କୋରିଅର କମ୍ପାନୀର ତ୍ରୁଟି ପାଇଁ ବିମାନରେ ବଦଳି ଗଲା ଶବ

କଟକ: ବିମାନରେ ବଦଳି ଗଲା ଶବ । କୋରିଅର କମ୍ପାନୀର ତ୍ରୁଟି ପାଇଁ ଆତ୍ମୀୟଙ୍କ ଶବ ସତ୍କାର କରିପାରିଲାନି ପରିବାର । କଟକ ଜିଲ୍ଲା ନେମାଳ କୁଆଁଡୋଲ ଗାଁରେ ଅଭାବନୀୟ ଘଟଣା । ଗ୍ରାମର ବିଳାସ ଭୁୟାଁ ମୁମ୍ବାଇର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ୭ଦିନ ତଳେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେବା ଯୋଗୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ, ଏକ କୋରିଅର କମ୍ପାନୀ ପକ୍ଷରୁ ବିମାନରେ ବିଳାସଙ୍କ ମୃତଦେହ ଓଡ଼ିଶା ଆସିଥିଲା । ସେହି ବିମାନରେ ରାଜସ୍ଥାନ ଜୟପୁରର ଅନ୍ୟ ଜଣେ ବ୍ୟକ୍ତିଙ୍କର ଶବ ଯାଉଥିବା ବେଳେ କୋରିଆର କମ୍ପାନୀର ତ୍ରୁଟି ଯୋଗୁ ବିମାନରେ ହିଁ ଶବ ଅଦଳବଦଳ ହୋଇଯାଇଥିଲା । ନେମାଳରେ ଶବ ବାକ୍ସ ପହଞ୍ଚିବା ପରେ ମୃତଦେହ ଫୁଲି ଯାଇଥିବାରୁ ପରିବାର ଲୋକ ଚିହ୍ନି ନପାରି ଶେଷସଂସ୍କାର କରାଇ ଦେଇଥିଲେ ।

ମାତ୍ର ରାଜସ୍ଥାନ ଯାଇଥିବା ଶବ ତାଙ୍କର ନୁହେଁ ବୋଲି ଜାଣିବା ସହ ପରିବାର ଲୋକେ କୋରିଆର କମ୍ପାନୀ ସହ ଯୋଗାଯୋଗ କରିଥିଲେ । ଯାଞ୍ଚ ପରେ ବିମାନରେ ଶବ ବଦଳି ଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ନେମାଳ ଆସିଥିବା ଶବ ଜୟପୁରର ଓ ଜୟପୁର ଯାଇଥିବା ନେମାଳର ବିଳାସଙ୍କର ବୋଲି ଜଣାପଡ଼ିଥିଲା । ଜୟପୁର ପରିବାର ନେମାଳକୁ ଶବ ଫେରାଇବାକୁ ବନ୍ଦୋବସ୍ତ କରୁଥିବା ବେଳେ ବିଳାସଙ୍କ ପରିବାର ରଖିଥିବା ଚିତାଭସ୍ମ ସେମାନଙ୍କୁ ଦେବେ ବୋଲି ଜଣାପଡ଼ିଛି । ଘଟଣା ସମ୍ପର୍କରେ ବିଳାସଙ୍କ ପରିବାର ପକ୍ଷରୁ ସୂଚନା ମିଳି ନଥିବା ବେଳେ ଆସନ୍ତାକାଲି ବିଳାସଙ୍କ ମୃତଦେହ ନେମାଳରେ ପହଞ୍ଚିବ ବୋଲି ଜଣାପଡ଼ିଛି ।