spot_img
Home Blog Page 3431

ଭାରତର ଜାସୁସୀ କରୁଥିଲା ଚୀନର ଗୁଇନ୍ଦା ବେଲୁନ୍ !

ନୂଆଦିଲ୍ଲୀ: ଭାରତର ଜାସୁସୀ କରୁଥିଲା ଚୀନ । ଆମେରିକାରେ ଚୀନର ଗୁଇନ୍ଦା ବେଲୁନ ମିଳିବା ପରେ ଅନ୍ୟ ଦେଶରେ ବି ଚୀନର ଗୁଇନ୍ଦାଗିରିକୁ ନେଇ ରିପୋର୍ଟ ଦେଇଛି ଦ ଓ୍ବାଶିଂଟନ ପୋଷ୍ଟ । ଭାରତ, ଜାପାନ ଭଳି ଦେଶ ଉପରେ ଜାସୁସୀ ପାଇଁ ଚୀନ ଏଭଳି ହୀନ ପ୍ରୟାସ ଆରମ୍ଭ କରିଛି ବୋଲି ଦ ଓ୍ବାଶିଂଟନ ପୋଷ୍ଟ ନ୍ୟୁଜ୍ କରିଛି । ଆମେରିକା ଆକାଶରେ ଦୁଇ ଦିନ ଧରି ଘୂରି ବୁଲିଥିବା ବେଲୁନରେ ଭାରତ, ଜାପାନ, ଭିଏତନାମ, ତାଇଓ୍ବାନ, ଫିଲିପାଇନ୍ସ ସମେତ ଅନ୍ୟ କିଛି ଦେଶର ପ୍ରତିରକ୍ଷା ସମ୍ବଦ୍ଧିତ ତଥ୍ୟ ସଂଗ୍ରହ କରାଯାଇଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି । ଚୀନର ପିପୁଲ୍ସ ଲିବରେସନ ଆର୍ମିର ବାୟୁ ସେନା ନିୟନ୍ତ୍ରଣର କାମ କରୁଥିବା ଏହି ବେଲୁନକୁ ୫ଟି ମହାଦ୍ବୀପରେ ଦେଖାଯାଇଥିଲା ବୋଲି କୁହାଯାଇଛି ।

ତୁର୍କୀ-ସିରିଆ ଭୂକମ୍ପ; ଭଗ୍ନାବଶେଷ ତଳେ ଜନ୍ମ ନେଲା ଶିଶୁ

ତୁର୍କୀ: ତୁର୍କୀ ଓ ସିରିଆ ଭୂକମ୍ପର ବୀଭତ୍ସ ଚିତ୍ର ବିଶ୍ୱ ଆଖିରେ ଆଣିଦେଉଛି ଲୁହ। ବର୍ତ୍ତମାନ ସୁଦ୍ଧା ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୮ ହଜାର ୫୦୦ ଟପିଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୧୦ ହଜାର ଟପିବା ଆଶଙ୍କା କରାଯାଉଛି। ଏହାରି ଭିତରେ ଅନେକ ହୃଦୟ ବିଦାରକ ଘଟଣା ନଜରକୁ ଆସୁଛି। ଜଣେ ଗର୍ଭବତୀ ଧ୍ୱଂସାବଶେଷ ତଳେ ପିଲା ଜନ୍ନ କରିବା ପରେ ପ୍ରାଣ ହରାଇଛନ୍ତି।

ସୂଚନା ଅନୁଯାୟୀ, ଉତ୍ତର ସିରିଆର ଏକ ଧ୍ୱଂସାବଶେଷ ତଳୁ ଏକ ନବଜାତ ଶିଶୁକୁ ଉଦ୍ଧାର କରାଯାଇଥିଲା। ଧ୍ୱଂସାବଶେଷ ତଳୁ ଉଦ୍ଧାରକାରୀ ଟିମ୍ ପିଲାକୁ ଉଦ୍ଧାର କରିଥିବା ବେଳେ ମାଆଙ୍କ ଜୀବନ ବଞ୍ଚାଇ ପାରିନାହାନ୍ତି। ଉଦ୍ଧାରକାରୀ ଟିମ୍ ମହିଳାଙ୍କ ନିକଟରେ ପହଞ୍ଚିଲା ବେଳକୁ ହିଁ ସେ ଜୀବନ ହରାଇ ସାରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ନିକଟରେ ଏକ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲୁ। ପରେ ସେହି ସ୍ଥାନରେ ଏକ ନବଜାତ ଶିଶୁକୁ ଠାବ କରାଯାଇଥିଲା । ଶିଶୁକୁ ଉଦ୍ଧାର ପରେ ତୁରନ୍ତ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା ।

ଖାଲି ଏତିକି ନୁହେଁ ତୁର୍କୀର ଧ୍ବଂସାବଶେଷ ତଳେ ନିଜର ଏକ ଛୋଟ ଭାଇକୁ ସୁରକ୍ଷା ଦେଇ ଭଉଣୀଟିଏ ଉଦ୍ଧାର ଲାଗି ଆକୁଳ ଅନୁରୋଧ କରୁଥିବା ଦୃଶ୍ୟ ଭାଇରାଲ୍ ହେଉଛି । ଯାହା ସମସ୍ତଙ୍କୁ ବିଚଳିତ କରିଛି ।

ତେବେ ଉଦ୍ଧାର କାର୍ଯ୍ୟରେ ବର୍ତ୍ତମାନ ୭୬ଟି ଦେଶ ଓ ୧୪ଟି ଆନ୍ତର୍ଜାତିକ ସଂଗଠନ ନିୟୋଜିତ ହୋଇଛନ୍ତି । ୧୨ଟି ସ୍ନିଫର ଡଗ ଓ ୧ ଲକ୍ଷ ୭୦ ହଜାର ପାଉଣ୍ଡ ଓଜନର ସ୍ବତନ୍ତ୍ର ଯନ୍ତ୍ରପାତି ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଇଛି। ଭାରତୀୟ ସେନା ପକ୍ଷରୁ ଏକ ୩୦ ଶଯ୍ୟାବିଶିଷ୍ଟ ମେଡିକାଲ ଫାସିଲିଟି ପ୍ରତିଷ୍ଠା କରାଯାଇଥିବା ବେଳେ ୪୫ ଜଣିଆ ମେଡିକାଲ ଟିମ ନିୟୋଜିତ ହୋଇଛନ୍ତି।

ଆସନ୍ତା ୩ରୁ ୪ ଦିନ ଯାଏଁ ତାପମାତ୍ରାରେ ହେବନି ପରିବର୍ତ୍ତନ

ଭୁବନେଶ୍ୱର: ଆସନ୍ତା ୩ରୁ ୪ ଦିନ ଯାଏଁ ତାପମାତ୍ରାରେ ସେତେଟା ପରିବର୍ତ୍ତନ ଆସିବ ନାହିଁ। ହେଲେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହୁଛି। ସର୍ବାଧିକ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିଛି। ଫେବ୍ରୁଆରୀରେ ପାଗ ପରିବର୍ତ୍ତନ ହୁଏ। ଆଜି ୩୪ ଡିଗ୍ରୀ ପାଖାପାଖି ରହିବ ତାପମାତ୍ରା। ଏବେ ପାଗ ସବୁଠି ଶୁଖିଲା ରହିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ ନିର୍ଦ୍ଦେଶକ।

ତେବେ ବଢୁଥିବା ତାପମାତ୍ରାକୁ ନଜରରେ ରଖି ହିଟୱେବ୍ ଆକ୍ସନ ପ୍ଲାନ୍ ମାଗିଛି ରାଜସ୍ୱ ବିଭାଗ। କ‘ଣ କରାଯାଇ ପାରିବ, ସେ ନେଇ ସ୍ୱାସ୍ଥ୍ୟ, ଶିକ୍ଷା, ପଂଚାୟତିରାଜ, ଜଳ ସମ୍ପଦକୁ ରିପୋର୍ଟ ମଗାଯାଇଛି । ୧୫ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଥିବା ନେଇ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।

ପ୍ଲାନ ପ୍ରସ୍ତୁତ ହେଲେ ଚୂଡାନ୍ତ ରିପୋର୍ଟ ହେବ । ଲୋକଙ୍କ ସୁରକ୍ଷା, ଛାତ୍ରଛାତ୍ରୀ, ପ୍ରାଣୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ସନଷ୍ଟ୍ରୋକରେ ଯେପରି କେହି ପ୍ରଭାବିତ ହେବେନି, ସେଥିପାଇଁ ବ୍ୟବସ୍ଥା କରାଯିବ । ସେମାନଙ୍କ ପାଇଁ ହସ୍ପିଟାଲରେ ବି ସବୁ ବ୍ୟବସ୍ଥା ରହିବ।

ଛୁଟି ପରେ ଛୁଟି ନେଉଥିଲେ IAS, ସିଧା ନିଲମ୍ବନ ହେଲେ

ଉତ୍ତରପ୍ରଦେଶ : ୟୁପିର ଜଣେ ଆଇଏଏସ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ଅଫିସର ଜଣଙ୍କ ହେଉଛନ୍ତି ଅଭିଷେକ ସିଂହ । ତାଙ୍କୁ ଉପରିସ୍ଥ ଅଧିକାରୀ ନିଲମ୍ବିତ କରିଛନ୍ତି । ଉପରିସ୍ଥ ଅଧିକାରୀଙ୍କୁ ନ ଜଣାଇ ଲମ୍ବା ଛୁଟିରେ ରହିଥିବାରୁ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ପୂର୍ବରୁ ଅଭିଷେକ ଗୁଜୁରାଟ ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ଫଟୋ ଅପଲୋଡ କରିବାକୁ ନେଇ ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା ।

୨୦୧୧ ବ୍ୟାଚର ଆଇଏଏସ ଥିଲେ ଅଭିଷେକ । ୨୦୧୫ରେ ଦିଲ୍ଲୀ ସରକାର ତାଙ୍କୁ ପ୍ରତିନିଯୁକ୍ତି ଦେଇଥିଲେ । ୨୦୧୮ରେ ଏହି ପ୍ରତିନିଯୁକ୍ତିକୁ ୨ ବର୍ଷ ବଢ଼ାଇ ଦେଇଥିଲେ । ଏହା ପରେ ସେ ୨ ବର୍ଷ ମେଡିକାଲ ଲିଭରେ ପଳାଇଥିଲେ । ଏଥିପାଇଁ ତାଙ୍କୁ ୨୦୨୦ ୧୯ ମାର୍ଚ୍ଚରେ ତାଙ୍କ ମୂଳ କ୍ୟାଡରକୁ ପଠାଇଦିଆଯାଇଥିଲା । ଏହା ପରେ ସେ ଲମ୍ବା ସମୟ ପରେ ମଧ୍ୟ ୟୁପିରେ ଚାକିରିରେ ଯୋଗ ଦେଇନଥିଲେ । ତାଙ୍କର ଏପରି କାର୍ଯ୍ୟକଳାପକୁ ନଜରରେ ରଖି ଉପରିସ୍ଥ ଅଧିକାରୀ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ମୋତେ ବଞ୍ଚେଇଦିଅ… ସାରା ଜୀବନ ମୁଁ ତୁମ ଗୁଲାମୀ କରିବି…

ତୁର୍କୀ: ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂମିକମ୍ପ ପରେ ଦିନକୁ ଦିନ ଆସୁଛି ଛାତି ଥରାଇଦେଲା ଭଳି ଦୃଶ୍ୟ । ବଡ଼ ବଡ଼ ସିମେଣ୍ଟ ଖଣ୍ଡ ଭିତରେ ଫସି ରହିଛନ୍ତି ଅନେକ ଲୋକ । ସେଠାରେ ମୃତ୍ୟୁ ସଂଖ୍ୟା ୮ ହଜାର ପାର କରିସାରିଥିଲାବେଳେ ଏହି ସଂଖ୍ୟା ଆହୁରି ବଢ଼ିବା ଅନୁମାନ କରାଯାଉଛି । ଦିନ ରାତି ଉଦ୍ଧାରକାରୀ ଟିମ୍ କାମରେ ଲାଗିଛନ୍ତି ।

ଏବେ ଉଦ୍ଧାର ବେଳର ଆଉ ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରାୟ ୩୬ ଘଣ୍ଟା ଧରି ଦୁଇ ଭାଇ ଭଉଣୀ ସିମେଣ୍ଟ ଚଟାଣ ତଳେ ଫସି ରହିଥିବା ନଜରକୁ ଆସିଛି । ଏଠାରେ ଆଶ୍ଚର୍ଯ୍ୟର କଥା ହେଉଛି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ମଧ୍ୟ କରାଯାଇଛି ।

ଏହି ଧ୍ବଂସ ଲୀଳାରେ ଦୁଇ ଶିଶୁଙ୍କର ମାଆ ମୃତ୍ୟୁ ବରଣ କରିଛନ୍ତି । ଉଦ୍ଧାରକାରୀ ଦଳକୁ ପ୍ରଥମେ ଶିଶୁ କାନ୍ଦୁ ଥିବାର ଶବ୍ଦ ଶୁଭିଥିଲା । ଏହା ପରେ ଟିମ୍ ଦୁଇ ଶିଶୁଙ୍କୁ ଦେଖିଥିଲେ । ଏତିକିବେଳେ କୁନି ଝିଅ କହିଥିଲା ମୋତେ ବାହାରକର… ଆପଣ ଯାହା କହିବେ ମୁଁ ତାହା କରିବି… ସାରା ଜୀବନ ଆପଣଙ୍କ ଗୁଲାମ ହେଇ ରହିବି…

ନିଜ ସାନ ଭାଇକୁ ସୁରକ୍ଷା ଦେବାକୁ ଭଉଣୀ ଉପରେ ଥିଲା । ଏବଂ ଭଉଣୀ ଉପରେ ସିମେଣ୍ଟ ଖଣ୍ଡ ପଡ଼ିଥିବାର ଦେଖାଯାଇଥିଲା । ଉଦ୍ଧାର ବେଳେ ଦେଖାଯାଇଥିବା ଏଭଳି ଦୃଶ୍ୟ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଥିଲା ।

ଏହା ପରେ ଉଦ୍ଧାରକାରୀ ଦଳ ଭାଇ ଭଉଣୀଙ୍କୁ ସିମେଣ୍ଟ ତଳୁ ବାହାର କରିଥିଲେ । ଝିଅଟିର ନାଁ ମରିୟମ । ସେ କହିଲା ଭୂକମ୍ପ ବେଳେ ମୁଁ ଭାଇ ସହ ଖଟରେ ଶୋଇଥିଲି ।

କେବଳ ଏତିକି ନୁହେଁ ବଡ଼ ବଡ଼ ସିମେଣ୍ଟ ଖଣ୍ଡ ତଳେ ଚାପି ହୋଇ ରହିଥିବା ୩ ବର୍ଷର କୁନି ଛୁଆକୁ ମଧ୍ୟ ଉଦ୍ଧାରକାରୀ ଟିମ୍ ଉଦ୍ଧାର କରିଛନ୍ତି । ଅନେକ ପିଲାଙ୍କୁ ଉଦ୍ଧାର କରାଯାଉଥିଲାବେଳେ ତାଙ୍କ ବାପା ମାଆଙ୍କ ପତ୍ତା ମିଳୁନି । ଏବଂ ଛୁଆମାନେ ବାପା ମାଆଙ୍କ ପାଖକୁ ଯିବାକୁ କାନ୍ଦୁଛନ୍ତି ।

ଅନେକ ଲୋକ ଏହି ଧ୍ବଂସ ଲୀଳା ପରେ ନିଜ ପ୍ରିୟଜନଙ୍କୁ ଜୀବିତ ଦେଖି ଖୁସିରେ ଆତ୍ମହରା ବି ହେଇଯାଉଛନ୍ତି ।

୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଦିନକ ପରେ ଓଡ଼ିଶା ଗସ୍ତରେ ଆସିବେ ମହାମହିମ। ପ୍ରଥମ ଥର ନିଜ କଲେଜ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୦ ତାରିଖ ଦିନ ୪ଟା ୧୫ରେ ରାଷ୍ଟ୍ରପତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପହଞ୍ଚିବେ। ରମାଦେବୀର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦୀକ୍ଷାନ୍ତ ଭାଷଣ ଦେବେ।

କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହିବେ। ଦ୍ବିତୀୟ ଥର ପାଇଁ ଓଡିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ପ୍ରଥମ ଥର ପାଇଁ ରମାଦେବୀ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗ ଦେବେ।

୨୨ ଜଣଙ୍କୁ ସ୍ଵର୍ଣ୍ଣପଦକ ଓ ୪ ଜଣଙ୍କୁ ସମ୍ମାନ ସୂଚକ ଉପାଧି ପ୍ରଦାନ କରାଯିବ। ଏହାସହ ୭୪୩୦ ଜଣ ଛାତ୍ରୀଙ୍କୁ ମିଳିବ ଡିଗ୍ରୀ ସାର୍ଟିଫିକେଟ। ବେଷ୍ଟ ସାଇନ୍ସ, କମର୍ସ, ଆର୍ଟସ ଏବଂ ବେଷ୍ଟ ୟୁନିଭରସିଟି ଗ୍ରାଜୁଏଟ ୨୦୨୨ଙ୍କୁ ସମ୍ମାନିତ କରାଯିବ । ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପୂର୍ଣମାସି ଜାନି, ପଦ୍ମଶ୍ରୀ ସୁନିଥା କ୍ରିଷ୍ଣନ, ପଦ୍ମଶ୍ରୀ ଡ଼. ଅରୁଣା ମହାନ୍ତିଙ୍କୁ D.Litt ଉପାଧି ମିଳିବ। ଯଥାକ୍ରମେ ସାଇନ୍ସ ଓ ଟେକ୍ନୋଲୋଜି, କ୍ରିଏଟିଭ ଲିଟରେଚର ଏବଂ ସୋସିଆଲ ୱାର୍କ ସୋସିଆଲ ସର୍ଭିସ ଏବଂ ୱିମେନ୍ ଏମ୍ପାୱରମେଣ୍ଟ, କ୍ଲାସିକାଲ ଡ୍ୟାନ୍ସ, ଆର୍ଟ ଏବଂ କଲଚର ପାଇଁ ସମ୍ମାନିତ ହେବେ ।

ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ, ୨୦୦ରୁ ଅଧିକ ଅଫିସର । ସାଧା ପୋଷାକଧାରୀ ପୋଲିସ ଓ ରୁଫଟପ ସୁରକ୍ଷା କର୍ମୀ ମୁତୟନ କରାଯିବ । ଆସନ୍ତାକାଲି କାରକେଡ଼ ରିହର୍ସଲ କରାଯିବ ।

ଆନନ୍ଦପୁରରେ ମହୁମାଛି ଆକ୍ରମଣ, ୧୫ରୁ ଅଧିକ ଆହତ ଓ ୪ ଗୁରୁତର

ଆନନ୍ଦପୁର: ଆନନ୍ଦପୁର ପୌରାଞ୍ଚଳର ଘସିପୁରା ଝାଡେଶ୍ବର ମନ୍ଦିର ନିକଟରେ ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ ଓ ୪ ଗୁରୁତର। ୪ଜଣଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମନ୍ଦିର ନିକଟ ଏକ ଗଛରେ ମହୁମାଛି ବସା ବାନ୍ଧିଥିବା ବେଳେ ଆଜି ସକାଳୁ ଅଚାନକ ମହୁମାଛି ମାନେ ବିକ୍ଷିପ୍ତ ହୋଇ ଏଣେତେଣେ ଉଡିବା ସହ ରାସ୍ତାରେ ଯାଉଥିବା ଲୋକଙ୍କୁ ଆକ୍ରମଣ କରିଥିଲେ।

କିଛି ଲୋକ ସେମାନଙ୍କ କବଳରୁ ନିଜକୁ ବଞ୍ଚାଇ ସାମାନ୍ୟ ଆହତ ହୋଇ ଦୌଡି ପଳାଇଥିଲେ ହେଲେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଜଗତପୁର ଟ୍ରକ ଟର୍ମିନାଲରେ ଜଣେ ମହିଳାଙ୍କୁ ହତ୍ୟା ଅଭିଯୋଗ

କଟକ: କଟକ ଜଗତପୁର ଟ୍ରକ ଟର୍ମିନାଲରେ ଜଣେ ମହିଳାଙ୍କ ହତ୍ୟାକାଣ୍ଡ ଅଭିଯୋଗ ହୋଇଛି । ମହିଳା ଜଣକ ହେଉଛନ୍ତି ୫୨ ବର୍ଷିୟ କୁନି ସାହୁ। ସେ ସ୍ଥାନୀୟ ଅଞ୍ଚଳରେ ଭଡାରେ ରହୁଥିଲେ ଓ ଟ୍ରକ ଟର୍ମିନାଲରେ ଥିବା ଦୋକାନରେ ବସାଉଠା କରୁଥିଲେ। ତେବେ ଗତକାଲି ସେ ଘରକୁ ନ ଫେରିବାରୁ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ପରେ ଟ୍ରକ ଟର୍ମିନାଲରେ ଥିବା ଏକ ପରିତ୍ୟକ୍ତ ଘରେ ତାଙ୍କର ଉଲଗ୍ନ ମୃତଦେହ ମିଳିଥିଲା।

ତେବେ ମହିଳାଙ୍କୁ  ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ। ଶବ ବ୍ୟବଛେଦ ପାଇଁ ଏସସିବି ପଠାଯାଇଛି। ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୋଲିସ ଏସିପି କହିଛନ୍ତି ।

 

 

ତରଳୁଛି ଗ୍ଲାସିୟର; ଭାରତ ସମେତ ଏହିସବୁ ରାଷ୍ଟ୍ରକୁ ବିପଦ

ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟରେ ବିଶ୍ବ ବର୍ତ୍ତମାନ ଥରହର ହେଉଥିବା ବେଳେ ଗ୍ଲାସିୟରକୁ ନେଇ ସତର୍କବାଣୀ ଦେଇଛନ୍ତି ଗବେଷକ। ଗ୍ଲାସିୟର ତରଳୁଥିବାରୁ ବିଶ୍ବର ପ୍ରାୟ ୧୫ ନିୟୁତ ଲୋକ ବିପନ୍ନରେ ବୋଲି ଗବେଷଣାରେ କୁହାଯାଇଛି। ଭାରତ, ପାକିସ୍ତାନ, ପେରୁ ଓ ଚୀନବାସୀଙ୍କ ଲାଗି ଏହି ବିପଦ ଅଧିକ ଘନୀଭୂତ ହେଉଛି ବୋଲି କହିଛି ନେଚର କମ୍ୟୁନିକେସନ୍ସ।

ବରଫ ତରଳିବା ଯୋଗୁ ବର୍ତ୍ତମାନ ସୁଦ୍ଧା ୧୫୦ଟି ଗ୍ଲାସିୟରଜନିତ ବନ୍ୟା ସଂଗଠିତ ହେଲାଣି ବୋଲି ରିପୋର୍ଟରେ କୁହାଯାଇଛି । ୧୯୪୧ରେ ପେରୁରେ ହୋଇଥିବା ଗ୍ଲାସିୟରଜନିତ ପ୍ରଳୟଙ୍କରୀ ବନ୍ୟାରେ ପ୍ରାୟ ୬ ହଜାର ଲୋକ ପ୍ରାଣ ହରାଇଥିବାବେଳେ ୨୦୦୦ରେ ବ୍ରିଟିଶ କଲମ୍ବିଆ ଓ କାନାଡାରେ ପ୍ରାୟ ୧୦୦ ମିଟର ଉଚ୍ଚତାର ସୁନାମି ଆସିଥିଲା । ଗତ ୨୦୧୭ରେ ନେପାଳରେ ବି ଗ୍ଲାସିୟରଜନିତ ବନ୍ୟା ଆସିଥିଲା । ୨୦୧୩ରେ ଭାରତରେ ଗ୍ଲାସିୟର ତରଳିବାଜନିତ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁ ସହସ୍ରାଧିକ ଲୋକ ପ୍ରାଣ ହରାଇଥଲେ । ୨୦୨୧ରେ ବି ସମଧରଣର ବିପଦ ସୃଷ୍ଟି ହୋଇଥିଲା।

ତୁର୍କୀ-ସିରିଆ ଭୂକମ୍ପ: ବଢୁଛି ମୃତ୍ୟୁସଂଖ୍ୟା, ଚାରିଆଡେ ପ୍ରଳୟର ବୀଭତ୍ସ ଚିତ୍ର

ତୁର୍କୀ: ଛାରଖାର ଶତାଧିକ ସହର। ଚାରିଆଡେ ପ୍ରଳୟର ବୀଭତ୍ସ ଚିତ୍ର। ପ୍ରତି ମୁହୂର୍ତ୍ତରେ ବଢୁଛି ମୃତ୍ୟୁସଂଖ୍ୟା । ୪୮ଘଣ୍ଟା ପରେ ବି ସରିନି ରେସ୍କ୍ୟୁ ଅପରେସନ। ବିପତ୍ତିଗ୍ରସ୍ତ ରାଷ୍ଟ୍ରରୁ ଆସୁଛି ଛାତିଥରା ଚିତ୍ର। ୨୪ ଘଣ୍ଟା ମଧ୍ୟରେ ତିନି ତିନି ବଡ ଭୂକମ୍ପ ଝଟକା ପରେ ଧ୍ବସ୍ତ ହୋଇଯାଇଛି ତୁର୍କୀ। କେଉଁଠୁ ଭଗ୍ନସ୍ତୁପ ତଳୁ ମୁମୂର୍ଷୂ ଅବସ୍ଥାରେ ଲୋକଙ୍କୁ ଉଦ୍ଧାର କରାଯାଉଛି ତ କେଉଁଠୁ ପୁଳା ପୁଳା ଶବ ଉଦ୍ଧାର କରାଯାଉଛି।

ଏ ଦୃଶ୍ୟ ଖାଲି ତୁର୍କୀ ବା ସିରିଆବାସୀଙ୍କୁ ନୁହେଁ ସାରା ବିଶ୍ବବାସୀଙ୍କୁ କନ୍ଦାଇ ଦେଇଛି। ମଧ୍ୟପ୍ରାଚ୍ୟରେ ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ୮ହଜାର ପାର କରିଛି। ୧୫ହଜାରରୁ ଊର୍ଦ୍ଧ୍ବ ଲୋକ ଗୁରୁତର ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨୦ହଜାର ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି। ସେପଟେ ତିନି ତିନିଟି ଶକ୍ତିଶାଳୀ ଭୂକମ୍ପ ପରେ ତୁର୍କୀରେ ଏନାଟୋଲିଆନ ଟେକ୍ଟୋନିକ ପ୍ଲେଟ ଓ ଆରବିଆନ ଟେକ୍ଟୋନିକ ୨୨୫କିଲୋମିଟର ପର୍ଯ୍ୟନ୍ତ ଦୂରତା ଦେଖାଯାଇଛି।

https://youtu.be/vwoEVlqMYI8

ଫଳରେ ତୁର୍କୀର ଭୌଗୋଳିକ ସ୍ଥିତି ପ୍ରାୟ ୧୦ଫୁଟ ତଳକୁ ଧସିଯାଇଛି ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି। ପ୍ରାରମ୍ଭିକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଆଗାମୀ ଦିନରେ ସାଟେଲାଇଟ ଇମେଜରୁ ସ୍ପଷ୍ଟ ସୂଚନା ମିଳିବ।