ବଦଳୁଛି ସ୍ବାଭିମାନ ଅଞ୍ଚଳର ଚିତ୍ର, ଲାଲବାହିନୀର ବୈଠକ ଗୃହରେ କମ୍ପ୍ୟୁଟର ଶିକ୍ଷା ନେଉଛନ୍ତି ଛାତ୍ରଛାତ୍ରୀ

ମାଲକାନଗିରି: ବଦଳୁଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଚିତ୍ର । ଲାଲଗଡ଼ରେ ଲାଲବାହିନୀର ବୈଠକ ଗୃହ ଏବେ ପାଲଟିଛି ଶିକ୍ଷାର ମନ୍ଦିର । ଦିନେ ଯେଉଁ ଘରେ ମାଓବାଦୀମାନେ ଆକ୍ରମଣ ଯୋଜନା ପ୍ରସ୍ତୁତ କରୁଥିଲେ, ଆଜି ସେହି ଘରେ କମ୍ପ୍ୟୁଟର ଶିକ୍ଷା ଲାଭ କରୁଛନ୍ତି ଛାତ୍ରଛାତ୍ରୀ। ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ଓ ରାଜ୍ୟ ସରକାରଙ୍କ ଉନ୍ନୟନ କାମ ପରେ ମାଓଭୟ କମିଛି । ଅଞ୍ଚଳ ଛାଡ଼ିଛନ୍ତି ମାଓବାଦୀ । ଲୋକ ବିନା ଭୟରେ ଜୀବନଯାପନ କରୁଛନ୍ତି । ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଉତ୍ସାହକୁ ଦେଖି ମାଲକାନଗିରି ଜିଲ୍ଲା ପୋଲିସ ପ୍ରଶାସନ ଏବଂ ବିଏସଏଫ ପକ୍ଷରୁ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପୂର୍ବରୁ ଥିବା ମାଓବାଦୀଙ୍କ ବୈଠକ ଘର ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି ।

ପୋଲିସ ଡିଆଇଜି ରାଜେଶ କୁମାର ପଣ୍ଡିତ ଏହି କମ୍ପ୍ୟୁଟର ଦକ୍ଷତା ବିକାଶ କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ମୈତ୍ରୀ ଯୋଜନାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ସ୍କୁଲବ୍ୟାଗ, ପାଠ୍ୟ ପୁସ୍ତକ, ପାଠ୍ୟ ଉପକରଣ ଓ ମହିଳାମାନଙ୍କୁ ଶାଢ଼ି ବଣ୍ଟା ଯାଇଥିଲା । କାର୍ଯ୍ୟକ୍ରମରେ ମାଲକାନଗିରି ଏସପି ନୀତୀଶ ୱାଧୱାନୀ, ୧୭୭ ବିଏସଏଫ ବାଟାଲିୟନ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆଶିଷ କୁମାର, ଚିତ୍ରକୋଣ୍ଡା ଏସଡିପିଓ, ଯୋଡାଆମ୍ବ ଥାନା ଅଧିକାରୀଙ୍କ ସମେତ ବିଏସଏଫର ବହୁ ଅଧିକାରୀ ଉପସ୍ଥିତ ଥିଲେ।