ଲୋକସେବା ଭବନରେ ମିଲେଟ୍ ଶକ୍ତି କାଫେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର :  ପବିତ୍ର ଅକ୍ଷୟ ତୃତୀୟ ଅବସରରେ ଲୋକସେବା ଭବନରେ ମିଲେଟ ଶକ୍ତି କାଫେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟାକ । ପୁଷ୍ଟିହୀନତା ନିୟନ୍ତ୍ରଣରେ ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ୍ ଖାଦ୍ୟଶସ୍ୟର ଗୁରୁତ୍ଵ ଅନୁଭବ କରି ରାଜ୍ୟ ସରକାର ମିଲେଟ୍ ମିଶନ କାର୍ଯ୍ୟକାରୀ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୪୨ଟି ମିଲେଟ୍ ଆଉଟଲେଟ୍ ଖୋଲାଯାଇଛି । ଏହାସହ କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ଉଦଘାଟନ କରିଛନ୍ତି ନବୀନ ।

ରାଜ୍ୟ କୃଷି ଭବନରେ ଏହି କେନ୍ଦ୍ର ଏକ central command and control systi ଭାବରେ କାର୍ଯ୍ୟ କରିବ । କମ୍ପ୍ୟୁଟର ଓ ସୂଚନା ପ୍ରଯୁକ୍ତିର ପ୍ରୟୋଗରେ କ୍ଷେତ୍ରସ୍ତରରୁ ସୂଚନା ବାସ୍ତବ ସମୟରେ ହାସଲ କରି ନିଷ୍ପତ୍ତି ନେବାରେ ସହାୟତା କରିପାରିବ । ବିଭିନ୍ନ ଯୋଜନାର ସଫଳ ରୂପାୟନରେ ଏବଂ ଚାଷୀଙ୍କୁ ସହାୟତା କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ରାଜ୍ୟ ସରକାରଙ୍କ ଫାଇଭ-ଟି ଆଭିମୁଖ୍ୟରେ ଏହି କେନ୍ଦ୍ର ସ୍ଥାପନ କରାଯାଇଛି । କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ମୁଖ୍ୟ ମନ୍ତ୍ରୀଙ୍କୁ ଏହି କେନ୍ଦ୍ରର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।

ଏହା ସହିତ ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଶିଶୁ ସନ୍ତାନମାନଙ୍କ ପାଇଁ କ୍ରେଚ `କଳିକା’ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ ଜଣ ଶିଶୁ ରହିବାର ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ୍, ମହିଳା ଓ ଶିଶୁ ବିକାଶ ସଚିବ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ମିଲେଟ୍ସ ମିଶନ ଏବଂ ମିଶନ ଶକ୍ତିର ମିଳିତ ଉଦ୍ୟମରେ ମା ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ମିଲେଟ୍ ଶକ୍ତି କାଫେଟି ଲୋକ ସେବା ଭବନ ପରିସରରେ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଉତ୍ପାଦ ଗୁଡିକର ଏକ ବିକ୍ରୟ ପ୍ରତିଷ୍ଠାନ ଅଟେ । ଏହି ଉଦ୍ୟୋଗଟି ଲୋକ ସେବା ଭବନ ଏବଂ ଆଖପାଖର ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ସହାୟକ ହେବ । ଆଗାମୀ ଦିନରେ ରାଜ୍ୟର ପ୍ରମୁଖ ଜିଲ୍ଲା ତଥା ସହର ମାନଙ୍କରେ ମିଲେଟ୍ ଶକ୍ତି କାଫେ ଗୁଡିକ ଅଧିକ ସଂଖ୍ୟାରେ ପ୍ରତିଷ୍ଠା କରିବାକୁ ସରକାର ଯୋଜନା କରୁଛନ୍ତି ।

ଏଥିସହ ମୁଖ୍ୟମନ୍ତ୍ରୀ ଭାରତର ପ୍ରଥମ କୃଷି ସମୀକ୍ଷା କେନ୍ଦ୍ର ଉଦ୍‌ଘାଟିତ କରିଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ଏହିପରି ଏକ କୃଷି ସମୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରିଛି । ଏହା ହିତାଧିକାରୀଙ୍କୁ ଯୋଜନା ଓ ସେବା ପ୍ରଦାନକୁ ସୁନିଶ୍ଚିତ କରିବା ସହ କୃଷକ ତଥା ସମ୍ପ୍ରସାରଣ କର୍ମଚାରୀଙ୍କୁ ନିୟମିତ ଭାବରେ ଅଗ୍ରଗତି ଯାଞ୍ଚ କରି ଆବଶ୍ୟକ ସମୟରେ ସହାୟତା ପ୍ରଦାନ କରିବାରେ ସକ୍ଷମ ହେବ । ଏହି କୃଷି ସମୀକ୍ଷା କେନ୍ଦ୍ର ଗୁଣାତ୍ମକ ଉତ୍ପାଦନ ସାମଗ୍ରୀ ଯୋଗାଣ ସହ କୀଟନାଶକ, ରୋଗ ପରିଚାଳନା ଓ କୃଷକମାନଙ୍କୁ ସମ୍ପ୍ରସାରଣ ସେବା ପ୍ରଦାନ କରିବା  କାର୍ଯ୍ୟ ଉପରେ ଧ୍ୟାନ ଦେବ । ଅକ୍ଷୟ ତୃତୀୟା ଏବଂ କୃଷକ ଦିବସର ଶୁଭ ଅବସରରେ ମୁଖ୍ୟମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମ ମହିଳା ଏବଂ କୃଷକମାନଙ୍କ ପାଇଁ ବିଶେଷ ସହାୟକ ହେବ ।