ଦିନରେ ବାଇକ ମେକାନିକ, ରାତିରେ ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ବାଇକ ଚୋରି

1 min read

ଭୁବନେଶ୍ୱର: ବାଇକ ମେକାନିକର ଚତୁର ବୁଦ୍ଧି । ଦିନରେ ବାଇକ ସଜାଡ଼ିବେ, ରେକି କରିବେ । ସନ୍ଧ୍ୟାରେ ନିଜ ଅପରେସନ ମୁତାବକ ବାଇକ ଚୋରି କରିବେ। ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ବାଇକ ଚୋରି କରି ଲୋକଙ୍କ ନିଦ ହଜାଇ ଦେଇଥିବା ଏଭଳି ଏକ ଆନ୍ତଃ ଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି କ୍ୟାପିଟାଲ ଥାନା ପୋଲିସ । ଫରେଷ୍ଟ ପାର୍କ, ଆଇଜି ପାର୍କ, ୟୁନିଟ-୧ ହାଟ, ମାର୍କେଟ ବିଲ୍ଡିଂ ଆଦି ଅଞ୍ଚଳରୁ ବାଇକ ଚୋରି ହେଉଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେଉଥିଲା । ନିଜେ କ୍ୟାପିଟାଲ ଥାନାର ଥାନାଧିକାରୀ ପଦ୍ମନାଭ ପ୍ରଧାନଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଏହି ଲୁଟେରାଙ୍କ ପିଛା କରି ଶେଷରେ ୪ ଅଭିଯୁକ୍ତଙ୍କୁ କାବୁ କରିଛି ।

ମୁଖ୍ୟ ଅଭିଯୁକ୍ତ ସାମନ୍ତରାପୁରର ସୁକାନ୍ତ କୁମାର ରେଡ୍ଡିଙ୍କ ସହ ପଶ୍ଚିମବଙ୍ଗ ମେଦିନିପୁରରୁ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ପୋଲିସ ୧୬ଟି ବାଇକ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ସମୁଦାୟ ୪୦ଟି ବାଇକ ଲୁଟ୍ କରିଥିବା ପୋଲିସ ସମ୍ମୁଖରେ ସ୍ୱୀକାର କରିଛନ୍ତି । ୧୮ଟି ଗାଡିକୁ ଟିକି ଟିକି କରି କାଟି ଦେଇଛନ୍ତି । ଗାଡି ଇଞ୍ଜିନଗୁଡ଼ିକୁ ଅଭିଯୁକ୍ତ ୩ ରୁ ୫ ହଜାର ଟଙ୍କାର ଚିଲିକାରେ ବିକ୍ରି କରୁଥିଲେ । ବୋଟର ଇଞ୍ଜିନ ଭାବେ ଏହାକୁ ବ୍ୟବହାର କରାଯାଉଥିଲା । ତେବେ ଲୋକେ ନିଜେ ଗାଡି ପାର୍କିଂ ସମୟରେ ସଚେତନ ହେବା ସହ ଜନ ଗହଳିପୂର୍ଣ୍ଣ ସ୍ଥାନରେ ଡବଲ ଚାବି ପକାଇବାକୁ ରାଜଧାନୀବାସୀଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ଡିସିପି ।