spot_img
Home Blog Page 3400

ପିଲା ଆମ୍ବ ଖାଇବାରୁ ପିଶାଚ ପାଲଟିଲେ ଗଛ ମାଲିକ, ଆଖିବୁଜା ମାଡ଼ରେ ୫ ନାବାଳକ ଆହତ

ଭଦ୍ରକ: ବାଡ଼ିରୁ ଆମ୍ବ ଖାଇବାରୁ ନିସ୍ତୁକ ପିଟିଲେ ମାଲିକ । ୫ ନାବାଳକ ମେଡିକାଲରେ ଭର୍ତ୍ତି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ଜଳଙ୍ଗା ମାର୍କେଟସାହି ଅଞ୍ଚଳର ଘଟଣା । ମାଡ଼ ମାରିଥିବା ବ୍ୟକ୍ତି ଜଟିଆକୁ ଗିରଫ କରିଛି ଗ୍ରାମାଞ୍ଚଳ ଥାନା ପୋଲିସ । ୫ ଜଣ ଛୋଟ ପିଲା ଗାଁର ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଥିବା ଆମ୍ବ ଗଛରୁ ଆମ୍ବ ଖାଇବାକୁ ଯାଇଥିଲେ । ଆମ୍ବ ତୋଳିବା ବେଳେ ଗଛ ମାଲିକଙ୍କ ହାବୁଡ଼ରେ ପଡିଯାଇଥିଲେ । ପରେ ମାଲିକ ୫ ଜଣ ପିଲାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ମାଲିକ ମାଡ଼ରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ୫ ନାବାଳକ । ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିବା ପିଲାଙ୍କ ଦେହ ସାରା ମାଡ଼ ଚିହ୍ନ ରହିଛି ।

ବୈଶାଖୀ ମେଳାରେ ଅଘଟଣ, ଭିଡ଼ ଯୋଗୁଁ ଭୁଶୁଡ଼ିଲା ପୋଲ, ୮୦ରୁ ଅଧିକ ଆହତ

ଜମ୍ମୁ: ଜମ୍ମୁ କାଶ୍ମୀରର ଉଧମପୁରରେ ଶୁକ୍ରବାର ବୈଶାଖୀ ଉତ୍ସବ ସମୟରେ ଅଘଟଣ ଘଟିଛି । ବୈଶାଖୀ ମେଳା ସମୟରେ ଅତ୍ୟଧିକ ଭିଡ଼ କାରଣରୁ ଏକ ଫୁଟବ୍ରିଜ୍ ଭୁଶୁଡ଼ି ପଡ଼ିଛି । ଏହି ଦୁର୍ଘଟଣାରେ ୮୦ରୁ ୮୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଏବଂ ଅନ୍ୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛନ୍ତି । ଘଟଣାଟି ଚେନାନି ବ୍ଲକର ବ୍ୟାନ ଗାଁରେ ଘଟିଛି ।

ଉଧମପୁରର ଚେନାନୀ ପୌରପାଳିକା ଅଧ୍ୟକ୍ଷ ମାଣିକ ଗୁପ୍ତା କହିଛନ୍ତି ଯେ ଏହି ଦୁର୍ଘଟଣାରେ ୮୦-୮୫ ଜଣ ଆହତ ହୋଇଛନ୍ତି । ସେହିପରି ୨୦-୨୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ୬ଜଣଙ୍କୁ ଜିଲ୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସେଥିରେ ଦେଖାଯାଇଛି ଯେ, ଫୁଟବ୍ରିଜ ଉପରେ ଅଧିକ ସଂଖ୍ୟାରେ ଲୋକମାନେ ଚଢିଛନ୍ତି । ସେହିପରି ପୋଲିସ ଟିମ୍ ମଧ୍ୟ ଘଟଣା ସ୍ଥଳରେ ଥିବାର ନଜର ଆସିଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ଉଧମପୁରର ବ୍ୟାନ ଗାଁରେ ବୈଶାଖୀ ଉପଲକ୍ଷେ ମେଳାର ଆୟୋଜନ କରାଯାଇଥାଏ । ଯେଉଁଥିରେ ବଡ଼ ସଂଖ୍ୟାରେ ଲୋକମାନେ ସାମିଲ ହୋଇଥାନ୍ତି । ଚଳିତଥର ମଧ୍ୟ ମେଳାରେ ଅଧିକ ସଂଖ୍ୟକ ଲୋକଙ୍କ ସମାଗମ ହୋଇଥିଲା । ଏହି ସମୟରେ ବ୍ରିଜ ଉପରେ ଅଧିକ ଲୋକ ଚଢ଼ିବା କାରଣରୁ ବ୍ରିଜଟି ଭୁଶୁଡ଼ିପଡ଼ିଥିଲା । କୁହାଯାଉଛି ଯେ ଏହି ଫୁଟବ୍ରିଜ ଟିକୁ ଅଞ୍ଚଳର ଲୋକମାନେ ପଇସା ଆଦାୟ କରି ନିର୍ମାଣ କରିଥିଲେ ।

ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସମନ, ୧୬ରେ ହାଜର ହେବାକୁ କେଜ୍ରିଓ୍ୱାଲଙ୍କୁ ସମନ କଲା CBI

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପଚରାଉଚରା କରିବ ସିବିଆଇ । ଏହି ମାମଲାରେ ଏବେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସମ୍ପୃକ୍ତି ନେଇ ମଧ୍ୟ ଯାଞ୍ଚ କରାଯିବ । ୧୬ ଏପ୍ରିଲରେ ହାଜର ହେବା ନେଇ ସିବିଆଇ ସମନ କରିଛି  । ଏହାକୁ ନେଇ ଆଉ କିଛି ସମୟ ମଧ୍ୟରେ ଆପ୍‌ ସାଂସଦ ସଞ୍ଜୟ ସିଂହ ପ୍ରେସମିଟ୍ କରିବେ । ପୂର୍ବରୁ ଏହି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଓ ଇଡି ପଚରାଉଚରା କରୁଛି  । ଏବେ ସେ ରିମାଣ୍ଡରେ ଅଛନ୍ତି ।

ଚୈତ୍ର ଯାତ୍ରା ପାଲଟିଲା ଶେଷ ଯାତ୍ରା, ଗଭୀର ଜଳ ରାଶିରେ ୪ ଜଣ ନେଲେ ସମାଧି

ଜୟପୁର: ଚୈତ୍ର ଯାତ୍ରା ପାଲଟିଲା ଶେଷ ଯାତ୍ରା । ଯାତ୍ରା ଦେଖି ହସଖୁସିରେ ଫେରୁଥିବା ବେଳେ କୋଲାବ ଜଳ ଭଣ୍ଡାରର ତେନ୍ତୁଳିପଡ଼ା ନିକଟରେ ବୁଡ଼ିଗଲା ଡଙ୍ଗା । ଗଭୀର ଜଳ ରାଶିରେ ସଲିଳ ସମାଧି ନେଲେ ୪ ଜଣ ଆରୋହୀ । ଦୀର୍ଘ ୨୨ ଘଣ୍ଟାର ଅପରେସନ ପରେ ପାଣି ଭିତରୁ ୧୬ ବର୍ଷୀୟ କୋମୁ ବାଲାଡିଙ୍କ ମୃତଦେହ ଉଦ୍ଧାର ହୋଇଛି । ପୂର୍ବରୁ ଉଦ୍ଧାର ହୋଇଥିବା ଅନ୍ୟ ତିନି ମୃତକ ହେଲେ ବବିତା ହନ୍ତାଳ, ସାବିତ୍ରୀ କିରସାନି, ରମା କିରସାନି । ସାବିତ୍ରୀ କିରସାନି ଓ ରମା କିରସାନି ଦୁଇ ଭଉଣୀ ହୋଇଥିବା ସୂଚନା ରହିଛି । କୋମୁଙ୍କ ମୃତଦେହ ଉଦ୍ଧାର ପରେ ରେସକ୍ୟୁ ଅପରେସନ ଶେଷ ହୋଇଛି ।

ଘଟଣା ସ୍ଥଳରେ ରାଜପୁଟ ପଂଚାୟତର ସରପଞ୍ଚ ପିତାମ୍ବର କିରସାନି, ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ ଓ କୋରାପୁଟ ଉପଜିଲ୍ଲାପାଳ ଉପସ୍ଥିତ ଅଛନ୍ତି । ସମସ୍ତ ମୃତଦେହକୁ ବ୍ୟବଛେଦ କରିବା ପାଇଁ ସହିଦ ଲକ୍ସନ ନାୟକ ମେଡ଼ିକାଲକୁ ପଠେଇଛି ପୋଲିସ ।

ଶୀଘ୍ର କାର୍ଯ୍ୟକ୍ଷମ ହେବ ଲୋୟର ସୁକତେଲ ପ୍ରକଳ୍ପ, 5T ସଚିବଙ୍କ ପ୍ରୟାସକୁ ସୋସିଆଲ ମିଡିଆରେ ପ୍ରଶଂସା

ବଲାଙ୍ଗୀର: ଦିନେ ବଲାଙ୍ଗୀର ଜିଲ୍ଲା ମରୁଡି ପାଇଁ ପରିଚିତ ଥିଲା । ଜିଲ୍ଲାରେ ବର୍ଷା ଅଭାବରୁ ପ୍ରତିବର୍ଷ ମରୁଡି ପରିସ୍ଥିତି ଦେଖା ଦେଉଥିଲା । ଜିଲ୍ଲାରେ ଜଳସେଚନ ହାର ମାତ୍ର ତିନି ପ୍ରତିଶତ ରହିଛି । ଜଳସେଚନ ହାର ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ମାଗୁରବେଡା ସ୍ଥିତ ସୁକତେଲ ନଦୀ ଠାରେ ଲୋୟର୍ ସୁକତେଲ ଜଳସେଚନ ପ୍ରକଳ୍ପର ପରିକଳ୍ପନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ଏବେ ଚାଷୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବାକୁ ଯାଉଛି । ପାନୀୟ ଜଳର ଅଭାବ ମଧ୍ୟ ଦୂର ହେବାକୁ ଯାଉଛି ।

ଗତ ୨ ହଜାର ମସିହାରୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ବିସ୍ଥାପିତଙ୍କ ଆନ୍ଦୋଳନ ଓ ଅନ୍ୟନ୍ୟ ସମସ୍ୟା ଯୋଗୁଁ ବହୁ କାର୍ଯ୍ୟ ଆଗେଇ ପାରୁନଥିଲା । ତେବେ ଗତ ୨୦୧୯ ମସିହାରେ ଏହି ପ୍ରକଳ୍ପ 5T ଅଧିନକୁ ଯାଇଥିଲା । ଦୀର୍ଘ ବର୍ଷ ଧରି ରହି ଅନିଶ୍ଚିତତା ଘେରକୁ ଚାଲି ଯାଇଥିବା ଏହି ପ୍ରକଳ୍ପକୁ ୨୦୧୯ ମସିହାରେ 5T ସଚିବଙ୍କ ସହ ଏକ ସଚିବ ସ୍ତରୀୟ ହାଇଲେଭେଲ ଟିମ ତଦାରଖ କରିବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ସହ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହୋଇଥିଲା । ପ୍ରତି ସପ୍ତାହରେ ଏହି ପ୍ରକଳ୍ପର ସମୀକ୍ଷା କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।

ଆଉ କିଛି ମାସ ମଧ୍ୟରେ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ କାର୍ଯ୍ୟକାରୀ କରିବ  । ଡ୍ୟାମ, ଗେଟ୍ ଏବଂ ମାଟି କାମ ଶେଷ ହୋଇଛି । ବଲାଙ୍ଗୀରବାସୀଙ୍କ ଜୀବନରେଖା କୁହାଯାଉଥିବା ଏହି ପ୍ରକଳ୍ପ 5T ସଚିବଙ୍କ ପ୍ରଚେଷ୍ଟାରେ କାର୍ଯ୍ୟକାରୀ କରିବାକୁ ଯାଉଛି । 5ଟି ସଚିବ ଆଜି ସକାଳେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଇନଷ୍ଟାଗ୍ରାମରେ ସୂଚନା ଦେଇଥିଲେ । 24*7 ପ୍ରକଳ୍ପ କାମ ଚାଲିଥିବା ନେଇ 5ଟି ସଚିବ ସୂଚନା ଦେଇଛନ୍ତି ।

ଏହି ପ୍ରକଳ୍ପ ପାଇଁ 5T ସଚିବଙ୍କ ନିରନ୍ତର ପ୍ରୟାସ ଫଳରେ କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ବଲାଙ୍ଗୀରବାସୀ 5T ସଚିବଙ୍କୁ ଧନ୍ୟବାଦ ଦେବା ସହ ସୋସିଆଲ ମିଡିଆରେ କୃତଜ୍ଞତା ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆରେ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟର କିଛି ଫୋଟ ସହ 5T ସଚିବଙ୍କ ଅବଦାନ ଟ୍ରେଣ୍ଡ କରୁଛି । 5ଟି ସଚିବ ପୋଷ୍ଟ କରିଥିବା ଫଟୋକୁ ଅନେକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ସେୟାର କରିବା ସହ ତାଙ୍କୁ ଧନ୍ୟବାଦ୍ ଦେଇଛନ୍ତି ।

ଆଜି ନାଇଟ ରାଇଡର୍ସକୁ ଭେଟିବ ହାଇଦ୍ରାବାଦ, ରିଙ୍କୁ ସିଂଙ୍କ ଉପରେ ରହିବ ନଜର

କୋଲକାତା: ଆଜି ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳାଯିବ ଗୋଟିଏ ମ୍ୟାଚ୍ । ଆଜି ସନ୍ଧ୍ୟାରେ କୋଲକାତାର ଇଡେନ୍ ଗାର୍ଡେନରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ । ଆଜି ମ୍ୟାଚରେ ବିଜୟଲାଭ କରି ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ କେକେଆର । ଆଇପିଏଲ ଇତିହାସରେ ଉଭୟ ଦଳ ୨୩ ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ କୋଲକାତା ୧୫ଟି ମ୍ୟାଚରେ ବିଜୟ ଲାଭ କରିଥିବାବେଳେ ହାଇଦ୍ରାବାଦ ୮ଟି ମ୍ୟାଚରେ ବିଜୟ ଲାଭ କରିଛି ।

ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସଠାରୁ ପରାସ୍ତ ହେବା ପରେ ଦମଦାର ପ୍ରଦର୍ଶନ ଜାରି ରଖିଛି କୋଲକାତା । ପ୍ରଥମ ମ୍ୟାଚରେ ପରାଜୟ ପରେ ପରବର୍ତ୍ତୀ ଦୁଇଟି ମ୍ୟାଚରେ ଦମଦାର ବିଜୟ ହାସଲ କରିଛି କେକେଆର । ତେବେ ଆଜିର ମ୍ୟାଚରେ ମଧ୍ୟ ବିଜୟ ଧାରା ଜାରି ରଖି ଲଗାତର ତୃତୀୟ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ କୋଲକାତା । ତେବେ ଆଜିର ମ୍ୟାଚ କୋଲକାତାର ଘରୋଇ ଗ୍ରାଉଣ୍ଡରେ ଖେଳାଯାଉଥିବାରୁ ଏହି ଗ୍ରାଉଣ୍ଡ ଘରୋଇ ଦଳକୁ ସୁହାଇ   ବ । ଅନ୍ୟପକ୍ଷରେ ଆଜି ଇଡେନ୍ ଗାର୍ଡେନରେ ଜଲଓ୍ୱା ଦେଖାଇପାରନ୍ତି କୋଲକାତା ସ୍ପିନର ।

ଅନ୍ୟପଟେ ଆଜିର ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦର ମନୋବଳ ମଧ୍ୟ ସୁଦୃଢ଼ ରହିଛି । ପୂର୍ବ ମ୍ୟାଚରେ ହାଇଦ୍ରାବାଦ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଥିଲା । ଆଜିର ମ୍ୟାଚରେ କୋଲକାତାକୁ ପରାସ୍ତ କରି ଏହି ବିଜୟଧାରାକୁ ଜାରି ରଖିବାକୁ ଚେଷ୍ଟା କରିବ ହାଇଦ୍ରାବାଦ । ତେବେ ଆଜିର ମ୍ୟାଚରେ କୋଲକାତାକୁ ରୋକିବାକୁ ହେଲେ ରିଙ୍କୁ ସିଂଙ୍କ ପାଇଁ ହାଇଦ୍ରାବାଦକୁ ସ୍ୱତନ୍ତ୍ର ରଣନୀତି କରିବାକୁ ପଡ଼ିବ । କାହିଁକି ପୂର୍ବ ମ୍ୟାଚରେ ରିଙ୍କୁ ଗୁଜରାଟ ବିପକ୍ଷରେ ଶେଷ ୫ ବଲରେ ୫ ଛକା ମାରି କେକେଆରକୁ ବିଜୟ ଭେଟି ଦେଇଥିଲେ ।

କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା, ଆଜିଠୁ ବନ୍ଦ ହୋଇଯିବ ମାଗଣା ବିଜୁଳି ସବସିଡି, ମନ୍ତ୍ରୀ ଆତିଶୀ କହିଲେ କାରଣ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ଦିଲ୍ଲୀ ସରକାର ବିଜୁଳି ସବସିଡିକୁ ନେଇ ବଡ଼ ଘୋଷଣା କରିଛି । ମାଗଣା ବିଜୁଳି ସବସିଡି ଉପରେ ରୋକ୍ ଲଗାଇବାକୁ ଘୋଷଣା କରିଛି ଆପ୍ ସରକାର । ଶକ୍ତି ମନ୍ତ୍ରୀ ଆତିଶୀ ଭରଦ୍ୱାଜ ଶୁକ୍ରବାର ଏନେଇ ସୂଚନା ଦେବା ସହ କହିଛନ୍ତି, ଆଜିଠୁ ଦିଲ୍ଲୀ ଜନସାଧାରଣଙ୍କୁ ଦିଆଯାଉଥିବା ସବସିଡି ବିଜୁଳି ବନ୍ଦ କରିଦିଆଯିବ । ଏହାଦ୍ୱାରା ୪୬ ଲକ୍ଷ ବିଜୁଳି ଉପଭୋକ୍ତା ପ୍ରଭାବିତ ହେବେ । ଆତିଶୀ ଏହାର କାରଣ ସମ୍ପର୍କରେ କହିଛନ୍ତି ଯେ, ଫ୍ରୀ ବିଜୁଳି ସବସିଡି ବନ୍ଦ କରିଦିଆଯାଇଛି କାରଣ ଆମ ଆଦମୀ ପାର୍ଟି ସରକାର ଆଗାମୀ ବର୍ଷ ପାଇଁ ସବସିଡି ଜାରି ରଖିବା ପାଇଁ ନିର୍ଣ୍ଣୟ କରିଛି, କିନ୍ତୁ ସେହି ଫାଇଲ୍ ଦିଲ୍ଲୀ ଏଲଜିଙ୍କ ପାଖରେ ପଡ଼ିରହିଛି ଏବଂ ଯେପର୍ଯ୍ୟନ୍ତ ସୁଦ୍ଧା ଫାଇଲକୁ ମଞ୍ଜୁରୀ ନମିଳିଛି ସେପର୍ଯ୍ୟନ୍ତ ସୁଦ୍ଧା ସରକାର ସବସିଡି ବିଲ୍ ଜାରି କରିପାରିବେ ନାହିଁ ।

ଆପ୍ ର ଏହି ନିଷ୍ପତ୍ତି ଦିଲ୍ଲୀର ଜନତାଙ୍କ ପାଇଁ କୌଣସି ବଡ଼ ଝଟକାଠାରୁ କମ୍ ନୁହେଁ । ଦିଲ୍ଲୀରେ ମାଗଣା ବିଜୁଳି ସବସିଡିକୁ ନେଇ ମନ୍ତ୍ରୀ ଆତିଶୀଙ୍କ ବୟାନ ଉପରେ ଦିଲ୍ଲୀ ଏଲଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଦିଆଯାଇଛି । ରାଜଭବନ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଶକ୍ତି ମନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଉଛି ଯେ ଏଲଜିଙ୍କ ବିରୋଧରେ ଅନାବଶ୍ୟକ ରାଜନୀତି ଏବଂ ଭିତ୍ତିହୀନ ଅଭିଯୋଗ ନକରନ୍ତୁ ।

ମିଛ ବୟାନ ଦ୍ୱାରା ଲୋକଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ଶକ୍ତି ମନ୍ତ୍ରୀଙ୍କୁ ଜନତାଙ୍କୁ ଜବାବ ଦେବା ଆବଶ୍ୟକ ଯେ ଏହି ସମ୍ବନ୍ଧରେ ନିଷ୍ପତ୍ତି ୪ ଏପ୍ରିଲ ପର୍ଯ୍ୟନ୍ତ ବିଚାରଧୀନ କାହିଁକି ରଖାଗଲା? ଯେତବେଳେ କି ସମୟସୀମା ୧୫ ଏପ୍ରିଲ ଥିଲା? ଏଲଜିଙ୍କୁ ୧୧ ଏପ୍ରିଲରେ ହିଁ କାହିଁକି ଫାଇଲ୍ ପଠାଗଲା? ଏବଂ ୧୩ ଏପ୍ରିଲରେ ଚିଠି ଲେଖିବା ଏବଂ ଆଜି ପ୍ରେସ୍ କନଫରେନ୍ସ କରି ନାଟକ କରିବାର କଣ ଆବଶ୍ୟକତା ଥିଲା?

ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଏବଂ ରାଜଭବନ ମଧ୍ୟରେ ଗତ କିଛି ମାସ ହେବ ବିଜୁଳି ସବସିଡିକୁ ନେଇ ବିବାଦ ଲାଗି ରହିଛି । ସିଏମ ଅରବିନ୍ଦ କେଜରିୱାଲଙ୍କ ସରକାର ମାଗଣା ବିଜୁଳି-ପାଣି ଉପରେ ସବସିଡି ପୂର୍ବଭଳି ଜାରି ରଖିବାକୁ ଚାହୁଁଛନ୍ତି ଯେତବେଳେ କି ଏଲଜି ଏକ ପତ୍ର ଜରିଆରେ ପରାମର୍ଶ ଦେଇଥିଲେ ଯେ ସବିସିଡି ସିଧାସଳଖ ଉପଭୋକ୍ତାଙ୍କ ଖାତାକୁ ପଠାଯାଉ । ପ୍ରକାଶଥାଉକି, ଆମ ଆଦମୀ ପାର୍ଟି କ୍ଷମତାକୁ ଆସିବା ପରଠୁ ବିଜୁଳି ଏବଂ ପାଣି ବିଲ୍ ଉପରେ ଉପଭୋକ୍ତାଙ୍କୁ ସବସିଡିର ଲାଭ ମିଳିଆସୁଛି । ହେଲେ ଆଜି ସରକାରଙ୍କ ନିଷ୍ପତ୍ତି ଦିଲ୍ଲୀବାସୀଙ୍କୁ ବଡ଼ ଝଟକା ଦେଇଛି ।

ଜେଜେମାଆଙ୍କୁ ମାରିଦେଲା ନାତି, ୪ ଦିନ ପରେ ମାଟି ତଳୁ ମିଳିଲା ଗଳିତ ମୃତଦେହ

ନବରଙ୍ଗପୁର: ଜେଜେମାଆଙ୍କୁ ମାରିଦେଲା ନାତି । ନାତି ଓ ତା’ ମାଆ ମିଶି ମୃତଦେହକୁ ପୋତିଦେଲେ । ଚାରି ଦିନ ପରେ ମାଟି ତଳୁ ମିଳିଲା ଗଳିତ ମୃତଦେହ । ଘରୋଇ କଳିରୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଖଣ୍ଡିଆଗୁଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ଖଣ୍ଡିଆଗୁଡ଼ା ଗାଁରେ ଗତ ୯ ତାରିଖରେ ସୋନାଇଁ ଜାନିଙ୍କ ପରିବାରରେ କୌଣସି କାରଣରୁ ବଚସା ହୋଇଥିଲା । ବଚସା ନେଇଥିଲା ଉଗ୍ରରୂପ । ଜେଜେମାଆ ସୋନାଇଁଙ୍କୁ ନାତି ଜଗବନ୍ଧୁ ଜାନି ଠେଲି ଦେବାରୁ ତଳେ ପଡ଼ି ଘଟଣାସ୍ଥଳରେ ହିଁ ସୋନାଇଁଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଜଗବନ୍ଧୁ ଏବଂ ତା’ ମାଆ କୁନି ଜାନି ମିଶି ମଧ୍ୟରାତ୍ରରେ ଘର ପାଖ ଏକ ନାଳ ନିକଟରେ ସୋନାଇଁଙ୍କ ଶବକୁ ପୋତି ଦେଇଥିଲେ ।

ମୃତ ସୋନାଇଁଙ୍କ ଭଣଜା ଲକିନାଥ ଜାନି ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶବ ପୋତାଯାଇଥିବା ସ୍ଥାନକୁ ଜଗବନ୍ଧୁକୁ ନେଇ ଶବ ଉଦ୍ଧାର କରାଯାଇଛି ଏବଂ ଘଟଣାସ୍ଥଳରେ ହିଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ବ୍ୟବଚ୍ଛେଦ କରାଯାଇଛି । ପାପଡ଼ାହାଣ୍ଡି ଏସଡିପିଓ ଆଦିତ୍ୟ ସେନ ମାମଲାର ତଦନ୍ତ କରୁଛନ୍ତି । ପୁଅ ଜଗବନ୍ଧୁ ଓ ତା’ ମାଆ କୁନି ଜାନିଙ୍କୁ ପୋଲିସ ଗିରଫ କରିଛି ।

ପଶ୍ଚିମ ଅଷ୍ଟ୍ରେଲିଆରେ ମହାବାତ୍ୟା ଇଲସାର ତାଣ୍ଡବ, ବିପୁଳ କ୍ଷୟକ୍ଷତି ଘଟିଥିବା ସୂଚନା

କାନବେରା: ପଶ୍ଚିମ ଅଷ୍ଟ୍ରେଲିଆରେ ମହାବାତ୍ୟା ଇଲସାର ତାଣ୍ଡବ । ପୋର୍ଟ ହେଡଲ୍ୟାଣ୍ଡ ଓ ବେଡୋଟ ଦ୍ବୀପାଞ୍ଚଳରେ ମହାବାତ୍ୟା । ଘଣ୍ଟାପ୍ରତି ୨୧୮ କିଲୋମିଟର ବେଗରେ ବହିଛି ପବନ । ଏହାକୁ ନେଇ ବିଭିନ୍ନ ସ୍ଥାନରେ ଜାରି କରାଯାଇଛି ଆଲର୍ଟ । ମହାବାତ୍ୟା ଯୋଗୁ ବିପୁଳ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି । ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଇଲସାର ଆଜି ସକାଳେ ପିଲବାରା ଉପକୂଳରେ ପହଞ୍ଚିବା ପରେ ବିଭିନ୍ନ ସ୍ଥାନରେ ରଚିଛି ତାଣ୍ଡବ । ବିଗତ ୨୦୦୭ରେ ଅଷ୍ଟ୍ରେଲିଆରେ ତାଣ୍ଡବ ରଚିଥିଲା ସାଇକ୍ଲୋନ ଜର୍ଜ । ଏହାର ଘଣ୍ଟାପ୍ରତି ବେଗ ଥିଲା ୧୯୪ କିଲୋମିଟର ।

ନକଲି ସାର୍ଟିଫିକେଟ ମାମଲାରେ ସରକାର ସତର୍କ ଦୃଷ୍ଟି ରଖିଛନ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ନକଲି ସାର୍ଟିଫିକେଟ ମାମଲାରେ ସରକାର ସତର୍କ ଦୃଷ୍ଟି ରଖିଛନ୍ତି । ଏବେ ନୁହେଁ ବଲାଙ୍ଗୀର ପୋଷ୍ଟାଲ ନିଯୁକ୍ତିରେ ଫେକ୍ ସାର୍ଟିଫିକେଟ ଘଟଣା ସାମ୍ନାକୁ ଆସିବା ପରଠାରୁ ସରକାର ଏ ନେଇ ସକ୍ରିୟ ଅଛନ୍ତି । ସରକାର ଗମ୍ଭୀରତାର ସହ ଖୋଳତାଡ଼ ଜାରି ରଖିଛନ୍ତି । ପାଖାପାଖି ୧୫୦ ଜଣ ବହିଷ୍କାର ହୋଇଛନ୍ତି । ଥାନାରେ ଏତଲା ଦିଆଯାଇଛି । ମୟୂରଭଞ୍ଜରେ କେସ୍ ଦାଖଲ ହୋଇ ଗିରଫ ମଧ୍ୟ ହୋଇଛନ୍ତି । BEO, DEO ମାନଙ୍କୁ ୭ ଦିନ ଭିତରେ ନିଜ ଅଂଚଳର ନକଲି ସାର୍ଟିଫିକେଟଧାରୀଙ୍କ ସମ୍ପର୍କରେ ରିପୋର୍ଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅସଲି ନକଲି ନେଇ ଓଡ଼ିଶା ଓ ରାଜ୍ୟ ବାହାର ବିଶ୍ଵବିଦ୍ୟାଳୟକୁ ଚିଠି କରାଯାଉଛି । ତେଣୁ ଖୋଳତାଡ଼ କରିବାକୁ ସମୟ ଲାଗୁଛି ।

ଗଣଶିକ୍ଷା ବିଭାଗରେ ପୂର୍ବରୁ ଖୋଳତାଡ଼ ଚାଲିଛି । ତେଣୁ ସ୍ୱତନ୍ତ୍ର ଟିମ୍ ଗଠନ ପାଇଁ କିଛି ଆବଶ୍ୟକତା ଆସିନି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ବଲାଙ୍ଗୀର ଲିଙ୍କ୍ କଥା କହିବା ଠିକ ହେବନି ବୋଲି କହିଛନ୍ତି ମନ୍ତ୍ରୀ । କାରଣ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ସେମାନଙ୍କ ଯାହା ଦରକାର ପଡ଼ିବ ସେମାନେ କରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।