୨୦ ଦିନରେ ଭାଙ୍ଗିଯିବ ଶିନ୍ଦେ-ଫଡନାଭିସ ସରକାର: ସଞ୍ଜୟ ରାଉତ

1 min read

ମୁମ୍ବାଇ: ୨୦ ଦିନରେ ଭାଙ୍ଗିଯିବ ଶିନ୍ଦେ-ଫଡନାଭିସ ସରକାର । ଏପରି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ସାଂସଦ ସଞ୍ଜୟ ରାଉତ । ମହାରାଷ୍ଟ୍ରରେ ଜାରି ରାଜନୈତିକ ଯୁଦ୍ଧ ମଧ୍ୟରେ ସଞ୍ଜୟଙ୍କ ଏହି ବୟାନକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ଏବଂ ବିଜେପିର ମେଣ୍ଟ ସରକାର ଗଠନ ହେବା ପରଠୁ ଉଦ୍ଧବ ଗୋଷ୍ଠୀ ଲଗାତାର ତାଙ୍କୁ ଟାର୍ଗେଟ କରିଆସୁଛନ୍ତି । ଶିନ୍ଦେଙ୍କ ବିଦ୍ରୋହ ପରଠୁ ଉଦ୍ଧବ ଠାକରେଙ୍କ ପାଖରୁ ପ୍ରଥମେ ବିଧାୟକ, ପରେ କ୍ଷମତା ଏବଂ ଶେଷରେ ଶିବସେନା ଦଳ ଚାଲିଯାଇଥିଲା । ସେବେଠାରୁ ଉଦ୍ଧବ ଗୋଷ୍ଠୀ ଏକନାଥ ଶିନ୍ଦେ ଏବଂ ବିଜେପି ଉପରେ ଭିନ୍ନ ଭିନ୍ନ ଅଭିଯୋଗ କରୁଛନ୍ତି ।

ଏହି କ୍ରମରେ ସାଂସଦ ସଞ୍ଜୟ ରାଉତଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ସଞ୍ଜୟ ଦାବି କରିଛନ୍ତି ଯେ, ଶିନ୍ଦେ-ଫଡନଭିସ ସରକାର ଆଗାମୀ ୧୫-୨୦ ଦିନ ମଧ୍ୟରେ ଭାଙ୍ଗିଯିବ । ରାଉତ ଏକ ବୟାନରେ କହିଛନ୍ତି, ମହାରାଷ୍ଟ୍ରରେ ଶିନ୍ଦେ-ଫଡନାଭିସ ସରକାରର ଡେଥ ୱାରେଣ୍ଟ ଜାରି ହୋଇ ସାରିଛି । କେବଳ ତାରିଖ ଘୋଷଣା ହେବା ବାକି ଅଛି । ମୁଁ ପୂର୍ବରୁ ହିଁ କହିଥିଲି ଶିନ୍ଦେ ସରକାର ଫେବ୍ରୁଆରୀରେ ଭାଙ୍ଗିଯିବ କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟରେ ବିଳମ୍ବ କାରଣରୁ ଏହି ସରକାରଙ୍କ ଲାଇଫଲାଇନ ବଢ଼ିଯାଇଥିଲା ।

ଏଥିସହିତ ସେ ଦୃଢୋକ୍ତି ପ୍ରକାଶ କରିଥିଲେ ଯେ ଆଗାମୀ ୧୫-୨୦ ଦିନରେ ସରକାର ଭାଙ୍ଗିଯିବ । ସୂଚନାଥାଉକି, ଗତ ବର୍ଷ ଜୁନରେ ଏକନାଥ ଶନ୍ଦେ ଗୋଷ୍ଠୀ ଦଳ ସହ ବିଦ୍ରୋହ କରିଥିଲେ । ଏହାପରେ ଉଦ୍ଧବ ସରକାର ଭାଙ୍ଗିଯାଇଥିଲା । ଶିନ୍ଦେ ବିଦ୍ରୋହୀ ବିଧାୟକଙ୍କ ସହ ବିଜେପି ସମର୍ଥନରେ ସରକାର ଗଠନ କରିଥିଲେ । ଏହାପରେ ଉଦ୍ଧବ ଠାକରେ ଗୋଷ୍ଠୀର ଅନେକ ନେତା ଶିନ୍ଦେ ଗୋଷ୍ଠୀରେ ସାମିଲ ହୋଇଯାଇଥିଲେ । ସେହିପରି ଶିବସେନାର ନାଁ ଏବଂ ଦଳର ଚିହ୍ନ ମଧ୍ୟ ଶିନ୍ଦେ ଗୋଷ୍ଠୀଙ୍କ ପାଖକୁ ଚାଲିଯାଇଥିଲା ।