spot_img
Home Blog Page 3499

ଗେଟ୍ ଭାଙ୍ଗି ଇମ୍ରାନଙ୍କ ଘରେ ପଶିଲା ପୋଲିସ: ସମର୍ଥକଙ୍କ ସହ ଧସ୍ତାଧସ୍ତି, ପୋଲିସ ଉପରକୁ ଗୁଳି ମାଡ଼

ଲାହୋର: ଯେକୌଣସି ସମୟରେ ଗିରଫ ହୋଇ ପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ପୋଲିସ ତାଙ୍କୁ ଗିରଫ କରିବାକୁ ଗେଟ୍ ଭାଙ୍ଗି ତାଙ୍କ ଘରେ ପଶିଛି । ଯାହାକୁ ନେଇ ଇମ୍ରାନଙ୍କ ଘର ଆଗରେ ଉତ୍ତେଜନା ଦେଖା ଦେଇଛି । ଇମ୍ରାନଙ୍କ ସମର୍ଥକ ହୋହାଲ୍ଲା କରୁଛନ୍ତି ।

ପୋଲିସ ବୁଲଡୋଜର ଲଗାଇ ଗେଟ ଭାଙ୍ଗି ଘରେ ପଶିବା ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଠାରେ ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରକି ଇ ଇନସାଫର କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ ପୋଲିସ ଉପରକୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି ।

ତୋଷଖାନା ମାମଲାରେ ଏବେ ସୁଦ୍ଧା ଇମ୍ରାନଙ୍କ ଉପରୁ ବିପଦ ଟଳିନାହିଁ । ଆଜି କୋର୍ଟରେ ହାଜର ହେବା ଲାଗି ଇସଲାମାବାଦ ଗଲାବେଳେ ବାଟରେ ତାଙ୍କୁ ଟୋଲ ପ୍ଲାଜା ନିକଟରେ ଅଟକାଇ ଦିଆଯାଇଥିଲା । ଲାହୋର ଘର ଛାଡିବା ପରେ ପୋଲିସ ତାଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲା  । ଏହି ସମୟରେ ପିଟିଆଇ କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ଇସଲାମାବାଦ ଗସ୍ତ ବାଟରେ ଇମ୍ରାନ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଇସଲାମାବାଦରେ ପହଞ୍ଚିବା ମାତ୍ରେ ତାଙ୍କୁ ଗିରଫ କରିନିଆଯିବ । ନୱାଜ ସରିଫଙ୍କ ନିର୍ଦ୍ଦେଶରେ ଲଣ୍ଡନ ପ୍ଲାନ ଅନୁସାରେ ତାଙ୍କୁ ଗିରଫ କରାଯିବ ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି ଇମ୍ରାନ ।

ପୁଣି ଫଟୋ ରାଜନୀତି ଆରମ୍ଭ କଲା ବିଜେପି

ଭୁବନେଶ୍ବର: ପୁଣି ଥରେ କିଛି ଫଟୋକୁ ନେଇ ରାଜନୀତି ଆରମ୍ଭ କରିଛି ବିଜେପି । ବିଧାନସଭାରେ କିଛି ଫଟୋକୁ ନେଇ ସରକାର, ସରକାରୀ ଅଧିକାରୀ ଓ ବରିଷ୍ଠ ନେତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି ବିରୋଧୀ ଦଳ ନେତା । ଏହାକୁ ନେଇ ବର୍ଷିଛି ବିଜେଡି । ବିଜେପିର ଫଟୋ ରାଜନୀତିକୁ କଟୁ ସମାଲୋଚନା କରିବା ସହ ରାଜ୍ୟରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଚାଲିଛି । ସେ ସରକାର ଓ ପ୍ରଶାସନର ସର୍ବୋଚ୍ଚ କର୍ତ୍ତା । କିନ୍ତୁ ବାରମ୍ବାର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସାମ୍ମନହାନୀ କରୁଛନ୍ତି ବିରୋଧୀ । ଏଭଳି ଅଭିଯୋଗ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଂଜନ ପୂଜାରୀ । ସେ ମୁଖ୍ୟମନ୍ତ୍ରୀଙ୍କୁ ନମସ୍କାର କରୁଥିବା ଫଟୋକୁ ଏଡିଟ କରି ଦେଖାଉଛନ୍ତି ବିରୋଧୀ । ବାରମ୍ବାର ବିରୋଧୀ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନହାନୀ କରୁଛନ୍ତି ବୋଲି କହିଛନ୍ତି ।

ସେହିଭଳି ବିଜେପିର ଫଟୋ ରାଜନୀତି ଉପରେ ବର୍ଷିଛନ୍ତି ବିଧାୟକ ଅରୁଣ ସାହୁ । ବିଜେପି ଗୋବେଲ୍ସ ଥିଓରୀ ଆପଣାଇ ତିନି ତୁଣ୍ଡରେ ଛେଳିକୁ କୁକୁର କରିବାକୁ ଅପଚେଷ୍ଟା କରୁଛ । ଯେଉଁଥିପାଇଁ ବିଜେପି ବାରମ୍ବାର ଓଡିଶାରେ ପ୍ରତ୍ୟାକ୍ଷାତ ହେଉଛି । ବିଜେପିର ଚକ୍ରାନ୍ତକୁ ଓଡିଶାବାସୀ ବୁଝି ସାରିଛନ୍ତି । ବିଧାନସଭାରେ ଲୋକଙ୍କ ସ୍ବାର୍ଥକୁ ଗୁରୁତ୍ବ ନେଇ ଅଜଥା ରାଜନୀତି କରୁଛନ୍ତି ବିରୋଧୀ । ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ନଖ ଓ ମାଉଁସ ସଦୃଶ ।  ସେମାନେ ଉଭୟ ଉଭୟଙ୍କ ପରିପୂରକ । ଜନପ୍ରତିନିଧି ଓ ସରକାରୀ ଅଧିକାରୀ ସମସ୍ତେ ସାଧାରଣ  ଲୋକଙ୍କ ସେବା ପାଇଁ କାମ କରୁଛନ୍ତି । କିନ୍ତୁ ବିରୋଧୀ ଦଳ ଏକଥାକୁ ବୁଝୁନାହାଁନ୍ତି କି ବୁଝିବାକୁ ଚେଷ୍ଟା କରୁନାହାଁନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାର ଦାୟିତ୍ବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର । କିନ୍ତୁ ବିରୋଧ ଏଭଳି ସେବା ମନୋବୃତିର ତତ୍ବକୁ ଭିନ୍ନ ଭାବେ ଚିତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି ।

‘ଅପରେସନ୍ ଅମୃତ’: ଖାଲିସ୍ତାନୀ ସମର୍ଥକ ଅମୃତପାଲ ପଳାତକ ଘୋଷିତ, ୭୮ ସହଯୋଗୀ ଗିରଫ

ଚଣ୍ଡିଗଡ଼: ଖାଲିସ୍ତାନୀ ସମର୍ଥକ ତଥା ‘ଓ୍ବାରିସ ପଞ୍ଜାବ ଦି’ ମୁଖ୍ୟ ଅମୃତପାଲ ସିଂ ପଳାତକ ଘୋଷିତ । ଅମୃତପାଲଙ୍କ ୭୮ ଜଣ ସହଯୋଗୀଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ଅମୃତପାଲଙ୍କୁ ଧରିବାକୁ ପଞ୍ଜାବ ପୋଲିସ ଆରମ୍ଭ କରିଛି ‘ଅପରେସନ ଅମୃତ’ । ପୂରା ରାଜ୍ୟର ପ୍ରାୟ ୩ ଶହ ସ୍ଥାନରେ ପୋଲିସ କରିଥିଲା ଚଢ଼ାଉ । ଏଥିପାଇଁ ପୋଲିସର ୫ଟି ଟିମ୍ ଗଠନ କରାଯାଇଥିଲା । ଅପରେସନ ଅମୃତ ପାଇଁ ରବିବାର ଦିନ ୧୨ଟା ପର୍ଯ୍ୟନ୍ତ ପଞ୍ଜାବରେ ଇଣ୍ଟନେଟ ସେବା ବନ୍ଦ ରଖାଯାଇଛି । ଏବେ ବି ଅମୃତପାଲ ଫେରାର ଅଛି ।

ଆଜି ଅମୃତପାଲଙ୍କ କିଛି ସମର୍ଥକ ସୋସିଆଲ ମିଡ଼ିଆରେ କିଛି ଭିଡିଓ ପୋଷ୍ଟ କରି ପୋଲିସ ସେମାନଙ୍କ ପିଛା କରୁଥିବା କହୁଥିବା ଦେଖିବାକୁ ମିଳିଥିଲା । ଗୋଟିଏ ଭିଡିଓରେ ଅମୃତପାଲ ଏକ ଗାଡ଼ିରେ ବସିଥିବା ବେଳେ ତାଙ୍କ ଜଣେ ସହଯୋଗୀ ପୋଲିସ ଆମ ପଛରେ ପଡ଼ିଛି କହୁଥିବା ଶୁଣିବାକୁ ମିଳିଥିଲା ।

ସୁଚନାଯୋଗ୍ୟ, ଗତମାସ ୨୩ ତାରିଖରେ ଅମୃତପାଲ ଏବଂ ତାଙ୍କ ସମର୍ଥକ ଏକ ଖଣ୍ଡା ଓ ପିସ୍ତଲ ଧରି ଅଜନାଲା ଥାନାରେ ପଶି ଯାଇଥିଲେ । ଜଣେ ସମର୍ଥକଙ୍କୁ ଛଡ଼ାଇବା ପାଇଁ ସେମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ଅମୃତପାଲଙ୍କୁ ଗିରଫ ନକରିବା କାରଣରୁ ପଞ୍ଜାବ ପୋଲିସ ସବୁ ମହଲରେ ସମାଲୋଚନାର ଶିକାର ହେଉଛି ।

ଅମୃତସରର ଜଲ୍ଲାପୁର ଖେଡା ଗାଁରେ ଜନ୍ମିତ ଅମୃତପାଲ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛି । ସେ ନିଜକୁ ଖାଲିସ୍ତାନୀ ଆତଙ୍କବାଦୀ ଜେନେରାଲ ସିଂ ଭଣ୍ଡରାଓ୍ବାଲେର ସମର୍ଥକ ବୋଲି ଦାବି କରିଥାଏ । ଦୁବାଇରେ ରହି ସେ ଟ୍ରାନ୍ସପୋର୍ଟ କାମ କରୁଥିଲା । ଗତବର୍ଷ ନଭେମ୍ବରରେ ସେ ଦୁବାଇରେ ବିଜନେସ ବନ୍ଦ କରି ପଞ୍ଜାବ ପଳାଇ ଆସିଥିଲା । ଖାଲିସ୍ତାନ, ଭଣ୍ଡରାଓ୍ବାଲେ ଓ ଏମାନଙ୍କ ସମ୍ପର୍କରେ ଜଡିତ ସବୁ ଜ୍ଞାନ ସେ ଇଣ୍ଟରନେଟରୁ ପାଇଥିଲା ।

୨୦୨୪ ମାର୍ଚ୍ଚ ସୁଦ୍ଧା ପୁରୀ ହେବ ବିଶ୍ୱସ୍ତରୀୟ ହେରିଟେଜ ସହର

ଭୁବନେଶ୍ୱର: ନିର୍ମାଣ କ୍ଷେତ୍ରରେ ଆଗୁଆ ଓଡ଼ିଶା। ୨୦୨୪ ମାର୍ଚ୍ଚ ସୁଦ୍ଧା ପୁରୀ ହେବ ବିଶ୍ୱସ୍ତରୀୟ ହେରିଟେଜ ସହର। ସେହିପରି ୬ ଲେନ୍ ବିଶିଷ୍ଟ କଟକ ରିଂ ରୋଡ୍, ୪ ଲେନ୍ ବିଶିଷ୍ଟ କଟକ-ପାରାଦୀପ ରାସ୍ତା ଏଥର ସରିବ । ବଜେଟ ପରବର୍ତ୍ତୀ ପ୍ରେସ ମିଟରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ ମଲ୍ଲିକ । ବ୍ରହ୍ମପୁର-ଜୟପୁର ୪ ଥାକିଆ ରାସ୍ତା ଏଥର ନୂଆ ଯୋଜନାରେ ସାମିଲ ହୋଇଛି । ଏଥିପାଇଁ ରାଜ୍ୟ ବଜେଟରେ ବ୍ୟୟବରାଦ କରାଯାଇଛି । ୨୦ ବର୍ଷ ଭିତରେ ରାଜ୍ୟର ସମୁଦାୟ ସଡ଼କ ୧୬ ହଜାର ୪୧ ରୁ ୩୧ ହଜାର ୩୧୭ କିଲୋମିଟରରେ ପହଞ୍ଚିଛି । ବଜେଟ ୨୯୮ କୋଟିରୁ ୯୫୦୦ କୋଟିରେ ପହଂଚିଛି । ଏଥର ୩ ହଜାର କିଲୋମିଟର ପାଇଁ ୪୬ ଶହ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।

ବିଜୁ ଏକ୍ସପ୍ରେସ କରିଡର ନୂଆପଡ଼ାଠାରୁ ଆମପାଣି ଯାଏଁ ୧୭୬ କିଲୋମିଟର ବିଭାଗର ଏକ ଉଲ୍ଲେଖନୀୟ ସଫଳତା । ୩୧୪ ବ୍ଲକକୁ ଦୁଇ ଥାକିଆ ସଂଯୋଗ ରାସ୍ତା କରାଯାଇଛି । ଅବଢ଼ା ଯୋଜନାରେ ୨୨୪ କୋଟି, ଐତିହ୍ୟ କ୍ଷେତ୍ରର ବିକାଶ ପାଇଁ ୧୫୮ କୋଟିର ବ୍ୟବସ୍ଥା ହୋଇଛି । ଜୟପୁରରୁ ବ୍ରହ୍ମପୁର ୩୩୫ କିଲୋମିଟର ରାସ୍ତା ଚାରିଥାକିଆ କରାଯିବ। ବିଭିନ୍ନ ସହରରେ ରିଂ ରୋଡ଼ କରାଯିବ । ମେଡିକାଲ କଲେଜ ହେଉ କି ଆଦର୍ଶ ବିଦ୍ୟାଳୟ, ହସ୍ପିଟାଲ ହେଉ କି କୋର୍ଟ ବିଲ୍ଡିଂ ଏବଂ କ୍ରୀଡା ଭିତ୍ତିଭୂମି ନିର୍ମାଣ ଦାୟିତ୍ୱ ପୂର୍ତ୍ତ ବିଭାଗ ହାତରେ । ଏହା ସହ ରାଜ୍ୟ ରାଜପଥ, ଜାତୀୟ ରାଜପଥ, ପ୍ରମୁଖ ଜିଲ୍ଲା ସଡ଼କର ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଉଛି ପୂର୍ତ୍ତ ବିଭାଗ ।

ଇମ୍ରାନ ଖାନଙ୍କ ସୁରକ୍ଷା କାରକେଡ କାର୍ ଦୁର୍ଘଟଣାଗ୍ରସ୍ତ

ଇସଲାମାବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁରକ୍ଷା କାରକେଡର ଗୋଟିଏ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଲାହୋରରୁ ଇସଲାମାବାଦ ଗସ୍ତ ସମୟରେ ଗୋଟିଏ ସୁରକ୍ଷା ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କିନ୍ତୁ ଇମ୍ରାନଙ୍କ କାର ଦୁର୍ଘଟଣାରୁ ବର୍ତ୍ତିଯାଇ ସୁରକ୍ଷିତ ଇସଲାମାବାଦ ଫେରିଛି । ଲାହୋରରୁ ଇମ୍ରାନ ଆଜି ବାହାରି କୋର୍ଟରେ ହାଜର ହେବାକୁ ଯାଉଥିଲେ । ତୋଷଖାନା ମାମଲାରେ ଆଜି ଶୁଣାଣି ହେବ । ଏହି ମାମଲାରେ ଗିରଫଦାରୀ ଏଡ଼ାଇବାକୁ ସେ ବାରମ୍ବାର କୋର୍ଟରେ ହାଜର ହେବାକୁ ବାହାନା କରିଆସୁଥିଲେ ।

ନିର୍ବାଚନବେଳେ ସଂପତ୍ତି ତାଲିକା ଦର୍ଶାଇବା ବେଳେ ସେ ପାଇଥିବା ଗିଫ୍ଟ ବିଷୟରେ କିଛି ଉଲ୍ଲେଖ କରିନଥିଲେ । ଏନେଇ ପାକିସ୍ତାନ ନିର୍ବାଚନ କମିଶନ କୋର୍ଟରେ ଏକ ଅଭିଯୋଗ କରିଥିଲେ । ତେବେ ବାରମ୍ବାର ନୋଟିସ ସତ୍ତ୍ବେ ଇମ୍ରାନ କୋର୍ଟରେ ହାଜର ନହେବାରୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଥିଲା । ତେବେ କାଲି ତାଙ୍କୁ କୋର୍ଟରୁ ଗିରଫଦାରୀ ନହେବାର ଆଶ୍ବସ୍ତି ମିଳିବା ପରେ ଆଜି କୋର୍ଟରେ ହାଜର ହେବାକୁ ଗଲାବେଳେ ବାଟରେ ଗୋଟିଏ ସୁରକ୍ଷା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଦାବି ଶୁଣୁନାହାନ୍ତି କେନ୍ଦ୍ର ଓ ମହାରାଷ୍ଟ୍ର ସରକାର, ଲଙ୍ଗମାର୍ଚ୍ଚରେ ଚାଲୁଚାଲୁ ଚାଲିଗଲା ଚାଷୀଙ୍କ ପ୍ରାଣ

ମୁମ୍ବାଇ: ଦାବି ଶୁଣୁନାହାନ୍ତି ସରକାର । ଲଙ୍ଗମାର୍ଚ୍ଚରେ ଚାଲୁଚାଲୁ ଚାଲିଗଲା ପ୍ରାଣ । ପିଆଜ, କପା ଓ ସୋୟାବିନର ଅଭାବୀ ବିକ୍ରିକୁ ନେଇ ମହାରାଷ୍ଟ୍ର ନାସିକରୁ ମୁମ୍ବାଇ ପଦଯାତ୍ରା ଜାରି ରହିଥିବାବେଳେ ବାଟରେ ପ୍ରାଣ ହରାଇଛନ୍ତି ଜଣେ ଚାଷୀ । ଗଭୀର କ୍ଷତିର ସମ୍ମୁଖୀନ ହେଉଥିବା ଚାଷୀଙ୍କ ମଧ୍ୟରୁ ନାସିକର ଦିନ୍ଦୋରି ଅନ୍ତର୍ଗତ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା, ମନ୍ଦିର ଟ୍ରଷ୍ଟ ଅଧୀନରେ ଥିବା ଜମିକୁ ହସ୍ତାନ୍ତର କରିବା, ଗୋଚର ଜମିକୁ ଚାଷୀଙ୍କୁ ହସ୍ତାନ୍ତର କରିବା ଆଦି ୧୪ ଦଫା ଦାବିରେ ଚାଲିଛି ୨୦୦ କିଲୋମିଟର ବ୍ୟାପୀ ପଦଯାତ୍ରା । ସେପଟେ ଥାନେ ଅନ୍ତର୍ଗତ ଭାସିନ୍ଦିରେ ପହଞ୍ଚିଛି ଏହି ମହାରାଲି ।

ଓଡ଼ିଶାରେ କେବେ ହେବ ବିଧାନ ପରିଷଦ ଗଠନ, ପ୍ରସ୍ତାବ ପାରିତ ପରେ କେନ୍ଦ୍ର କୋର୍ଟରେ ବଲ

ଭୁବନେଶ୍ୱର: ପାର୍ଲାମେଣ୍ଟରେ ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସ୍ତାବ କେନ୍ଦ୍ର ପାସ୍‌ କରିବା ଦାବି ଜୋର ଧରିଲା l ବିଜେଡି ବିଧାୟକ ତଥା ବିଧାନ ପରିଷଦ କମିଟି ଅଧ୍ୟକ୍ଷ ନୃସିଂହ ସାହୁ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ୨୦୧୮ରେ ବିଧାନସଭାରେ ସର୍ବସମ୍ମତି କ୍ରମେ ବିଧାନ ପରିଷଦ ପ୍ରସ୍ତାବ ପାରିତ ହୋଇଥିଲା l ଏହାକୁ କେନ୍ଦ୍ର ନିକଟକୁ ପଠାଯାଇଛି l ଗତକାଲି BJD ସାଂସଦ ପିନାକୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଆସିଛି l କେନ୍ଦ୍ର ଏହାକୁ ବିଚାର କରୁଛି ଓ ନିର୍ଦ୍ଦିଷ୍ଟ ସମୟ ଦେଉନାହିଁ l ତୁରନ୍ତ କେନ୍ଦ୍ର ସରକାର ବିଧାନ ପରିଷଦ ପ୍ରସ୍ତାବ ପାରିତ କରନ୍ତୁ l

ଏନେଇ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଓଡ଼ିଶାରେ ବିଧାନ ପରିଷଦ ଗଠନ ଆବଶ୍ୟକ l ବିଭିନ୍ନ ରାଜ୍ୟ ବୁଲି ବିଧାନ ପରିଷଦ ନେଇ ରିପୋର୍ଟ ସଂଗ୍ରହ କରାଯାଇଥିଲା । କେନ୍ଦ୍ର ଏହା ଉପରେ ତୁରନ୍ତ ମୋହର ମାରୁ l ଓଡ଼ିଶାରେ ବିଧାନ ପରିଷଦ ଗଠନ ଆବଶ୍ୟକ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ କହିଛନ୍ତି । ବିଧାନସଭା ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ତୁରନ୍ତ କେନ୍ଦ୍ର ମୋହର ମାରୁ l

ଦୁଇ ବର୍ଷ ପରେ ଫେସବୁକ ଓ ୟୁଟ୍ୟୁବକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ୍

ଓ୍ୱାଶିଂଟନ: ଫେସବୁକ୍ ଓ ୟୁଟ୍ୟୁବକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଗତ ୨୦୨୧ ଜାନୁଆରୀରେ ଓ୍ବାଶିଂଟନରେ ହଙ୍ଗାମା ସୃଷ୍ଟି କାରଣରୁ ତାଙ୍କୁ ହଟାଇ ଦେଇଥିଲେ ଦୁଇ କମ୍ପାନୀ । ତେବେ ଆଜି ଫେସବୁକକୁ ଫେରି I AM BACK! ବୋଲି ୧୨ ସେକଣ୍ଡର ଏକ ଭିଡିଓ କ୍ଲିପ ଜାରି କରିଛନ୍ତି ଟ୍ରମ୍ପ । ବିଭିନ୍ନ ବିବାଦୀୟ ବୟାନବାଜି କାରଣରୁ ତାଙ୍କୁ ଦୁଇ ବର୍ଷ ତଳେ ଫେସବୁକ ଓ ୟୁଟ୍ୟୁବରୁ ହଟାଇଦିଆଯାଇଥିଲା । ଫେସବୁକରେ ୭୬ ବର୍ଷ ବୟସ୍କ ରିପବ୍ଲିକାନ ନେତା ଟ୍ରମ୍ପଙ୍କ ୩୪ ନିୟୁତ ଫଲୋୟର୍ସ ରହିଥିବାବେଳେ ୟୁଟ୍ୟୁବରେ ରହିଛନ୍ତି ୨୬ ଲକ୍ଷ ଫଲୋୟର ।

ଗତ ୨୦୨୧ ଜାନୁଆରୀ ୬ରେ ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ ଓ୍ବାଶିଂଟନସ୍ଥିତ କ୍ୟାପିଟଲ ସମ୍ମୁଖରେ ନାରାବାଜି କରିବା ସହ ରାଷ୍ଟ୍ରପତି ଭାବେ ବିଜୟୀ ହୋଇଥିବା ଜୋ ବାଇଡେନଙ୍କୁ ଅଯୋଗ୍ୟ ଘୋଷଣା ଲାଗି ଦାବି କରିଥିଲେ । ଏହି ଘଟଣାକୁ ନେଇ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ବ୍ଲକ କରିଦିଆଯାଇଥିଲା । ଟ୍ୱିଟରରେ ତାଙ୍କ ଫଲୋୟରଙ୍କ ସଂଖ୍ୟା ରହିଥିଲା ୮୭ ନିୟୁତ । ତେବେ ଗତବର୍ଷ ନଭେମ୍ବରରେ ଏଲନ ମସ୍କଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଟ୍ୱିଟରରେ ଅନବ୍ଲକ କରାଯାଇଥିଲା । ଟ୍ରମ୍ପଙ୍କ ବୟାନବାଜିକୁ ବିରୋଧ କରି ଆମେରିକାନ ସିଭିଲ ଲିବର୍ଟିଜ ୟୁନିଅନ ପକ୍ଷରୁ ୪୦୦ରୁ ଅଧିକ ଲିଗାଲ ନୋଟିସ ଦିଆଯାଇଥିଲା ।

ଆରମ୍ଭ ହେଲା କଳାଟଙ୍କା ସମ୍ପର୍କିତ ଏସଆଇଟିର ନବମ ବୈଠକ

କଟକ: ଆରମ୍ଭ ହେଲା କଳାଟଙ୍କା ସମ୍ପର୍କିତ ଏସଆଇଟିର ନବମ ବୈଠକ । ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ କଟକ ବାସଭବନରେ ବୈଠକ ଚାଲିଛି । ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି । ରାଜ୍ୟରେ ବୃଦ୍ଧି ପାଉଥିବା ନିଶା କାରବାର ପ୍ରସଙ୍ଗରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ମଧ୍ୟ ତଥ୍ୟ ରଖାଯାଇପାରେ ।

ଇଡି ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବ୍ୟତୀତ ସିବିଆଇ, ଆୟକର ବିଭାଗ, ସିବିଡିଟି, କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ, ଜିଏସଟି, ରାଜସ୍ବ, ଗୁଇନ୍ଦା ଭଳି ବିଭିନ୍ନ ତଦନ୍ତକାରୀ ସଂସ୍ଥାର ବରିଷ୍ଠ ଅଧିକାରୀ କଳାଧନ ଠୁଳ ଅଭିଯୋଗ ନେଇ କରିଥିବା ତଦନ୍ତର ସବିଶେଷ ରିପୋର୍ଟ ପ୍ରଦାନ କରିବେ । ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଳାଧନ ସମ୍ପର୍କରେ ଏହି କମିଟି ଗଠନ ହୋଇଛି ।

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ବୀକାର କଲା ବୋର୍ଡ, ମୁଦ୍ରଣଜନିତ ତ୍ରୁଟି ହୋଇଥିବା କହିଲେ ବୋର୍ଡ ସଭାପତି

କଟକ: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ୱୀକାର କଲା ବୋର୍ଡ। ମୁଦ୍ରଣ ଜନିତ ତ୍ରୁଟି ହୋଇଥିବା କହିଲେ ବୋର୍ଡ ସଭାପତି। କିଛି ସେଣ୍ଟରରେ ଏହି ଭଳି ତ୍ରୁଟି ହୋଇଥିବା କହିଛି ବୋର୍ଡ। ଖାତା ଦେଖା ବେଳେ ସେସବୁକୁ ଧ୍ୟାନରେ ରଖାଯିବ । ଛାତ୍ରଛାତ୍ରୀ ଚିନ୍ତିତ ନହେବାକୁ ପରାମର୍ଶ ଦେଇଛନ୍ତି ବୋର୍ଡ ସଭାପତି । ଅଳ୍ପ ଛାତ୍ରଛାତ୍ରୀ ଏଭଳି ପ୍ରଶ୍ନପତ୍ର ପାଇଥିଲେ।

ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏହିଭଳି ମୁଦ୍ରଣ ଜନିତ ତ୍ରୁଟି ହୋଇଛି। B ସେଟ୍ ଭିତରେ A ସେଟ୍ ପ୍ରଶ୍ନପତ୍ର ପ୍ରିଣ୍ଟ ହୋଇଥିଲା । ଏହି ଘଟଣାର ତଦନ୍ତ କରାଯିବ। ଏଭଳି ତ୍ରୁଟି ପୁନର୍ବାର ହେବ ନାହିଁ ବୋଲି ବୋର୍ଡ ସଭାପତି ରାମଶିଷ ହାଜରା ସୂଚନା ଦେଇଛନ୍ତି । ଆଜି ଢେଙ୍କାନାଳରେ ପ୍ରଶ୍ନ ପତ୍ର ତ୍ରୁଟି ହୋଇଥିବା ଖବର ଆସିଛି । B ସେଟ୍ ପ୍ରଶ୍ନ ପତ୍ରରେ A ସେଟର ପ୍ରଶ୍ନ ଥିଲା । ସର୍ବ ମୋଟ ୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।