spot_img
Home Blog Page 3418

ଗାଁ ଦାଣ୍ଡରେ ଫୁଟିଲା ଗୁଳି, ଫାୟାରିଂରେ ୩ଜଣ ଗୁରୁତର

କଟକ: ଗାଁ ଦାଣ୍ଡରେ ଫୁଟିଲା ଗୁଳି । ଆଠଗଡ ଥାନା ଜେନାପଦା ମଝିସାହିରେ ଗୁଳିମାଡ଼ । ଫାୟାରିଂରେ ୩ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କ ମଧ୍ୟରେ ବାପାପୁଅ ଥିବା ସୂଚନା ମିଳିଛି । ସୋସିଆଲ ମିଡିଆରେ ଫଟୋ ଛାଡ଼ିବାକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି ।

ଫାୟାରିଂରେ ୩ଜଣ ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ଗୁରୁତର ବ୍ୟକ୍ତି ହେଲେ ବଂଶୀଧର ନାୟକ, ଜିତେନ୍ଦ୍ର ନାୟକ ଓ ଦୀନବନ୍ଧୁ ନାୟକ । ଦୀନବନ୍ଧୁ ଓ ବଂଶୀଧର ନାୟକଙ୍କ ଦେହରେ 3ଟି ଲେଖାଏ ବାଜିଥିବାବେଳେ ଜିତେନ୍ଦ୍ରଙ୍କ ଦେହରେ 2ଟି ଗୁଳି ବାଜିଛି ।

ସମସ୍ତେ ଗାଁରେ ବସିଥିବାବେଳେ ସଦାନନ୍ଦ ଦାସ ନାମକ ବ୍ୟକ୍ତି ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାରୁ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 

ଦିନକ ପରେ ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀ

ଭୁବନେଶ୍ୱର: ଦିନକ ପରେ ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀ । ଏଥିରେ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗଦେବେ । ସଚିବମାନେ ନିଜ ବିଭାଗର ଫ୍ଲାଗସିପ୍ କାର୍ଯ୍ୟକ୍ରମ ଏବଂ ଭବିଷ୍ୟତ ଯୋଜନା ବାବଦରେ ରଖିବେ ପ୍ରେଜେଣ୍ଟେସନ । ପ୍ରଶାସନକୁ ସ୍ବଚ୍ଛ ଓ ପ୍ରଭାବଶାଳୀ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକ୍ରମ ବାବଦରେ ଫାଇଭ-ଟି ସଚିବ ବିସ୍ତୃତ ଆଲୋଚନା କରିବେ ।

ଫେବ୍ରୁଆରୀ ୧୪ ଓ ୧୫ । ଦୁଇଦିନ ଧରି ଚାଲିବ ଜିଲ୍ଲାପାଳ ସମ୍ମିଳନୀ । ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ । ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ମୁଖ୍ୟମନ୍ତ୍ରୀ ଦେବେ ଗୁରୁମନ୍ତ୍ର । ସମ୍ମିଳନୀରେ ଉପସ୍ଥିତ ରହିବେ ରାଜ୍ୟର ସମସ୍ତ ବରିଷ୍ଠ ଅଧିକାରୀ । ବିଭାଗୀୟ ସଚିବମାନେ ନିଜ ବିଭାଗର ରୋଡମ୍ୟାପ୍‌ ବାବଦରେ ପ୍ରେଜେଣ୍ଟେସନ ରଖିବେ । ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକ୍ରମର ସଠିକ୍ ପରିଚାଳନା ବାବଦରେ ବୁଝାଇବେ ଫାଇଭ-ଟି ସଚିବ । ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ସଠିକ୍ ଢଙ୍ଗରେ ପହଞ୍ଚାଇବା ପାଇଁ ମୁଖ୍ୟ ଶାସନ ସଚିବ ଆଲୋଚନା କରିବେ ।

ଫୋକସରେ ରହିବ ରୂପାନ୍ତରଣ କାର୍ଯ୍ୟକ୍ରମ, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବିକାଶ, ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି ବିକାଶ । ଟେକ୍ନୋଲୋଜି ଓ ସ୍ଥାନୀୟ ଲୋକଙ୍କ ସହଭାଗିତାରେ ସହରୀ ଯୋଜନା ଉପରେ ନଗର ଉନ୍ନୟନ ସଚିବ ପ୍ରେଜେଣ୍ଟେସନ ଦେବ । ଆମ ହସ୍ପିଟାଲ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ସ୍ବାସ୍ଥ୍ୟ ସଚିବ । ପ୍ରଶାସନ ଓ ରାଜ୍ୟବାସୀଙ୍କ ପାଇଁ ଏହି ସମ୍ମିଳନୀ ଗୁରୁତ୍ବ ବହନ କରୁଛି ।

ମହିଳା ସ୍ବୟଂ ସହାୟକ ଗୋଷ୍ଠୀରୁ ଲଘୁ ଓ ମଧ୍ୟମ ଉଦ୍ୟୋଗୀ ହେବାର ରୋଡମ୍ୟାପ୍‌ ବାବଦରେ ବୁଝାଇବେ ମିଶନ ଶକ୍ତି ସଚିବ । ଏସଏଚଜିଙ୍କୁ ୫୦ ହଜାର କୋଟି ଟଙ୍କାର ଋଣ ବିନାସୁଧରେ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ବହୁବିଧ ଫସଲ ଚାଷ ଉପରେ କୃଷି ସଚିବ ଏବଂ ପ୍ରଶାସନରେ ଟେକ୍ନୋଲୋଜିର ଭୂମିକା ବାବଦରେ ପ୍ରେଜେଣ୍ଟେସନ ଦେବେ ଆଇଟି ସଚିବ । ଦକ୍ଷତା ବିକାଶ ଉପରେ ବିଭାଗୀୟ ସଚିବ ଗୁରୁତ୍ବ ଦେବାକୁ ଯାଉଥିବା ବେଳେ ଓଡ଼ିଶା କିପରି ପୁଞ୍ଜିପତିଙ୍କ ପ୍ରିୟସ୍ଥାନ ପାଲଟିଛି ସେ ବାବଦରେ ଶିଳ୍ପ ସଚିବ ତଥ୍ୟ ରଖିବେ ।

ସମ୍ମିଳନୀର ଦ୍ବିତୀୟ ଦିନରେ ଏମ୍ଏସଏମ୍ଇ, ଗଣଶିକ୍ଷା, ଜଳସମ୍ପଦ, ପର୍ଯ୍ୟଟନ ସଚିବ ଭବିଷ୍ୟତ ଯୋଜନା ବାବଦରେ ଆଲୋଚନା କରିବେ । ପାନୀୟଜଳ ଉପରେ ବିଭାଗୀୟ ସଚିବ ଓ ଗମନାଗମନ ସୁବିଧା ଉପରେ ତଥ୍ୟ ରଖିବେ ପରିବହନ ସଚିବ । ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ୍‌ ସେବା ଓ ରାଜସ୍ବ ପ୍ରଶାସନକୁ ପିପୁଲ – ଫ୍ରେଣ୍ଡଲି କରିବା ବାବଦରେ ଅର୍ଥ ସଚିବ କହିବେ । ଲୋକଙ୍କ ପାଖରେ ସରକାରଙ୍କ ଯୋଜନା ପହଞ୍ଚାଇବାକୁ ଜିଲ୍ଲାପାଳଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ଏହି ସମ୍ମିଳନୀକୁ ଗୁରୁତ୍ବ ଦିଆଯାଉଛି ।

ବାଣୀବିହାରରେ ଉତ୍ତେଜନା, ମୁଖ୍ୟ ଫାଟକରେ ଧାରଣା

ଭୁବନେଶ୍ୱର: ବାଣୀବିହାରରେ ଉତ୍ତେଜନା ପରେ ମୁଖ୍ୟ ଗେଟ ସାମ୍ନାରେ ଧାରଣା ଦେଇଛନ୍ତି ଏବିଭିପି ଛାତ୍ରଛାତ୍ରୀ ଓ କିଛି ସଦସ୍ୟ । ସିଟିଜେନ୍ ଫୋରମ ପକ୍ଷରୁ ୟୁନିଭରସିଟିରେ ଆୟୋଜିତ ହୋଇଥିବା ସେମିନାର କାର୍ଯ୍ୟକ୍ରମକୁ ଏବିଭିପି ପକ୍ଷରୁ ବିରୋଧ କରାଯାଇଥିଲା । ଗେଟ ଆଗରେ ଏବିଭିପି ସଦସ୍ୟ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା ।

ବାଣୀବିହାରରେ ଆଲୋଚନା ବେଳେ ଦେଖାଯାଇଥିଲା ଅପ୍ରିତିକର ପରିସ୍ଥିତି  ।  ଅଶାନ୍ତି ହୋଇଥିଲା କାର୍ଯ୍ୟକ୍ରମ ସ୍ଥଳ । ବାଣୀବିହାରରେ ଏବିଭିପି ସଦସ୍ୟଙ୍କ ଆକ୍ରମଣ ଅଭିଯୋଗ ହୋଇଛି। ସିଟିଜେନ୍ ଫୋରମ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ପିଜି କାଉନସିଲ ଅଡିଟୋରିୟମରେ “ସମ୍ବିଧାନ ଓ ଶିକ୍ଷା ନୀତି” ଶୀର୍ଷକରେ ଆଲୋଚନାଚକ୍ର ଚାଲିଥିଲା। ଏଥିରେ ଜେଏନୟୁ ପ୍ରଫେସର ସୁରଜିତ ମଜୁମଦାର ନିଜ ବକ୍ତବ୍ୟ ରଖୁଥିଲେ। ତେବେ ବକ୍ତବ୍ୟ ରଖିବା ସମୟରେ ହିଁ ମୁହାଁମୁହିଁ ସ୍ଥିତି ଦେଖାଦେଇଥିଲା।ହଠାତ ଏବିଭିପି ଓ ଆରଏସଏସର ପରିଚୟ ଦେଉଥିବା ଦୁଇ ଯୁବକ ଆସି ଗାଳିଗୁଲଜ ଆରମ୍ଭ କରିଥିଲେ। ସେମିନାର ବନ୍ଦ କରିବାକୁ ଧମକ ଦେଇଥିଲେ ।

ସିଟିଜେନ୍ ଫୋରମ୍ ଆବାହକ ପ୍ରଦୀପ୍ତ ନାୟକ, ଅଧ୍ୟାପକ ସୁରେନ୍ଦ୍ର ଜେନାଙ୍କୁ ଏବିଭିପି ସଦସ୍ୟ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆଲୋଚନାଚକ୍ରରେ ଉତ୍ତେଜନା ଦେଖା ଦେବାରୁ ସେମିନାରକୁ ବନ୍ଦ ରଖାଯାଇଥିଲା। ଘଟଣା ନେଇ ସହିଦ ନଗର ଥାନାରେ ଉଭୟ ପକ୍ଷରୁ ମାମଲା ଦାଏର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିବା ଏଫଆଇଆରରେ ଦର୍ଶାଇଛନ୍ତି ଆକ୍ରମଣର ଶିକାର ସିଟିଜେନ୍ ଫୋରମ୍ ଆବାହକ ପ୍ରଦୀପ୍ତ ନାୟକ।

କ୍ୟାପିଟାଲ ହାଇସ୍କୁଲରେ ଚାଲିଛି ସ୍ପେସ ଅନ୍ ହୁଇଲ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଇସ୍ରୋ ତରଫରୁ ଅୟୋଜନ କରାଯାଇଛି ଏହି କାର୍ଯ୍ୟକ୍ରମ l ଯାହାର ଉଦଘାଟନ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ବିଜ୍ଞାନ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଇସ୍ରୋର ବିଭିନ୍ନ ବୈଜ୍ଞାନିକ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ l

କେବଳ ଛାତ୍ରଛାତ୍ରୀ ନୁହେଁ ବରଂ ଜନସାଧାରଣଙ୍କ ପାଇଁ ମଧ୍ୟ ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ କରଯାଇଛି l ଇସ୍ରୋ ତଥା ବିଜ୍ଞାନ ସମ୍ବନ୍ଧରେ ପିଲାମାନଙ୍କ ଜ୍ଞାନର ପରିସୀମାକୁ ବୃଦ୍ଧି କରିବା ଓ ବିଜ୍ଞାନକୁ ପିଲାମାନଙ୍କ ସମ୍ମୁଖରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ l ସୋମବାର ଠାରୁ ୧୪ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମକୁ ଡିଜିଟାଲ ବ୍ଲାକ ବୋର୍ଡ ମାଧ୍ୟମରେ ପ୍ରାୟ ୪୦ ହଜାର ବିଦ୍ୟାଳୟରେ ୪ ଲକ୍ଷ ପିଲାଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି ।

ନବରଙ୍ଗପୁରରେ ତୃତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି ବାୟୁ ସ୍ବାସ୍ଥ୍ୟସେବା

ଭୁବନେଶ୍ୱର: ଉପାନ୍ତରେ ସମସ୍ତେ ପାଇବେ ଉତ୍ତମ ସ୍ବାସ୍ଥ୍ୟସେବା । ନବରଙ୍ଗପୁର ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି ବାୟୁ ସ୍ବାସ୍ଥ୍ୟସେବା । ଆଜି ଦ୍ୱିତୀୟ ଦିନରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବେ ୬ଜଣିଆ ସୁପର ସ୍ପେଶାଲିଷ୍ଟ୍ ଡାକ୍ତର ଦଳ । ଜୟପୁର ଏୟାରପୋର୍ଟରେ ବିମାନ ଯୋଗେ ପହଞ୍ଚି ନବରଙ୍ଗପୁର ଆସିବେ। ଗତକାଲି ପଞ୍ଜିକରଣ ହୋଇ ଥିବା ରୋଗୀ ମାନଙ୍କ ଚିକିତ୍ସା କରାଯିବ ।

ଏହି ୬ଜଣିଆ ଟିମରେ ସର୍ଜରୀ ବିଭାଗର ଡାକ୍ତର ଭୁବନ ମୋହନ ଦାସ, ନେଫ୍ରୋଲୋଜିଷ୍ଟ ଡ଼ା. ଅରୁଣା ଆଚାର୍ଯ୍ୟ, ଆନେସ୍ଥେସିଆ ଡାକ୍ତର ଡା.ଦେବାଶିଷ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାକୁ ରୋଗୀ ସମ୍ପର୍କୀୟ ମାନେ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଦୁଇ ଦିନ ମଧ୍ୟରେ ୩୫୦ ରୁ ଅଧିକ ରୋଗୀ ପଞ୍ଜୀକରଣ କରିଥିବା କହିଛନ୍ତି ସିଡିଏମଓ । ବର୍ତ୍ତମାନ ସୁଦ୍ଧା ୟୋରୋ ବିଭାଗ ପକ୍ଷରୁ ୫ଟି ଅପରେସନ କରଯାଇଛି । ଆଗକୁ ଦୁଇ ଦିନ ଥିବାରୁ ଅଧିକ ରୋଗୀ ଆସିବେ ଓ ଏହି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବାର ସୁଯୋଗ ନେବେ।

କିଛି ଘଣ୍ଟା ପରେ ଝାରସୁଗୁଡ଼ାରେ ପହଞ୍ଚିବ ହତ୍ୟା ଅଭିଯୁକ୍ତ ଗୋପାଳ

ଭୁବନେଶ୍ୱର: ଆଉ କିଛି ଘଣ୍ଟା ପରେ ଝାରସୁଗୁଡ଼ାରେ ପହଞ୍ଚିବ ନବକିଶୋର ଦାସ ହତ୍ୟା ଅଭିଯୁକ୍ତ ଗୋପାଳ । କ୍ରାଇମବ୍ରାଞ୍ଚ ଅଧିକାରୀ, ପୋଲିସ, ଜିଲ୍ଲା ପ୍ରଶାସନ ବିମାନବନ୍ଦରରେ ପହଞ୍ଚିଛନ୍ତି। ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପରେ ଝାରସୁଗୁଡ଼ା ଆସୁଛି ଗୋପାଳ । ଗତ ୮ତାରିଖରେ ଅଭିଯୁକ୍ତକୁ ନେଇ ଗୁଜରାଟର ଗାନ୍ଧିନଗର ଯାଇଥିଲା କ୍ରାଇମବ୍ରାଞ୍ଚର ୮ଜଣିଆ ଟିମ୍। ସେଠାରେ ଗୋପାଳର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରାଯାଇଛି।

ନାର୍କୋ ଟେଷ୍ଟରେ ଅନେକ ଗୁମର ଖୋଲିଛି ଗୋପାଳ । ଅଭିଯୁକ୍ତ ମୁହଁରୁ ସତ ଆଦାୟ କରିଛି କ୍ରାଇମବ୍ରାଞ୍ଚ। କାହିଁକି ନବକିଶୋର ଦାସଙ୍କୁ ହତ୍ୟା କରିଥିଲା ଗୋପାଳ ? ମନ୍ତ୍ରୀଙ୍କୁ ହତ୍ୟା କରିବା ପଛର କାରଣ କଣ ? କେଉଁ କାରଣରୁ ନବକିଶୋରଙ୍କ ଉପରେ ରାଗଥିଲା ? କୌଣସି ବ୍ୟକ୍ତିଗତ ଶତ୍ରୁତା ଥିଲା କି ? ନାର୍କୋ ପରୀକ୍ଷା ବେଳେ ଏସବୁ ପ୍ରଶ୍ନର ଉତ୍ତର ଦେଇଛି ଗୋପାଳ । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୮ ଜଣିଆ ଟିମ୍ ଗାନ୍ଧୀନଗରରେ ଗୋପାଳକୁ ଜେରା କରିଛନ୍ତି। ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଆସନ୍ତାକାଲି ସରୁଛି।

ଗୋପାଳ ପାଟିରୁ ସତ ଓଗାଳିବା ପାଇଁ ଗାନ୍ଧୀନଗର ଫରେନ୍ସିକ ଲ୍ୟାବକୁ ଯାଇଥିଲା ଅଭିଯୁକ୍ତ ଗୋପାଳ ଦାସ  । ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତ ଚଳାଇଥିବା କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳ ପାଟିରୁ ସତ ଜାଣିବା ପରେ ପୁଣି ଥରେ ଝାରସୁଗୁଡ଼ା ଅଭିମୁଖେ ବାହାରିଛି  ।  ତେବେ ଗୋପାଳର ରିମାଣ୍ଡ ଅବଧି କାଲି ସରିବାକୁ ଯାଉଛି  ।

ଧନକଡଙ୍କୁ ଆଙ୍ଗୁଠି ଦେଖାଇ ଅକଳରେ ଜୟା, ଟ୍ୱିଟରରେ ପ୍ରତିକ୍ରିୟା…

ନୂଆଦିଲ୍ଲୀ: ରାଜ୍ୟସଭାରେ ସାଂସଜ  ଜୟା ବଚ୍ଚନକୁ ନେଇ ଏବେ ଚର୍ଚ୍ଚା  । ଜଣେ ପ୍ରତିଷ୍ଠିତ ମହିଳା ଭଦ୍ରାମୀ ଶିଖିନଥିବା ଆଲୋଚନା ହେଉଛି  । ଏମିତିକି ସାଥି ସାଂସଦ ଜୟାଙ୍କ ଆଚରଣରେ କ୍ଷୁବ୍ଧ  । କାରଣ ଗୃହର ମୁଖ୍ୟ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କୁ ଜୟା ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି  । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ଆସନରେ ବସିବାକୁ ଯାଉଥିବାବେଳେ ଜୟା ବଚ୍ଚନ ତାଙ୍କୁ ଆଙ୍ଗୁଠି ଦେଖାଇ କଥା ହେଉଥିବା ଦେଖିବାକୁ ମିଳିଛି  । ଯାହାକୁ ନେଇ ଏବେ ରାଜ୍ୟସଭାରେ ଝଡ଼ ସୃଷ୍ଟି ହୋଇଛି  । ଏମିତିକି ବିରୋଧି ସାଂସଦ କହୁଛନ୍ତି, ଯେମିତି ସଂସ୍କାର- ସେମିତି ଦଳ  ।

ଭାଇରାଲ ହେଉଥିବା ଭିଡିଓଟି ବଜେଟ ବେଳର ବୋଲି କହାଯାଉଛି  । ନିକଟରେ ସଂସଦରେ ହଙ୍ଗାମା କରିବା ଏବଂ ଗୃହକାର୍ଯ୍ୟକୁ ରେକଡିଂ କରିବା ଅଭିଯୋଗରେ କଂଗ୍ରେସ ସାଂସଦଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା  । ଅଧ୍ୟକ୍ଷ କଂଗ୍ରେସ ସାଂସଦ ରଜନୀ ପଟେଲଙ୍କୁ ନିଲମ୍ବିତ କରିଥିଲେ  । ବର୍ତ୍ତମାନ ସମାଜବାଦୀ ପାର୍ଟ୍ଟି ସାଂସଦ ଜୟାଙ୍କ ଆଚରଣକୁ ନେଇ କଂଗ୍ରେସ କାଠଗଡ଼ାକୁ ଟାଣିଛି  । ଜୟାଙ୍କ ବିରୋଧରେ ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି  ।

ସେପଟେ ସଫେଇ ଦେଇ ସମାଜବାଦୀ ପାର୍ଟି କହିଛି, ରାଜ୍ୟସଭା ଅଧ୍ୟକ୍ଷ କହିବାକୁ ସୁଯୋଗ ନଦେଇଥିବାରୁ ଜୟା ବଚ୍ଚନ ଆଙ୍ଗୁଠି ଦେଖାଇଛନ୍ତି  । କିନ୍ତୁ ଜୟାଙ୍କୁ ନେଇ ଏବେ ଟ୍ୱିଟରରେ ଝଡ ଦେଖିବାକୁ ମିଳିଛି  । ଛତିଶଗଡ଼ ବିଳାଶପୁରର ସଂସଦୀୟ କ୍ଷେତ୍ରର ସାଂସଦ ଅରୁଣ ସାବ ଲେଖିଛନ୍ତି, ଜୟା ବଚ୍ଚନ ରଙ୍ଗମଞ୍ଚ ଏବଂ ଗଣତନ୍ତ୍ରର ସର୍ବୋଚ୍ଚ ମଞ୍ଚ ଭିତରେ ପାର୍ଥକ୍ୟ ଜାଣନ୍ତୁ  । ଯୁବପିଢୀ ଆପଣଙ୍କୁ ଅନୁସରଣ କରୁଛନ୍ତି ବୋଲି ଆକ୍ଷେପ କରିଛନ୍ତି ବିଳାଶପୁର ସାଂସଦ  । ସେହିପରି ରାଜସ୍ଥାନର ଜଣେ ସାଂସଦ କହିଛନ୍ତି  । ଅହଂକାରର ଚରମ ସୀମାରେ ଜୟା ବଚ୍ଚନ  । ସେଥିପାଇଁ ରାଜ୍ୟସଭାରେ ଦେଶର ଉପ-ରାଷ୍ରପତିଙ୍କୁ ଅସମ୍ମାନୀତ କରିବାକୁ ପଛାଉ ନାହାଁନ୍ତି  । ଗଣତନ୍ତ୍ରର ମନ୍ଦିରକୁ ଏଭଳି ଲୋକ କେମିତି ଆସୁଛନ୍ତି ବୋଲି ଟ୍ୱିଟରରେ ଲେଖିଛନ୍ତି ଲକ୍ଷ୍ମୀକାନ୍ତ ଭରଦ୍ୱାଜ  ।

ବାଣୀବିହାରରେ ଜେଏନୟୁ ପ୍ରଫେସରଙ୍କୁ ମାଡ଼

ଭୁବନେଶ୍ୱର: ବାଣୀବିହାରରେ ଜେଏନୟୁ ପ୍ରଫେସରଙ୍କୁ ମାଡ଼ । ଉତ୍କଳ ବିଶ୍ବବିଦ୍ୟାଳୟର ଆଲୋଚନା ଚକ୍ରରେ ଜେଏନୟୁ ପ୍ରଫେସରକୁ ମାଡ଼ ମାରିଛନ୍ତି ଗୋଟିଏ ଗୋଷ୍ଠୀର ଛାତ୍ର । ଆକ୍ରମଣରେ ଆହତ ହୋଇଛନ୍ତି ପ୍ରଫେସର ସୁରଜିତ ମଜମୁଦାର । ଉତ୍କଳ ବିଶ୍ବାବିଦ୍ୟାଳୟର ପିଜି କାଉନସିଲ ଅଡ଼ିଟୋରିୟମରେ “ସମ୍ବିଧାନ ଏବଂ ଶିକ୍ଷା” ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ବକ୍ତବ୍ୟ ରଖିବା ସମୟରେ ଉତ୍ତେଜନା ସ୍ଥିତି ସୃଷ୍ଟି କରିଥିଲେ ନିର୍ଦ୍ଦିଷ୍ଟ ଛାତ୍ର ଗୋଷ୍ଠୀ । ପରେ ଫୋରମର ଆବାହକ ପ୍ରଦୀପ୍ତ ନାୟକ ଏବଂ ଅଧ୍ୟାପକ ସୁରେନ୍ଦ୍ର ଜେନାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଆକ୍ରମଣ କରିଥିଲେ l ସୋସିଆଲ ମିଡିଆରେ ମାଡ଼ ମରା ବେଳର ଭିଡିଓ ଭାଇରାଲ ହେଉଛି । ଏନେଇ ସହିଦ ନଗର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ମହିଳାଙ୍କ ଉଲଗ୍ନ ଶବ ବସ୍ତାରେ ଭରି ରାସ୍ତାରେ ବୁଲିଲା ଅଭିଯୁକ୍ତ

ମେରଠ: କାନ୍ଧରେ ଜଣେ ବ୍ୟକ୍ତି ଏକ ବସ୍ତା ପକାଇ ଏଣେ ତେଣେ ବୁଲୁଥିଲେ । ଏ ଗଳିରୁ ସେ ଗଳି ବୁଲିବା ଭିତରେ ଆସିଥିଲେ ବହୁତ ଲୋକଙ୍କ ନଜରରେ । ହେଲେ କହିଁକି ଲୋକଟି ଏମିତି ବୁଲୁଛି ? ବସ୍ତା ଭିତରେ କ’ଣ ଅଛି, କେହି ଜାଣିବାକୁ ଚାହିଁ ନଥିଲେ । ଏପରିକି ସାଧାରଣ ଘଟଣା ଭାବି ସମସ୍ତେ ବ୍ୟକ୍ତି ଜଣଙ୍କୁ ଅଣଦେଖା କରି ଦେଇଥିଲେ । ହେଲେ ରବିବାର ସକାଳୁ ବସ୍ତା ଭିତରୁ ଯାହା ବାହାରିଲା ତାହା ଉତ୍ତର ପ୍ରଦେଶର ମେରଠରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆଜ୍ଞା ହଁ, ବସ୍ତାଟି ଖୋଲିବା ପରେ ମେରଠର ଲୋକେ ସ୍ତବ୍ଧ ହୋଇଯାଇଛନ୍ତି । ଆଉ ଚିନ୍ତା କରୁଛନ୍ତି, ସେମାନଙ୍କ ସହ ରାସ୍ତାରେ ବୁଲୁଥିବା ବ୍ୟକ୍ତି ଜଣଙ୍କ ବସ୍ତାରେ ଜଣେ ମହିଳାଙ୍କ ଶବ ଭରି ଥିଲା ।

ରବିବାର ସକାଳୁ ମେରଠର ଯମୁନା ନଗରରୁ ଜଣେ ଅଚିହ୍ନ ମହିଳାଙ୍କ ଶବ ବସ୍ତାରେ ବନ୍ଧା ହୋଇ ପଡ଼ିଥିବା ବେଳେ ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ ସମ୍ପୂର୍ଣ୍ଣ ଉଲଗ୍ନ ଥିଲେ । ଏହା ଦେଖିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ପ୍ରାଥମିକ ତଦନ୍ତରେ ଆଖପାଖରେ ଲାଗିଥିବା ସିସିଟିଭି ଭିଡିଓ ଦେଖିବା ପରେ ପୋଲିସର ହୋସ ଉଡ଼ି ଯାଇଥିଲା । କାରଣ, ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ଶବକୁ ବସ୍ତାରେ ଭରି ଏଣେତେଣେ ଏମିତି ବୁଲୁ ନଥିଲ । ବରଂ, ଶବକୁ ଠିକଣା ଲଗାଇବା ପାଇଁ ଏକ ଭଲ ସ୍ଥାନ ଖୋଜୁଥିଲା । ଏଥିପାଇଁ ବ୍ୟକ୍ତି ଜଣଙ୍କ ଏ ଗଳିରୁ ସେ ଗଳି ଶବକୁ କାନ୍ଧରେ ପକାଇ ଘୁରି ବୁଲୁଥିଲା । ଶେଷରେ ଯମୁନା ନଗର ଗ୍ୟାସ ଗୋଦାମ ପାଖରେ ବସ୍ତା ଫିଙ୍ଗି ଫେରାର ହୋଇଯାଇଥିଲା ।

ପୋଲିସ କହିବା ଅନୁସାରେ ମୃତ ମହିଳାଙ୍କ ବୟସ ପ୍ରାୟ ୩୦ ବର୍ଷ ହେବ । ଶବ ଉଦ୍ଧାର ବେଳେ ତାଙ୍କ ଦେହରେ ଲୁଗା ନଥିଲା । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇ, ତାଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରାଯାଉଛି । ଏହାସହ ଅଭିଯୁକ୍ତ ଜଣଙ୍କର ମଧ୍ୟ ତଲାସୀ ଚାଲିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ।

ଋଷ ସହ ଯୁଦ୍ଧ ଭିତରେ ଦୁର୍ନୀତି ଚିନ୍ତା: ନ୍ୟାସନାଲ ଗାର୍ଡ ସିକ୍ୟୁରିଟି ଅଧିକାରୀଙ୍କୁ ହଟାଇଲେ ଜେଲେନସ୍କି

ୟୁକ୍ରେନ: ଗୋଟିଏ ପଟେ ଋଷ ୟୁକ୍ରେନକୁ ଛାରଖାର କରୁଥିବା ବେଳେ ଆଉ ଗୋଟେ ପଟେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଘାରିଛି ଦୁର୍ନୀତି ଚିନ୍ତା । ଗୋଟିଏ ପରେ ଗୋଟିଏ ଦୁର୍ନୀତି ଅଭିଯୋଗ ଜେଲେନସ୍କିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏପରିକି ଋଷ ବିରୋଧରେ ଯୁଦ୍ଧ ଲଢ଼ିବାକୁ ୟୁକ୍ରେନକୁ ମିଳୁଥିବା ସାମରିକ ସହାୟତାରେ ବି ଦୁର୍ନୀତି ହେଉଥିବା ଅଭିଯୋଗ ରହିଛି । ଯାହାକୁ ନେଇ ଜେଲେନସ୍କି ଖଡ୍ଗହସ୍ତ । ଏହି କ୍ରମରେ ଯୁଦ୍ଧ ଭିତରେ ଦୁର୍ନୀତି ଅଭିଯୋଗରେ ୟୁକ୍ରେନ ନ୍ୟାସନାଲ ଗାର୍ଡ ସିକ୍ୟୁରିଟି ଅଧିକାରୀଙ୍କୁ ହଟାଇଛନ୍ତି ଜେଲେନସ୍କି ।

ନ୍ୟାସନାଲ ଗାର୍ଡର ଡେପୁଟୀ କମାଣ୍ଡର ରୁସଲାନ ଦିଉବାଙ୍କୁ ହଟାଇ ଦିଆଯାଇଛି । ସରକାରକୁ ଦୁର୍ନୀତିମୁକ୍ତ କରିବା ସକାଶେ ଚାଲିଥିବା ଅଭିଯାନ କ୍ରମେ ଏହି ପଦକ୍ଷେପ ନେଇଛନ୍ତି ଜେଲେନସ୍କି । ଗତ କିଛିଦିନ ଧରି ଚାଲିଥିବା ଦୁର୍ନୀତି ବିରୋଧୀ ଅଭିଯାନ କ୍ରମେ ଏନଏସଜି ଅଧିକାରୀଙ୍କୁ ବିଦା ହେବାକୁ ପଡିଛି ।

ୟୁରୋପୀୟ ୟୁନିଅନ ପକ୍ଷରୁ କୁହାଯାଇଛି ୨୭ ରାଷ୍ଟ୍ର ସଦସ୍ୟ ବିଶିଷ୍ଟ ୟୁରୋପୀୟ ୟୁନିଅନର ସଦସ୍ୟ ହେବା ଲାଗି ଦୁର୍ନୀତିମୁକ୍ତ ଅଭିଯାନ ଏକ ସର୍ତ୍ତ ରହିଥିବାରୁ ୟୁକ୍ରେନ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଛି । ବିଶେଷ କରି ପ୍ରତିରକ୍ଷା ବିଭାଗକୁ ଦୁର୍ନୀତିମୁକ୍ତ କରିବାକୁ ଲାଗି ପଡ଼ିଛନ୍ତି ଜେଲେନସ୍କି । ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଓଲେକସି ରେଜନିକୋଭଙ୍କୁ ହଟାଇବା ଲାଗି ଘୋଷଣା କରିଥିଲେ ଜେଲେନସ୍କି ।