କନ୍ୟା ମଥାରେ ସିନ୍ଦୂର ଦେବା ପରେ ଅଚାନକ ବରର ହୋଇଗଲା ମୃତ୍ୟୁ

ପାଟନା: ବିହାରର ଭାଗଲପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । କନ୍ୟା ମଥାରେ ସିନ୍ଦୂର ଦେବା ପରେ ବରର ମୃତ୍ୟୁ ହୋଇଯାଇଛି । ବରକୁ ହୃଦଘାତ ଆସିଥିବା କଥା କୁହାଯାଉଛି । ଘଟଣା ପରଠୁ ଉଭୟ ବର ଏବଂ କନ୍ୟାଙ୍କ ପରିବାରରେ ଦୁଃଖର ଛାୟା ଖେଳିଯାଇଛି । ସେହିପରି ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣିବା ପରେ କନ୍ୟା ବେହୋସ ହୋଇଯାଇଥିଲେ । ସୂଚନାଯୋଗ୍ୟ, ଝାରଖଣ୍ଡର ପଶ୍ଚିମୀ ସିଂହଭୂମର ନିବାସୀ ବିନୀତଙ୍କ ନିର୍ବନ୍ଧ ଭାଗଲପୁରର ନିବାସୀ ଆୟୁଷୀଙ୍କ ସହ ହୋଇଥିଲା । ୩ ମଇ ୨୦୨୩ରେ ଉଭୟଙ୍କ ବିବାହ ନିର୍ଦ୍ଧାରିତ କରାଯାଇଥିଲା ।

ବିନୀତ ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ ସଫ୍ଟୱେୟର ଇଞ୍ଜିନିୟର ଥିଲେ ଏବଂ ଆୟୁଷୀ ମଧ୍ୟ ମଲ୍ଟିନେଶନାଲ କମ୍ପାନୀରେ ଚାକିରି କରୁଥିଲେ । ବୁଧବାର ବିନୀତ ବରଯାତ୍ରୀ ସହ ଆଶି ସହରର ଶୀତଲା ସ୍ଥାନ ଚୌକ ମିରଜାନହାଟ ସ୍ଥିତ ମାତେଶ୍ୱରୀ ବିବାହ ମଣ୍ଡପରେ ପହଞ୍ଚିଥିଲେ । ଜୟମାଲା, ଫଟୋ ସେଶନ ସମେତ ଅନ୍ୟ ରୀତିନୀତି ପୂରା କରାଯାଇଥିଲା । ଗୁରୁବାର ସକାଳେ ସିନ୍ଦୂରଦାନ ରୀତି ହୋଇଥିଲା । ଏହାପରେ ବିନୀତ ବାଥରୁମ ଯାଇଥିଲେ । ଯେମିତି ହିଁ ସେଠାରୁ ଆସିଥିଲେ ତେବେ ତାଙ୍କ ଛାତିରେ ଗଭୀର ଯନ୍ତ୍ରଣା ହୋଇଥିଲା ଏବଂ ସେ ବେହୋସ ହୋଇ ଭୂଇଁରେ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ବିନୀତଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଆଉ ଉଠିନଥିଲେ ।

ପରିବାର ଲୋକେ ବିନୀତଙ୍କୁ ତୁରନ୍ତ ମାୟାଗଞ୍ଜ ହସ୍ପିଟାଲ ନେଇଯାଇଥିଲେ । ଯାଞ୍ଚ୍ ପରେ ଡାକ୍ତର ବିନୀତଙ୍କୁ ମୃତ ଘୋଷଣା କରିଥିଲେ । ପରିବାରଙ୍କ କହିବା ମୁତାବକ ବିନୀତଙ୍କୁ ହୃଦଘାତ ଆସିଥିଲା । ଗତ ୨ ତାରିଖରେ ମଧ୍ୟ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ହେଲେ ଛୋଟମୋଟ ଯନ୍ତ୍ରଣା ଭାବି ବିନୀତ ଏହାକୁ ଅଣଦେଖା କରିଥିଲେ ଏବଂ ଯନ୍ତ୍ରଣା କାଟିବା ପାଇଁ ଏକ ଟାବଲେଟ୍ ଖାଇଥିଲେ । ବିନୀତଙ୍କ ମୃତ୍ୟୁ ଖବର ମିଳିବା ପରେ ଉଭୟ ପରିବାରରେ ଶୋକର ଛାୟା ଖେଳିଯାଇଛି । ସମ୍ପର୍କୀୟ ଏବଂ ପରିବାର ଲୋକେ ବିଶ୍ୱାସ କରିପାରୁନାହାନ୍ତି ଯେ ଅଚାନକ ବିନୀତଙ୍କ ମୃତ୍ୟୁ ହୋଇଯାଇଛି ବୋଲି । ଅନ୍ୟପକ୍ଷରେ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଆୟୁଷୀ ବେହୋଶ ହୋଇଯାଇଛନ୍ତି ।