କିଲର୍ ଓ୍ବାଇଫ୍: ୫ମ ସ୍ବାମୀକୁ ମାରିଲା, ଦ୍ବିତୀୟ ସ୍ବାମୀ ଓ ପ୍ରେମିକଙ୍କୁ କରିଥିଲା ଦରମଲା

ଟେକ୍ସାସ: ଆମେରିକାରେ ଏମିତି ଜଣେ ମହିଳାଙ୍କୁ ଜେଲ ହୋଇଛି, ଯାହାଙ୍କ ସମ୍ପର୍କରେ ଶୁଣିଲେ ଆପଣଙ୍କର ହୋସ ଉଡ଼ିବ । ୫ମ ସ୍ବାମୀଙ୍କୁ ହତ୍ୟା ଅଭିଯୋଗରେ ଜେଲ ଯିବା ପରେ ମହିଳାଙ୍କ ସମ୍ପର୍କରେ ଜଣାପଡିଛି । ଯାହା ପରେ ତାଙ୍କୁ କିଲର ଓ୍ବାଇଫ୍ ବୋଲି ମଧ୍ୟ କେହି କେହି କହିବାକୁ ଲାଗିଲେଣି । କାରଣ, ତାଙ୍କ ବିରୋଧରେ ରହିଛି ୫ମ ସ୍ବାମୀଙ୍କୁ ହତ୍ୟା ଅଭିଯୋଗ । ଏହାସହ ବିବାହ ସ୍ଥିର ହୋଇଥିବା ବ୍ୟକ୍ତିଙ୍କୁ ଗୁଳି ମାରିବା ଅଭିଯୋଗ । ସେତିକି ନୁହେଁ ଦ୍ବିତୀୟ ସ୍ବାମୀକୁ ମରଣାନ୍ତକ ଆକ୍ରମଣ କରି ଜେଲ ମଧ୍ୟ ଯାଇ ସାରିଛନ୍ତି ।

ମହିଳା ଜଣଙ୍କ ହେଲେ ଆମେରିକା ଟେକ୍ସାସ ସହରର ସାରାହ ହାର୍ଟଫିଲ୍ଡ । ଆମେରିକା ସେନାରେ କାର୍ଯ୍ୟରତ ମହିଳା ଜଣଙ୍କ ମୁଖ୍ୟ କାମ ହେଲା ଗୋଟିଏ ପରେ ଗୋଟିଏ ବିବାହ କରିବା ଓ ସେମାନଙ୍କଠାରୁ ଟଙ୍କା ଲୁଟିବା । ଆଉ ଏଥିପାଇଁ ସ୍ବାମୀମାନଙ୍କୁ ସେ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନଥିଲେ ।

ଅଭିଯୋଗ ଅନୁସାରେ, ୪୮ ବର୍ଷିୟ ହାର୍ଟଫିଲ୍ଡଙ୍କୁ ତାଙ୍କ ୫ମ ସ୍ବାମୀଙ୍କୁ ବିଷ ଦେଇ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ସେଠାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଏପରିକି ପୂର୍ବରୁ ବିବାହ ସ୍ଥିର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଗୁଳି ମାରିବାର ମଧ୍ୟ ଅଭିଯୋଗ ରହିଛି । ଯାହାର ତଦନ୍ତ ମଧ୍ୟ ପୁଣି ଥରେ ଆରମ୍ଭ ହୋଇଯାଇଛି ।

ନ୍ୟୁୟର୍କ ପୋଷ୍ଟ ଅନୁସାରେ, ହାର୍ଟଫିଲ୍ଡ ତାଙ୍କ ୫ମ ସ୍ବାମୀଙ୍କୁ ଇନସୁଲିନରେ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ୪୬ ବର୍ଷିୟ ତାଙ୍କ ପତି ଜଣେ ଡାଇବେଟିସ ରୋଗୀ । ହାର୍ଟଫିଲ୍ଡ ତାଙ୍କୁ ଇନସୁଲିନ ଦେବା ସମୟରେ ଏଥିରେ ବିଷ ମିଶାଇ ଦେଇଥିଲେ । ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲେ ବି ତାଙ୍କୁ ସେ ମେଡିକାଳ ନନେଇ ୬ ଘଣ୍ଟା ପରେ ଡାକ୍ତରଙ୍କୁ ଡକାଇଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

୧୯୯୬ ମସିହାରେ ଦ୍ବିତୀୟ ପତିଙ୍କୁ ଆକ୍ରମଣ କରିବା ଅଭିଯୋଗରେ ହାର୍ଟଫିଲ୍ଡ ଗିରଫ ହୋଇଥିଲେ । ଏହି ମାମଲାରେ ପ୍ରାୟ ଏକ ସପ୍ତାହ ଜେଲରେ ମଧ୍ୟ ରହିଥିଲେ । ପରେ ତାଙ୍କ ସ୍ବାମୀ ମାମଲା ଉଠାଇ ନେବାରୁ ଜେଲରୁ ବାହାରିଥିଲେ ।