ରାଜ୍ୟରେ ଜାରି ରହିଛି କୋହଲା ପାଗ, ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହେଉଛି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କୋହଲା ପାଗ । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହେଉଛି । ଆହୁରି ତିନି ଦିନ ଯାଏ କାଳବୈଶାଖୀ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ସ୍ବାଭାବିକଠାରୁ ୪ରୁ ୫ଡିଗ୍ରୀ କମ ରହିବା ସହ ବର୍ଷା ଲାଗିରହିବ । ପାଣିପାଗର ନିୟାମକ ଅନୁସାରେ ହିମାଳୟ ପାଦଦେଶରେ ଏକ ନିମ୍ନ ଚାପରେଖା ପଶିମବଙ୍ଗ ଉପତ୍ୟକାରୁ ସିକିମ ଓ ଛତିଶଗଡ଼ ପର୍ଯ୍ୟନ୍ତ ଲମ୍ବିଛି ।

ଏହାସହ ଓଡିଶା ନିକଟରେ ଆଉ ଏକ ନିମ୍ନ ଚାପରେଖା ଶୂନ ଦଶମିକ ୯ କିଲୋମିଟର ଯାଏ ବାୟୁମଣ୍ଡଳରେ ବ୍ୟାପିଛି । ସେହିପରି ବଙ୍ଗୋପସାଗରରରେ ଏକ ଗୁରୁଚାପବଳୟ ମଧ୍ୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଜଳୀୟବାଷ୍ପର ମାତ୍ରା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଉଛି। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ନେଇ ସତର୍କ କରିଥି ପାଣିପାଗ କେନ୍ଦ୍ର । ଏଥିପାଇଁ ୮ଟି ଜିଲ୍ଲା କଳାହାଣ୍ଡି ,ରାୟଗଡା ,କୋରାପୁଟ ,କନ୍ଧମାଳ, ଗଞ୍ଜାମ, ଯାଜପୁର, ଭଦ୍ରକ, ଅନୁଗୁଳକୁ ଅରେଞ୍ଜ ଏବଂ ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

କାଲି ମଧ୍ୟ ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଏଥିପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଉପକୂଳ ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିବ । ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଅମଳ ଶସ୍ୟକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୭୦ ମିମି ବର୍ଷା ରେକର୍ଡ କରାଯାଇଛି ।