ଚାଷୀଙ୍କୁ ସମବାୟ ଋଣ ପ୍ରଦାନରେ ଅଗ୍ରଣୀ ଓଡ଼ିଶା

1 min read

ଭୁବନେଶ୍ବର: ଚାଷୀଙ୍କୁ ସମବାୟ ଋଣ ପ୍ରଦାନରେ ଅଗ୍ରଣୀ ଓଡ଼ିଶା । ବିନା ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଥିଲା । ଏବେ ଚାଷୀଙ୍କୁ ବିନା ସୁଧରେ ମିଳିବ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ । ଗତବର୍ଷ ଖରିଫରେ ୯ ହଜାର କୋଟିରୁ ୯୭ ପ୍ରତିଶତ ଋଣ ଆବଣ୍ଟନ ହୋଇଥିଲା । ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଥିବା ରବି ଋତୁରେ ୧୦୪ ପ୍ରତିଶତ ଋଣ ଆବଣ୍ଟନ କରି ରେକର୍ଡ କରିଛନ୍ତି ସରକାର । ରାଜ୍ୟର ଜଣେ ବି ଚାଷୀର ଅର୍ଥାଭାବରୁ ଚାଷକାର୍ଯ୍ୟ ଯେମିତି ବାଧାପ୍ରାପ୍ତ ନ ହୁଏ, ତାହା ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି କଡ଼ା ନିର୍ଦ୍ଦେଶ ।

ଚାଷୀଙ୍କ ପାଇଁ ହାତ ଖୋଲି ଦେଇଛନ୍ତି ସରକାର । କାଳିଆ, ବଳରାମ ସହାୟତା ସହିତ  ଯାହାକୁ ଯେତେ ସମବାୟ ଋଣ । ଋଣ ଅଭାବରୁ କୌଣସି ଚାଷୀ ଯେପରି ଅସୁବିଧାରେ ନ ପଡ଼େ, ମୁଖ୍ୟମନ୍ତ୍ରୀ କରିଛନ୍ତି ବ୍ୟବସ୍ଥା । ଲକ୍ଷ୍ୟ କେବଳ ଗୋଟିଏ, ଓଡ଼ିଶାର ଚାଷୀଙ୍କ ଆର୍ଥିକ ବିକାଶ । ସମବାୟ ଋଣ ପ୍ରଦାନରେ ଏବେ ରେକର୍ଡ କରିଛନ୍ତି ରାଜ୍ୟ ସରକାର । ଏବେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଗତବର୍ଷ ଖରିଫରେ ୯ ହଜାର କୋଟିର ସମବାୟ ଋଣ ଆବଣ୍ଟନ ନେଇ ଧାର୍ଯ୍ୟ କରାଯାଇଥିଲା । ଚାଷୀ ନେଲେ ୮ ହଜାର ୭୧୦ କୋଟି ୭୮ ଲକ୍ଷ ଟଙ୍କା । ଏବର୍ଷ ରବି ପାଇଁ ମାର୍ଚ୍ଚ ସୁଦ୍ଧା ୭ ହଜାର ୫୦୦ କୋଟି ଟଙ୍କା ଧାର୍ଯ୍ୟ ଋଣ ଅର୍ଥରୁ ଚାଷୀଙ୍କୁ ୭ ହଜାର ୮୧୨ କୋଟି ୨୨ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି । ରବି ଋତୁରେ ଚାଷୀଙ୍କୁ ୧୦୪ ପ୍ରତିଶତ ଋଣ ଆବଣ୍ଟନ କରି ଦେଶରେ ଅଗ୍ରଣୀ ହୋଇଛି ଓଡ଼ିଶା । ମୋଟ ୧୬ ହଜାର ୫୨୩ କୋଟି ଟଙ୍କାର ସମବାୟ ଋଣ ପ୍ରଦାନ କରାଯାଇଛି । ୨୦୨୩-୨୪ ଖରିଫ ପାଇଁ ମଧ୍ୟ ୯ ହଜାର କୋଟି ସମବାୟ ଋଣ ପ୍ରଦାନ ନେଇ ପ୍ରସ୍ତାବ ରହିଛି ।

ସମବାୟ ଋଣ ପର୍ଯ୍ୟାପ୍ତ ମିଳୁଥିବାରୁ ଚାଷୀମାନେ ମଧ୍ୟ ଖୁସ୍ । ସାର, କୀଟନାଶକ ସହିତ ଋଣ ଅର୍ଥରେ ଚାଷୀ ଟ୍ରାକ୍ଟରରେ ଚାଷ କରିପାରୁଛନ୍ତି । ଉପାନ୍ତରୁ ଉପକୂଳ ସବୁଠି ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଚାଷୀ ।