ଇସ୍ତଫା ପ୍ରତ୍ୟାହାର କଲେ ଏନସିପି ସୁପ୍ରିମୋ ଶରଦ ପୱାର, କହିଲେ ମୁଁ ଆପଣଙ୍କ ଭାବନାକୁ ଅପମାନ କରିପାରିବି ନାହିଁ…

ମୁମ୍ବାଇ: ଏନସିପି ସଭାପତି ପଦକୁ ନେଇ ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ସଭାପତି ଭାବେ କାର୍ଯ୍ୟ ଜାରି ରଖିବେ ଶରଦ ପୱାର । ଇସ୍ତାଫା ପ୍ରତ୍ୟାହାର କରିଛନ୍ତି ଏନସିପି ସୁପ୍ରିମୋ ଶରଦ ପୱାର । ସେ ଆଜି ଅପରାହ୍ନରେ ପ୍ରେସ୍ କନଫରେନ୍ସରେ ଘୋଷଣା କରି କହିଛନ୍ତି ଯେ, ମୁଁ ଆପଣମାନଙ୍କ ଭାବନାକୁ ଅପମାନ କରିପାରିବି ନାହିଁ । ମୁଁ ଭାବୁକ ହୋଇଯାଇଛି ଏବଂ ନିଜ ନିଷ୍ପତ୍ତି ପ୍ରତ୍ୟାହର କରୁଛି । ଏନସିପି ସଭାପତି ଶରଦ ପୱାର କହିଛନ୍ତି ଯେ ୨ ମଇରେ ମୁଁ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି କରିଥିଲି ।

ମୋତେ ଲାଗୁଥିଲା ଯେ ଏତେ ବର୍ଷର ସେବା ପରେ ମୋର ଆରାମ କରିବାର ସମୟ ଆସିଛି । ନୂଆ ଚେହେରା ଦଳର ନେତୃତ୍ୱ ନିଅନ୍ତୁ । ହେଲେ କାର୍ମକର୍ତ୍ତାଙ୍କ ଜିଦ୍ ଆଗରେ ମୁଁ ହାରିଯାଇଛି । ପୱାର କହିଛନ୍ତି ମୁଁ ଇସ୍ତଫା ଦେବାର ଘୋଷଣା କରିବା ପରେ ଏନସିପିର ଅନେକ କାର୍ଯ୍ୟକର୍ତ୍ତା ଏବଂ ପଦାଧିକାରୀ ଦୁଃଖିତ ହୋଇଯାଇଥିଲେ । ଏହି ନିଷ୍ପତ୍ତି ଉପରେ ପୁଣିଥରେ ବିଚାର କରିବା ପାଇଁ ସେମାନେ ମୋତେ ଅନୁରୋଧ କରିଥିଲେ । ଏଥିସହିତ କର୍ମକର୍ତ୍ତାମାନେ ଦାବି କରିଥିଲେ ଯେ ମୁଁ ପୁଣିଥରେ ଅଧ୍ୟକ୍ଷ ପଦକୁ ଫେରି ଆସେ ବୋଲି ।

ମୁଁ ଲୋକମାନଙ୍କ ଭାବନାକୁ କୁଠାରଘାତ କରିପାରିବି ନାହିଁ । ଶରଦ ପୱାର ଆଗକୁ କହିଥିଲେ ଯେ ଏହି ସବୁ କଥାକୁ ନେଇ ମୁଁ ଭାବୁକ ହୋଇଯାଇଛି, ସମସ୍ତଙ୍କ ଆହ୍ୱାନ ଏବଂ ଏନସିପିର ବରିଷ୍ଠ ନେତାଙ୍କ କହିବା ପରେ ଏବଂ ସମସ୍ତଙ୍କ ଭାବନାକୁ ସମ୍ମାନ ଦେଇ ମୁଁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଜାତୀୟ ସଭାପତି ପଦରୁ ଇସ୍ତଫା ଦେବାର ନିଜର ନିଷ୍ପତ୍ତି ପ୍ରତ୍ୟାହର କରୁଛି । ମୁଁ ପୁଣିଥରେ ଅଧ୍ୟକ୍ଷ ପଦ ସ୍ୱୀକାର କରୁଛି । ଶରଦ ପୱାର ସଭାପତି ପଦରେ ରହିବା ନେଇ ଘୋଷଣା କରିବା ପରେ ଏନିସିପି କାର୍ଯ୍ୟକର୍ତ୍ତାମାନେ ମୁମ୍ବାଇରେ ଉତ୍ସବ ମନାଇଛନ୍ତି । ସୂଚନାଥାଉକି, ଗତ ୨ ମଇରେ ଶରଦ ପୱାର ଏନସିପି ସଭାପତି ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ।

ତାଙ୍କର ଏହି ଘୋଷଣା ପରେ ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଯାଇଥିଲା । ଆଗାମୀ ଏନିସିପି ସଭାପତିଙ୍କୁ ନେଇ କଳ୍ପନା ଜଳ୍ପନା ମଧ୍ୟ ହୋଇଥିଲା । ପୱାର ଦଳର ନୂଆ ଅଧ୍ୟକ୍ଷ ଚୟନ ପାଇଁ ଏକ କମିଟିର ଗଠନ ମଧ୍ୟ କରିଥିଲେ । ଯେଉଁଥିରେ ତାଙ୍କ ପୁତୁରା ଅଜିତ ପୱାର, ଝିଅ ସୁପ୍ରିୟା ସୁଲେ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ଏବଂ ଛଗନ ଭୁଜବଲ ପ୍ରମୁଖ ସାମିଲ ଥିଲେ । ତାଙ୍କର ଏହି ଘୋଷଣା ପରେ ଏନିସିପି କାର୍ଯ୍ୟକର୍ତ୍ତାମାନେ ଜୋରଦାର ବିରୋଧ କରିଥିଲେ । ଦଳୀୟ କର୍ମୀଙ୍କ ବିରୋଧକୁ ଦୃଷ୍ଟିରେ ରଖି ପୱାର ନିଜ ନିଷ୍ପତ୍ତି ଉପରେ ପୁଣିଥରେ ବିଚାର ପାଇଁ ଦୁଇ ଚାରିଦିନ ସମୟ ମାଗିଥିଲେ ।