ ଉତ୍ତରପ୍ରଦେଶ ଚିତ୍ରକୂଟରେ ପରିଭ୍ରମଣ କରୁଥିବା ସୂଚନା ମିଳିଛି । ମା’ଙ୍କ ଆଶା ପୂରଣ ହେଉଥିବାବେଳେ ତୀର୍ଥକ୍ଷେତ୍ର ଦର୍ଶନ କରି ଅପାର ସନ୍ତୋଷ ଲାଭ କରୁଛନ୍ତି କ୍ରିଷ୍ଣକୁମାର ।