ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ

1 min read

ଭୁବନେଶ୍ବର: ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ । 5T ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତର ୨୪ ଘଣ୍ଟା ମଧ୍ୟରେ ମଞ୍ଜୁର ହେଲା ୨୨ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି 5T ସଚିବ  କେନ୍ଦ୍ରପଡା ଗସ୍ତ କରିଥିଲେ । ଗସ୍ତର ଦ୍ଵିତୀୟ  ଦିନରେ ସେ ସାତଭାୟା ବଗପାଟିଆ ଅଞ୍ଚଳ ପରିଦର୍ଶନ କରିଥିଲେ । ଏହି  ସମୟରେ ବିସ୍ଥାପିତ ଲୋକମାନଙ୍କୁ ଭେଟିଥିଲେ 5T ସଚିବ । ସେମାନଙ୍କ ସମସ୍ୟା ବୁଝିଥିଲେ । ସରକାରଙ୍କ ଯୋଜନା  ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ, ଏବଂ ସେମାନଙ୍କ ମତାମତ ପଚାରି ବୁଝିଥିଲେ ।

ପରେ ଭୁବନେଶ୍ବର ଫେରି ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ସମ୍ପର୍କରେ ଅବଗତ କରିଥିଲେ । ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ସାତଭାୟା ବଗପାଟିଆ ଆଦର୍ଶ କଲୋନୀ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ତୁରନ୍ତ ୨୨ କୋଟି ୫୦ ଲକ୍ଷ ୭୧ ହାଜର ଟଙ୍କାର ପ୍ୟାକେଜ ମଞ୍ଜୁର କରିଛନ୍ତି ।

ଏହି ଅର୍ଥରେ ସେ ଅଞ୍ଚଳରେ ବନ୍ଧବାଡର ସୁଦୃଢୀକରଣ ସହିତ ହିତାଧିକାରୀଙ୍କ ବାସଗୃହ, ଜୀବିକା କାର୍ଯ୍ୟକ୍ରମ, ରାସ୍ତା, ପିଇବା ପାଣି, ବିଜୁଳି ଓ ପଞ୍ଚାୟତ ଗୃହ ଆଦି ଭିତ୍ତିଭୂମିର ବିକାଶ କରାଯିବ । ଏହା ସହିତ ଲୋକଙ୍କ ଆବଶ୍ୟକତା ଭିତ୍ତିରେ ସେମାନଙ୍କୁ ଚାଷ ଜମି ମଧ୍ୟ ଯୋଗାଇ ଦିଆଯିବ ।

ସେହିପରି ପ୍ରସିଦ୍ଧ ପଞ୍ଚୁବରାହୀ ପୀଠରେ ଭିତ୍ତିଭୂମିର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ସହ Light and Soundର ବ୍ୟବସ୍ଥା କରାଯାଇ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟକ ସ୍ଥାନ ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସମସ୍ତ କାମ 5T ଉପକ୍ରମରେ ତୁରନ୍ତ ହାତକୁ ନେଇ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ  ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନଯୋଗ୍ୟ ଯେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସାତଭାୟା ଅଞ୍ଚଳ ସମୁଦ୍ରରେ ଲୀନ ହୋଇଯାଇଥିବାରୁ କ୍ଷତିଗ୍ରସ୍ତ ଲୋକଙ୍କୁ ବଗପାଟିଆରେ ଥଇଥାନ କରାଯାଉଛି । ଜଳବାୟୁ ପରିବର୍ତ୍ତନ ଦ୍ଵାର ପ୍ରଭାବିତ ଲୋକଙ୍କ ଥଇଥାନ ପାଇଁ ଏହା ଦେଶର ପ୍ରଥମ କଲୋନୀ ।

ବାଣ ଫୁଟାଇ ଖୁସି ମନାଉଛନ୍ତି ବଗପାଟିଆ ବାସିନ୍ଦା

ସାତଭାୟ ବଗପାଟିଆରେ ସେଲିବ୍ରେସନ । ବାଣ ଫୁଟାଇ, ମିଠା ଖୁଆଇ ଖୁସି ମନାଉଛନ୍ତି ଅଞ୍ଚଳବାସୀ । ଅଞ୍ଚଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିବା ସହ ଜଣାଇଲେ କୃତଜ୍ଞତା । ୨୪ ଘଣ୍ଟାରେ ପ୍ରତିଶ୍ରୁତି ପୂରଣ କରିଛନ୍ତି ରାଜ୍ୟ ସରକାର । ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ । 5T ସଚିବଙ୍କ କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୨୨ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି । ଦୀର୍ଘ ବର୍ଷ ପରେ ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ।