ପୁରୀରେ 5T ସଚିବ, ପରିକ୍ରମା ପ୍ରକଳ୍ପ କାର୍ଯ୍ୟର କଲେ ଅନୁଧ୍ୟାନ

1 min read

ପୁରୀ: ପୁରୀରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ପ୍ରଥମେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ସିଂହଦ୍ବାର ସମ୍ମୁଖରୁ ଏମାର ମଠ ଚକଡ଼ ଅଞ୍ଚଳ, କାକୁଡ଼ିଖାଇ ହୋଇ ଦକ୍ଷିଣ ଦ୍ବାରରେ ଜାରି ରହିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ପରେ ପଶ୍ଚିମ ଓ ଉତ୍ତର ଦ୍ବାରରେ ଜାରି ରହିଥିବା ପରିକ୍ରମା ପ୍ରକଳ୍ପର ଆଉଟର ରୋଡ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବା ସହିତ ଉତ୍ତର ଦ୍ବାର ନିକଟରେ ଚାଲିଥିବା ବିଭିନ୍ନ ଜୋନର ରାସ୍ତା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ୭୫ ମିଟର ସୁରକ୍ଷା ବଳୟ ମଧ୍ୟରେ ନିର୍ମାଣାଧୀନ ପରିକ୍ରମା ପ୍ରକଳ୍ପର ବାହାର ରାସ୍ତା କାର୍ଯ୍ୟ ରଥଯାତ୍ରା ପୂର୍ବରୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ 5T ସଚିବ ।

ଏହାସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପୁରୀ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସମେତ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ପରେ 5T ସଚିବ ଶ୍ରୀସେତୁ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଏହାର ନିର୍ମାଣ ଅଗ୍ରଗତିକୁ ନେଇ ସନ୍ତୋଷ ପ୍ରକଟ କରିଥିଲେ । ଶ୍ରୀସେତୁ ନିର୍ମାଣ କରୁଥିବା ସଂସ୍ଥାର ଅଧିକାରୀମାନେ 5T ସଚିବଙ୍କୁ ନକ୍ସା ଦେଖାଇ ନିର୍ମାଣ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ପ୍ରତି ସପ୍ତାହରେ 5T ସଚିବ ପୁରୀ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରୁଛନ୍ତି । ଯାହାକୁ ସ୍ବାଗତ କରିଛନ୍ତି ପୁରୀବାସୀ ଓ ଶ୍ରଦ୍ଧାଳୁ ।