ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ ବିଜେପିର ବରିଷ୍ଠ ନେତା ତ୍ରିନାଥ

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ ବିଜେଡିର ବଢୁଛି ବଳ । ଅନ୍ୟ ଦଳ ଛାଡି ଶଙ୍ଖମୁହାଁ ହେଉଛନ୍ତି ନେତା ଓ କର୍ମୀ । ଝାରସୁଗୁଡାର ଅନେକ ଅନ୍ୟ ଦଳର କର୍ମୀ ବିଜେଡିରେ ସାମିଲ । ଶଙ୍ଖ ଭବନରେ ଆଜି ବିଜେପିର ସକ୍ରିୟ ନେତା ତ୍ରିନାଥ ଗୁଆଲ ବିଜେଡିରେ ସାମିଲ ହୋଇଛନ୍ତି । ଟଙ୍କଧର ତ୍ରିପାଠୀଙ୍କୁ ଟିକେଟ ମିଳିବା ପରେ ଅସନ୍ତୁଷ୍ଟ ଥିଲେ ତ୍ରିନାଥ । ଝାରସୁଗୁଡ଼ା ପୌର ପରିଷଦ ନିର୍ବାଚନରେ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ଥିଲେ ତ୍ରିନାଥ । ଏବେ ଝାରସୁଗୁଡ଼ା ବାର କାଉନ୍ସିଲ ସଭାପତି ଅଛନ୍ତି ତ୍ରିନାଥ ।  ଶଙ୍ଖ ଭବନ ଲୋକାର୍ପିତ ହେବା ପରେ ଏହା ପ୍ରଥମ ମିଶ୍ରଣ ପର୍ବ । ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ।

ଏହି ମିଶ୍ରଣ ପର୍ବରେ ବିଜେଡିର ରାଜ୍ୟ ଉପସଭାପତି ଦେବୀପ୍ରସାଦ ମିଶ୍ର, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ଝାରସୁଗୁଡ଼ା ଉପରନିର୍ବାଚନ ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ସାରଦା ନାୟକ ଉପସ୍ଥିତ ଥିଲେ । ବିଜେଡିରେ ସାମିଲ ହେବା ପରେ ତ୍ରିନାଥ କହିଛନ୍ତି ବିଜେଡିର ନୀତି ଓ ଆଦର୍ଶ ମୋତେ ଆକୃଷ୍ଟ କରିଛି । ଆଜି ମୋ ପାଇଁ ସୌଭାଗ୍ୟର ଦିନ । ଦଳ ପ୍ରତି ସମର୍ପିତ ହୋଇ କାର୍ଯ୍ୟ କରିବି । ଦଳ ଯେଉଁ ଦାୟିତ୍ୱ ଦେବ ତାକୁ ଗ୍ରହଣ କରିବି ବୋଲି ତ୍ରିନାଥ କହିଛନ୍ତି ।