spot_img
Home Blog Page 3500

ଆମେରିକା ବିରୋଧରେ ଲଢ଼ିବା ଲାଗି ଉତ୍ତର କୋରିଆରେ ଅଦ୍ଭୁତ ଜାଗରଣ

ଓ୍ୱାଶିଂଟନ: ଆମେରିକା ବିରୋଧରେ ଲଢ଼ିବା ଲାଗି ଉତ୍ତର କୋରିଆରେ ଅଦ୍ଭୁତ ଜାଗରଣ । ସାମରିକ ବିଭାଗରେ ସାମିଲ ହେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି ୮ ଲକ୍ଷରୁ ଅଧିକ ସ୍ବେଚ୍ଛାସେବୀ । ସେମାନଙ୍କ ମଧ୍ୟରେ ଅଛନ୍ତି ଛାତ୍ର, ଶ୍ରମିକ ଓ ଅନ୍ୟାନ୍ୟ ବର୍ଗର ଜନତା । ବାରମ୍ବାର ଆଣବିକ ସାମର୍ଥ୍ୟ ସମ୍ପନ୍ନ କ୍ଷେପଣାସ୍ତ୍ର ତଥା ଆନ୍ତଃମହାଦେଶୀୟ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଆମେରିକାର ରୋଷର କାରଣ ହୋଇଥିବା ଉତ୍ତର କୋରିଆର ଏହି ପ୍ରସ୍ତୁତି ଛନକା ସୃଷ୍ଟି କରିଛି । ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ଚାଲିଥିବା ମିଲିଟାରୀ ଡ୍ରିଲର ପ୍ରତିବାଦରେ ଗତ ଗୁରୁବାର ଉତ୍ତର କୋରିଆ ହ୍ବାସଙ୍ଗ-୧୭ ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା । କୋରିଆ ଓ ଜାପାନ ମଧ୍ୟସ୍ଥ ସମୁଦ୍ରରେ ଏହି ପରୀକ୍ଷଣ କରିବା ଯୋଗୁ ଉଦବେଗ ପ୍ରକାଶ କରିଥିଲେ ଜାପାନ ଓ ଦକ୍ଷିଣ କୋରିଆ ।

ଜାତିସଂଘ ନିରାପତ୍ତା ପରିଷଦର ଘୋଷଣାନାମା ଅନୁଯାୟୀ ଉତ୍ତର କୋରିଆର ବାଲିଷ୍ଟିକ ମିସାଇଲ ପରୀକ୍ଷଣକୁ ନିଷିଦ୍ଧ କରାଯାଇଥିଲେ ମଧ୍ୟ ତାହା ବାରମ୍ବାର ଅବମାନନା ହେଉଥିବାରୁ ଆମେରିକା, ଜାପାନ ଓ ଦକ୍ଷିଣ କୋରିଆ ବିରୋଧ କରିଆସୁଛନ୍ତି । ସେପଟେ ଗତ ସୋମବାରଠାରୁ ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ଆରମ୍ଭ ହୋଇଛି ୧୧ ଦିନିଆ ଫ୍ରିଡମ ସିଲଡ-୨୩ ମିଳିତ ସମରାଭ୍ୟାସ । ଏହି ସମରାଭ୍ୟାସ ଯୋଗୁ କୋରିଆ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଛି ବୋଲି କହିଛନ୍ତି ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ ଉନ୍ ।

ରାଇଘରରେ ମାଓ ହିଂସା, ଜଙ୍ଗଲ କାଟିବା ଅଭିଯୋଗରେ ଯୁବକଙ୍କୁ ଗୁଳି କରି ହତ୍ୟା କଲା ଲାଲବାହିନୀ

ଉମରକୋଟ: ରାଇଘରରେ ପୁଣି ମାଓ ହିଂସା । ଜଙ୍ଗଲ କାଟିବା ଅଭିଯୋଗରେ ଯୁବକଙ୍କୁ ଗୁଳି କରି ହତ୍ୟା କଲେ ଲାଲବାହିନୀ। ରାଇଘର ଥାନା ଲକ୍ଷ୍ମଣପୁର ଗାଁର ନାରାୟଣ ନାଗେଶଙ୍କୁ ଜଙ୍ଗଲ ମାଫିଆ ଭାବି ହତ୍ୟା କରିଛନ୍ତି ମାଓବାଦୀ। ଜଙ୍ଗଲ କାଟି ଗାଁ ବସାଇବା ଅଭିଯୋଗରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ଗତ ଫେବୃଆରୀ ୨୩ ତାରିଖ ଦିନ ସେମାନେ ହାତିଗାଁ ଖାଲେପାରା ଗ୍ରାମର ଚନ୍ଦନ ମଲ୍ଲିକଙ୍କୁ ଘରୁ ଡାକି ନେଇ ହତ୍ୟା କରିବା ସହ ୧୦ ଦିନ ପୂର୍ବେ ସୀମାନ୍ତ ଚାମେନ୍ଦା ଗାଁର ନାରଦ ମାର୍କମଙ୍କୁ ମଧ୍ୟ ହତ୍ୟା କରିଥିଲେ ।

ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିଶୃଙ୍ଖଳା, ଦିନ ସାଢ଼େ ୧୧ଟା ଯାଏ ବିଧାନସଭା ମୁଲତବି

ଭୁବନେଶ୍ୱର: ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିଶୃଙ୍ଖଳା । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ପୂର୍ବ ଦାବି ସମ୍ପର୍କରେ ରୁଲିଂ ଦେବାକୁ ଦାବି କରିଥିଲେ । ବାଚସ୍ପତି ପ୍ରଶ୍ନକାଳ ଜାରି ରଖିବାରୁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଗୃହ ମଧ୍ୟଭାଗରେ ନାରାବାଜି କରିଥିଲେ । ପରେ କଂଗ୍ରେସ ଓ ବିଜେପି ସଦସ୍ୟ ଗୃହ ମଧ୍ୟଭାଗରେ ହୋହଲ୍ଲା କରିଥିଲେ । ଏହି ସମୟରେ ପର୍ଯ୍ୟଟନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜାରି ରହିଥିଲା ।

ଶୂନ୍ୟକାଳରେ ଏ ସମ୍ପର୍କରେ ଦାବି ଉଠାଇବାକୁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବୁଝାଇଥିଲେ । ହେଲେ ଏହାକୁ ଗ୍ରହଣ କରିନଥିଲେ ବିରୋଧୀ । ହୋହଲ୍ଲା ପାଟିତୁଣ୍ଡ ଜୋର ଧରିବାରୁ ଗୃହକୁ ଦିନ ସାଢ଼େ ୧୧ଟା ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି ।

ପୁଣି ଚିନ୍ତା ବଢାଇଲା H3N2, ଦିଲ୍ଲୀରେ ଜାରି ହେଲା ସ୍ବତନ୍ତ୍ର ଆଡଭାଇଜରୀ

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲା H3N2 ଭାଇରସ୍ । ହାଇଆଲର୍ଟରେ ମହାରାଷ୍ଟ୍ର। ଦିଲ୍ଲୀରେ ଜାରି ହେଲା ସ୍ବତନ୍ତ୍ର ଆଡଭାଇଜରୀ । କୋଭିଡ-୧୯ ପରି ଅବସ୍ଥା ସୃଷ୍ଟି ନହେବା ଲାଗି ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବା ଲାଗି ପ୍ରସ୍ତୁତ ହୋଇଛନ୍ତି ଦିଲ୍ଲୀ ସରକାର । ସେପଟେ ମହାରାଷ୍ଟ୍ର ପୁଣେରେ ଜଣେ ବୟସ୍କଙ୍କ ମୃତ୍ୟୁ ହେବା ସହ ଦେଶରେ H3N2 ଜନିତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି । H3N2 ଜନିତ ପ୍ରଥମ ମୃତ୍ୟୁ ଘଟିଥିଲା କର୍ଣ୍ଣାଟକ ହାସନ ଜିଲ୍ଲାରେ । ବର୍ତ୍ତମାନ ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ପୁଡୁଚେରୀ, ତାମିଲନାଡ଼ୁ ଓ ଆସାମରେ H3N2 ଜନିତ ସଂକ୍ରମଣ ବଢୁଥିବା ସୂଚନା ମିଳିଛି ।

ସେପଟେ ଦିଲ୍ଲୀରେ ଜାରି ହୋଇଛି ସ୍ବତନ୍ତ୍ର ସତର୍କତା । ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ଲାଗି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ବାଜ । ଦିଲ୍ଲୀ ଲୋକନାୟକ ହସ୍ପିଟାଲରେ ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନ୍ୟାନ୍ୟ ହସ୍ପିଟାଲରେ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଇନଫ୍ଲୁଏଞ୍ଜା ଓ କୋଭିଡର ନିୟନ୍ତ୍ରଣ ଲାଗି ମନିଟରିଂ ସକାଶେ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ H3N2 ଜନିତ ସଂକ୍ରମଣ ବଢୁଥିବାରୁ ଏଥିପ୍ରତି ସତର୍କ ରହିବା ଲାଗ ୬ ରାଜ୍ୟକୁ ପରାମର୍ଶ ଦେଇଥିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

ସେପଟେ ସଂକ୍ରମଣର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଆଲର୍ଟ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର । ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ତାନାଜି ସାଓ୍ବନ୍ତ କହିଛନ୍ତି, H3N2 ଭାଇରସର ସଂକ୍ରମଣ ରୋକିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା ଲାଗି ଗାଇଡଲାଇନ ଜାରି କରାଯାଇଛି । ବର୍ତ୍ତମାନ ସୁଦ୍ଧା କେବଳ ମହାରାଷ୍ଟ୍ରରେ ୩୫୨ ଜଣ ସଂକ୍ରମିତ ଚିହ୍ନଟ ହେଲେଣି । ତେଣେ ମଧ୍ୟପ୍ରଦେଶରେ ପ୍ରଥମ H3N2 ସଂକ୍ରମିତ ଯୁବକ ଚିହ୍ନଟ ହୋଇଥିବା ବେଳେ ବିହାରରେ ଜଣେ ସ୍ବାଇନ ଫ୍ଲୁ ଓ ୨ ଜଣ H3N2 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 

ହୋମଗାର୍ଡଙ୍କ ପାଇଁ ଖୁସି ଖବର, ବଢ଼ିଲା ଦୈନିକ ପାରିଶ୍ରମିକ

ଭୁବନେଶ୍ୱର: ବେତନ ବୃଦ୍ଧି ଓ ନିର୍ଦ୍ଧାରଣ କ୍ଷେତ୍ରରେ ରାଜ୍ୟରେ କାର୍ଯ୍ୟରତ ହୋମଗାର୍ଡଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି । ହୋମଗାର୍ଡଙ୍କୁ ୨୦୧୮ ଜୁନ୍ ପହିଲାରୁ ପିଛିଲା ଭାବେ ଦୈନିକ ୫୩୩ ଟଙ୍କା ପାରିଶ୍ରମିକ ଦେବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୩ ମାସ ମଧ୍ୟରେ ସମସ୍ତ ବକେୟା ଦରମା ସେମାନଙ୍କୁ ଦେବା ଲାଗି ସୁପ୍ରିମକୋର୍ଟଙ୍କ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ସୁପ୍ରିମକୋର୍ଟ ବିଚାରପତି ଏମ.ଆର୍. ଶାହା ଓ ବିଚାରପତି ଏମ୍.ଏମ୍. ସୁନ୍ଦ୍ରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି ।

ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ହୋମଗାର୍ଡଙ୍କ ବକେୟା ଦରମା ୩ ମାସ ମଧ୍ୟରେ ପ୍ରଦାନ କରାଯିବ । ପର୍ଯ୍ୟାୟକ୍ରମେ ବିଭିନ୍ନ ସମୟରେ ପୋଲିସ୍ କର୍ମଚାରୀଙ୍କ ଯେଉଁଭଳି ଦରମା ବଢ଼ୁଛି ସେହିଭଳି ହୋମଗାର୍ଡଙ୍କ ଦରମା ମଧ୍ୟ ବଢ଼ିବ । ସୁପ୍ରିମକୋର୍ଟଙ୍କ ଏହି ରାୟ ଦ୍ୱାରା ରାଜ୍ୟର ୧୭ ହଜାର ୭୬୫ ହୋମଗାର୍ଡ ଉପକୃତ ହେବେ । ଏହି ବର୍ଦ୍ଧିତ ପ୍ରାପ୍ୟ ପ୍ରଦାନ ଦ୍ୱାରା ସରକାରଙ୍କ ଉପରେ ୧୮୯ କୋଟିର ଆର୍ଥିକ ବୋଝ ପଡ଼ିବ ।

ଆଜି ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଆଗତ କରିବେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ସ୍ବାଭାବିକ ଚାଲିଛି ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଅପ୍ରସଙ୍ଗକୁ ପ୍ରସଙ୍ଗ କରି ବିରୋଧୀ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ ବି ସଫଳ ହୋଇନାହାନ୍ତି । ସରକାର ଓ ଶାସକ ଦଳର ସହଯୋଗ ଯୋଗୁଁ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ଓ ବିଭାଗୀୟ ଖର୍ଚ୍ଚ ଦାବି ସୁରୁଖୁରୁରେ ଚାଲିଛି । ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଆଗତ କରିବେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜସ୍ବ ବିଭାଗର ଖର୍ଚ୍ଚ ଦାବି ୧୫୮୬ କୋଟି ୪୧ ଲକ୍ଷ ୭୦ ହଜାର ଟଙ୍କା ରଖାଯାଇଛି । ଏହାସହିତ ପ୍ରଶ୍ନକାଳରେ ପର୍ଯ୍ୟଟନ, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ, ଅବକାରୀ, ଆଇନ, ମିଶନ ଶକ୍ତି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ରହିଛି ।

ପୁରୀ ମାର୍କେଟ ଛକ ନିକଟରେ ଗଣ୍ଡଗୋଳ, ମାରଣାସ୍ତ୍ର ଓ କାଚ ବୋତଲରେ ମରଣାନ୍ତକ ଆକ୍ରମଣ

ପୁରୀ: ପୁରୀରେ ଜୁଆ ଖେଳକୁ ନେଇ ଗଣ୍ଡଗୋଳ । ପୁରୀ ମାର୍କେଟ ଛକ ନିକଟରେ ମରଣାନ୍ତକ ଆକ୍ରମଣ। ଠେଙ୍ଗାବାଡ଼ି ଓ କାଚ ବୋତଲ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ୨ ଗୁରୁତର କଟକ ଏସସିବି ସ୍ଥାନାନ୍ତର ହୋଇଥିବାବେଳେ ଜଣେ ଆହତ ପୁରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ୧୦ରୁ ୧୫ ଜଣ ସନ୍ଦିଗ୍ଧ ଯୁବକ ବିଭିନ୍ନ ମାରଣାସ୍ତ୍ର ଓ କାଚ ବୋତଲରେ ଆକ୍ରମଣ କରିଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି । ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

EV କିଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ, ବିନା ସୁଧରେ ଅଗ୍ରୀମ ରାଶି ଦେବାକୁ ସରକାରଙ୍କ ଘୋଷଣା

ଭୁବନେଶ୍ୱର: ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ । ବିନା ସୁଧରେ ଅଗ୍ରୀମ ରାଶି ଦେବାକୁ ଘୋଷଣା କରିଛନ୍ତି ସରକାର । ୨୦୨୫ ଡିସେମ୍ବର ୩୧ ମଧ୍ୟରେ ଏନେଇ ଆବେଦନ କରିପାରିବେ ସରକାର କର୍ମଚାରୀ । ଗ୍ରୁପ ‘ଏ’ ଓ ଗ୍ରୁପ୍ ‘ବି’ କର୍ମଚାରୀ, ଇଲେକ୍ଟ୍ରିକ୍ କାର କିଣିବା ପାଇଁ ଗାଡ଼ି ଦାମର ୭୫ ପ୍ରତିଶତ ଆଡଭାନ୍ସ ନେଇପାରିବେ । ତେବେ ଏହା ୧୫ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ । ସେହିପରି ଗ୍ରୁପ ‘ସି’ ଓ ଗ୍ରୁପ୍ ‘ଡି’ କର୍ମଚାରୀ, ଦୁଇଚକିଆ ଗାଡ଼ି କିଣିବାକୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡଭାନ୍ସ ନେଇପାରିବେ ।

ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ମଧ୍ୟରୁ ଗୋଟିଏ ପାଇଁ ଆଡଭାନ୍ସ ନେଇପାରିବେ କର୍ମଚାରୀ । ଅଗ୍ରୀମ ଆକାରରେ ନେଇଥିବା ରାଶିକୁ ୧୦୦ କିସ୍ତିରେ ପରିଶୋଧ କରିବାକୁ ହେବ । କେହି ଚାହିଁଲେ ଆଗୁଆ ମଧ୍ୟ ପରିଶୋଧ କରିପାରିବେ । ଏଥିପାଇଁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ । ତେବେ ଅଗ୍ରୀମ ପାଇବାର ୩ ମାସ ମଧ୍ୟରେ ଗାଡ଼ି ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍, ଇନସୁରାନ୍ସ, ଗାଡ଼ି କିଣିବା ଇନଭଏସ୍ କର୍ତୃପକ୍ଷକୁ ଦେବାକୁ ପଡ଼ିବ ।

ଘୂର୍ଣ୍ଣିବଳୟ ପ୍ରଭାବରେ ଝଡ଼, ପବନ ସହ କୁଆପଥର ବର୍ଷା ସମ୍ଭାବନା, ୩ ଦିନ ପାଇଁ ମିଳିବନି ନିସ୍ତାର

ଭୁବନେଶ୍ୱର: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଝଡ଼ ପବନ ସହ କୁଆପଥର ବୃଷ୍ଟି ସମ୍ଭାବନା । ୩ ଦିନ ପାଇଁ ମିଳିବନି ନିସ୍ତାର । ଆଜି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ । ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ଏବଂ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯାଜପୁର, ଢେଙ୍କାନାଳ ଏବଂ କଟକରେ ୭୦ ରୁ ୧୧୦ ମିଲିମିଟର ବର୍ଷିବା ନେଇ ପୂର୍ବାନୁମାନ କରାଯାଇଛି । ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ । କେନ୍ଦୁଝର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା , ଜଗତସିଂହପୁର, ନୟାଗଡ଼, ପୁରୀରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି ।

ରାଜ୍ୟରେ ସକ୍ରିୟ ପଶ୍ଚିମା ଝଡ଼ ସହ ମଧ୍ୟପ୍ରଦେଶ, ଉତ୍ତର ଛତିଶଗଡ଼, ଝାଡଖଣ୍ଡ ଏବଂ ଗାଙ୍ଗେୟ ଉପତ୍ୟକା ଉପରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ସାରା ରାଜ୍ୟରେ କୋହଲା ପାଗ ସହ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଘୂର୍ଣ୍ଣିବଳୟର ପ୍ରଭାବ ଆଜି ସର୍ବାଧିକ ରହିବ । ଆସନ୍ତାକାଲି ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୨୦ ତାରିଖରେ କାଳବୈଶାଖୀ ନେଇ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବରକୁ ସତର୍କତା ଜାରି କରାଯାଇଛି । ୨୧ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ଆସିବା ସହ ବର୍ଷାର ପରିମାଣ କମିବ ବୋଲି ଆକଳନ କରାଯାଇଛି । ନୂଆପଡ଼ା, ବଲାଙ୍ଗିର ଏବଂ କଳାହାଣ୍ଡିରେ କୁଆପଥର ବର୍ଷା ସମ୍ଭାବନା ଥିବାରୁ ଜନସାଧାରଣଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

ଗିରଫ ହେବେ ଭ୍ଲାଦିମିର ପୁଟିନ, ଗିରଫ ପରଓ୍ବାନା ଜାରି କଲେ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରିକଲେ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ। ୟୁକ୍ରେନ ଉପରେ ଆକ୍ରମଣ କରି ବଡ଼ ଅପରାଧ କରିଛନ୍ତି ପୁଟିନ । ୟୁକ୍ରେନ ଉପରେ ଆକ୍ରମଣ ଯୋଗୁଁ ହଜାର ହଜାର ଶିଶୁ, ମହିଳା ଓ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିପାଇଁ ଦାୟୀ ପୁଟିନ୍। ତାଙ୍କୁ ଗିରଫ କରିବାର ଆବଶ୍ୟକତା ରହିଛି ବୋଲି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ କହିଛନ୍ତି । ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦକୁ ନେଇ ଶୁଣାଣି ହୋଇଥିବା ବେଳେ କୋର୍ଟ ଏହି ରାୟ ଦେଇଛନ୍ତି । ଏଥିସହ ଋଷିଆର ଶିଶୁ ଅଧିକାର କମିଶନରଙ୍କୁ ମଧ୍ୟ ଗିରଫ କରିବା ପାଇଁ ଆଦେଶ ଦେଇଛନ୍ତି ।

ସେପଟେ ୟୁକ୍ରେନ ବିରୋଧରେ ଆକ୍ରମଣକୁ ଯୁଦ୍ଧ ବୋଲି କହିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଋଷ । ଏହା ଏକ ଯୁଦ୍ଧ ନୁହେଁ ବରଂ ୟୁକ୍ରେନ ଋଷ ବିରୋଧରେ ନେଇଥିବା ବିଭିନ୍ନ ପଦକ୍ଷେପର ଜବାବ ଦିଆଯାଇଛି ବୋଲି କହିଛନ୍ତି । ଋଷ ଆକ୍ରମଣ କରିବା ପରେ ଲକ୍ଷାଧିକ ଲୋକଙ୍କ ଘର ଉଜୁଡି ଯାଇଛି । ଏହାକୁ ଓ୍ବାର କ୍ରାଇମ ବୋଲି କହିଛନ୍ତି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ ।