ଆଜି ଭାରତ ଆସୁଛନ୍ତି ୟୁକ୍ରେନ ଅତିରିକ୍ତ ବିଦେଶ ମନ୍ତ୍ରୀ, ସମର୍ଥନ ପାଇଁ କରିପାରନ୍ତି ନିବେଦନ

ନୂଆଦିଲ୍ଲୀ: ଆଜିଠୁ ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ୟୁକ୍ରେନର ଅତିରିକ୍ତ ବିଦେଶ ମନ୍ତ୍ରୀ ଏମିନି ଡିଜାପୋର୍ଭା । ଋଷ ଓ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନର କୌଣସି ମନ୍ତ୍ରୀ ପ୍ରଥମ ଥର ପାଇଁ ଭାରତ ଆସୁଛନ୍ତି । ଏମିନି ଏହି ଗସ୍ତ ସମୟରେ ଭାରତର ବୈଦେଶିକ ମନ୍ତ୍ରାଳୟ ସହ ବ୍ୟାପକ ଆଲୋଚନା କରିବେ ବୋଲି ସ୍ପଷ୍ଟ ହୋଇଛି । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁକ୍ରେନ୍ ଯିବା ପାଇଁ ନିମନ୍ତ୍ରଣ କରିବେ ବୋଲି ଜଣାପଡ଼ିଛି । ଭାରତ ଓ ୟୁକ୍ରେନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଓ ବିଶ୍ବ ସମସ୍ୟା ନେଇ ଆଲୋଚନା ହେବ ।

ଋଷର ଆକ୍ରମଣ ଯୋଗୁଁ ୟୁକ୍ରେନର ହୋଇଥିବା କ୍ଷତି ସମ୍ପର୍କରେ ସବିଶେଷ ତଥ୍ୟ ଦେବେ ଏମିନି । ଗତବର୍ଷ ଭାରତ ସରକାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା କରିଥିଲେ । ଯୁଦ୍ଧ ସମୟରେ କୌଣସି ସହାୟତାର ଆବଶ୍ୟକ ପଡ଼ିଲେ ସହାୟତା ଦିଆଯିବ ବୋଲି ଭାରତ ସରକାର କହିଥିଲେ । ଭାରତ ଋଷ ଓ ୟୁକ୍ରେନରୁ ସମଦୂରତା ରକ୍ଷା କରୁଥିବା ବେଳେ ୟୁକ୍ରେନ ପ୍ରତି ଯଥେଷ୍ଟ ସମର୍ଥନ ପାଇଁ ଏମିନି ନିବେଦନ କରିପାରନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଋଷର ଆକ୍ରମଣକୁ ଭାରତ ନିନ୍ଦା କରିନଥିବା ବେଳେ ୟୁକ୍ରେନ କୂଟନୈତିକ ପ୍ରସ୍ତାବ ରଖିପାରେ ବୋଲି ବୈଦେଶିକ ବିଶେଷଜ୍ଞ ଅନୁମାନ କରିଛନ୍ତି ।